Unknown

 

 

 

 

 

 

 

 

 

 

 

ଚନ୍ଦ୍ରିକାର ଚୁଡ଼ି

ରାଧାଗୋବିନ୍ଦ ପଟ୍ଟନାୟକ

 

।। ଏକ ।।

 

ସନ୍ଧ୍ୟା ଅନେକ ଆଗରୁ ଉତୁରି ଯାଇଥିଲା । ଆଖିରୁ ରୋଲ୍ଡ଼ ଗୋଲ୍ଡ଼ ଫ୍ରେମ୍ ଚଷମାକୁ ଟେବୁଲ ଉପରେ ଥୋଇ କିଛି ସମୟ ଆଖିବୁଜି ରାତ୍ରିର ଗଭୀରତା ଆଡ଼କୁ ମୁହଁ କରି ବସିଥିଲେ ଭାରତବିଖ୍ୟାତ ଗୋଇନ୍ଦା ଦେବାଶୀଷ ଚୌଧୁରୀ ।

 

ଟେବୁଲ୍ ଉପରେ ଗଦାଗଦା ଫାଇଲ୍ । କିଛି ସମୟ ପୂର୍ବରୁ ସେଥିମଧ୍ୟରୁ ଗୋଟିକରେ ନିବିଷ୍ଟଭାବେ ମଜ୍ଜି ଯାଇଥିଲେ ସିଏ । ୟା’ ଭିତରେ ତାଙ୍କ ଅଗୋଚରରେ କେତେବେଳେ ସନ୍ଧ୍ୟା ଆସି ବିଦାୟ ନେଇଥିଲା । ସହକାରୀ ସୁବାଷବାବୁ ଘରର ବତୀଗୁଡ଼ିକ ସୁଇଚ୍ ଟିପି ଆଲୋକିତ କରିସାରିଥିଲେ ।

 

ଅଥଚ ଦେବାଶୀଷ ଚୌଧୁରୀ କିଛିମାତ୍ର ଜାଣିପାରିନଥିଲେ । ସନ୍ଧ୍ୟା କେତେବେଳେ ଆସିଲା ସେ କହିପାରିବେ ନାହିଁ । ଅଥବା ପ୍ରକୋଷ୍ଠଗୁଡ଼ିକ ଆଲୋକିତ କିପରି ହେଲା ତାହା ବି ତାଙ୍କୁ ଅଗୋଚର ।

 

ହୁଏତ ମନଟା ତାଙ୍କର ଘୂରି ବୁଲୁଥାଏ କେଉଁ ଅଗନାଅଗନୀ ବନର ପାହାଡ଼ କନ୍ଦରରେ-। ଅଥବା କେଉଁ ଦସ୍ୟୁର ଜହରତ୍‍ଭରା ଗିରିଗୁହା ମଧ୍ୟରେ ।

 

ଜୀବନକୁ ଅର୍ଦ୍ଧଶତାବ୍ଦୀ ପର୍ଯ୍ୟନ୍ତ ଭୋଗ କରିସାରିଲେଣି ଦେବାଶୀଷବାବୁ । ଅଥଚ ତାଙ୍କ ମୁଣ୍ଡର ଘନକୃଷ୍ଣ କେଶଗୁଚ୍ଛ, ଶରୀରର ନିଟୋଳ ସ୍ୱାସ୍ଥ୍ୟକୁ ଦେଖିଲେ ମନେହୁଏ, ତାଙ୍କର ଦୁଃସାହସିକ ଜୀବନର ସୀମାକୁ ବାର୍ଦ୍ଧକ୍ୟ ସ୍ପର୍ଶ କରିବାକୁ ଯେପରି ସାହସ କରିପାରିନି ।

 

ତାଙ୍କର ରହସ୍ୟମୟ ଜୀବନ ଭିତରେ ସେ କେବେ ପରାଜୟ ସ୍ଵୀକାର କରିନାହାନ୍ତି ।

 

ସାମ୍ନା ଚେୟାର ଦଖଲ କରି ଅତି ସନ୍ତର୍ପଣରେ ସୁବାସବାବୁ କହିଲେ, ଆଜି ଖରାବେଳେ ସୁପରିଟେଣ୍ଡେଣ୍ଟ୍ ଶେଠ୍ ରାମଦୟାଲଙ୍କର ହତ୍ୟା ସମ୍ପର୍କରେ ପଚାରୁଥିଲେ । ତା’ ଛଡ଼ା ହୋଟେଲ୍ ଗ୍ରୀନ୍‍ଲ୍ୟାଣ୍ଡର ଅନେକ ଦିନ ତଳେ ସେଇ ପରିଚାରୀକାର ଆକସ୍ମିକ ହତ୍ୟା ବିଷୟରେ ଏକ ରିପୋର୍ଟ ଚାହୁଁଥିଲେ ।

 

ଦେବାଶୀଷବାବୁ ତାତ୍ସଲ୍ୟ ହସରେ କଥାଟାକୁ ଉଡ଼ାଇଦେଇ କହିଲେ– କେବଳ I.P.S ପାଶ୍ କରିଥିଲେ କେହି ଭଲ ପୋଲିସ ହୁଏନା ସୁବାଶ । ପୋଲିସ ଲାଇନରେ କାମ କରିବାକୁ ହେଲେ ଏକ ନିର୍ଦ୍ଦିଷ୍ଟ ଧରଣର ବିଦ୍ୟା ବୁଦ୍ଧି ଥିବା ଆବଶ୍ୟକ ।

 

ଆଜିକାଲି ଯୁଗର ଅସାମାଜିକ ଲୋକଗୁଡ଼ାକ ପାଞ୍ଚ ପାଞ୍ଚ ଥର I.P.S ପାଶ୍ କରିଥିବା ପୋଲିସ ଅଫିସରଙ୍କଠାରୁ ଭୟାନକ ଭାବେ ବୁଦ୍ଧିମାନ ।

 

ଦେଶରେ ପୋଲିସ ସଂଖ୍ୟା ବଢ଼ିଛି । ତା’ ପଛେ ପଛେ ଶିବସେନା, ନକ୍ସାଲ୍ ବାଡ଼ି ଆନ୍ଦୋଳନ, ଛାତ୍ର ଆନ୍ଦୋଳନ ସେହି ପରିମାଣରେ ମଧ୍ୟ ବଢ଼ିଛି । ଡକାୟତି, ଜାଲ୍ ଜୁଆଚୋରି, ଇତ୍ୟାଦି କ୍ରିମିନାଲ କେସ୍‍ମାନଙ୍କର ସଂଖ୍ୟା ଆଶ୍ଚର୍ଯ୍ୟ ଭାବେ ବଢ଼ୁଛି କାହିଁକି ? କାରଣ ପୋଲିସ ଥାଇ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ କରାଯାଇ ପାରୁନାହିଁ ।

 

ମନଇଚ୍ଛା ଯାହାକୁ ନାହିଁ ତାକୁ ଗିରଫ୍ କରିପାରିଲେ ଅବସ୍ଥାକୁ ଆୟତ କରାଯାଇପାରେନା । ଫଳରେ ପ୍ରକୃତ ଦୋଷୀ ବେଶ୍ ନିରାପଦରେ ଗୋଟିକ ପରେ ଗୋଟିଏ ବିଭୀଷିକା ସୃଷ୍ଟି କରିଚାଲେ । ତେଣୁ ସବୁକଥାର ମୂଳରୁ ଅନୁଧ୍ୟାନ ହେବା ଆବଶ୍ୟକ ।

 

ଏଇ ଧର ମୁଁ ତୁମକୁ ଆଜି ଗୋଟାଏ ନୂଆ କଥା କହୁଛି । ଏ ଘଟଣା ତମ S.P ଜାଣିଥିବେ କି ନାହିଁ ସନ୍ଦେହ । ଅଧା ମୁକୁଳା ପଡ଼ିଥିବା ଫାଇଲକୁ ପୁଣି ଘାଣ୍ଟିବାକୁ ଲାଗିଲେ ଦେବାଶୀଷ ଚୌଧୁରୀ ।

 

ସୁବାଷ ଆଶ୍ଚର୍ଯ୍ୟ, ଚକିତ ଦୃଷ୍ଟିରେ ଚାହିଁ ରହିଥିଲେ ତାଙ୍କ ମୁହଁକୁ ।

 

ହଠାତ୍ ଗୋଟାଏ ସ୍ଥାନରେ ଅଟକିଯାଇ ଦେବାଶୀଷବାବୁ ଆରମ୍ଭ କଲେ–

 

ଦକ୍ଷିଣ ଆଫ୍ରିକାର ତତ୍କାଳୀନ ବିଚକ୍ଷଣ ଗୋଇନ୍ଦା ଅଫିସର ମି. ବେକର ଲେଖିଛନ୍ତି, ୧୮୯୫ ମସିହାରେ ଜୋହନ୍ସବର୍ଗରେ ଏକ କୁଖ୍ୟାତ ଡକାୟକ ଦଳ ଗଢ଼ି ଉଠିଥିଲେ । ଏହି ଦଳର ସ୍ଥାପୟିତା ଥିଲେ କେ. ରଙ୍ଗନାଥନ୍ । ତାଙ୍କ ଦଳରେ ଅନ୍ୟୁନ ଶତାଧିକ ସଭ୍ୟ ଥିଲେ । ସେମାନେ ମୋଟର ଚଳାଇ ଜାଣିଥିଲେ, ଜାହାଜ ଚଳାଇ ଜାଣିଥିଲେ, ଯୁଦ୍ଧ କରି ଶିଖିଥିଲେ । ଦଳର ସଭ୍ୟମାନଙ୍କୁ ସବୁ ବିଷୟରେ ତାଲିମ ଦିଆଯାଇଥିଲା । ତମେ ଆଶ୍ଚର୍ଯ୍ୟ ହେବ ସୁବାଷ, ଦଳର ନିଜର ଜାହାଜ ବି ଥିଲା ।

 

ମି: ବେକର ତାଙ୍କର ରିପୋର୍ଟରେ ଉଲ୍ଲେଖ କରିଛନ୍ତି, ସବୁଠାରୁ କୌତୂହଳର ବିଷୟ ଯେ ଏହି ଦଳରେ ୫ ବର୍ଷଠାରୁ ତେର ବର୍ଷର ବାଳକ ବାଳିକାମାନଙ୍କୁ ମଧ୍ୟ ଡକାୟତି କରିବାରେ ତାଲିମ ଦିଆଯାଇଥିଲା । ବାଳିକାମାନେ ସୁନ୍ଦରଭାବେ ନାଚି, ଗାଇ ଜାଣିଥିଲେ । ବାଳକମାନେ କୁସ୍ତି କସରତ କରିବା ତଥା ବାଦ୍ୟ–ବିଶାରଦ ଥିଲେ । ଏହି ଦଳ ଦେଶ ମଧ୍ୟରୁ ବହୁ ମୂଲ୍ୟବାନ ସୁନା, ହୀରା, ଜହରତ ଇତ୍ୟାଦି ଧାତୁଦ୍ରବ୍ୟମାନ ଲୁଟ୍ କରି ଅନ୍ୟ ଦେଶମାନଙ୍କରେ ବିକ୍ରୟ କରୁଥିଲେ ।

 

ଜୋହନ୍ସବର୍ଗ ଭଳି ବିଶାଳ ସହରରେ ଏହି ଦଳର ଲୋକେ ଗଳିକନ୍ଦିରେ ଆଡ଼୍ଡ଼ା ମାରି ବଡ଼ ବଡ଼ ମର୍ଡ଼ର କେଶ୍, ଲୁଟତରାଜ ଓ ଡକାୟତି ମଧ୍ୟ କରୁଥିଲେ । ଗ୍ରାଣ୍ଡ୍ ନ୍ୟାସ୍‍ନାଲ ହୋଟେଲର ମାଲିକ, ଲକ୍ଷପତି ମି: ପଲ୍, ଟାନ୍ସଭାଲର ବିଖ୍ୟାତ ବାରିଷ୍ଟର ମି: ଜନଷ୍ଟନ୍ ଓ ମରିସ୍ଵର୍ଗର ବିରାଟ ବ୍ୟବସାୟୀ ମି: କୋଟସ୍‍ଙ୍କ ହତ୍ୟା ରହସ୍ୟ ଓ ସମ୍ପତ୍ତି ଅପହରଣ ପଛରେ ଏଇ ଦଳର ହାତ ବି ଥିଲା ।

 

ତଥାପି ବିଚକ୍ଷଣ ଇଂରେଜ ଗୋଇନ୍ଦା ସେମାନଙ୍କୁ ଧରିପାରୁନଥିଲେ । ସେମାନଙ୍କ ଆଖିରେ ଧୂଳି ପକାଇ ର୍ନିଦ୍ୱନ୍ଦ୍ୱରେ ଏମାନେ ଗୋଟିକ ପରେ ଗୋଟିଏ ବିଭୀଷିକା ସୃଷ୍ଟି କରି ଚାଲିଥିଲେ ।

 

ଯେତେବେଳେ ୧୮୯୭ ମସିହାରେ ପ୍ରିଟୋରିଆର ବିଶିଷ୍ଟ ବ୍ୟବସାୟୀ ତଥା କୋଟିପତି କମ୍ରୁଦ୍ଦିନଙ୍କ ଘର ଚଢ଼ାଉ କରି କୋଟି କୋଟି ଟଙ୍କା ମୂଲ୍ୟର ହୀରା ଜହରତ୍ ସେମାନେ ନେଇଯାଇ ଦକ୍ଷିଣ ଆଫ୍ରିକାର ଘଞ୍ଚ ଜଙ୍ଗଲ ଭିତରେ ଆତ୍ମଗୋପନ କରିଥିଲେ, ସେତିକିବେଳେ ଏହି ଡକାୟତ ଦଳ ପଛରେ ସାରା ଦେଶର ପୋଲିସ ସଂସ୍ଥା ଲାଗିପଡ଼ିଲେ ।

 

ପୋଲିସ ତତ୍ପରତାରେ ଏହି ଡକାୟତ ଦଳ ସର୍ବଦା ଧରାପଡ଼ିଯିବାର ଆଶଙ୍କା କରୁଥିଲେ । ଏଣୁ ସବୁବେଳେ ଦଳବଳ ସହ ନିରାପଦରେ ଦକ୍ଷିଣ ଆଫ୍ରିକାରୁ ଖସିଯିବା ପାଇଁ ଦସ୍ୟୁ ସର୍ଦ୍ଦର ରଙ୍ଗନାଥମ୍ ଚିନ୍ତା କରୁଥାଏ ।

 

୧୮୯୯ ମସିହା, ଦକ୍ଷିଣ ଆଫ୍ରିକାରେ ଇଂରେଜମାନଙ୍କ ପକ୍ଷରେ ଏକ ସଙ୍କଟଜନକ ବର୍ଷ । ସେତେବେଳେ ସେଠାକାର ବୋର୍ ଯୁଦ୍ଧ ଭୀଷଣ ଆକାର ଧାରଣ କରିଥାଏ । ଏଇ ସମୟକୁ ଏକ ସୁବର୍ଣ୍ଣସୁଯୋଗ ମନେକରି ରଙ୍ଗନାଥମ୍ ତା’ର ଦଳବଳ ସହିତ ନିଜ ଜାହାଜରେ ପଳାଇ ଆସୁଥିବାବେଳେ ଲାମୁ ବନ୍ଦରଠାରେ ଧରାପଡ଼ିଲା । କାରଣ ସନ୍ଦେହ କରି ତା’ ଜାହାଜର ପିଛା ଧରିଥିଲା ଏକ ସୈନ୍ୟବାହୀ ଜାହାଜ ।

 

ଲାମୁଠାରେ ତାଙ୍କ ଜାହାଜରୁ ବହୁ ଧନସମ୍ପତ୍ତି ଜବତ କରାଯାଇଥିଲେ ମଧ୍ୟ ଚତୁର ରଙ୍ଗନାଥମ୍, ତା’ ସ୍ତ୍ରୀ ଓ ଅନ୍ୟୂନ ପଚାଶଜଣ ଦସ୍ୟୁଙ୍କ ସହିତ ଜାଲି ବୋଟରେ ପୋଲିସ ଆଖିରେ ଧୂଳିଦେଇ ପଳାୟନ କରୁଥିଲାବେଳେ ଜାଞ୍ଜି ବରଠାରେ ଗିରଫ ହେଲା । ମାତ୍ର ଦୁର୍ଭାଗ୍ୟର କଥା ଯେ, ପୋଲିସ ତାଙ୍କୁ ହାତକଡ଼ି ପିନ୍ଧେଇବା ପୂର୍ବରୁ ସେ ନିଜେ ଓ ତା’ର ପତ୍ନୀ ଚନ୍ଦ୍ରିକା ଆତ୍ମହତ୍ୟା କରିଥିଲେ । କିନ୍ତୁ ମି: ବେକର ଏଇଠି ଏକଥା ସୁଚେଇବାକୁ ଭୁଲିନାହାନ୍ତି ଯେ, ସୁଚତୁର ରଙ୍ଗନାଥମ୍ ମରିବା ପୂର୍ବରୁ ତା’ର ଅତି ପ୍ରିୟ ଅନୁଚର ଅଜିତ୍ ସାନ୍ୟଲ୍, ପି: ସୁନ୍ଦରମ୍ ଓ ଅଳକା ଦତ୍ତକୁ ନିଜର ଦଳକୁ ବଞ୍ଚେଇରଖିବା ପାଇଁ ବା ପୁଣିଥରେ ପୁର୍ନଜୀବନ୍ୟାସ ଦେବାପାଇଁ ପ୍ରେରଣା ଦେଇ ସମୁଦ୍ର ପହଁରି କୌଣସି ଏକ ନିକଟସ୍ଥକୂଳକୁ ମଟରଟିଉବ ସାହାଯ୍ୟରେ ଚାଲିଯିବା ପାଇଁ କୌଶଳରେ ସେମାନଙ୍କୁ ଖସେଇ ଦେଇଥିଲା ।

 

ମି: ବେକର ଆଶଙ୍କା କରିଛନ୍ତି, ଏହି ତିନିଜଣ ପୋଲିସ ଆଖିରେ ଧୂଳିଦେଇ ନିର୍ବିଘ୍ନରେ ସମୁଦ୍ରପାର ହୋଇ ଖସିଆସି ପାରିଛନ୍ତି ।

 

ମି. ବେକରଙ୍କର ରିପୋର୍ଟ ଅନୁସାରେ ଯେତେବେଳେ ଅଜିତ୍ ସାନ୍ୟାଲର ବୟସ ଏକୋଇଶି, ପି. ସୁନ୍ଦରମର ବୟସ ଉଣେଇଶି ଓ ଅଳକା ଦତ୍ତର ବୟସ ସତର ।

 

ଜାଞ୍ଜିବର ପୋଲିସ ଅନୁସନ୍ଧାନ କରି ରଙ୍ଗନାଥମର ଦୈନନ୍ଦିନ ଡାଇରି ବହିଟି ଉଦ୍ଧାର କରିଥିଲେ । ରଙ୍ଗନାଥମର ଚରିତ୍ର ସମ୍ପର୍କରେ ମି: ବେକର ଉଲ୍ଲେଖ କରିଛନ୍ତି ଯେ ରଙ୍ଗନାଥମ୍ କୁଲିକାମ କରିବାକୁ ଚୁକ୍ତିବଦ୍ଧ ହୋଇ କୌଣସି ଜଣେ କୁଲି ଠିକାଦାରଙ୍କ ଦ୍ଵାରା ଦକ୍ଷିଣ ଆଫ୍ରିକାକୁ ଆସିଥିଲା । ମାତ୍ର ସେଠାରେ ଦାସତ୍ଵ ଜୀବନପ୍ରତି ତା’ର ତିକ୍ତତା ଆସେ । ଇଂରେଜମାନଙ୍କର ସ୍ୱେଚ୍ଛାଚାର–ବର୍ଣ୍ଣବିଦ୍ୱେଷ ନୀତିରେ ସେ ଅତିଷ୍ଠ ହୋଇଉଠେ । ସେତେବେଳେ ତା’ ଦେହରେ ଅପରିମିତ ବଳ । ଏକଦା ତା’ର ପ୍ରଭୁ ଜଣେ ଇଂରେଜ୍ ସାହେବକୁ ପ୍ରହାରକରି ଦକ୍ଷିଣ ଆଫ୍ରିକାର ନିଘଞ୍ଚ ଅରଣ୍ୟ ଭିତରେ ଆତ୍ମଗୋପନ କରି ଏହି ଅର୍ଥଲିପ୍ସୁ, ସାମ୍ରାଜ୍ୟ ଲିପ୍‍ସୁ ଓ ଧନ ଲିପ୍‍ସୁ ଇଂରେଜମାନଙ୍କ ବିରୁଦ୍ଧରେ ଶକ୍ତି ସଞ୍ଚୟ କରିବାକୁ ଲାଗିଲା । ସେତେବେଳେ ସେଠାରେ ଅଣ ଇଂରେଜମାନେ ସାଙ୍ଘାତିକ ଭାବରେ ନିର୍ଯ୍ୟାତିତ ହେଉଥିଲେ–ତେଣୁ ରଙ୍ଗନାଥମର ଦଳ ବଢ଼ିବାରେ କୌଣସି ଅସୁବିଧା ହେଲା ନାହିଁ ।

 

ପରବର୍ତ୍ତୀ କାଳରେ ସେ ଚନ୍ଦ୍ରିକା ନାମ୍ନୀ ଏକ ବଙ୍ଗୀୟ ଯୁବତୀକୁ ବିବାହ କଲା । ଦଳ ଭିତରେ ତାକୁ ଓ ତା’ର ପତ୍ନୀକୁ ଅନୁଚରମାନେ ରାଜା ଓ ରାଣୀର ସମ୍ମାନ ଦେଉଥିଲେ । ସେଇ ଦସ୍ୟୁଦଳ ଭିତରେ ରଙ୍ଗନାଥମ୍ ଅପେକ୍ଷା ଚନ୍ଦ୍ରିକାର ପ୍ରତିପତି ଅଧିକ ଥିଲା । ଅନୁଚରମାନେ ତାକୁ ମା’ ବୋଲି ସମ୍ବୋଧନ କରୁଥିଲେ । ସେମାନଙ୍କ ନିକଟରେ ଚନ୍ଦ୍ରିକାର ବାକ୍ୟ ହିଁ ଥିଲା ବେଦବାକ୍ୟ-

 

ସୂର୍ଯ୍ୟ ଅସ୍ତ ହୋଇନପାରନ୍ତି, ମାତ୍ର ଚନ୍ଦ୍ରିକାର ନିର୍ଦ୍ଦେଶ ଅମାନ୍ୟ ହୋଇପାରେନା ।

 

ଦକ୍ଷିଣ ଆଫ୍ରିକା ଛାଡ଼ିବାର ପୂର୍ବଦିନ ରାତ୍ରିରେ ଚନ୍ଦ୍ରିକା ଅନୁଚରମାନଙ୍କୁ ଉଦବୋଧନ ଦେଇ କହିଥିଲା । ଆମ ପକ୍ଷରେ ଦକ୍ଷିଣ ଆଫ୍ରିକାର ଏହା ଶେଷ ରାତ୍ରୀ କି ନୁହେଁ କହିହେଉନି । ତଥାପି ଆମେ ବିଷାଦ ଭିତରେ ଏକ ଅନିଶ୍ଚିତ ପଥରେ ଗତି କରୁଛେ । କୋଉ ମୁହୂର୍ତ୍ତରେ ଧରାପଡ଼ିଯିବା ଠିକ୍‍ଭାବେ କହି ହେବନାହିଁ । ମାତ୍ର ଏହା ନିଶ୍ଚିନ୍ତ ଯେ, ପୋଲିସ ହାତରେ ଧରାଦେବା ଭଳି କାପୁରୁଷତା ଏ ଦଳରେ କାହାରି ନାହିଁ । ତା’ ପୂର୍ବରୁ ଆମେ ଉଷ୍ମ ମୃତ୍ୟୁର ଗୋଟିଏ ପିଆଲା ନିଶ୍ଚୟ ମୁହଁ ପାଖରେ ଧରିଥିବା । ମାତ୍ର ଆମ ମଧ୍ୟରୁ ଯେ କେହି ବଞ୍ଚି ରହିବ ସେ ଏ ଦଳର ଜୀବନ୍ୟାସ ଦେବ ଓ କାର୍ଯ୍ୟ କରିଚାଲିବ, ଯେପର୍ଯ୍ୟନ୍ତ ସମାଜରୁ ଏ ଶୋଷଣ, ଦାସତ୍ୱ ନ ଘୁଞ୍ଚୁଛି, ଯେପର୍ଯ୍ୟନ୍ତ ପୃଥିବୀରେ ଶ୍ରେଣୀହୀନ ମାନବ ସମାଜ ସୃଷ୍ଟି ନ ହୋଇଛି ।

 

ସେଦିନ ଚନ୍ଦ୍ରିକା ଦସ୍ୟୁଦଳର ନୂଆ ରାଜା ଭାବେ ଅଜିତ୍ ସ୍ୟାନାଲ ଓ ନୂତନ ରାଣୀଭାବେ ଅଳକା ଦତ୍ତକୁ ନିର୍ବାଚିତ କରିଥିଲା । ନିଜ ହାତର ସୁବର୍ଣ୍ଣ ଚୁଡ଼ିକୁ ଅଳକା ହାତରେ ପିନ୍ଧାଇଦେଇ ଅଭିଷିକ୍ତ କରିଥିଲା ।

 

ରଙ୍ଗନାଥମ୍ ତା’ ଦିନଲିପିରେ ଚନ୍ଦ୍ରିକାର ଅନ୍ତିମ ଉଦବୋଧନକୁ ଲିପିବଦ୍ଧ କରିଥିଲା ଓ ନାରୀ ହେଲେ ବି ସେ ଏକ ନିଷ୍ଠୁର ବ୍ୟତିକ୍ରମ ବୋଲି ତାରିଫ୍ କରିଥିଲା ।

 

ଏକ ନିଶ୍ୱାସରେ ଏତକପଢ଼ି ଦେବାଶିଷବାବୁ ସୁବାଷ ମୁହଁକୁ ଅନେଇଲେ । ତାଙ୍କ ମୁଣ୍ଡରେ ସ୍ୱେଦବିନ୍ଦୁ ଉପରେ ବିଜୁଳି ଆଲୋକ ପଡ଼ି ଚିକ୍ ଚିକ୍ କରୁଥିଲା, ଅନ୍ଧାର କକ୍ଷ ଭିତରେ କୃଷ୍ଣକାୟ ବିରାଡ଼ିର ଦପ୍ ଦପ୍ କରୁଥିବା ଆଖିଭଳି ।

 

ସୁବାଷ ମୃଦହସି କହିଲା– ବର୍ତ୍ତମାନର ବ୍ୟାପାରରେ ଦକ୍ଷିଣ ଆଫ୍ରିକା କାହାଣୀର ଅବତାରଣା କାହିଁକି ?

 

ଦେବାଶୀଷବାବୁ ଅବିଚଳିତ କଣ୍ଠରେ କହିଲେ– ତମେ ମହାମୂର୍ଖ । ଜଣେ ବିଚକ୍ଷଣ ଗୋଇନ୍ଦା ହେବାକୁ ହେଲେ କେବଳ ଦକ୍ଷିଣ ଆଫ୍ରିକା ନୁହେଁ ସମଗ୍ର ପୃଥିବୀର ଇତିହାସ ତମକୁ ଅଧ୍ୟୟନ କରିବାକୁ ପଡ଼ିବ ।

 

ସୁବାଷ ଅଜ୍ଞତାର ହସ ହସି ନୀରବରେ ଦେବାଶୀଷବାବୁଙ୍କ ମୁହଁକୁ ଅନେଇ ରହିଲେ ।

 

ଶୁଣ, ରଙ୍ଗନାଥମ୍ ଓ ଚନ୍ଦ୍ରିକାର ଶେଷ ଉଦବୋଧନ ଥିଲା, ଏ ଦଳର ଯିଏ ବଞ୍ଚିରହିବ ସିଏ ନିଶ୍ଚୟ ଦଳର ସଙ୍ଗଠନ କରିବ ଏବଂ ଭବିଷ୍ୟତରେ ସେମାନଙ୍କର ଯିଏ ଅଧିନାୟକ ଓ ଅଧିନାୟିକା ହେବ ସିଏ ଚନ୍ଦ୍ରିକାର ବ୍ୟବହୃତ ଚୁଡ଼ି ପିନ୍ଧି ରାଣୀ ପଦରେ ଅଭିଷିକ୍ତ ହେବ ।

 

ଗମ୍ଭୀରଭାବେ ପଢ଼ି ବୁଝାଇ ଦେଇଥିଲେ ଦେବାଶିଷବାବୁ । ଓଡ଼ିଶାର ଠାକୁର ରାଜାଙ୍କର ନାମ ପରମ୍ପରାକୁ ଅନୁସରଣ କରି ଏ ପ୍ରଥା ସୃଷ୍ଟି କରିଥିଲେ ଏ କୁଖ୍ୟାତ ଦଳ ।

 

ଏଗୁଡ଼ାକ ଅବଶ୍ୟ ତମ ଆଇ. ପି. ଏସ୍. କୋର୍ସରେ ନଥିବ ସୁବାଷ । ସେଇଥିପାଇଁ କହୁଥିଲି ତମେ ପୃଥିବୀ ଇତିହାସ ଅଧ୍ୟୟନ କର ।

 

ଦେବାଶିଷ ସିଗାରେଟରେ ଅଗ୍ନି ସଞ୍ଜୋଗକରି ସଂଖ୍ୟାହୀନ ଧୂମକୁଣ୍ଡଳି ସୃଷ୍ଟି କରିବାକୁ ଲାଗିଲେ ।

 

ଦୁଇଦମ୍ ସିଗାରେଟ୍ ଧୂଆଁ ଏକ ନିଶ୍ୱାସରେ ଟାଣିନେଇ ଦେବାଶୀଷବାବୁ କହିଲେ, ତମେ ଜାଣ ବମ୍ବେର ସେଠ୍ ଶିବଶଙ୍କରଙ୍କ ହତ୍ୟା କେଶ୍‍କୁ ଭାରତ ସରକାରଙ୍କର ଅନୁରୋଧକ୍ରମେ ମୁଁ ହାତକୁ ନେଇଥିଲି ଓ ଅଜିତ୍ ସ୍ୟାନାଲକୁ ୧୯୪୯ ମସିହାରେ ଥରେ ଗିରଫ କରିବାର ସୁଯୋଗ ପାଇଥିଲି । ମାତ୍ର ଅଳକା ଦତ୍ତ ଜୀବିତ ଥିଲେ ସୁଦ୍ଧା ସେ ମୋର ଦୃଷ୍ଟିର ଦୂରତ୍ଵଠାରୁ ବହୁ ଦୂରରେ ଆତ୍ମଗୋପନ କରୁଥିଲା । କାରଣ ସମସ୍ତେ ରାଜା ଅପେକ୍ଷା ରାଣୀଙ୍କୁ ସବୁଠୁ ନିରାପଦରେ ଓ ସସମ୍ମାନେ ରକ୍ଷା କରିବାକୁ ଚାହିଁଥାନ୍ତି । ମାତ୍ର ପୋଲିସର ସାମାନ୍ୟ ସତର୍କତା ଅଭାବରୁ ସେଥର ଅଜିତ୍ ସାନ୍ୟାଲ ମୋ କବଳରୁ ଖସିଯାଇଥିଲା । ସେତେବେଳକୁ ସେ ଯଥେଷ୍ଟ ବୁଢ଼ା ହୋଇସାରିଥିଲା । ଆମେ ହୁଏତ ସେ ବୟସରେ ବିଛଣାରୁ ଉଠିପାରିବା କି ନାହିଁ ସନ୍ଦେହ । ତଥାପି ତା’ ଦେହରେ ଶତସିଂହର ବିକ୍ରମ ଓ ତା’ ମୁଣ୍ଡରେ ବିଚକ୍ଷଣ ବୁଦ୍ଧି ଥିଲା ।

 

ଏବେ ହୁଏତ ସେ ଜୀବନରେ ଅଛି କି ନାହିଁ ସନ୍ଦେହର କଥା । ତଥାପି ତାଙ୍କର ମହାମାନ୍ୟ ସମ୍ରାଟ ଓ ସାମ୍ରାଜ୍ଞୀ ନିଶ୍ଚୟ ଅଭିଷିକ୍ତ ହୋଇଥିବେ ।

 

କେତେବର୍ଷ ତଳେ ଢାକାର ବିଶିଷ୍ଟ ଗୋଇନ୍ଦା ମି: ଲିୟାକତ୍ ଅଲ୍ଲୀ ଅନୁପ୍ ଦେ ନାମକ ଜଣେ ବ୍ୟକ୍ତିକୁ ଅଜିତ୍ ସାନ୍ୟାଲର ଛଦ୍ମରୂପୀ ବୋଲି ସନ୍ଦେହ କରି ରିପୋର୍ଟ କରିଥିଲେ । ମାତ୍ର ଭାରତ ଆଉ ପାକିସ୍ତାନର ଭାତୃବିବାଦର ସୁଯୋଗ ନେଇ ସେ ଇସ୍‍ଲାମ୍ ଧର୍ମ ଗ୍ରହଣ କରିଥିବାରୁ ଓ ପାକିସ୍ତାନର ଜଣେ ନାଗରିକ ବୋଲି ପାକିସ୍ତାନର ସରକାର ଘୋଷଣା କରିଥିବାରୁ ସେ ମୋ ତୀକ୍ଷ୍ଣ ଦୃଷ୍ଟିର ଅନ୍ତରାଳରେ ରକ୍ଷା ପାଇପାରିଲା, ସୁବାଷବାବୁ ଦେବାଶୀଷଙ୍କର ରୋମାଞ୍ଚକର କାହାଣୀ ଶୁଣି ତାଙ୍କଆଡ଼େ ମୁଗ୍ଧ ଦୃଷ୍ଟିରେ ଚାହିଁ ରହିଥିଲେ ।

 

ଧିରେ ଧିରେ ନିସ୍ତବ୍ଧ ରାତିରେ ସମୁଦ୍ର ନିସ୍ତରଙ୍ଗ ହୋଇଆସୁଥିଲା । ଦେବାଶୀଷବାବୁ ସିଗାରେଟରେ ଶେଷ୍ ଟାଣଦେଇ ଝରକାବାଟେ ରାଜପଥ ଉପରକୁ ଫିଙ୍ଗିଦେଲେ ।

 

କିଏ ଜାଣେ ସେତେବେଳେ କାହାର ତୀକ୍ଷ୍ଣ ଦୁଇଟି ଆଖି ତାଙ୍କର ଗତିପଥକୁ ଅନୁସରଣ କରୁଥିଲା କି ନାହିଁ ।

 

।। ଦୁଇ ।।

 

ହୋଟେଲ ଦି’ ପାରାଡ଼ାଇଜ୍ ।

 

ପାରାଡ଼ାଇଜର ପ୍ରକାଣ୍ଡ ହଲ୍‍ଟି ସେଦିନ ଜନସମାବେଶରେ ମୁଖରୀତ ହେଉଥିଲା । ସହରର ବିଶିଷ୍ଟ ଭଦ୍ରବ୍ୟକ୍ତିମାନେ ନିମନ୍ତ୍ରିତ ହୋଇଆସିଥିଲେ । କୋଟିପତି, ଲକ୍ଷପତି ବ୍ୟବସାୟୀ, ସମ୍ମାନିତ ଉଚ୍ଚପଦସ୍ଥ କର୍ମଚାରୀ ଆଉ ସାଧାରଣ ଲୋକଙ୍କର ଉପସ୍ଥିତିରେ ହଲ୍‍ଟିରେ ସୋରିଷ ପଡ଼ିବାକୁ ସ୍ଥାନ ନଥିଲା ।

 

ସେଦିନ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣୀୟ ବସ୍ତୁ ଥିଲା, ଓଡ଼ିଶାର ବଶିଷ୍ଟ ନୃତ୍ୟଶିଳ୍ପୀ ଓ କଣ୍ଠଶିଳ୍ପୀ କୁମାରୀ ସୁମୀତା ବନ୍ଦୋପାଧ୍ୟାୟଙ୍କର ଭାରତନାଟ୍ୟମ ନୃତ୍ୟ ପରିବେଷଣ । ମୁଖ୍ୟଅତିଥି ରୂପେ ଯୋଗଦେବେ ଓଡ଼ିଶାର ସାଂସ୍କୃତିକ ବ୍ୟାପାର ବିଭାଗ ମନ୍ତ୍ରୀ ।

 

ଏଭଳି ଏକ ଆସରର ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ହେଲା, ଏହି ନୃତ୍ୟ ବିଚିତ୍ରା ଜରିଆରେ ଯେଉଁ ଅର୍ଥ ମିଳବ ତାହାକୁ ପାକିସ୍ତାନ ବିରୁଦ୍ଧରେ ଲଢ଼େଇ କରୁଥିବା ଭାରତୀୟ ଜବାନମାନଙ୍କର ସାହାଯ୍ୟ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଅର୍ପଣ କରାଯିବ ।

 

ଯଥେଷ୍ଟ ପୂର୍ବରୁ ଡାକବାଜୀ ଯନ୍ତ୍ର ସାହାଯ୍ୟରେ ସହର ସାରା ସମ୍ବାଦଟି ପରିବେଷଣ କରାଯାଇଥିଲା ।

 

ରଙ୍ଗିନ୍ ନିମନ୍ତ୍ରଣପତ୍ର ଖଣ୍ଡିକ ଦେଖାଇ ଦେବାଶୀଷବାବୁ ସୁବାଷବାବୁଙ୍କୁ ବୁଝେଇଦେଇ କହିଲେ, ବହୁତ ଦିନ ପରେ ଓଡ଼ିଆଙ୍କ ଭିତରେ ଦେଶାତ୍ମବୋଧ ଦେଖାଦେଇଛି । ସ୍ଵାଧୀନତା ପ୍ରାପ୍ତିର ମାତ୍ର କେଇବର୍ଷ ପରେ ଧର୍ମ ନିରପେକ୍ଷତା ଓ ନିରସ୍ତ୍ରୀକରଣ ନୀତି ଉପରେ ଭାରତ ସରକାର ଯେଉଁ ଶକ୍ତ ଚାବୁକର ଆଘାତ ପାଇଲେ ହୁଏତ ଭାରତବାସୀଙ୍କ ପକ୍ଷରେ ଏହା ଏକ ଚେତାବନୀ ଭଳି କାର୍ଯ୍ୟ କରିବ ।

 

ସୁବାଷବାବୁ ପଚାରିଲେ, ଆପଣ ଆଜି ପାରାଡ଼ାଇଜ୍ ଯାଉଛନ୍ତି ନା ?

 

ଦେବାଶୀଷ ବାବୁ ମନଖୋଲା ହସ ହସି କହିଲେ, ଏ ସବୁ ନାଚତାମସା ଦେଖିବା ତୁମକୁ ପାଏ ସୁବାଷ । ଲାସ୍ୟମୟୀ କୁମାରୀ ସୁମିତାଙ୍କର ନୃତ୍ୟ ଶୈଳୀକୁ ଉପଭୋଗ କରିବାର ବୟସକୁ ମୁଁ ତ ଅନେକଦିନ ତଳେ ହଜେଇ ଦେଇଆସିଛି ।

 

ସୁବାଷଙ୍କର ଗୋରା ତକ୍‍ତକ୍ ମୁହଁ ଲାଜରେ ଝାଉଁଳିପଡ଼ିଥିଲା । ତଥାପି ସେଦିନ ସଞ୍ଜରେ ଏଭଳି ଏକ ନୃତ୍ୟବିଚିତ୍ରା ଦେଖିବାର ସୁଯୋଗ ଦେବାଶୀଷବାବୁ ଏଡ଼ିପାରିନଥିଲେ ।

 

କାର୍ଯ୍ୟକ୍ରମ ଆରମ୍ଭ ହେବାର ଠିକ୍ କେଇ ମିନିଟ୍ ପୂର୍ବରୁ ସୁବାଷ ଓ ଦେବାଶୀଷବାବୁ ଯାଇ ହୋଟେଲ ପାରାଡ଼ାଇଜରେ ପହଞ୍ଚି ସାରିଥିଲେ ।

 

ହୋଟେଲ ପାରାଡ଼ାଇଜ୍ !

 

ଧନୀମାନଙ୍କର ଏକ ବିଳାସ ମନ୍ଦିର । ଦ୍ୱିତଳ ବିଶିଷ୍ଟ ଏକ ପ୍ରକାଣ୍ଡ ନୀଳବର୍ଣ୍ଣର ସୌଧ ଆକାଶର ଛାତିକୁ ମୁଣ୍ଡ ଟେକି ଠିଆ ହୋଇଥିଲା ।

 

ଏହାର ମାଲିକ ଜଣେ ଗୁଜୁରାତି ଯୁବକ । ଯୁବକ ଅମ୍ବାଲାଲ ପଟେଲ ବେଶ୍ ସମ୍ଭ୍ରାନ୍ତ, ପରିମାର୍ଜିତ, ରୁଚିସମ୍ପନ୍ନ ଓ ଉଦାର ଚରିତ୍ରର ବ୍ୟକ୍ତି ଥିଲେ । ତାଙ୍କ ହୋଟେଲରେ ବିଦେଶୀମାନଙ୍କ ପାଇଁ ରହିବା ଓ ଖାଇବାର ବ୍ୟବସ୍ଥା ଥାଏ । ସହରରେ ଏକ ଉନ୍ନତ ଧରଣର ହୋଟେଲ ହୋଇଥିବାରୁ ସବୁବେଳେ ଏଠି ବେଶ୍ ଭିଡ଼ ଜମେ । ପ୍ରଚୁର ଲାଭ ବି ହୁଏ ।

 

ହୋଟେଲ ସତ୍ତ୍ୱାଧିକାରୀ ଅମ୍ବାଲାଲଜୀ ଦେବାଶୀଷବାବୁଙ୍କୁ ସସମ୍ମାନେ ପାଛୋଟି ନେଉ ନେଉ କହିଲେ, ମୋର ପରମ ସୌଭାଗ୍ୟ ଯେ ଆପଣମାନଙ୍କ ଭଳି ମହାପୁରୁଷମାନଙ୍କ ପାଦ ଆଜି ଏଠି ପଡ଼ିପାରିଲା ।

 

ନୃତ୍ୟ ପରିବେଷଣ ହେବା ଗୃହଟି ଆଉ କେତୋଟି କୋଠରି ପାରହେଲେ ପଡ଼ିବ । ହଠାତ୍ ଦେବାଶୀଷବାବୁଙ୍କର ଦୃଷ୍ଟିପଥରେ ପଡ଼ିଲେ ଜଣେ ଇଉରୋପୀୟ ପୋଷାକ ପରିହିତ ସୁଦର୍ଶନ ଯୁବକ ।

 

ଉଭୟଙ୍କର ଚାରିଚକ୍ଷୁର ବିନିମୟ ହେଲାବେଳେ ଅମ୍ବାଲାଲଜୀ କହିଉଠିଲେ, ଏହି ମହାଶୟଙ୍କ ଉଦ୍ୟମ ଯୋଗୁ ଆଜି ଆପଣମାନଙ୍କୁ ଏଠାରେ ସମ୍ବର୍ଦ୍ଧନା ଜଣାଇବାର ସୌଭାଗ୍ୟ ମୋର ଜୁଟିଲା ।

 

ଦେବାଶୀଷବାବୁ ପ୍ରଶ୍ନିଳ ଆଖିରେ ଯୁବକ ଜଣଙ୍କ ମୁହଁକୁ ଚାହିଁଥିଲାବେଳେ, ଅମ୍ବାଲାଲଜୀ ପରିଚୟ କରାଇଦେଲେ ଇଏ ହେଉଛନ୍ତି ମି. ଅର୍ଦ୍ଧେନ୍ଦୁ ମୋହନ ରାଏ, ଜଣେ ବିଶିଷ୍ଟ ଠିକାଦାର । ଓଡ଼ିଶାରେ ବହୁତ କାମ କରିଛନ୍ତି । ବିଶେଷକରି ଆଜିର ଆୟୋଜନର ମୁଖ୍ୟ ଉଦ୍ୟୋକ୍ତା ।

 

...ଆଉ ଇଏ ମି. ଦେବାଶୀଷ ଚୌଧୁରୀ ଭାରତ ବିଖ୍ୟାତ ଗୋଇନ୍ଦା ।

 

ଯୁବକଙ୍କ କପାଳର ରେଖାଗୁଡ଼ିକ କିଛି ମୁହୂର୍ତ୍ତ ପାଇଁ ସଙ୍କୁଚିତ ହୋଇପଡ଼ିଲା । ଦେବାଶୀଷ ବାବୁଙ୍କର ଗୋଇନ୍ଦା ଆଖିକୁ ତାହା ହୁଏତ ଏଡ଼ାଇ ପାରିନଥିଲା ।

 

ଯୁବକ ଜଣକ ଭଦ୍ରତା ଖାତିରିରେ କୃତ୍ୟ କୃତ୍ୟ ହୋଇ କହିଉଠିଲେ, ଆପଣଙ୍କ ପରିଚୟ ଓ ସାନିଧ୍ୟ ପାଇ ଧନ୍ୟହେଲି ମି. ଚୌଧୁରୀ ।

 

ଅର୍ଦ୍ଧେନ୍ଦୁ ମୋହନଙ୍କ ସଙ୍ଗେ ଦେବାଶୀଷବାବୁ ବିଲାତି କାଏଦାରେ କରମର୍ଦ୍ଦନ କଲେ ।

 

ଦେବାଶୀଷବାବୁ ଓ ସୁବାଷ ପାଇଁ ଦୁଇଟି ଚେୟାର ଆଗରୁ ରିଜର୍ଭ ରଖାଯାଇଥିଲା । ଉଭୟେ ସେମାନଙ୍କର ସ୍ଥାନ ଦଖଲ କରିବାର କେଇଟି ମୁହୂର୍ତ୍ତପରେ ସାରା କକ୍ଷ ଅନ୍ଧକାରାଚ୍ଛନ୍ନ ହୋଇଗଲା ଓ ସାଥେ ସାଥେ ପାଦପ୍ରଦୀପ ଦୁଇଟି ଜଳିଉଠିଲା ।

 

ତାପରେ ମଞ୍ଚଉପରେ ଦେଖାଦେଲେ କୁମାରୀ ସୁମିତା । ତାଙ୍କ ଦେହର ବେଳାଭୂମୀରେ ଯୌବନ–ସମୁଦ୍ରର ଗୁରୁଗର୍ଜନ ଅତି ସ୍ପଷ୍ଟ ଥିଲା । ଦର୍ଶକଙ୍କ ସାଥୀରେ ସାଙ୍କେତିକ ଆଳାପ କରିବାରେ ଆଖିର ସରୁ କଳା ଭୁରୁ ଦୁଇଟି ଅତ୍ୟନ୍ତ ସୁଚତୁର ଥିଲା । ରୂପ ସାଙ୍ଗକୁ ବେଶ ପରିପାଟୀ ଏକାନ୍ତ ଆକର୍ଷଣୀୟ । ନୃତ୍ୟର ତାଳେ ତାଳେ ଅର୍ଦ୍ଧନଗ୍ନ ବକ୍ଷର ଦୋଳନ, ବେପଥୁ ନିବୀର ଶିଥିଳ ପରିଚ୍ଛଦ ଜନତା ଆଖିରେ କୁହୁକ ସୃଷ୍ଟି କରିଥିଲା ।

 

କକ୍ଷଟି ସାରା ନିସ୍ତବ୍ ଧତାରେ ପୂରି ରହିଥିଲା । କୁମାରୀ ସୁମିତାଙ୍କର ଉପମା କେବଳ ହିଁ ସେ ନିଜେ । ଗୋଟିକ ପରେ ଗୋଟେ ନୃତ୍ୟ ପରିବେଷଣ କରିଚାଲିଥିବା ବେଳେ ହଠାତ୍ ପାଦ ପ୍ରଦୀପ ଲିଭିଗଲା ।

 

ଉପର ମହଲରୁ ଚିତ୍କାର ଶୁଭୁଥିଲା, ଲାଇଟ୍ ଲାଇଟ୍ । ହୋଟେଲ ସାରା ଅନ୍ଧକାରାଚ୍ଛନ୍ନ-। ମଞ୍ଚଉପରୁ ଜଣେ କେହି କହୁଥିଲେ, ଆପଣମାନେ ଧର୍ଯ୍ୟର ସହିତ ଅପେକ୍ଷା କରନ୍ତୁ । ଆଜିର ପ୍ରୋଗ୍ରାମ ସରିନାହିଁ । ଦୂର୍ଯୋଗକୁ ପାୱାର ହାଉସରେ କୌଣସି ବିଭ୍ରାଟ ଘଟି ଲାଇଟ୍ ଅଫ୍ ହୋଇଯାଇଛି । ଫୋନ୍ କରାଗଲାଣି, ଶୀଘ୍ର ଲାଇଟ୍ ଆସିଯିବ ।

 

ଦର୍ଶକମାନେ ଇଲେକଟ୍ରିକ୍ ବିଭାଗର କର୍ମକର୍ତ୍ତାମାନଙ୍କର ସାତପୁରୁଷକୁ ପିଣ୍ଡ ବାଢ଼ିବାରେ ଲାଗିଲେ ।

 

ସେଇ ଅନ୍ଧାର ଭିତରେ ଦେବାଶୀଷ ଚୌଧୁରୀ ହଜିଗଲେ । ଲାଇଟ୍ ଆସିଗଲା କିଛି ସମୟ ପରେ । ମାତ୍ର ସୁବାଷ ଦେଖିଲାବେଳକୁ ଦେବାଶୀଷବାବୁଙ୍କର ଚେୟାରଟା ଖାଲିପଡ଼ିଛି । ସେ ସନ୍ଦେହରେ ଚାରିଆଡ଼କୁ ଆଖି ବୁଲାଇଲେ, ମାତ୍ର ହଲଭିତରେ ଦେବାଶୀଷବାବୁଙ୍କର ଚିହ୍ନବର୍ଣ୍ଣ ନ ଥିଲା।

 

ଉଦ୍‍ବିଘ୍ନ ଜନତା ପୁଣି ଥରେ ନୂଆ ରୂପରେ ରୂପସୀ ସୁମୀତାଙ୍କୁ ଦେଖିବାପାଇଁ ଚାହିଁ ବସିଥିବାବେଳେ ହଠାତ୍ ଆମ୍ବାଲାଲ୍ ଜି ମଞ୍ଚ ଉପରକୁ ଆସି କହିବାର ଶୁଣାଗଲା ଦୁର୍ଭାଗ୍ୟର କଥା ଯେ, କୁମାରୀ ସୁମୀତା ଭୟଙ୍କର ଭାବେ ଅସୁସ୍ଥ ହୋଇ ସଜ୍ଞାହୀନା ହୋଇପଡ଼ିଛନ୍ତି । ତାଙ୍କୁ ମେଡ଼ିକାଲକୁ ନେବାପାଇଁ ଆମ୍ବୁଲାନ୍ସ ମଗାଯାଇଛି । ଏଣୁ ଆଜିର ପ୍ରୋଗ୍ରାମ ଏତିକିରେ ଶେଷ କରିବା ପାଇଁ ବାଧ୍ୟହେଲୁ, ସେଥିପାଇଁ କ୍ଷମା ଚାହୁଁଛୁ ।

 

ମଞ୍ଚ ଉପରେ ତିରଷ୍କରଣୀ ଲୋଟିପଡ଼ିଲା ।

 

ଜନତା ଭିତରେ ହଇଚଇ ସୃଷ୍ଟି ହୋଇଗଲା କିଛିକ୍ଷଣପାଇଁ । କେହି ଦର୍ଶକ ସୁମୀତାର ସୁସ୍ଥ ଶରୀର କାମନା କରି କେହି ବା ଦୀର୍ଘଶ୍ଵାସ ତ୍ୟାଗକରି ଫେରିବାକୁ ଲାଗିଲେ ।

 

ରାତି ସେତେବେଳକୁ ନ’ଟା ପଇଁଚାଳିଶ ମିନିଟ୍ । ଦେବାଶିଷବାବୁଙ୍କୁ ଖୋଜି ଖୋଜି ନପାଇ ସୁବାଷ ଘରକୁ ଫେରିଯିବାକୁ ସ୍ଥିର କରିଥିଲା । ମାତ୍ର କେଜାଣି କାହିଁକି ତାରୁଣ୍ୟର ଉଦ୍ଦାମତା ବସତଃ ଥରେ ଗ୍ରୀନରୁମରେ ସୁମୀତାକୁ ଦେଖିଯିବାର ମୋହକୁ ଏଡ଼ିନପାରି ସୁବାଷ ଗ୍ରୀନ୍ ରୁମ୍ ଆଡ଼େ ମୁହାଁଇଲେ ।

 

କୁମାରୀ ସୁମୀତାଙ୍କର ଗ୍ରୀନରୁମଟି ସେତେବେଳକୁ ଲୋକାରଣ୍ୟ ହୋଇପଡ଼ିଥିଲା । ଟାଉନ୍ ଥାନା ଇନିସ୍ପେକ୍ଟର ଶୁଭେନ୍ଦ୍ରବାବୁ ଚିତ୍କାର କରିଉଠିଲେ, ଆରେ ସୁବାଷବାବୁ ଯେ, ଆସନ୍ତୁ ଆସନ୍ତୁ । ଆପଣଙ୍କର ଗୁରୁଜୀ ବି ଏଠାରେ ଶଶରୀରେ ବିଦ୍ୟମାନ ।

 

ଏତେବେଳେ ସୁବାଷବାବୁ ଦେବାଶୀଷଙ୍କର ସହସା ଅନ୍ତର୍ଦ୍ଧାନର କାରଣ ବୁଝିପାରିଲେ-

 

ସୁବାଷବାବୁ ଆଶ୍ଚର୍ଯ୍ୟ କଣ୍ଠରେ ପଚାରିଲେ କ’ଣ ହେଲା ଶୁଭେନ୍ଦ୍ରବାବୁ ? କ’ଣ ବିଶେଷ କିଛି ଗୁରୁତର ?

 

ଶୁଭେନ୍ଦ୍ରବାବୁ ସ୍ମିତହସି କହିଲେ– ମୁଁ ବି ଏଠି ଆପଣଙ୍କ ଭଳି ନବାଗନ୍ତୁକ । ଗଭର୍ଣ୍ଣରଙ୍କ ଡିଉଟିରେ ଥିବାରୁ ଆଜି ଏଭଳି ଏକ ଉତ୍ସବକୁ ଦେଖିବାର ସୁଯୋଗ ହରେଇଲି । ଏଇ ମାତ୍ର ଆସି ପହଞ୍ଚୁଛି, ତା’ ପୁଣି ଦେବାଶୀଷବାବୁଙ୍କଠାରୁ ଫୋନବାର୍ତ୍ତା ପାଇ ।

 

ସୁମୀତାଙ୍କର ଆକସ୍ମିକ ଦୁର୍ଘଟଣା ସାଙ୍ଗକୁ ପୋଲିସମାନଙ୍କର ଭିଡ଼ଦେଖି ଅମ୍ବାଲାଲଜୀ ଓ ହୋଟେଲ କର୍ମଚାରୀମାନେ ଆତଙ୍କିତ ହୋଇପଡ଼ିଥିଲେ । ଦେଖଣାହାରୀଏ ମଧ୍ୟ ପ୍ରମାଦ ଗଣି ଯେଝା ବାଟରେ ଲେଉଟିବାକୁ ଆରମ୍ଭ କରିଦେଇଥିଲେ ।

 

ସମସ୍ତେ ପ୍ରଶ୍ନିଳ ଆଖିରେ ଦେବାଶୀଷବାବୁଙ୍କ ମୁହଁକୁ ଚାହିଁ ରହିଥିଲେ ।

 

ଦେବାଶୀଷବାବୁ କହିଲେ– ହଠାତ୍ ମଞ୍ଚ ଗୃହର ଆଲୋକମାଳା ନିର୍ବାପିତ ହେବାପରେ ମୁଁ ଏକ ଦୁର୍ଘଟଣା ଘଟିବାର ଆଶଙ୍କା କରି ବାହାରକୁ ଚାଲିଆସିଲି । ଗଭୀର ଅନ୍ଧକାର ଭିତରେ ମୁହଁକୁ ମୁହଁ ବି ଦିଶୁନଥିଲା । ଯେତେବେଳେ ସହରର ବହୁ ଧନାଢ଼୍ୟ ବ୍ୟକ୍ତି ଏ ଅନୁଷ୍ଠାନରେ ଯୋଗ ଦେଇଛନ୍ତି, ଏଣୁ କାଳେ କିଛି ଘଟିପାରେ ତେଣୁ ଶୁଭେନ୍ଦ୍ରବାବୁଙ୍କୁ ଏଠାକୁ ଆସିବାକୁ ଫୋନ୍ କଲି । ମ୍ୟାନେଜରଙ୍କ ଟେବୁଲ ଉପରେ ଫୋନଟି ରହିଥିଲା । ମାତ୍ର ଫୋନ୍ ପାଖରେ ସେତେବେଳକୁ କେହିନଥିଲେ । ଅମ୍ବାଲାଲଜୀ ସେଠାରେ ନଥିବାରୁ ମୁଁ ତାଙ୍କୁ ଖୋଜି ଖୋଜି ମଞ୍ଚ ଆଡ଼କୁ ଆସିବା ସମୟରେ ନିକଟସ୍ଥ ପ୍ରକୋଷ୍ଠରେ ହଠାତ୍ କାହାର ଗଁ ଗଁ ଶବ୍ଦ ଶୁଣି ମୋ ମନରେ ସନ୍ଦେହ ହେଲା । ଏଣୁ ପର୍ଦ୍ଦାଠେଲି ପ୍ରକୋଷ୍ଠ ଭିତରେ ଟର୍ଚ୍ଚମାରି ଦେଖେ ତ ସୁମୀତାଦେବୀ ଚଟାଣ ଉପରେ ପଡ଼ି ଗଁ ଗଁ ହେଉଛନ୍ତି । ତାଙ୍କର ମେକଅପ୍ ଓ ପ୍ରସାଧନ ସାମଗ୍ରୀମାନ ଯଥା ସ୍ଥାନରେ ଥୁଆହୋଇଛି । ତାଙ୍କର ଏଭଳି ଅବସ୍ଥା ଦେଖି ମୁଁ ସାଙ୍ଗେ ସାଙ୍ଗେ ଅମ୍ବାଲାଲଜୀଙ୍କୁ ସେ ସସ୍ପେଣ୍ଡ କରିବା ପାଇଁ ନିର୍ଦ୍ଦେଶ ଦେଇ ଏଠିକୁ ଫେରିଆସିଲି; ତା’ପରେ ତ ଆପଣମାନେ ଦେଖୁଛନ୍ତି ଏ ଅବସ୍ଥା ।

 

ଉପସ୍ଥିତ କେତେଜଣ ଦର୍ଶକ ଉଦ୍‍ବିଘ୍ନ କଣ୍ଠରେ ପଚାରିଲେ, ସୁମୀତାଦେବୀ କ’ଣ... ?

 

ହସି ହସି ଦେବାଶୀଷବାବୁ କହିଲେ, ଆପଣମାନଙ୍କ ଆଶୀର୍ବାଦରୁ ସେ ଜୀବିତା ସତ୍ୟ, ମାତ୍ର ଜୀବନ୍ମତା । କଳା କେଉଁଠି ଏତେଶୀଘ୍ର ମରିପାରେ ?

 

ତେବେ ବର୍ତ୍ତମାନ ଉପାୟ ? ଶୁଭେନ୍ଦ୍ରବାବୁ ପଚାରିଲେ ।

 

ଉପାୟ ଆଉ କ’ଣ ? ତାଙ୍କର ସଂଜ୍ଞା ନ ଫେରିବା ପର୍ଯ୍ୟନ୍ତ ଆପଣମାନେ ତ କିଛି କରିପାରିବେ ନାହିଁ । ଏଣୁ ଆମ୍ବୁଲାନ୍ସ ଆସିବା ପର୍ଯ୍ୟନ୍ତ ହିଁ ଆମ୍ଭମାନଙ୍କୁ ଅପେକ୍ଷା କରିବାକୁ ପଡ଼ିବ-। ଦେବାଶୀଷବାବୁ ତାଙ୍କର ସଂକ୍ଷିପ୍ତ ମତଦେଲେ ।

 

ଠିକ୍ ସେଇ ସମୟରେ ଆମ୍ବୁଲାନ୍ସ ଆସି ପହଞ୍ଚିଗଲା । ଅମ୍ବାଲାଲ୍‍ଜୀ, ସୁବାଷବାବୁ ଓ ଶୁଭେନ୍ଦ୍ର ବାବୁଙ୍କ ସାହାଯ୍ୟରେ ଦେବାଶୀଷବାବୁ ସୁମୀତାଙ୍କର ଚେତନାହୀନ ଶରୀରକୁ ଗାଡ଼ି ଭିତରେ ରଖିଲେ ।

 

କିଛି ସମୟ ତଳେ ଯେଉଁ ଲାସ୍ୟମୟୀ ସୁମୀତା ତାଙ୍କର ଅପରୂପ ଶରୀର ଚାଳନା ଭଙ୍ଗୀରେ ଦର୍ଶକ ହୃଦୟରେ ଅସାମାନ୍ୟ ତରଙ୍ଗ ଓ ମନରେ ପ୍ରଚୁର ତଡ଼ିତ୍ ସୃଷ୍ଟି କରୁଥିଲା, ସେଇ ଛାନ୍ଦହୀନ, ନିସ୍ତବ୍ଧ ଶରୀରକୁ ଧରି ଆମ୍ୱୁଲାନ୍ସ ଫେରିଗଲା ।

 

ରାତ୍ରି ଆଖିରେ ଅନ୍ଧକାର ଅଞ୍ଜନକଳାର କାଳିମା ବେଶ୍ ଗାଢ଼ ହୋଇଆସିଥିଲା ।

 

ଦେବାଶୀଷବାବୁ, ସୁବାଷ ଓ ଶୁଭେନ୍ଦ୍ରବାବୁଙ୍କୁ ସାଙ୍ଗରେ ଧରି ଜନପଥ ଉପରକୁ ବାହାରିପଡ଼ିଲେ ।

 

ବାଟରେ ଶୁଭେନ୍ଦ୍ରବାବୁ ଥାନା ନିକଟରେ ଦେବାଶୀଷବାବୁ ଓ ସୁବାଷଙ୍କୁ ଶୁଭରାତ୍ରୀ ଜଣାଇ ବିଦାୟନେଲା । ଦେବାଶୀଷବାବୁ ସୁବାଷବାବୁଙ୍କୁ ସାଙ୍ଗରେ ନେଇ ବସାରେ ପହଞ୍ଚିଲାବେଳକୁ ରାତି ଏଗାରଠାରୁ କିଛି ବଳିପଡ଼ିଥିଲା ।

 

ବିରାଟ ଆଲସେସିଆନ୍ କୁକୁରଟା ବାରମ୍ବାର ଭୁକି ଭୁକି ଗେଟ୍ ପର୍ଯ୍ୟନ୍ତ ଦଉଡ଼ିଆସିଥିଲା । ପ୍ରଭୁଭକ୍ତିର ଚରମ ନିଦର୍ଶନ ଦେଖାଇ ଦୁଇଗୋଡ଼ ଟେକି ଦେବାଶୀଷବାବୁଙ୍କ ଛାତି ଉପରକୁ କୁଦି ପଡ଼ୁଥିଲା ।

 

ଜିମ୍ ବଡ଼ ସ୍ନେହବତ୍ସଳ, ନୁହେଁ ସୁବାଷ । ଜିମ୍‍ର ମୁଣ୍ଡକୁ ଆପୁଡ଼େଇ ଥାପୁଡ଼େଇ ଦେବାଶୀଷବାବୁ ଆଗେଇଲେ ।

 

ଦେବାଶୀଷବାବୁ ତାଙ୍କ ଅଫିସ୍ ଦୁଆର ମୁହଁରେ ପାଦଦେଲାବେଳକୁ, ନିବୁଜ କୋଠରି ଭିତରେ ତାଙ୍କ ଫୋନଟା ବାରମ୍ବାର ଚିତ୍କାରକରି ଅନେକ ‘ଇକୋ’ ସୃଷ୍ଟି କରୁଛି ।

 

ଦେବାଶୀଷ ଚୌଧୁରୀ ତାଙ୍କ କର୍ତ୍ତବ୍ୟ ସମ୍ପର୍କରେ କାହାରିକୁ ବିଶ୍ୱାସ କରନ୍ତି ନାହିଁ । ଏପରିକି ସହକାରୀ ସୁବାଷକୁ ମଧ୍ୟ ସେ କହନ୍ତି ଗୁପ୍ତଚର ଜୀବନରେ ମୁକ୍ତ ହୃଦୟ ହେବା ଅର୍ଥ ନିର୍ବୋଧତା । ଏଣୁ ତାଙ୍କ ଅଫିସ୍ ଘର ଚାବି, ତାଙ୍କ ଆଲମାରୀ ଚାବି ସବୁବେଳେ ନିକଟରେ ଥିଲେ ସେ ନିରାପଦ ମଣନ୍ତି । ତାଙ୍କ ଅନୁପସ୍ଥିତିରେ ସୁବାଷ ପାଖରେ ଅଫିସ୍ ଗୃହ ଚାବି ଥିଲେ ବି ଆଲମୀରା ଚାବି ଟେବୁଲ୍ ଡ୍ର ଚାବି ନଥାଏ ।

 

ଦେବାଶୀଷବାବୁ ତରବରରେ ଅଫିସ୍‍ଟା ଖୋଲିଦେଲେ । ସୁବାଷ ଲାଇଟ୍ ସୁଇଚ୍ ଦେବାକୁ ନିର୍ଦ୍ଦେଶ ଦେଇ ସେଇ ଅନ୍ଧାରଭିତରେ ସେ ଫୋନଟାକୁ ଧରି କହିପକାଇଲେ ।

 

...ହଁ...ହଁ କୁହନ୍ତୁ, ହାଲୋ,....ମୁଁ ଦେବାଶୀଷ ଚୌଧୁରୀ କହୁଛି । କିଏ ଆମ୍ବାଲାଲ୍ ବାବୁ, ହଁ କ’ଣ ହେଲା ପୁଣି ? ସୁମୀତା ସଜ୍ଞା ଫେରିପାଇଲେଣି ?

 

ଏପଟୁ ଅମ୍ବାଲାଲ୍ ପଟେଲଙ୍କର କଣ୍ଠ ଥରୁଥିଲା । ସମୟେ ସମୟେ ବାକ୍ ରୁଦ୍ଧ ହୋଇଯାଉଥିଲା ।

 

ଦେବାଶୀଷବାବୁ ଚେୟାର ଉପରେ ଏକରକମ୍ ଢଳିପଡ଼ିଲେ ନିସ୍ତେଜ୍ ଭାବେ । ସୁବାଷ କାଠ ହୋଇଯାଇଥିଲେ ।

 

ସବୁକଥା ଶୁଣିସାରିବା ପରେ, ଦେବାଶୀଷବାବୁ ଅତି କ୍ଷୀଣ କଣ୍ଠରେ କହିଲେ, ଆପଣ ଧୈର୍ଯ୍ୟଧରନ୍ତୁ ଅମ୍ବାଲାଲ୍ ବାବୁ । ସକାଳ ହେଲେ ଯାହା କିଛି ଗୋଟାଏ ବ୍ୟବସ୍ଥା କରିବା । କାରଣ ଦସ୍ୟୁ ବର୍ତ୍ତମାନ ପୋଲିସ ଶକ୍ତିର ଯଥେଷ୍ଟ ବାହାରେ ।

 

ଫୋନ ଛାଡ଼ିଦେଇ ଦୀର୍ଘଶ୍ୱାସ ତ୍ୟାଗକଲେ ଦେବାଶୀଷବାବୁ । ଦେବାଶୀଷବାବୁଙ୍କର ଏ ଅବସ୍ଥା ଦେଖି କିଛି ଗୋଟାଏ ପ୍ରଶ୍ନ ପଚାରିବାକୁ ସୁବାଷଙ୍କ ମନରେ ସାହସ କୁଳଉନଥିଲା ।

 

କିନ୍ତୁ ପ୍ରଥମେ ନୀରବତା ଭାଙ୍ଗି ଦେବାଶୀଷବାବୁ କହିଲେ– ସିଗାରେଟ Please ?

 

ସୁବାଷ ମନରେ ସାହସ ସଞ୍ଚରିଗଲା । ପକେଟରୁ ସିଗାରେଟ୍ କେଶଟି କାଢ଼ି ବଢ଼େଇ ଦେଉ ଦେଉ ବିହ୍ୱଳ କଣ୍ଠରେ ସେ ପ୍ରଶ୍ନକଲେ, କ’ଣ ପାଇଁ ଫୋନ୍ କରିଥିଲେ ଅମ୍ବାଲାଲ୍‍ବାବୁ ?

 

ଦେବାଶୀଷବାବୁ ଗମ୍ଭୀର ଭାବେ କହିଲେ– ନିଶ୍ଚିତ ଭାବେ ଜାଣ ଯେ ସୁମୀତାର ମୃତ୍ୟୁ ସମ୍ବାଦ ନୁହେଁ ?

 

ସୁବାଷବାବୁ ଆପେ ଆପେ ଲାଜରା ହୋଇପଡ଼ିଥିଲେ । ସୁମୀତାଙ୍କ ରୂପ ପ୍ରତି ତାଙ୍କ ଅବିବାହିତ ମନର ଦୁର୍ବଳତା ଦେବାଶୀଷବାବୁଙ୍କର ତୀକ୍ଷ୍ମ ଦୃଷ୍ଟିକୁ ଏଡ଼େଇ ପାରିନଥିଲା । ସେ ଆଉ କୌଣସି ପ୍ରଶ୍ନ କରିବାକୁ ସାହସ କରିପାରିନଥିଲେ ।

 

କିନ୍ତୁ କିଛି ସମୟ ପରେ ସିଗାରେଟଟିକୁ ଏକ ଦମରେ ଟାଣିନେଇ, ଦେବାଶୀଷବାବୁ ନିଜେ ପ୍ରକାଶ କଲେ, ବୁଝିଲ ସୁବାଷ, ଅମ୍ବାଲାଲ୍‍ବାବୁ ସୁମୀତାକୁ ଡାକ୍ତରଖାନାରେ ଆଡ଼ମିସନ୍ କରାଇ ସାଙ୍ଗେ ସାଙ୍ଗେ ଫେରିଆସିଥିଲେ ତାଙ୍କ ହୋଟେଲକୁ । ଯେଉଁ ପରିସ୍ଥିତି ହେଲା, ସେଥିରେ ହୋଟେଲର କାରବାର ତ ଅନେକ ପୂର୍ବରୁ ବନ୍ଦ ହୋଇସାରିଥିଲା । କେବଳ ହୋଟେଲ ଦରଓ୍ୱାନକୁ ଛାଡ଼ିଦେଲେ ଅନ୍ୟମାନେ ପ୍ରାୟ ନିଜ ନିଜର କୋଠରିରେ ବିଛଣା ଧରିସାରିଥିଲେ । ଅମ୍ବାଲାଲ୍ ହୋଟେଲ ଦ୍ଵିତଳର ଶେଷ ପ୍ରକୋଷ୍ଠଟିକୁ ତାଙ୍କ ନିଜପାଇଁ ବ୍ୟବହାର କରନ୍ତି । କାରଣ ତାଙ୍କ ପରିବାରବର୍ଗ ସମ୍ବଲପୁରଠାରେ ଅବସ୍ଥାନ କରନ୍ତି । ଡାକ୍ତରଖାନାରୁ ଫେରି ସେ ଯେତେବେଳେ ତାଙ୍କ କୋଠରି ଭିତରେ ପ୍ରବେଶ କରନ୍ତି, ପ୍ରଥମେ ଦେଖିଲେ ତାଙ୍କର ସୁଦୃଢ଼ ନିରାପଦ ଲୌହ ବାକ୍ସଟି ମେଲାପଡ଼ିଛି ଏବଂ ତା’ଭିତରୁ ଭାରତର ଜବାନମାନଙ୍କୁ ସାହାଯ୍ୟ ଉଦ୍ଦେଶ୍ୟରେ ଏହି ନୃତ୍ୟ ବିଚିତ୍ରା ପାଇଁ ଟିକେଟ୍ ବିକ୍ରି ବିବାଦରେ ଆଜି ସୁଦ୍ଧା ମୋଟ୍ ମିଳିଥିବା ଚଉସ୍ତରୀ ହଜାର ତିନିଶ ଏକାନବେ ଟଙ୍କା କେହି ଦୁର୍ବୃତ୍ତ ହରଣଚାଲ କରିନେଇଛି ।

 

ବିଚରା ଅମ୍ବାଲାଲ୍‍ବାବୁ ବଡ଼ ଅସୁବିଧାରେ ପଡ଼ିଗଲେ ସୁବାଷ । ଜନସାଧାରଣଙ୍କ ଟଙ୍କା-? ହୁଏତ ଏଭଳି ଦୁର୍ଘଟଣା କେହି ବିଶ୍ଵାସ କରିନପାରନ୍ତି । କିନ୍ତୁ ଏଭଳି ଘଟିପାରେ ବୋଲି ଯଥେଷ୍ଟ ଆଗରୁ ମୁଁ ସମ୍ଭାବନା କରିଥିଲି ।

 

ସୁବାଷବାବୁ ହତବାକ୍ ହୋଇଯାଇଥିଲେ । ଦେବାଶୀଷ ବାବୁଙ୍କର ପ୍ରଶସ୍ତି ଗାନ୍ କରିବା ଉଦ୍ଦେଶ୍ୟରେ କହିଲେ, ଆପଣ ନ ଥିଲେ ବା ଠିକ୍ ସମୟରେ ପହଞ୍ଚି ନ ଥିଲେ ସୁମୀତା ଦେବୀଙ୍କର ପ୍ରାଣହାନିର ମଧ୍ୟ ଆଶଙ୍କା ଥିଲା । କିନ୍ତୁ ମୋର ଧାରଣା ଭିନ୍ନ । ଦେବାଶୀଷବାବୁ ସାଙ୍ଗେ ସାଙ୍ଗେ ଉତ୍ତରଦେଲେ– ମୋର ଅନୁମାନ ଦସ୍ୟୁର ଲୋଭ କେବଳ ହିଁ ଟଙ୍କା ଉପରେ ଥିଲା । ଆମ୍ଭମାନଙ୍କର ଉପସ୍ଥିତିକୁ ସେ ବେଶ୍ ଲକ୍ଷ୍ୟ କରିଛି । ତେଣୁ ଆମ୍ଭମାନଙ୍କୁ କୌଣସି ଏକ ବୃଥା କାମରେ ନିଯୁକ୍ତି କରିଦେବା ପାଇଁ ସେ ସୁମୀତାଦେବୀଙ୍କୁ ଆକ୍ରମଣ କରିବାର ଅଭିନୟ କରି ତାଙ୍କୁ ହୁଏତ ଭୟଭୀତ କରିଛି । ଫଳରେ ସେହି ଭୟରେ ସେ ସଜ୍ଞାହୀନା ହୋଇପଡ଼ିଥିଲେ ଏବଂ ଆମ୍ଭେମାନେ ମଧ୍ୟ ବୋକାମୀର ପରିଚୟ ଦେଇ ସମସ୍ତେ ସୁମୀତାଦେବୀଙ୍କ ପାଖରେ ମେଳିବାନ୍ଧି ବସିଲୁ । ଫଳରେ ସେଇ ଅବସରରେ ଦସ୍ୟୁ ତା’ର ଉଦ୍ଦେଶ୍ୟ ପୂରଣ କରି ଚାଲିଗଲା ।

 

ଦେବାଶୀଷବାବୁ ଆତ୍ମଗ୍ଲାନିର ଦୀର୍ଘଶ୍ଵାସ ତ୍ୟାଗ କଲେ । ତାପରେ କହିଲେ, ଆମ୍ଭମାନଙ୍କର ଦ୍ଵିତୀୟ ଭୁଲ୍ ହେଲା, ସମସ୍ତ ହୋଟେଲର ଲାଇଟ୍ ଗୁଡ଼ିକ ଯେତେବେଳେ ଲିଭିଗଲା, ସାଧାରଣତଃ ସମସ୍ତଙ୍କର ଧାରଣା ହେଲା, ପାୱାର ହାଉସରେ କୌଣସି କାରଣରୁ ବିଭ୍ରାଟ ଘଟି ଲାଇନ୍ କଟିଗଲା । ମାତ୍ର ମେନ୍ ସୁଇଚଟିକୁ ଅଫ୍ କରିଦେଲେ ବି ସବୁଗୁଡ଼ିକ ଲିଭିଯାଇ ହୋଟେଲଟି ସାରା ଅନ୍ଧାର ହୋଇଯାଇପାରେ । ଏ କାରଣଟା କାହାରି ମୁଣ୍ଡରେ ପଶିଲା ନାହିଁ । କିନ୍ତୁ ପ୍ରକୃତରେ ତାହାହିଁ ହୋଇଥିଲା । ଅନେକ ସମୟ ଅପେକ୍ଷା କରି ଯେତେବେଳେ ଲାଇଟ୍ ନ ଜଳିଲା, ମୁଁ ବୋର୍ଡ଼ ପାଖକୁ ଯାଇଥିଲି ।

 

ଲାଇଟ୍ ଆସିଗଲା ବୋଲି ତମେମାନେ ଯେତେବେଳେ ଖୁବ୍ ଖୁସି ହୋଇଗଲ, ତମମାନଙ୍କୁ ସେ ଖୁସି ମୁଁ କରେଇଥିଲି ମେନ୍ ସୁଇଚ୍ ଅନ୍ କରି ।

 

ଏଥିରୁ ସୁସ୍ପଷ୍ଟ ଭାବେ ଅନୁମେୟ ଯେ ସେଇ ଦୁର୍ଦ୍ଦାନ୍ତ ଲୋମହର୍ଷଣକାରୀ ବ୍ୟକ୍ତିଟି ଆମ୍ଭମାନଙ୍କ ସାଙ୍ଗରେ ଚଳି, ମିଳିମିଶି, ଆମରି ଆଖିରେ ପୁଣି ଧୂଳିପକାଇ ଆମରି ଆଗରେ ଆମ ଜବାନମାନଙ୍କ ପାଇଁ ସଂଗୃହିତ ହୋଇଥିବା ଅର୍ଦ୍ଧଲକ୍ଷାଧିକ ଟଙ୍କାକୁ ଅପହରଣ କରିନେଇଗଲା ।

 

ହୁଏତ ସେ ବି ଆମର ଜଣେ ପରିଚିତ ଭଦ୍ରବ୍ୟକ୍ତି ହୋଇପାରନ୍ତି । ସୁବାଷବାବୁ ଏତକ ସଞ୍ଜୋଗ କଲେ ।

 

କିଏ ବା ନାହିଁ ବୋଲି କହିବ ? ଆଜି ଇଲେକ୍ଟ୍ରୋନ ଆଟମିକ୍ ଏନର୍ଜି ଯୁଗରେ ସବୁକିଛି ସମ୍ଭବ ବାବା !

 

ତନ୍ଦ୍ରାଳୁ ନୟନରେ ହାଇତୋଳୁ ତୋଳୁ ଦେବାଶୀଷବାବୁ ଉଠିଲେ । କହିଲେ ସୁବାଷକୁ, ଏତେ ରାତିରେ ଘରକୁ ଯିବାର ଆବଶ୍ୟକତା ନାହିଁ । ଏଇଠି ଶୋଇପଡ଼ ।

 

ଚାକର ନରହରୀ ସୁବାଷଙ୍କ ପାଇଁ ବିଛଣା ପାରିଦେବାକୁ ଆସିଲା । ଦେବାଶୀଷବାବୁ ନିଜର ଶୟନ କକ୍ଷଆଡ଼େ ଟଳି ଟଳି ଚାଲିଲେ ।

 

ରାତ୍ରୀର ସ୍ତବ୍ଧତାକୁ ବିଦୀର୍ଣ୍ଣ କରି ବୁଲା କୁକୁର କେଇଟା ମଝିରେ ମଝିରେ ଭୁକି ଉଠୁଥିଲେ ।

 

ଗଭୀର ରାତ୍ରୀ ।

 

ଭୟଙ୍କର ଓ ତମସାଚ୍ଛାଦିତ ରାତ୍ରୀ ।

 

।। ତିନି ।।

 

ସେଦିନ ସହରର ସୀମା ତୁଷାରକନ୍ୟାର ପଣତ ତଳେ ଆତ୍ମଗୋପନ କରିଥିଲା ।

 

ଆକାଶରେ ଭୀଷଣ କୁହୁଡ଼ି । ମୁହଁକୁ ମୁହଁ ଦିଶୁନଥାଏ ।

 

ବେଡ଼୍‍ ଟି ଖାଇନେଇ ପ୍ରଭାତର ଆରକ୍ତ ସୂର୍ଯ୍ୟୋଦୟକୁ ଅପେକ୍ଷା କରୁଥିଲେ ଦେବାଶୀଷବାବୁ ।

 

ତାଙ୍କର ଆଜି ସୁମୀତାକୁ ଦେଖିଯିବାର କଥା । ସୁମୀତା ହୁଏତ ତା’ର ଅପହୃତ ସଜ୍ଞା ଫେରିପାଇବଣି । ତାପରେ ରାମଦୟାଲଙ୍କର ହତ୍ୟା ସମ୍ପର୍କରେ ଆଉ କେତୋଟି ତଥ୍ୟ ସଂଗ୍ରହ କରିବାକୁ ହେବ । ହୁଏତ ନିହତ ହୋଇଥିବା ଗ୍ରୀନ୍‍ଲ୍ୟାଣ୍ଡ ହୋଟେଲର ସେଇ ହତଭାଗୀ ପରିଚାରିକାର ଇତିହାସ ସଂଗ୍ରହ କରିବା ଉଦ୍ଦେଶ୍ୟରେ ଯିବାକୁ ପଡ଼ିପାରେ ।

 

ସେଦିନର କର୍ମବ୍ୟସ୍ତ ପ୍ରୋଗ୍ରାମ୍ ନେଇ ଦେବାଶୀଷବାବୁ ଅତିଷ୍ଠ ହୋଇପଡ଼ୁଥିଲେ, ଅଥଚ ଏପର୍ଯ୍ୟନ୍ତ ସୁବାଷ ଲାଟ୍ରିନରୁ ଫେରିନାହାନ୍ତି । ତାଙ୍କୁ କେବଳ ଅପେକ୍ଷା । ନଚେତ୍ କେତେବେଳୁ ଦେବାଶୀଷବାବୁ ବାହାରକୁ ବାହାରି ଯାଆନ୍ତେଣି । ସମୟ ନଷ୍ଟ ହେଉଥିବାରୁ ଦେବାଶୀଷବାବୁ ମନେମନେ ସୁବାଷ ଉପରେ ବିରକ୍ତ ବି ହେଲେଣି ।

 

ଗେଟ୍ଆଡ଼ୁ ମଟରବାଇକ୍ ଆସୁଥିବାର ଶବ୍ଦ ଶୁଣିଲେ ଦେବାଶୀଷବାବୁ । ଝରକା ଖୋଲି ବାହାରକୁ ଚାହିଁଲେ । ଆରୋହିଙ୍କୁ ଜାଣିବାର କୌଣସି ଉପାୟନଥିଲା । କୁହୁଡ଼ି ଭିତରେ କେବଳ ଡାଆଣୀ ଆଲୁଅ ଭଳି ମଟରବାଇକର ହେଡ଼ଲାଇଟ୍‍ଟା ଉଜ୍ଜ୍ୱଳହେଲେ ବି ଧୂସର ଦିଶୁଥିଲା । ଦେବାଶୀଷବାବୁ ଝରକା ବନ୍ଦକଲେ ।

 

ପୋର୍ଟିକୋ ଭିତରେ ମଟରବାଇକର ଶେଷ ଗର୍ଜନ ଗମ୍ଭୀର ଭାବେ ଆସୁଥିଲା ।

 

ଦେବାଶୀଷବାବୁ ଅଶ୍ଵସ୍ତି ବୋଧକଲେ ।

 

ହୁଏତ ବସାରୁ ବାହାରି ଯାଇଥିଲେ ତ୍ରାହି ମିଳିଥାନ୍ତା । ବର୍ତ୍ତମାନ ପୁଣି କେଉଁ ଗୋଳମାଳ ଭିତରେ ବିଚାରା ଆଗନ୍ତୁକ ଜଣକ ତାଙ୍କୁ ପୂରାଇବେ ।

 

ନିଜର କୃର୍ଷ୍ଣକେଶ ଉପରେ କେଇଟି ଅଙ୍ଗୁଳିଚାଳନ କରୁ କରୁ ଦେବାଶୀଷ ଭାବୁଥିଲେ, ଜୀବନର ରହସ୍ୟ ଓ ରୋମାଞ୍ଚକୁ ସେ ପସନ୍ଦ କରୁଥିଲେ, ନଚେତ୍ ତାଙ୍କ ସହପାଠୀମାନଙ୍କ ମଧ୍ୟରୁ ଅନେକଙ୍କ ଭଳି ସେ ବି ଆଜି ମାଜିଷ୍ଟ୍ରେଟ କିମ୍ଵା ଓକିଲ ହୋଇ ଲକ୍ଷାଧିକ ଟଙ୍କା ଉପାର୍ଜନ କରିପାରିଥାନ୍ତେ ।

 

ବିପଦ ଆଉ ମୃତ୍ୟୁକୁ ଜୀବନର ସହଚର କରି ଅନ୍ୟ ବନ୍ଧୁମାନଙ୍କ ତୁଳନାରେ ସେ ଆଜି ନିଃସ୍ୱ ନୁହନ୍ତି ତ ଆଉ କ’ଣ ?

 

ଅତୀତ ଆଡ଼କୁ ଫେରି ଯାଉଥିବାବେଳେ ନରହରି ଆସି ଜଣାଇଲା, ବାହାରେ ଜଣେ କେହି ଭଦ୍ରବ୍ୟକ୍ତି ଆପଣଙ୍କୁ ଅପେକ୍ଷା କରିଛନ୍ତି । ଆପଣଙ୍କ ସାଙ୍ଗରେ ତାଙ୍କର ସାକ୍ଷାତ୍ ଅତି ଜରୁରୀ ବୋଲି କହିଲେ ।

 

ଦେବାଶୀଷବାବୁ ପୋଷାକ ପିନ୍ଧି ସାରିଥିଲେ । ବିରକ୍ତରେ ତଳକୁ ଓହ୍ଲେଇ ଯିବାବେଳେ କହିଲେ, ଶୀଘ୍ର ସୁବାଷକୁ ପ୍ରସ୍ତୁତ ହୋଇ ଆସିବାକୁ ଜଣାଇଦେବୁ ।

 

ନମସ୍କାର ଆଜ୍ଞା ! ଖୁବ୍ ସକାଳୁ ଆପଣଙ୍କୁ ବିବ୍ରତ କରିବାର କଷ୍ଟ ଦେଇ କ୍ଷମା ଚାହୁଁଛି ।

 

ଆରେ, ଅର୍ଦ୍ଧେନ୍ଦୁବାବୁ ଯେ ! ନମସ୍କାର ! ଏତେ ସକାଳୁ କୁଆଡ଼େ ? ଦେବାଶୀଷବାବୁ ଚା’ ଆଣିବାକୁ ନରହରିକୁ ଡାକ ପକାଇଲେ ।

 

ଅର୍ଦ୍ଧେନ୍ଦୁବାବୁ ଭଙ୍ଗା ଗଳାରେ କହିଲେ– ଆପଣ ସବୁକଥା ଜାଣିସାରିବେଣି ସାର୍ । ମତେ ବଞ୍ଚାନ୍ତୁ । ନଚେତ ମୋର ମାନ ସମ୍ମାନ ସବୁକିଛି ଗଲା । ଏମିତିକି ସହରର ସବୁଠୁବଳୀ ନିକୃଷ୍ଟ ଲୋକଙ୍କ ପାଖରେ ମୁହଁ ଦେଖାଇବାର ନୈତିକତା ମୋର ରହିବ ନାହିଁ । ଅଥଚ ଦୁର୍ଘଟଣା ପାଇଁ ମୁଁ ମୋଟେ ଦାୟୀ ନୁହେଁ ।

 

କଥାଉପରେ କୌଣସି ଗୁରୁତ୍ଵ ନ ଦେଇ ଦେବାଶୀଷବାବୁ ପଚାରିଲେ, ଏଇ ଅମ୍ବାଲାଲ୍‍ବାବୁଙ୍କର ରୁମ୍ ଭିତରୁ ଜବାନମାନଙ୍କ ପାଣ୍ଠି ଚୋରି ହୋଇଯାଇଥିବା କଥା କହୁଛନ୍ତି ନା-?

 

ହଁ ସାର୍; ଅମ୍ବାଲାଲ୍ ବୋଧହୁଏ ଆପଣଙ୍କୁ ଖବର କରିଛି । ମୁଁ କିନ୍ତୁ ନିଜେ ଆସି ଆପଣଙ୍କର ସାହାଯ୍ୟ ନେବି ବୋଲି ଫୋନରେ ଜଣାଇବା ଶିଷ୍ଟାଚାର ବିରୁଦ୍ଧବୋଲି ଧରିନେଇଥିଲି-। ମାତ୍ର ସଦର ଥାନାରେ F.I.R ଦେଇଛି ।

 

ଧନ୍ୟବାଦ । ଆପଣ ପ୍ରାଥମିକ କାମ ଶେଷ କରିଛନ୍ତି ।

 

ସଂକ୍ଷିପ୍ତ ଉତ୍ତର ଦେଇ ଦେବାଶୀଷବାବୁ ସିଗାରେଟରେ ନିଆଁ ଧରାଇଲେ ।

 

ଅର୍ଦ୍ଧେନ୍ଦୁମୋହନ ରୁମାଲରେ ମୁହଁ ଉପରୁ କାକରର ଶୁଭ୍ର କେତୋଟି ବିନ୍ଦୁ ପୋଛି ନେଉ ନେଉ କହିଲେ, ମୋର ସନ୍ଦେହ ଅମ୍ବାଲାଲ୍ ଏତେଗୁଡ଼ାଏ ଟଙ୍କାର ଲୋଭ ସମ୍ବରଣ କରିନପାରି ହୁଏତ ନିଜେ ଆତ୍ମସାତ କରି ଚୋରି ହୋଇଯାଇଥିବାର ମିଛ ଆଶ୍ରୟ ନେଇଛି । ଏତେବଡ଼ ସମାବେଶ ହୋଇଥିବାବେଳେ, ପୁଣି ଆପଣମାନଙ୍କ ଭଳି ସୁଚତୁର ଗୋଇନ୍ଦା ଅଫିସରମାନେ ଉପସ୍ଥିତ ଥିବା ସ୍ଥଳେ ଏକ ନିବୁଜ କୋଠରିର ଲୁହା ସିନ୍ଦୁକ ଭିତରୁ ଏତେଗୁଡ଼ାଏ ଟଙ୍କା ଅପହୃତ ହେବା କେବଳ ଅସମ୍ଭବ ନୁହେଁ ଉଦ୍ଭଟ୍ଟ ମଧ୍ୟ । ଏଭଳି ଚୋରି କେବେ ହୋଇପାରେନା ମି. ଚୌଧୁରୀ ।

 

ସିଗାରେଟର ଧୂଆଁକୁ ଅବଲୀଳା କ୍ରମେ ଦେବାଶୀଷବାବୁ ଗୋଟିଏ ଗୋଟିଏ ସୁନ୍ଦର ବଳୟରେ ପରିଣତ କରୁଥିଲେ । ସାମାନ୍ୟ ସ୍ଫୀତ ହସି କହିଲେ, ମୁଁ ଆପଣଙ୍କ କଥାର ଗୋଟିଏ ଦିଗକୁ ସମର୍ଥନ କରିପାରେ । ମାତ୍ର ଏଭଳି ଚୋରି ହୋଇପାରେନା ବୋଲି ଯେଉଁ ମନ୍ତବ୍ୟ ଆପଣ ଦେଲେ ମୋର ସେଥିରେ ଦ୍ୱିଧା ମତ ରହିଛି । କିଛିଦିନ ତଳର ଷ୍ଟେଟସମ୍ୟାନ ଦେଖିଥିବେ । ଯୋଉଥିରେ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରୁ ଟଙ୍କା ଚୋରିହୋଇ ଯାଇଥିବା ଭଳି ବିଶ୍ୱ ଚାଞ୍ଚଲ୍ୟକର ସମ୍ବାଦ ପ୍ରକାଶ ପାଇଥିଲା । ଏ ଯୁଗରେ ସବୁ ସମ୍ଭବ ଅର୍ଦ୍ଧେନ୍ଦୁବାବୁ ।

 

ଅର୍ଦ୍ଧେନ୍ଦୁବାବୁଙ୍କ ମୁହଁରେ ହତାଶର ଛାୟା ଦେଖାଦେଲା । କାତର କଣ୍ଠରେ ସେ କହିଲେ– ତେବେ କ’ଣ ଅମ୍ବାଲାଲ୍ ଆପଣଙ୍କର ସନ୍ଦେହର ବାହାରେ ?

 

ଉଚ୍ଚକିତ କଣ୍ଠରେ ହସିଉଠିଲେ ଦେବାଶୀଷବାବୁ । ଘର ମଧ୍ୟରେ ସୁବାଷ ଓ ଚା’ ଟ୍ରେ ଧରି ନରହରି ଏକ ସଙ୍ଗେ ପ୍ରବେଶ କଲେ । ଦେବାଶୀଷବାବୁ କହିଲେ– ଆମ୍ଭେମାନେ ଏକ ଅଦ୍ଭୁତ ଜୀବ ମି: ରାଏ । ଆମେ ଆମ ପରିବାରକୁ ମଧ୍ୟ ସନ୍ଦେହ କରୁ ସବୁବେଳେ । ଯେକୌଣସି ଲୋକକୁ ସନ୍ଦେହ କରିବା ପୋଲିସବାଲାଙ୍କର ଧର୍ମ । ସେ ସନ୍ଦେହ ପଛରେ କିଛି ସତ୍ୟତା ଥାଉ ଅବା ନ ଥାଉ । ଧରନ୍ତୁ ଏଇ ଘଟଣାରେ ଆବଶ୍ୟକ ପଡ଼ିଲେ ଆପଣ ମଧ୍ୟ ସନ୍ଦେହର ଦୂରତ୍ଵ ବାହାରକୁ ଯାଇପାରିବେ ନାହିଁ ।

 

ଚା’ ଟ୍ରେଟିକୁ ଅର୍ଦ୍ଧେନ୍ଦୁମୋହନଙ୍କ ନିକଟକୁ ପେଲିଦେଇ ଦେବାଶୀଷବାବୁ ଏକ ତୀକ୍ଷ୍ମ ଦୃଷ୍ଟି ନିକ୍ଷେପ କଲେ ଅର୍ଦ୍ଧେନ୍ଦୁ ରାଏଙ୍କ ମୁହଁ ଉପରେ ।

 

ଚା’ କପ୍ ଉପରେ ଅର୍ଦ୍ଧେନ୍ଦୁବାବୁଙ୍କର ଅଙ୍ଗୁଳି କେତୋଟି ଯନ୍ତ୍ରଚାଳିତ ପରି ରହିଗଲା । ଦୃଷ୍ଟି ତାଙ୍କର ଆନତ ହେଲା ।

 

ଦେବାଶୀଷବାବୁ ପୁଣିଥରେ ଉଚ୍ଚକିତ କଣ୍ଠରେ ହସିଉଠି କହିଲେ– ଦେଶରେ ଗଣତନ୍ତ୍ର ଚାଲୁ ବା ବ୍ୟକ୍ତିତନ୍ତ୍ର ଚାଲୁ, କିନ୍ତୁ ପୋଲିସବାଲାଙ୍କୁ ସମସ୍ତେ ଭୟ କରିବେ ମି.ରାଏ । ଏଇ ଦେଖନ୍ତୁ ବର୍ତ୍ତମାନ ଆପଣ ମୋ କଥାଶୁଣି ଝାଉଁଳିପଡ଼ିଲେ । ଅବଶ୍ୟ ଆପଣ ଭାବନ୍ତୁ ନାହିଁ ଯେ ମୁଁ ଆପଣଙ୍କୁ ସନ୍ଦେହ କରୁଛି ।

 

ଅର୍ଦ୍ଧେନ୍ଦୁବାବୁ ଗଭୀର ଦୁଃଖରେ ଭାଙ୍ଗିପଡ଼ି କହିଲେ– ସତରେ, ବର୍ତ୍ତମାନ ମୁଁ ଭୀଷଣଭାବେ ଭୟ କରିଯାଇଛି । କାରଣ ମୋର ସାମାଜିକ ପ୍ରତିଷ୍ଠା ନଷ୍ଟ ହୋଇଯିବାକୁ ବସିଛି । ଲୋକେ ବର୍ତ୍ତମାନ ଧରିନେଲେଣି ଏଇ ଜବାନମାନଙ୍କର ପାଣ୍ଠି ଆଦାୟକରି ମୁଁ ସବୁ ଆତ୍ମସାତ କରିଛି । ଅଥଚ ନିର୍ଦ୍ଧିଷ୍ଟ ପରିମାଣରେ ଟଙ୍କା ଜବାନମାନଙ୍କର ସାହାଯ୍ୟ ଉଦ୍ଦେଶ୍ୟରେ ଖୁବ୍‍ଶୀଘ୍ର ପଠାଉଛି ବୋଲି ମୁଁ କେନ୍ଦ୍ର ସରକାରଙ୍କୁ ଜଣାଇଦେଇସାରିଛି । ଅଥଚ...

 

ଅର୍ଦ୍ଧେନ୍ଦୁବାବୁଙ୍କର କଣ୍ଠ ରୁଦ୍ଧହୋଇ ଆସୁଥିଲା । ଦେବାଶୀଷବାବୁ ସାନ୍ତ୍ଵନା ଦେବା ଗଳାରେ କହିଲେ–Donot worry Mr. Ray. ମୁଁ ଆପଣଙ୍କୁ ପୂର୍ଣ୍ଣମାତ୍ରାରେ ସାହାଯ୍ୟ କରିବି-

 

ଉତ୍ସାହିତ ହୋଇ ଅର୍ଦ୍ଧେନ୍ଦୁବାବୁ କହିଲେ– ତା’ର ବିନିମୟରେ ଆପଣ ଯେତେ ହଜାର ପାରିଶ୍ରମିକ ଚାହିଁବେ... ।

 

ଆଉ ଅଧିକ ଆଗେଇବା ନିଷ୍ପ୍ରୟୋଜନ । ତା’ କ’ଣ ଆପଣ ଦିଅନ୍ତେ ନାହିଁ ? କିନ୍ତୁ ସେ ପ୍ରଶ୍ନ ବର୍ତ୍ତମାନ ଉଠାଇଲେ ହୁଏତ ମୋର ଗନ୍ତବ୍ୟ ପଥରେ ଅନେକ ବାଧା ଉପୁଜିପାରେ । ଆଚ୍ଛା କୁହନ୍ତୁ, ଅମ୍ବାଲାଲ୍‍ଙ୍କ ସାଙ୍ଗରେ ଆପଣଙ୍କର ପରିଚୟ ଓ ବନ୍ଧୁତା କେତେଦିନର ? ତା’ ଛଡ଼ା ଅମ୍ବାଲାଲ୍‍ଙ୍କୁ ଆପଣ କାହିଁକି ସନ୍ଦେହ କରୁଛନ୍ତି ?

 

ଟେବୁଲ୍ ଉପରକୁ ସାମାନ୍ୟ ଝୁଙ୍କିଆସି ଅର୍ଦ୍ଧେନ୍ଦୁ ରାଏ କହିଲେ– ଅମ୍ବାଲାଲ୍ ସାଙ୍ଗରେ ମୋର ପରିଚୟ ଖୁବ୍ କମ୍ ଦିନର । ମାନେ ଗତ ୩ ବର୍ଷଧରି ଅଥବା ସାମାନ୍ୟ କିଛି କମ୍ ହୋଇପାରେ । ମାମୁଁଙ୍କ ଚିଠିପାଇ ଠିକାଦାରି କରିବାପାଇଁ ଓଡ଼ିଶାକୁ ଆସିବା ପ୍ରାୟ ଚାରିବର୍ଷ ତଳର କଥା । ମାମୁଁ ସେତେବେଳକୁ ଏଠାରେ ଜଣେ ପ୍ରତିଷ୍ଠିତ କଣ୍ଟ୍ରାକ୍ଟର ହୋଇପାରିଥିଲେ । କଲିକତାରେ ମୋ ବ୍ୟବସାୟ କେତେକାଂଶରେ ମାନ୍ଦା ଧରିଆସିଥିଲା । ଠିକ୍ ଏତିକିବେଳେ ମାମୁଁଙ୍କର ଚିଠି ପାଇଲି, ଓଡ଼ିଶାରେ ଅନେକ Project ସରକାର ଆରମ୍ଭ କରୁଛନ୍ତି । ବେଶ୍ ଦୁଇ ପଇସା ରୋଜଗାର ହୋଇପାରିବ । ତାଙ୍କ ଚିଠିପାଇ ମୁଁ ଯଦି ଆସିନଥାନ୍ତି ସେ ଅନ୍ୟ ପାର୍ଟନର ନେଇଥାନ୍ତେ ବୋଲି ମଧ୍ୟ ଚିଠିରେ ସୂଚାଇଥିଲେ ।

 

ତେବେ ଆପଣ ଆପଣଙ୍କ ମାମୁଁଙ୍କର ଜଣେ ଅଂଶୀଦାର ? ଦେବାଶୀଷବାବୁ ପଚାରିଲେ ।

 

ଆଜ୍ଞା ! ଉତ୍ତରଦେଲେ ଅର୍ଦ୍ଧେନ୍ଦୁମୋହନ ରାଏ । କୌଣସି ଜରୁରୀ କାମରେ ଦିନେ ଏଠାକୁ ଆସିଥାଏ । ଦୁର୍ଭାଗ୍ୟକୁ ବେଡ଼ିଙ୍ଗଟା ଆଣିବା ପାଇଁ ଭୁଲିଯାଇଥିଲି । ଜଣେ ଭଦ୍ରଲୋକଙ୍କଠାରୁ ଜାଣିବାକୁ ପାଇଥିଲି ହୋଟେଲ୍ ପାରାଡ଼ାଇଜରେ ରହିଲେ ଶୋଇବାପାଇଁ ବେଡ଼ିଙ୍ଗର ଆବଶ୍ୟକତା ପଡ଼େ ନାହିଁ । ତେଣୁ ସେଦିନ ମୋତେ ହୋଟେଲ ପାରାଡ଼ାଇଜରେ ଆତିଥ୍ୟ ଗ୍ରହଣ କରିବାକୁ ପଡ଼ିଥିଲା ।

 

ସେଦିନର ସେଇ ପରିଚୟ ଅନେକ ଦିନପରେ କାଳକ୍ରମେ ନିବିଡ଼ ବନ୍ଧୁତାରେ ପରିଣତ ହୁଏ । ଅନେକଥର ବିଭିନ୍ନ କାମରେ ମତେ ଏଠାକୁ ଆସିବାକୁ ପଡ଼ିଥାଏ ଏବଂ ପ୍ରତ୍ୟେକଥର ମୁଁ ପାରାଡ଼ାଇଜରେ ରହେ । ଏଭଳି ମଧ୍ୟ ହୋଇଛି ଯେ ଅମ୍ବାଲାଲ ତାଙ୍କ କୋଠରିକୁ ଲାଗି ମୋ ପାଇଁ ଏକ ସ୍ଵତନ୍ତ୍ର କୋଠରି ସବୁଦିନ ପାଇଁ ରିଜର୍ଭ କରି ରଖିଥାନ୍ତି ।

 

ଏତେ ନିବିଡ଼ ବନ୍ଧୁତା, ଅଥଚ ଆପଣ ଅମ୍ବାଲାଲବାବୁଙ୍କୁ ସନ୍ଦେହ କରୁଛନ୍ତି କାହିଁକି ? ଦେବାଶୀଷବାବୁ ପଚାରିଲେ ।

 

କାହିଁକିର ହୁଏତ କାରଣ କିଛି ଭାବିପାରୁନି । ତଥାପି ମୋ ମନରେ ତାଙ୍କ ପ୍ରତି କାହିଁକି ସନ୍ଦେହ ଆସୁଛି । ତାଙ୍କର କୌଣସି କଥା ମତେ ଅଛପା ନାହିଁ । ତାଙ୍କ ପରିବାର ସାଙ୍ଗରେ ତାଙ୍କର ବର୍ତ୍ତମାନ ଭଲ ସମ୍ପର୍କ ନାହିଁ । ବାପାଙ୍କ ସଙ୍ଗେ ମନାନ୍ତର ଘଟିବା ପରେ ସେ କପର୍ଦ୍ଦକ ଶୂନ୍ୟ ହୋଇ ଏଠାକୁ ଆସିଥିଲେ । ମାତ୍ର କେତେଜଣ ଗୁଜୁରାଟି ବନ୍ଧୁଙ୍କଠାରୁ ଟଙ୍କା କରଜ ଉଠାଇ ସେ ଏ ବ୍ୟବସାୟ କରୁଛନ୍ତି । ସେ ମତେ ନିଜେ କହିଛନ୍ତି ତାଙ୍କର ବହୁତ ଟଙ୍କା କରଜ ଅଛି । ଅବଶ୍ୟ ବ୍ୟବସାୟ ଭଲ ଚାଲୁଛି । ତଥାପି କରଜ ଟଙ୍କା ସବୁ ସୁଝିବା ଭଳି ଅବସ୍ଥା ତାଙ୍କର ଆସିନାହିଁ ବୋଲି ସେ ମୋତେ ନିଜେ କହିଛନ୍ତି ।

 

ଦେବାଶୀଷବାବୁ ସ୍ମୀତହସି କହିଲେ– ଛାଡ଼ନ୍ତୁ, ଏଥର ବୁଝିଲି ଆପଣଙ୍କର ସନ୍ଦେହର କାରଣଟା । ମୁଁ ଠିକ୍ ଭାବେ ତଦନ୍ତ କରିବି, ଏଥର କୁହନ୍ତୁ ଆପଣଙ୍କ ନିଜକଥା ।

 

ମାନେ ?

 

ଅର୍ଦ୍ଧେନ୍ଦୁବାବୁ ଥକ୍କାମରା ହୋଇ ଚାହିଁ ରହିଥିଲେ ? ମାନେ ଏଇ ଆପଣ କେଉଁଠୁ ଆସିଲେ ଏବଂ ବର୍ତ୍ତମାନ କୋଉଠି କାମ ଧରିଛନ୍ତି, କେମିତି ରୋଜଗାର ହେଉଛି ଇତ୍ୟାଦି ଇତ୍ୟାଦି ।

 

ଦେବାଶୀଷବାବୁଙ୍କର ପ୍ରଶ୍ନରେ ଅର୍ଦ୍ଧେନ୍ଦୁମୋହନ ସାମାନ୍ୟ ବିଚଳିତ ହେଲାପରି ଜଣାପଡ଼ିଲେ । ତଥାପି ମୁହଁ ଭାବକୁ ଗୋପନରଖି କହିଲେ, ଆପଣ ଜାଣନ୍ତି ଯୋଉ ଅଞ୍ଚଳଗୁଡ଼ିକ ବର୍ତ୍ତମାନ ପୂର୍ବପାକିସ୍ତାନ ବୋଲି ଘୋଷିତ ହୋଇଛି ପୂର୍ବେ ସେଗୁଡ଼ିକ ଅଖଣ୍ଡବଙ୍ଗର ଅଙ୍ଗ ଥିଲା । କିନ୍ତୁ ସେଠାରେ ଯେତେବେଳେ ସାମ୍ପ୍ରଦାୟିକ ଦଙ୍ଗା ଆରମ୍ଭ ହୋଇଗଲା, ଆମ୍ଭେମାନେ କେବଳ ଜୀବନ ନେଇ ପଳାଇଆସିଲୁ । ଆଉ ଯେଉଁମାନେ ସେଠାରେ ଜୀବନ ବିସର୍ଜନ କରିଥିଲେ ସେମାନଙ୍କ ମଧ୍ୟରେ ମୋ ବାପା, ମା’: ଆଉ ଦୁଇଟି ଭଉଣୀ ଥିଲେ ।

 

ମୋର ମା’ ଓ ଭଉଣୀଙ୍କ ଉପରେ ଯେଉଁ ଅତ୍ୟାଚାର ହୋଇଥିଲା ଏବଂ ବାପାଙ୍କୁ ଯେଭଳି ନିଷ୍ଠୁର ଭାବେ ହତ୍ୟା କରାଗଲା ତା’ର ପୁନରାବୃତ୍ତି କଲେ ମୋ ମନରେ ଗଭୀର ଦୁଃଖ ଆସେ ।

 

ସତକୁସତ ଅର୍ଦ୍ଧେନ୍ଦୁମୋହନଙ୍କର ଆଖି ଲୁହରେ ଛଳ ଛଳ ହୋଇଉଠିଲା ।

 

ଦେବାଶୀଷବାବୁ ବ୍ୟଥିତ ହେଲାପରି ଜଣାପଡ଼ିଲେ । ସମବେଦନାର କଣ୍ଠରେ ଦେବାଶୀଷବାବୁ ପଚାରିଲେ, ସେକଥା ଆଉ, କୁହନ୍ତୁ ଆପଣ ବର୍ତ୍ତମାନ କେଉଁଠି କାମ ଧରିଛନ୍ତି ?

 

ଆଜ୍ଞା, ମାଇନ୍ସ ଏରିଆରେ କାମ ନେଇଛି ଅନ୍ତତଃ କୋଟିଏ ଟଙ୍କାର । ଦଇତାରୀ ମାଇନ୍ସ ବର୍ତ୍ତମାନ ମୋର ହେଡ଼କ୍ୱାର୍ଟର । କିନ୍ତୁ ଅମ୍ବାଲାଲ୍‍ବାବୁଙ୍କ ପ୍ରରୋଚନାରେ ମୁଁ ଏଭଳି ଏକ ସୋ’ର ବ୍ୟବସ୍ଥା କରିଥିଲି । ମୋର ଉଦ୍ଦେଶ୍ୟ ଥିଲା ଏଭଳି ଏକ କାମକରି କୃତକାର୍ଯ୍ୟ ହେଲେ କେନ୍ଦ୍ରସରକାରଙ୍କର ସୁନଜରରେ ରହି ଆଉ କିଛି ବଡ଼କାମ କରିପାରିବି । ଏକ ନିଶ୍ୱାସରେ ଏତକ କହିସାରି ଅର୍ଦ୍ଧେନ୍ଦୁ ରାଏ ଦେବାଶୀଷବାବୁଙ୍କ ମୁହଁ ଉପରେ ଚକ୍ଷୁ ନିବଦ୍ଧ କଲେ ।

 

ଆଚ୍ଛା ଆପଣଙ୍କର ମାମୁଙ୍କର ନାମ ? ଦେବଶୀଷବାବୁ ପଚାରିଲେ ।

 

ସୁକୁମାର ସାହା । ଅର୍ଦ୍ଧେନ୍ଦୁ ରାଏ ନିର୍ବିକାର ଭାବେ ଉତ୍ତର ଦେଲେ ।

 

କାଲିର ନୃତ୍ୟ ପଟିୟସୀ କୁମାରୀ ସୁମୀତାଙ୍କୁ ଆପଣ ଉଦ୍ଭାବନ କଲେ କେଉଁଠୁ ?

 

ସୁମୀତାର ନାଁ ଶୁଣି ପୁଲକିତ ହୋଇଥିଲେ ସୁବାଷ । ଏପର୍ଯ୍ୟନ୍ତ ତାଙ୍କୁ କଥା କହିବାର ସୁଯୋଗ ମିଳୁନଥିଲା । ସେ କେବଳ ମନଯୋଗ ସହକାରେ ଉଭୟଙ୍କର ପ୍ରଶ୍ନୋତ୍ତର ବିନିମୟକୁ ଶୁଣୁଥିଲେ । ହଠାତ୍ ବ୍ୟଗ୍ରତା ସହିତ ସେ କହିପକାଇଲେ, ଆପଣଙ୍କର ଚଏସକୁ ଧନ୍ୟବାଦନଦେଇ ରହି ହେଉନି । କୁମାରୀ ସୁମୀତାଙ୍କର ନୃତ୍ୟ ପାରଦର୍ଶିତା ଅପ୍ରତିନ୍ଦ୍ଵନ୍ଦୀ; ଆପଣ ଅତି ଚମତ୍କାର ଭାବେ ବାଛିଛନ୍ତି ।

 

ଜ୍ୱଳନ୍ତ ସିଗାରେଟର ଭଷ୍ମଗୁଡ଼ିକୁ ଆସଟରେ ଝାଡ଼ୁ ଝାଡ଼ୁ ଦେବାଶୀଷବାବୁ କହିଲେ, ଏଇ ପ୍ରଗଳ୍‍ଭ ଯୁବକଟି ମୋର ସହକାରୀ ମି.ରାଏ । ଜୀବନର ରହସ୍ୟ ଓ ରୋମାଞ୍ଚର ସ୍ଵାଦ ରଖିବାପାଇଁ ସେ ମୋର ଶିଷ୍ୟତ୍ଵ ଗ୍ରହଣ କରିଛନ୍ତି । ମାତ୍ର ସମୟେ ସମୟେ କଳାର ପୂଜାରୀ ହୋଇ ସେ ରୋମାଞ୍ଚିତ ହୁଅନ୍ତି ।

 

ସମସ୍ତ ଏକ ସଙ୍ଗରେ ମଧୁର ମୃଦୁହସର ଶବ୍ଦ ସୃଷ୍ଟିକଲେ । ସୁବାଷବାବୁ ଲାଜରେ ଜଡ଼ ସଡ଼ ହୋଇପଡ଼ିଥିଲେ ।

 

ଅର୍ଦ୍ଧେନ୍ଦୁ ରାଏ କହିଲେ– ଆଜିକୁ ତିନି ଚାରିବର୍ଷ ତଳେ ସୁମୀତା ସହିତ ମୋର ପରିଚୟ ହୋଇଥିଲା । କଲିକତାର କୌଣସି ଏକ ଖ୍ୟାତ ସମ୍ପନ୍ନ ସୌଖୀନ୍ ନାଟ୍ୟସଂସ୍ଥାରେ ସେ କାମ କରୁଥିଲା । ତା’ ଛଡ଼ା ବଡ଼ ବଡ଼ ସାସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ସେ ଯୋଗଦେଉଥିଲା । ଜଣେ ଚିଫ୍ ଇଞ୍ଜିନିୟରଙ୍କର ବିଦାୟ ସମ୍ବର୍ଦ୍ଧନା ସଭାରେ ଠିକାଦାରମାନଙ୍କ ପକ୍ଷରୁ ଆୟୋଜିତ ଏକ ନୃତ୍ୟ ସଙ୍ଗୀତ ବିଚିତ୍ରାରେ ଯୋଗ ଦେଇଥିବା ବେଳେ ତା’ ସହିତ ମୋର ପରିଚୟ । ତା’ ପରେ ମୁଁ ଯେତେବେଳେ ଓଡ଼ିଶା ଚାଲିଆସେ ସେତେବେଳେ ସେ କେମିତି ଜାଣିପାରି ତା’ ପାଇଁ ଓଡ଼ିଶାରେ ରହିବାର ବ୍ୟବସ୍ଥା କରିଦେବା ପାଇଁ ଅନୁରୋଧ କରିଥିଲା । ଓଡ଼ିଶୀ ନୃତ୍ୟକଳାକୁ ସେ ଭାରି ତାରିଫ୍ କରେ, ଏଣୁ ଓଡ଼ିଶୀ ନୃତ୍ୟ ଶିଖିବା ପାଇଁ ଓଡ଼ିଶାକୁ ଆସିବାକୁ ସେ ଇଚ୍ଛା କରୁଛି ବୋଲି ମତେ ଜଣାଇ ଦେଇଥିଲା । ଫଳରେ ମୋ ଜରିଆରେ ସେ ଓଡ଼ିଶା ଆସିଛି ଓ ଏହି ସହରରେ ରହିବା ତା’ର ଅନ୍ତତଃ ନଅ ମାସ ହେବ ବୋଧହୁଏ ।

 

ଧନ୍ୟବାଦ୍ । ଆପଣମାନଙ୍କ ବିଷୟରେ ଅନେକ କଥା ଜାଣିବାକୁ ପାଇ ସୁଖୀ ହେଲି । ମୋର ବର୍ତ୍ତମାନ ବିଭିନ୍ନ ପ୍ରୋଗ୍ରାମରେ ଯିବାର କଥା, ତେଣୁ ଆପଣଙ୍କ ସାଙ୍ଗରେ ଆଉ ବିଶେଷ ଆଳାପ ଆଲୋଚନା କରିପାରୁନଥିବାରୁ ଦୁଃଖିତ । କିଛି ମନେକରିବେ ନାହିଁ, ସମୟ ସୁବିଧା ଦେଖି ନିଶ୍ଚୟ ଆସୁଥିବେ ।

 

କଥା ଶେଷ କରି ଦେବାଶୀଷବାବୁ ଛିଡ଼ାହେଲେ ।

 

ଅର୍ଦ୍ଧେନ୍ଦୁ ରାଏ କୃତଜ୍ଞତା ସ୍ଵୀକାର କରି କହିଲେ– ଆପଣଙ୍କର ମୂଲ୍ୟବାନ ସମୟ ନଷ୍ଟକରି ମୁଁ କ୍ଷମା ଚାହୁଁଛି । ମୋ କଥା ଯେମିତି ନ ଭୁଲନ୍ତି ।

 

ନମସ୍କାର ବିନିମୟ କରି ଅର୍ଦ୍ଧେନ୍ଦୁ ରାଏ ମଟର ବାଇକରେ ଷ୍ଟାର୍ଟ ଦେଲେ ।

 

ଅର୍ଦ୍ଧେନ୍ଦୁ ରାଏ ଚାଲିଯିବାର କୋଡ଼ିଏ ମିନିଟ୍ ପରେ ଦେବାଶୀଷବାବୁ ମଧ୍ୟ କୁଆଡ଼େ ବାହାରିଗଲେ ।

 

।। ଚାରି ।।

 

ସୁପ୍ରଭାତ କୁମାରୀ ସୁମୀତା !

 

୪୮୮ ନମ୍ବର ବେଡ଼‌୍ ତଳୁ ଟୁଲଟାକୁ ଟାଣିଆଣି ବସୁ ବସୁ ସ୍ମୀତହସି ଦେବାଶୀଷବାବୁ କହିଲେ । ସୁବାଷ ଦେବାଶୀଷବାବୁଙ୍କ ଦୃଷ୍ଟିର ଅଗୋଚରରେ ଦୁଇହାତ ଯୋଡ଼ି ପ୍ରଣତି ଜଣାଇଥିଲେ । ସୁମୀତାର ସ୍ୱଭାବିକ ସୁସ୍ଥତା ଫେରିଆସିଥିଲା । ମେଡ଼ିକାଲର ଶୁଭ୍ର ଶଯ୍ୟା ଉପରେ ପ୍ରଭାତର ଏକ ଦରବିକଶିତ ଶତଦଳ ପରି ନିଜର ବାହୁମୃଣାଳକୁ ଧବଳ ଗ୍ରୀବା ବେଷ୍ଟନ କରି ସେ ଶଯ୍ୟାଧାରରେ ପଡ଼ି ରହିଥିଲା । ତା’ ତକିଆ ଉପରେ ଗତ ରାତ୍ରୀର ସମସ୍ତ ଦୁର୍ଘଟଣା ବର୍ଣ୍ଣିତ ଗୋଟିଏ ସ୍ଵତନ୍ତ୍ର ଓଡ଼ିଆ ଦୈନିକୀର ସଦ୍ୟତମ ସଂସ୍କରଣ ପଡ଼ି ରହିଥିଲା । ହୁଏତ କିଛି ସମୟ ପୂର୍ବରୁ ସୁମୀତା ଖବରକାଗଜ ପଢ଼ୁଥିଲା ।

 

ସୁମୀତା ପ୍ରତି ନମସ୍କାର ଜଣାଇ ସଜାଡ଼ି ହୋଇ ବସି କୃତଜ୍ଞତା ଓ ନମ୍ରତାରେ ଭାଙ୍ଗିପଡ଼ି କହିଲା– ମୁଁ ଜାଣେ ଆପଣ ମୋତେ ଦେଖିବାକୁ ଆଜି ନିଶ୍ଚୟ ଆସିବେ । ଯାହାହେଉ କାଲି ଆପଣ ଥିଲେ ବୋଲି ମୁଁ ପ୍ରାଣ ପାଇଲି । ଓଃ, କାଲି ମୋ ଉପରେ ଯେଉଁ ଭୀଷଣ ଆକ୍ରମଣ... ଲୋକଟାର କି ବିଭତ୍ସ ରୂପ । କି କଦାକାର ମୁହଁ... । କି ବିରାଟ ନଖ ଓ ଦାନ୍ତ... । ମୋ ଗଳାକୁ ଚିପିଦେବାକୁ ସେ ଯେଭଳି ଭାବେ ଆଗେଇ ଆସିଥିଲା ।

 

ସୁମୀତା ଦୁଇହାତର ପାପୁଲିରେ ନିଜ ମୁଣ୍ତକୁ ଚିପି ଧରିଲା ।

 

ଦେବାଶୀଷବାବୁ ଆଶ୍ଚର୍ଯ୍ୟ ହେଲେ । ସେ ଆଜି ତାକୁ ଦେଖିବାକୁ ଆସୁଛନ୍ତି ବୋଲି ସୁମୀତା କିପରି ଜାଣିଲା । ତା’ ଛଡ଼ା କାଲି ସେ ସେଠାରେ ଥିଲେ ବୋଲି ମଧ୍ୟ ସଜ୍ଞାହୀନ ଅବସ୍ଥାରେ ସୁମୀତା କିପରି ଜାଣିଥିଲା । ଅଥଚ ତା’ ସାଙ୍ଗରେ ତାଙ୍କର ଆଦୌ ଚାକ୍ଷୁଷ ପରିଚୟ ଥିବାର ମନେହେଉ ନାହିଁ ।

 

ତାଙ୍କ ଭାବନା ଗୋଳମାଳ ହୋଇଆସୁଥିଲା । ତଥାପି ଅବସ୍ଥା ପର୍ଯ୍ୟବେକ୍ଷଣ କରି ସେ ତା’ କଥା ଉପରେ ଆଦୌ ଗୁରୁତ୍ଵ ନ ଦେଇ ରହସ୍ୟ କରି କହିଲେ, ମୁଁ ଏକା ଆସିନାହିଁ ସୁମୀତା, ତମର ଗତକାଲିର ଜଣେ ନୃତ୍ୟ ପାଗଳ ଯୁବକଙ୍କୁ ମଧ୍ୟ ସାଙ୍ଗରେ ଧରି ଆସିଛି । ସୁବାଷ ଆଡ଼େ ଅଙ୍ଗୁଳୀ ନିର୍ଦ୍ଦେଶ କରି କହିଲେ, ତମର ଆକସ୍ମିକ ଅସୁସ୍ଥତାରେ ଯେଉଁ ଦର୍ଶକମାନେ ବ୍ୟଥିତ ହୋଇଥିଲେ, ସେମାନଙ୍କ ମଧ୍ୟରେ ଶତକଡ଼ା ଶହେଭାଗ ଦୁଃଖିତ ହେଲାଭଳି ଜଣେ ଦର୍ଶକ ହେଉଛନ୍ତି ଏକ ସୁବାଷ ।

 

ସୁବାଷ ଓ ସୁମୀତା ଆତ୍ମୀୟତାର ହସ ହସୁଥିଲେ ।

 

କଥାର ମୋଡ଼ ବଦଳାଇ ଦେବାଶୀଷବାବୁ କହିଲେ– ଆପଣ ଯେତେବେଳେ ମୋ ପରିଚୟ ପାଇସାରିଛନ୍ତି, ଆଉ ବେଶି ଭୂମିକା ଦେବାର ଅବକାଶ ନାହିଁ । ବର୍ତ୍ତମାନ କୁହନ୍ତୁ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ତ ?

 

ଆଜ୍ଞା, ଆପଣଙ୍କ ଆଶୀର୍ବାଦରୁ । ତେବେ ମଝିରେ ମଝିରେ ମୁଣ୍ଡଟା ବୁଲଉଛି, ତାଛଡ଼ା ସାମାନ୍ୟ ଦୁର୍ବଳତା ମଧ୍ୟ ଅନୁଭୂତ ହେଉଛି । ସୁନୀତା ନମ୍ରତା ସହକାରେ ଉତ୍ତରଦେଲା ।

 

ଆଚ୍ଛା, ଆପଣଙ୍କର ହଠାତ୍ କାଲି କ’ଣ ଏମିତି ହେଲା ? ଏଇ ଯେ ଟିକକ ଆଗରୁ ଆପଣ ଏକ ଭୟଙ୍କର ଦୃଶ୍ୟ ଦେଖିଥିବା କଥା ବର୍ଣ୍ଣନା କରୁଥିଲେ, ତାହା କ’ଣ କୌଣସି ବ୍ୟକ୍ତିର-? ସୁବାଷବାବୁ ପଚାରିଲେ ସୁମୀତା ଆଡ଼େ ଚାହିଁ ।

 

ସୁମୀତା କହିଲା, ମୁଁ ଜାଣେନା କି ଅପରାଧ ପାଇଁ ସେ ମୋ ଉପରେ ଏପରି ଆକ୍ରମଣ କରିବାକୁ ଆସିଥିଲା । ମୁଁ ମୋର ମେକ୍ଅପ୍ ଛଡ଼ାଇ ନୂଆ ରୂପରେ ଷ୍ଟେଜ୍ ପାଇଁ ପ୍ରସ୍ତୁତ ହେଉଥିଲି, ହଠାତ୍ ଲାଇଟ୍ ଲିଭିଗଲା । ଠିକ୍ ପରେ ପରେ ଦେଖିଲି ସେଇ ଅନ୍ଧାର ଭିତରେ କିଏ ଜଣେ କାଳପୁରୁଷ ବିଚରଣ କରୁଛି । ଆଖିଦୁଇଟା ତା’ର ଯେମିତି ଫସ୍‍ଫରସରେ ତିଆରି । ତା’ର ବିରାଟ ନଖଯୁକ୍ତ ହାତ ଦି’ଟା ମୋ ଗଳାପାଖକୁ ଛୁଟିଆସିଲା । ଚିତ୍କାର କରିବାକୁ ମନେହେଉଥିଲେ ବି ତା’ ମୁଁ କରିପାରିନଥିଲି । କାରଣ ମୋର ନିଶ୍ୱାସ ରୁଦ୍ଧ ହେଲାପରି ମନେହେଉଥିଲା ଓ ହଠାତ୍ ମୁଁ ମୂର୍ଚ୍ଛା ହୋଇଗଲି ।

 

ଦେବାଶୀଷବାବୁ ପଚାରିଲେ, ଏଭଳି ଘଟଣା ପୂର୍ବେ କେବେ ଘଟିଥିଲା କି ?

 

ନା, ଗୋଟିଏ ଅକ୍ଷରରେ ଉତ୍ତର ଦେଲା ସୁମୀତା ।

 

ତମ ସାଙ୍ଗରେ କାହାର ଶତ୍ରୁତା ଅଛି ବୋଲି ମନେହେଉଛି ? ଦେବାଶୀଷବାବୁଙ୍କର ଦ୍ଵିତୀୟ ପ୍ରଶ୍ନ ଶୁଣି ସୁମୀତା ସ୍ମୀତହସରେ କହିଲା, ଓଡ଼ିଶାରେ ମୁଁ ନବାଗତା । ମାତ୍ର ନ’ଟି ମାସ ମଧ୍ୟରେ ମୁଁ ଅନେକ ବନ୍ଧୁ ପାଇଛି, କିନ୍ତୁ ଜଣେ ଶତ୍ରୁ ଥିବାର ମୁଁ ବିଶ୍ଵାସ କରିପାରେନା ?

 

ଦେବାଶୀଷବାବୁ ମୁଗ୍ଧ ଦୃଷ୍ଟିରେ ସୁମୀତାକୁ ଚାହିଁ ପଚାରିଲେ, ଅପସ୍ମାର କିମ୍ବା ମୂର୍ଚ୍ଛା ଭଳି ରୋଗ ଆପଣଙ୍କର ଥାଇପାରେ ତାହେଲେ ?

 

ମୋ ଜୀବନରେ ମୁଁ ବୋଧହୁଏ ଏଇ ପ୍ରଥମ ଥର ପାଇଁ ମେଡ଼ିକାଲ ଭଳି ଯାତନା ନଗରୀରେ କୌଣସି ରୋଗରେ ଆକ୍ରାନ୍ତ ହୋଇଆସିଛି । ତା’ ପୂର୍ବରୁ ଏଇ ସାମାନ୍ୟ ଥଣ୍ଡା, ସର୍ଦ୍ଦି ଓ ଜ୍ୱର ଇତ୍ୟାଦିକୁ ବାଦ୍ ଦେଲେ ମେଡ଼ିକାଲ ଆସିବା ଭଳି ବେମାର ମୋର କେବେ ହୋଇନାହିଁ ।

 

ଦେବାଶୀଷବାବୁ ଆଶ୍ଚର୍ଯ୍ୟ ହେଲେ । କହିଲେ, ତାହେଲେ ଆପଣଙ୍କର କ’ଣ ଦୃଢ଼ବିଶ୍ୱାସ ଯେକୌଣସି ଦୁର୍ବୃତ୍ତ ଗତକାଲି ଆପଣଙ୍କୁ ଆକ୍ରମଣ କରିବାକୁ ଆସିଥିଲା ?

 

ଅଗତ୍ୟା ବିଶ୍ୱାସ କରିବାକୁ ବାଧ୍ୟ ହୋଇଛି । କାରଣ ନିଜ ଆଖିରେ ଯାହା ମୁଁ ଦେଖିଛି । କାରଣ ନିଜ ଆଖିରେ ଯାହା ମୁଁ ଦେଖିଛି ତାକୁ କିପରି ଅବିଶ୍ୱାସ କରିପାରିବି କୁହନ୍ତୁ ତ ? ସୁମୀତା ଧୀର କଣ୍ଠରେ ଉତ୍ତର ଦେଲା ।

 

ସୁବାଷବାବୁ ସସ୍ମିତ ଚାହାଣୀ ତୋଳି ପଚାରିଲେ, ଆପଣଙ୍କ ମୁଣ୍ଡ ଉପରେ ପଡ଼ିଥିବା ସମ୍ବାଦପତ୍ରରେ ଗତକାଲିର ଦୁର୍ଘଟଣା ସମ୍ପର୍କରେ ଯେଉଁ ସମ୍ବାଦ ପ୍ରକାଶ ପାଇଛି ତାକୁ ଆପଣ କିଭଳି ଦୃଷ୍ଟିରେ ଦେଖୁଛନ୍ତି ।

 

ସୁମୀତା କିଛି ସମୟ ପାଇଁ ନିରୁତ୍ତର ରହିଲା । ତାପରେ କହିଲା, ମୁଁ ଆଜି ସକାଳୁ ଜଣେ ସିଷ୍ଟରଙ୍କ ହାତରୁ ସମ୍ବାଦପତ୍ରଟି ଆଣି ପ୍ରକାଶ ପାଇଥିବା ସମ୍ବାଦଟି ଥରେ ପଢ଼ିଛି । ମାତ୍ର ସେ ବିଷୟରେ କିଛି ଚିନ୍ତା କରିନି ।

 

ଏଥର ଦେବାଶୀଷବାବୁ କହିଲେ, ଦେଖନ୍ତୁ ସୁମୀତାଦେବୀ, ଦୁର୍ବୃତ୍ତର ଯଦି ଏତେଗୁଡ଼ିଏ ଅର୍ଥ ନେଇ ପଳାୟନ କରିବାର ଉଦ୍ଦେଶ୍ୟ ଥିଲା, ଆପଣଙ୍କ ଉପରେ ଏଭଳି ଆକ୍ରମଣ କରିବାର କୌଣସି କାରଣ ନଥିଲା କିମ୍ବା ଆପଣଙ୍କୁ ଯଦି ଆହତ କରିବା ତା’ର ଲକ୍ଷ ଥାଏ ତେବେ ମୋର ଉପସ୍ଥିତି ଦେଖି ସେ ପଳାୟନ କରିଛି । ତେବେ ଆପଣ କ’ଣ କହିବାକୁ ଚାହାନ୍ତି, ଜଣେ ଦୁର୍ବୃତ୍ତ ଆପଣଙ୍କୁ ଆକ୍ରମଣ କରିଛି ଏବଂ ଆଉଜଣେ କେହି ଏଇ ଅବସରରେ ଗୁଡ଼ାଏ ଟଙ୍କା ଲୁଟ୍ କରିନେଇଛି ।

 

ସୁମୀତା ସାମାନ୍ୟ ଚଞ୍ଚଳ ହୋଇପଡ଼ିଲା । କ’ଣ ଉତ୍ତର ଦେବ ଠିକ୍ କରିପାରିଲା ନାହିଁ-। କେବଳ ଶେଷରେ କହିଲା, ଆପଣଙ୍କ ଭଳି ବଡ଼ ବଡ଼ ମୁଣ୍ଡ ଯେଉଁଠି ଏଇ ଘଟଣା ନେଇ ଚିନ୍ତାଶୀଳ ହୋଇପଡ଼ିଛନ୍ତି, ଆମଭଳି ଲୋକ ସେ ବିଷୟରେ ମୁଣ୍ତ ନ ପୂରେଇବା ଉଚିତ୍-

 

ଦେବାଶୀଷବାବୁ ଓ ସୁବାଷ ଉଠିଲେ । ସୁବାଷବାବୁ କହିଲେ– ଆପଣଙ୍କର ଅସୁସ୍ଥ ଅବସ୍ଥାରେ ଆମେ ସାମାନ୍ୟ ବିବ୍ରତ କରିଥିବାରୁ କିଛି ଭାବିବେ ନାହିଁ ।

 

ସୁମୀତା କୃତ୍ୟ କୃତ୍ୟ ହେଲାଭଳି କଣ୍ଠରେ କହିଲା– ଆପଣମାନଙ୍କର ସହାନୁଭୂତି ଓ ସୌଜନ୍ୟତାରେ ମୋତେ ଋଣୀ କରିଛନ୍ତି । ସେପରି କହିବେ ନାହିଁ । ବରଂ ଆପଣମାନଙ୍କର ଦର୍ଶନର ସୌଭାଗ୍ୟ କେବେ ପାଇଲେ ଧନ୍ୟା ହେବି ।

 

ଦେବାଶୀଷବାବୁ ପଚାରିଲେ– ଆପଣଙ୍କ ବସାଟା ଜାଣିପାରେ କି ?

 

ନିଶ୍ଚୟ, ନିଶ୍ଚୟ !! ମହାନଦୀ କୂଳେ କୂଳେ ବାରବାଟୀ ଦୁର୍ଗ ରୋଡ଼ରେ ଆଗକୁ ଗଲାବେଳକୁ ରାସ୍ତା କଡ଼ରେ ସେଇ ଯେଉଁ ଏକ ମହଲ ନୀଳବର୍ଣ୍ଣର କୋଠାଟି, ସେଇଠିଁ ମୁଁ ରହେ-। ସୁମୀତା ଧୀର କଣ୍ଠରେ ଉତ୍ତର ଦେଲା ।

 

ଧନ୍ୟବାଦ୍ ! ସୁବାଷ ଓ ଦେବାଶୀଷବାବୁ ସୁମୀତାକୁ ପ୍ରତି ନମସ୍କାର ଜଣାଇ ବାହାରିଆସିଲେ ।

 

ଫେରନ୍ତା ବାଟରେ କେମିତି ଏକ ଅନ୍ୟମନସ୍କ ଭାବ ଦେଖାଇ ଦେବାଶୀଷବାବୁ ସୁବାଷବାବୁଙ୍କୁ କହିଲେ–ଚାଲ ଟିକିଏ ଡଃ ବନବୀରବାବୁଙ୍କୁ ସାକ୍ଷାତ କରି ଯିବା ।

 

ଡାକ୍ତର ବନବୀରବାବୁଙ୍କ ଓ୍ୱାର୍ଡ଼ରେ ସୁମୀତାର ଆଡ଼ମିସନ ହୋଇଥିଲା ।

 

ସମୟ ୯ଟାରୁ କିଛି ବେଶି ହୋଇଯାଇଥିଲା । ସେଇ ମାତ୍ର ବନବୀବାବୁ ଆସି ତାଙ୍କ ରୁମରେ ପହଞ୍ଚିଥିଲେ । ଦେବାଶୀଷବାବୁଙ୍କୁ ଦେଖିଲାମାତ୍ରେ ବନବୀରବାବୁ ନମସ୍କାର ଜଣାଇ ପାଛୋଟିନେଲେ ।

 

ସିଗାରେଟ୍ ଆଦାନପ୍ରଦାନ ହେଲାବେଳେ, ଦେବାଶୀଷବାବୁ ପଚାରିଲେ, ସୁମୀତାର ବେମାରି ସମ୍ପର୍କରେ ଆପଣଙ୍କର ପରୀକ୍ଷା କେତେଦୂର ?

 

ବନବୀରବାବୁ କହିଲେ– ଆଡ଼ମିସନ ପରେ ପରେ ମୁଁ କାଲି ସୁମୀତାକୁ ସାଙ୍ଗେ ସାଙ୍ଗେ ପରୀକ୍ଷା କରିଛି । ମାତ୍ର ସେତେବେଳେ ତା’ର ଶାରୀରିକ ଅବସ୍ଥା ଓ ସ୍ନାୟୁଗୁଡ଼ିକ ବେଶ୍ ସ୍ଵଭାବିକ ଥିଲା । ଅର୍ଥାତ୍ କୌଣସି ଭୟାନକ ଘଟଣା ବା ଆକ୍ରମଣରେ ସେ ଭୟଭୀତ ହୋଇ ମୂର୍ଚ୍ଛା ହୋଇନଥିଲା ।

 

ଦେବାଶୀଷବାବୁ ଜୋର୍ ଦେଇ କହିଉଠିଲେ, ମାନେ ? ସେ ଯାହା ବର୍ଣ୍ଣନା କରୁଛି... ?

 

କ’ଣ ସବୁ କହୁଛି ? ବନବୀରବାବୁ ପଚାରି ବସିଲେ ।

 

ଦେବାଶୀଷବାବୁ କଥାର ଗତି ବଦଳେଇ କହିଲେ, ଛାଡ଼ନ୍ତୁ ସେ ଯାହା କହୁଛି । ତା’ହେଲେ ତା’ର କ’ଣ କୌଣସି କ୍ରନିକ୍ ବେମାରି ଅଛି ବୋଲି ଆପଣ ଜାଣିପାରିଛନ୍ତି ? ଯାହାଫଳରେ ସେ ଏପରି ସମୟେ ମୂର୍ଚ୍ଛିତା ହୋଇପଡ଼େ । ଅଥଚ ଏଭଳି ଏକ ବେମାରୀକୁ ସେ ଲୁଚେଇରଖି ତା’ର ଲାଭ କ’ଣ ?

 

ନା ଆଜ୍ଞା ! ସୁମୀତାର ରକ୍ତଚାପ ପରୀକ୍ଷା କରାଯାଇଛି । ତାହା ସ୍ୱାଭାବିକ୍ ଅବସ୍ଥାରେ ଅଛି । କୌଣସି ସଂକ୍ରାମକ ଅଥବା ଦୁରାରୋଗ୍ୟ ରୋଗର ଜୀବାଣୁ ତାଙ୍କଠାରେ ନାହିଁ, ଯାହାଫଳରେ ତାଙ୍କର ଏମିତି ସମୟେ ମୂର୍ଚ୍ଛା ହେବା ବେମାରି ବାହାରିପଡ଼ିବ ? ବନବୀରବାବୁଙ୍କ ଉତ୍ତର ଦେବାଶୀଷବାବୁଙ୍କ ମନକୁ ବାରମ୍ବାର ଆନ୍ଦୋଳିତ କରିବାକୁ ଲାଗିଲା ।

 

ସେ ମନକୁମନ ଭାବୁଥିଲେ, ତାହାଲେ ସୁମୀତା କ’ଣ ଏମିତି ପ୍ରବଞ୍ଚନାକରି ମୂର୍ଚ୍ଛାହେବାର ଅଭିନୟ କରିଛି । ତାଙ୍କ ମୁଣ୍ଡରେ ଭାବନାର ଓଜନ ଅସମ୍ଭବ ଭାବେ ବଢ଼ିଚାଲିଲା । ସେ ସିଗାରେଟ୍ ଖଣ୍ଡକ ଆସଟ୍ ଭିତରେ ଘସୁ ଘସୁ କହିଲେ, ଆଚ୍ଛା ସୁମୀତାକୁ ଦେଖିବାକୁ ଆଉ କିଏ ଆସିବାର ଆପଣଙ୍କର ମନେଅଛି ?

 

ଅତି ସହଜରେ ଉତ୍ତରଦେଲେ ବନବୀରବାବୁ– କାହିଁକି ତାଙ୍କର ସ୍ୱାମୀ, ସେ ତ ଏଇ ସକାଳୁ ଦେଖାକରି ଗଲେ ।

 

ଦେବାଶୀଷବାବୁଙ୍କ ଦେହରେ ଶିହରଣ ଖେଳିଗଲା । ସେ ଭାବୁଥିଲେ, କି ଅଦ୍ଭୁତ କଥା-। ସକାଳୁ ଅର୍ଦ୍ଧେନ୍ଦୁବାବୁ କହିଲେ, ସେ କୁମାରୀ । କଲିକତାର କୌଣସି ଏକ ସୌଖୀନ ନାଟ୍ୟ ସଂସ୍ଥାରେ ସୁମୀତା କାମ କରୁଥିଲା, ଅଥଚ ଓଡ଼ିଶୀନୃତ୍ୟ ଶିକ୍ଷା କରିବାରେ ଆଗ୍ରହ ପ୍ରକାଶକରି ଓଡ଼ିଶାରେ ରହୁଛି । ଅଥଚ ସେ ଯେ ବିବାହିତା, ଏକଥା ତ ଅର୍ଦ୍ଧେନ୍ଦୁ ବାବୁ କହିନାହାନ୍ତି ।

 

ଉଦବେଗ ପ୍ରକାଶକରି ଦେବାଶୀଷବାବୁ ପଚାରିଲେ, ଆପଣ ଠିକ୍ ଜାଣିଛନ୍ତି ବନବୀରବାବୁ, ତାଙ୍କ ସ୍ଵାମୀ ଆଜି ତାଙ୍କୁ ଦେଖାକରିବାକୁ ଆସିଥିଲେ । ତାଙ୍କର ନାମ କ’ଣ କହିପାରିବେ ?

 

ବନବୀରବାବୁ ନିର୍ବିକାର ଭାବେ ଉତ୍ତରଦେଲେ, ମୁଁ ତାଙ୍କ ନାମ ଅବଶ୍ୟ ଜାଣିବାକୁ ସୁଯୋଗ ପାଇନାହିଁ । ତେବେ ଗୋରା ହୋଇ, ଟିକିଏ ଦୀର୍ଘକାୟ ଅଥଚ ସୁଦୃଶ୍ୟ ଚେହେରା, ପୂରା ସାହେବୀ ପୋଷାକ ପରିହିତ, କେଉଁଠି ଠିକାଦାରି କରନ୍ତି ବୋଲି କହୁଥିଲେ ।

 

ଆଚ୍ଛା ! ଚମକିପଡ଼ିଲେ ଦେବାଶୀଷବାବୁ ଓ ସୁବାଷବାବୁ । ଦେବାଶୀଷବାବୁ ମନକୁମନ ଉଚ୍ଚାରଣ କରୁଥିଲେ–ଗୋରା ହୋଇ...ଟିକିଏ ଦୀର୍ଘକାୟ, ତେବେ କିଏ ଏହି ଭଦ୍ରଲୋକ ?

 

ଦେବାଶୀଷବାବୁ ଯେତେଥର ବନବୀରବାବୁଙ୍କ ବର୍ଣ୍ଣନାକୁ ମନଭିତରେ ମିଳେଇ ପରୀକ୍ଷା କରିଛନ୍ତି, ସେତେଥର ତାଙ୍କ ସନ୍ଦେହୀ ମନର ଦର୍ପଣରେ ଅର୍ଦ୍ଧେନ୍ଦୁ ରାଏଙ୍କର ଛବି ପ୍ରତିବିମ୍ବିତ ହୋଇଛି ।

ଆଉ କୌଣସି କଥା ନ ପଚାରି ଦେବାଶୀଷବାବୁ କିଛି ସମୟ ନୀରବତା ଭିତରେ କଟାଇ ଡାକ୍ତର ବନବୀରବାବୁଙ୍କ ଠାରୁ ମେଲାଣି ନେଇ ରାଜପଥ ଉପରକୁ ବାହାରିଆସିଲେ ।

ଟ୍ୟାକ୍ସି ଅପେକ୍ଷା କରିଥିଲା । ଦେବାଶୀଷବାବୁଙ୍କ ଟ୍ୟାକ୍ସି ପାଖରେ ଆଉ ଏକ ଟ୍ୟାକ୍ସି ଛିଡ଼ା ହୋଇଥିଲା । ଟ୍ୟାକ୍ସି ଚାଳକଟି ଦେବାଶୀଷବାବୁ ଓ ସୁବାଷବାବୁଙ୍କୁ ନିରୀକ୍ଷଣ କରୁଥିଲା । ମାତ୍ର ଯେତେବେଳେ ଦେବାଶୀଷବାବୁଙ୍କ ସାଙ୍ଗରେ ତା’ର ଚାରିଚକ୍ଷୁ ଏକତ୍ର ହୋଇଗଲା ସେ ଅନ୍ୟଆଡ଼େ ଦୃଷ୍ଟି ଫେରାଇନେଲା ।

ଦେବାଶୀଷବାବୁଙ୍କ ମନଭିତରେ ସନ୍ଦେହର ଝଡ଼ ଉଠିଥିଲା ଅନେକବେଳୁ । ସେ କେଇଟି ମୁହୂର୍ତ୍ତ ଟ୍ୟାକ୍ସି ଓ ତା’ର ଚାଳକଙ୍କୁ ଅନେଇ ଗାଡ଼ିଭିତରକୁ ଉଠିଲେ ।

ଟ୍ୟାକ୍ସିବାଲା ପଚାରିଲା, ବାବୁ କୁଆଡ଼େ ଯିବା ?

ସଂକ୍ଷେପରେ ଦେବାଶୀଷବାବୁ ଉତ୍ତର ଦେଲେ, ହୋଟେଲ୍ ଗ୍ରୀନ୍‍ଲାଣ୍ଡ୍ ।

ଜନଗହଳିର ଭିଡ଼ ଭିତରେ ଟ୍ୟାକ୍ସି ଚାଲିଛି ଧୀର ମନ୍ଥର ଗତିରେ । ହୁଏତ ଆଉ ଦୁଇଟା ମୋଡ଼ ଭାଙ୍ଗିଗଲେ ମୁଖ୍ୟ ରାସ୍ତାର ଠିକ୍ ପାର୍ଶ୍ଵଦେଶରେ ପଡ଼ିବ ହୋଟେଲ ଗ୍ରୀନ୍‍ଲ୍ୟାଣ୍ଡ ।

ଦେବାଶୀଷ ବାବୁଙ୍କର ଚିନ୍ତାରାଜ୍ୟରେ ବିଭ୍ରାଟ୍ ସୃଷ୍ଟିକରି ପାଶ୍ କରିଗଲା ସେଇ ଟ୍ୟାକ୍ସି-। ପରିଚିତ ଟ୍ୟାକ୍ସି ଡ୍ରାଇଭର ଥରେ ମୁଁହ ଝୁଙ୍କେଇ ଦେବାଶୀଷବାବୁଙ୍କ ଟ୍ୟାକ‌୍ସି ଭିତରକୁ ଦୃଷ୍ଟି ନିକ୍ଷେପ କରିବା ସମୟରେ ଦେବାଶୀଷବାବୁଙ୍କ ସହିତ ତା’ର ଦୃଷ୍ଟି ବିନିମୟ ହୋଇଗଲା-। ଦେବାଶୀଷବାବୁ ଚମକିଉଠିଲେ, ଏ କ’ଣ ? ଟ୍ୟାକ୍ସି ଭିତରର ଆରୋହୀ ଦୁଇଜଣ ହେଉଛନ୍ତି ଗତରାତ୍ରୀର ମୂର୍ଚ୍ଛିତା ସୁମୀତା ଆଉ ଜବାନ କଲ୍ୟାଣ ପାଣ୍ଠିର ସଂଚାଳକ ଅର୍ଦ୍ଧେନ୍ଦୁ ରାଏ-?

ଦେବାଶୀଷବାବୁ ସୁବାଷକୁ ହଲେଇଦେଇ କହିଲେ, ଏଇ ଟ୍ୟାକ୍ସି ପାଶ୍ କରିଗଲା, ତମେ ଲକ୍ଷ୍ୟ କରିଛ ସୁବାଷ ?

ହଁ ସାର !

ଆରୋହୀମାନଙ୍କୁ ଲକ୍ଷ୍ୟ କରିଛ ? ପୁଣି ପଚାରିଲେ ଦେବାଶୀଷବାବୁ ।

ପୁରୁଷଜଣକୁ ଠିକ୍ ଲକ୍ଷ୍ୟ ରଖିପାରିନି ତେବେ ତରୁଣୀଟି ନିଶ୍ଚୟ ସୁମୀତା । ଡାକ୍ତର ବନବୀରବାବୁ ଓ୍ୱାର୍ଡ଼କୁ ଆସି ବୋଧହୁଏ ସୁମୀତାକୁ ସୁସ୍ଥଥିବାର ଦେଖି ତାକୁ ଡିସ୍‍ଚାର୍ଜ କରିଛନ୍ତି ।

ଅତି ସରଳଭାବେ କଥାଟାକୁ ସୁବାଷ ସମାଧାନ କରିଦେଇଥିବାରୁ ଦେବାଶୀଷବାବୁଙ୍କର ଭାବନାର ସମ୍ୟକ୍ ବ୍ୟତିକ୍ରମ ହେଲା । ତଥାପି ସେମାନଙ୍କର ଚାଲିଚଳନକୁ ସେ ସନ୍ଦେହମୁକ୍ତ ବୋଲି ଭାବୁନଥିଲେ ।

ଗାଡ଼ି ବ୍ରେକ୍ କଷିଲା ହୋଟେଲ ଗ୍ରୀନ୍‍ଲ୍ୟାଣ୍ଡର ସାମନାରେ ।

 

–ପାଞ୍ଚ–

 

ହୋଟେଲ ଗ୍ରୀନ୍‍ଲ୍ୟାଣ୍ଡରେ ସେଦିନ ଜନଗହଳି ଖୁବ୍ କମ ଥିଲା । ଏଇ ହୋଟେଲର ସେଇ ଅନାମଧେୟ ପରିଚାରୀକାର ହତ୍ୟାଦିନୁ ସହରରେ ହୋଟେଲଟି ବିଷୟରେ ମନ୍ଦ ଧାରଣା ସୃଷ୍ଟି ହୋଇଛି ।

 

ହୋଟେଲର ମାଲିକ ଜଣେ ମୁସଲମାନ ଭଦ୍ରଲୋକ । କଦିରୁଦ୍ଦିନ୍ ମହମ୍ମଦଙ୍କର ଓଡ଼ିଶାରେ ବସବାସ କରିବା ଅର୍ଦ୍ଧଶତାବ୍ଦୀରୁ ଅଧିକ । ଅତିଭଦ୍ର ଓ ବିନୀତ । ଅଧସ୍ତନ କର୍ମଚାରୀମାନେ ମାଲିକଙ୍କର ବ୍ୟବହାରରେ ସର୍ବଦା ସନ୍ତୁଷ୍ଟ । ମୋଟ ଉପରେ ଏଇ ଭଦ୍ରବ୍ୟକ୍ତି ସହରରେ ଖୁବ୍ ଜଣାଶୁଣା ଓ ଅମାୟୀକ ଧରଣର ବ୍ୟକ୍ତି ଥିଲେ । ମାତ୍ର ହୋଟେଲର ମ୍ୟାନେଜର ମାସୁକ୍ ଖାଁ ବ୍ୟବହାର ଈଷତ୍ ରୁକ୍ଷ । ସର୍ବଦା ଭାବଗମ୍ଭୀର । ଅବଶ୍ୟ ଜଣେ ଉଚ୍ଚଶିକ୍ଷିତ ଯୁବକପରି ମନେହୁଅନ୍ତି । ମାତ୍ର ତାଙ୍କର ଶିକ୍ଷାଗତ ଯୋଗ୍ୟତା ସମସ୍ତଙ୍କର ଅଜ୍ଞାତ । ତଥାପି ସାଧାରଣ ଇଂରେଜୀ ଲେଖାପଢ଼ା ଜଣାଥିଲାପରି ମନେହୁଏ ।

 

ଦେବାଶୀଷବାବୁ ମୁଖ୍ୟ ପ୍ରବେଶପଥ ଦେଇ ଆସିଲାବେଳେ ଲକ୍ଷ୍ୟକଲେ, ଅଧିକାଂଶ ଡିନର ଟେବୁଲ୍ ଗରାଖ ଶୂନ୍ୟ ଅଥଚ ମ୍ୟାନେଜର ମାସୁକ୍‍ବାବୁ ହଲ୍‍ର ଗୋଟିଏ କୋଣରେ ବସି ଦୁଇଜଣ ଭଦ୍ରବ୍ୟକ୍ତିଙ୍କ ସାଙ୍ଗରେ ଆଳାପ କରୁଛନ୍ତି । ତାଙ୍କ ମୁହଁରୁ ସ୍ପଷ୍ଟ ଜଣାପଡ଼ୁଥିଲା, ସତେଯେପରି କେଇମିନିଟ୍ ପୂର୍ବରୁ ସେ କୌଣସି ଗୋପନ ଆଲୋଚନାରେ ବ୍ୟସ୍ତ ଥିଲେ ।

 

ମାତ୍ର ଦେବାଶୀଷବାବୁଙ୍କ ସାଙ୍ଗରେ ଚାରିଆଖି ହୋଇଗଲାବେଳେ ସାମାନ୍ୟ ଅପ୍ରତିଭ ହୋଇପଡ଼ି ଶିଷ୍ଠାଚାର ଦୃଷ୍ଟିରୁ କହିପକାଇଲେ, ନମସ୍ତେ ମି: ଚୌଧୁରୀ ସାହେବ । ସଙ୍ଗେ ସଙ୍ଗେ ଦେବାଶୀଷବାବୁ ଓ ସୁବାଷବାବୁଙ୍କୁ ପାଛୋଟିନେବା ଭଙ୍ଗିରେ ଏକରକମ ଦ୍ରୁତପଦରେ ଆଗେଇଆସିଲେ ।

 

ଦେବାଶୀଷବାବୁ ଓ ସୁବାଷବାବୁ ପ୍ରତିନମସ୍କାର ବିନିମୟ କଲେ । ତା’ପରେ ତିନିହେଁ ଆଗେଇଲେ ମି. କଦିରୁଦ୍ଦିନଙ୍କ ଅଫିସ୍ ଭିତରକୁ ।

 

ମାସୁକ୍ ଖାଁ ଉଠିଆସିଲା ପରେ ଦେବାଶୀଷବାବୁ ସାମାନ୍ୟ ବିହଙ୍ଗ ଦୃଷ୍ଟି ବୁଲାଇଆଣିଲେ ମାସୁକ୍ ଖାଁଙ୍କ ସହିତ ଗପ କରୁଥିବା ଦୁଇଜଣ ଲୋକଙ୍କ ଉପରେ ।

 

ପୂର୍ବରୁ ଫୋନ୍ ଖବରପାଇ କଦିରୁଦ୍ଦିନ୍ ଅପେକ୍ଷାକରି ବସିଥିଲେ ଦେବାଶୀଷବାବୁଙ୍କୁ । ତେଣୁ ଦେବାଶୀଷବାବୁ ତାଙ୍କ ପ୍ରକୋଷ୍ଠ ଭିତରେ ପାଦପକାଇ କହିଉଠିଲେ, ନମସ୍ତେ ଚୌଧୁରୀ ଜୀ, ନମସ୍ତେ ।

 

ଦେବାଶୀଷବାବୁ ଓ ସୁବାଷବାବୁ ସେମାନଙ୍କ ପାଇଁ ଉଦ୍ଧିଷ୍ଠ ଥିବା ଦୁଇଟି ଚେୟାର ଦଖଲ କଲେ । କିଛି ସମୟ ପାଇଁ କୋଠରିଟିରେ ଅଖଣ୍ଡ ନୀରବତା ରାଜତ୍ଵ କଲା ।

 

ହତାଶାର ଦୀର୍ଘଶ୍ଵାସ ତୋଳି କବିରୁଦ୍ଦିନ କହିଲେ, ମାମୀର ମରିବା ଆଜିକୁ ଦୀର୍ଘ ଏକ ମଇନା ତେରା ରୋଜ୍ ହୋଇଗଲା, ଲେକିନ୍ ପୋଲିସ ତରଫରୁ କୌଣସି ପ୍ରତିକାର ହେଲାନି । ବିଚାରୀକୁ ଖୁନ୍ କରାଗଲା । କାହିଁକି ଖୁନ୍ କରାଗଲା ତାହା ବି ଜଣାଗଲା ନାହିଁ । ହୋଟେଲରେ ତା’ କୋଠରି ଦୁଆର ମୁହଁରେ ଦୁଇଟା ସିପାହୀ ହରଦମ୍ ଦେଢ଼ମଇନା ହେଲା ଜଗିରହିଛନ୍ତି; ତାଙ୍କର ହରେକ୍ ଖର୍ଚ୍ଚ ଦେବାକୁ ପଡ଼ୁଛି । ଏଣେ ହୋଟେଲର ବଦନାମ ଟାଉନସାରା । ଗରାଖ ତ ମୋଟେ ପାଦ ପକାଉ ନାହାଁନ୍ତି । ବିଲ୍‍କୁଲ୍ ଦେଓ୍ୱାଲିୟା ହୋଇଗଲି ଚୌଧୁରୀ ସାହେବ, ବିଲ୍‍କୁଲ୍ ଦେଓ୍ୱାଲିୟା ।

ସାନ୍ତ୍ଵନାଭରା ଗଳାରେ ଦେବାଶୀଷ କହିଲେ, ବୁଝିଲେ ମିଆଁ ସାହେବ, ମର୍ଡ଼ର କେଶ୍‍ଗୁଡ଼ିକ କ’ଣ ଏତେ ସହଜରେ ଧରିହୁଏ ? ହତ୍ୟାକାରୀ ନିଶ୍ଚୟ ସେତିକି ଚତୁର ହୋଇନଥିଲେ ଗୋଟିଏ ଝିଅକୁ ହତ୍ୟା କରି ସେ ପୁଣି ଆମମାନଙ୍କ ସାଙ୍ଗରେ ମିଳିମିଶି ସ୍ପଷ୍ଟ ଦିବାଲୋକରେ ଚଳୁଥାନ୍ତା ? କଥାଟା କହିସାରି ଦେବାଶୀଷବାବୁ ମାସୁକ୍ ମିଆଁଙ୍କ ମୁହଁକୁ ଅନେଇଲେ ।

ମାସୁକ୍ ମିଆଁଙ୍କ କପାଳର ରେଖାଗୁଡ଼ିକ ସାମାନ୍ୟ ସଙ୍କୁଚିତ ହୋଇପଡ଼ିଥିଲା । ଭଦ୍ରତା ଖାତିରରେ ସେ କହିଲେ, ଆପଣ ଯାହା କହିଲେ ଚୌଧୁରୀ ସାହେବ ବିଲ୍‍କୁଲ୍ ଠିକ୍ କଥା । ତଥାପି ଆସାମୀକୁ ଧରିବାକୁ ପଡ଼ିବ । କେବଳ ହୋଟେଲର ବଦନାମ୍ ପାଇଁ ମୌଲବି ସାହେବ ଭାଙ୍ଗିପଡ଼ିଛନ୍ତି । ଆଉ କୌଣସି କଥାର ଅବତାରଣା ନକରି ଦେବାଶୀଷବାବୁ କହିଲେ– ଚାଲନ୍ତୁ, ମାମୀ ରହୁଥିବା କୋଠରିଟିକୁ ଦେଖିଆସିବା ଟିକିଏ ।

ତାପରେ ସମସ୍ତେ ମାମୀର କୋଠରି ନିକଟରେ ପହଞ୍ଚିଲା ବେଳେ ସିପାହୀ ଦୁଇଟି ସାଲ୍ୟୁଟ୍ ବଜାଇ ପୋଲିସ୍ କାୟଦାରେ ଛିଡ଼ାହୋଇ ରହିଲେ । ଦେବାଶୀଷବାବୁ ପୂର୍ବରୁ ଟାଉନ୍‍ଥାନା ଇନିସ୍ପେକ୍ଟରଙ୍କଠାରୁ କୋଠରିଟିର ଚାବି ନେଇଯାଇଥିଲେ । ସାଙ୍ଗେ ସାଙ୍ଗେ କୋଠରିଟି ଖୋଲି ଭିତରେ ସୁବାଷ ଓ ଦେବାଶୀଷବାବୁ ପ୍ରବେଶ କଲେ ।

କୋଠରିଟି ଅନେକଦିନ ହେବ ବ୍ୟବହୃତ ନ ହୋଇଥିବାରୁ ଅପରିଚ୍ଛନ ଅବସ୍ଥାରେ ପଡ଼ିଥିଲା । କୋଠରିଟିର ତିନୋଟି ଝରକା । ପଛପଟକୁ ଦୁଇଟି ଝରକା ଓ ସାମନା ପଟରେ ଗୋଟିଏ ଝରକା । ସବୁଗୁଡ଼ିକ ଝରକା ବନ୍ଦଥିଲା । ଦେବାଶୀଷବାବୁ ସେଗୁଡ଼ିକ ଖୋଲିଦେବାରୁ ଘର ଭିତରେ ପ୍ରଚ୍ଛନ୍ନ ସୂର୍ଯ୍ୟାଲୋକ ପ୍ରବେଶ କଲା ।

କୋଠରିଟିରେ ଗୋଟିଏ ଖଟିଆ ପଡ଼ିଥିଲା । ଖଟିଆ ଉପରେ ଖଣ୍ଡେ କନ୍ଥା ଓ ତା’ଉପରେ ଧଳା ଚାଦରଟିଏ ସୁନ୍ଦରଭାବେ ବିଛା ହୋଇଥିଲା । ଯେପରି ସଦ୍ୟ କିଏ ବିଛଣା ପକେଇଦେଇ ଯାଇଛି । ମାତ୍ର କୋଠରିକୁ ଏକମାତ୍ର ପ୍ରବେଶ ଦ୍ୱାର ସାମନାପଟେ ଥିଲା ଏବଂ ସେଠାରେ ଦୁଇଜଣ ବନ୍ଧୁକଧାରୀ ସିପାହୀ ଅନବରତ ଜଗିରହିଥିବାରୁ ଘର ଭିତରେ ଦ୍ୱିତୀୟ କେହି ପ୍ରବେଶ କରିବା ସମ୍ଭବପର ନୁହେଁ । ଏଣୁ ଦେବାଶୀଷବାବୁଙ୍କର ମନ ସନ୍ଦେହରେ ଦୋଳୟିତ ହେବାକୁ ଲାଗିଲା ।

ଘରର ଗୋଟିଏ କୋଣରେ ଖଣ୍ଡେ ଖୋଲା ଛୋଟ ସୁଟକେଶ ପଡ଼ିଥିଲା ଏବଂ ତା’ ଭିତରେ ଦୁଇଖଣ୍ଡ ବ୍ଲାଉଜ୍ ଓ ଦୁଇଖଣ୍ଡ ଶାଢ଼ିଥିବାର ଦେଖାଗଲା । ତାଛଡ଼ା ଅଳ୍ପ ମୂଲ୍ୟର ସ୍ନୋ, ପାଉଡ଼ର, ନେଲ୍‍ପଲିସ୍, ଦର୍ପଣ ଓ ଖଣ୍ଡେ ପାନିଆ ଛଡ଼ା ଆଉ କିଛି ମିଳିଲା ନାହିଁ ।

ଝରକାଦେଇ ଦେବାଶୀଷବାବୁ ବାହାରକୁ ଚାହିଁଲେ । ଦେଖିଲେ ସେଇ କୋଠରି ପଛଠାରୁ ଗୋଟିଏ ଛୋଟ ଫୁଲବଗିଚା ଆରମ୍ଭ ହୋଇଛି ହୋଟେଲର କମ୍ପାଉଣ୍ଡ ୱାଲ୍ ପର୍ଯ୍ୟନ୍ତ । ତା’ପରେ ଗୋଟିଏ ଛୋଟ ମୁଭେବୁଲ୍ ଲୁହା ଗେଟ୍ କମ୍ପାଉଣ୍ଡ ୱାଲରେ ଲାଗିଛି ।

 

ଘରର ଚଟାଣରେ ରକ୍ତର ଛିଟା ସବୁ ଲାଗି ଶୁଖି କଳା ପଡ଼ିଯାଇଥିଲା । କୋଠରିଟିକୁ ତଦନ୍ତ କରି କୌଣସି ସୂଚନା ନ ପାଇ ଦେବାଶୀଷବାବୁ ହତାଶ ହୋଇ ବାହାରକୁ ବାହାରିଆସି ପୂର୍ବପରି ତାଲାଦେଇ ଘରବନ୍ଦ କଲେ ।

 

ଉଦ୍‍ବିଗ୍ନତା ପ୍ରକାଶକରି କଦିରୁଦ୍ଦିନ୍ ପଚାରିଲେ, କ’ଣ କିଛି ପାଇଲେ ?

 

ସ୍ମୀତ ହସି ଦେବାଶୀଷବାବୁ କହିଲେ– ଆପଣଙ୍କର କିଛି ହଜିଯାଇ ନାହିଁ ଯେ ମୁଁ ଏତେଶୀଘ୍ର ଖୋଜି ପାଇଯିବି । ମନେରଖିବା ଦରକାର ଏଇଟା ମର୍ଡ଼ର କେଶ୍ । ପୋଲିସଠାରୁ ହତ୍ୟାକାରୀ ଧୃତ ନ ହେଲେ କେବେ କାହାକୁ ମର୍ଡ଼ର କରି ନିର୍ବିଘ୍ନରେ ଆତ୍ମଗୋପନ କରିପାରେନା-

 

କଦିରୁଦ୍ଦିନ୍ ପୁନରାୟ ଦୀର୍ଘଶ୍ୱାସ ତ୍ୟାଗକଲା ।

 

ଦେବାଶୀଷବାବୁ ପଚାରିଲେ, ଆଛା କହିପାରିବେ ମିଆଁ ସାହେବ, ମାମିର ହତ୍ୟା ଦିନଠାରୁ ଆପଣଙ୍କର ଏଇ ପଛ ରାସ୍ତାରେ କେହି କେବେ କାରବାର ହୋଇଛି ? ମାନେ ମାଳି ଯେ କି ଫୁଲ ବଗିଚାରେ ପାଣି ଦିଏ, ଏମିତି...

 

ଆଖି ଖୋଷିଦେଲେ କଦିରୁଦ୍ଦିନ୍ କହିଲେ, ଆଲ୍ଲା ଆଲ୍ଲା–ସେଇଦିନୁ ଏବାଟେ ଲୋକ ଯିବାକୁ ଭୟ କରୁଛନ୍ତି । ତା’ ଛଡ଼ା ପୋଲିସ ଜଗି ରହିଛନ୍ତି । ଇନିସ୍ପେକ୍ଟର ଅର୍ଡ଼ର ଏ ବାଟେ କେହି ଯାତାୟାତ କରିପାରିବେ ନାହିଁ । ପାଣି ନ ପାଇ ଫୁଲଗଛଗୁଡ଼ିକ ମରିବା ଉପରେ ।

 

କୋଠରିଟିକୁ ଜଗି ରହିଥିବା ସିପାହୀ ଦୁଇଜଣ ମୁଣ୍ଡ ହଲାଇ କଦିରୁଦ୍ଦିନଙ୍କର ମନ୍ତବ୍ୟକୁ ସମର୍ଥନ କଲେ ।

 

ଦେବାଶୀଷବାବୁ ହଠାତ୍ କହିପକାଇଲେ– ଠିକ୍ ଅଛି । ଆସ ସୁବାଷ, ଆପଣମାନେ ଦୟାକରି ଏଇଠୁ ଅପେକ୍ଷା କରନ୍ତୁ, ଆମେ ଆସୁଛୁ । ଏତିକି କହି ଦେବାଶୀଷବାବୁ ଓ ସୁବାଷ ପଛ ବଗିଚାବାଟ ଦେଇ ଆଗେଇଲେ । କମ୍ପାଉଣ୍ଡ ଓ୍ୱାଲ୍ ସେପଟେ ଏକ ମସ୍ତ ସିମେଣ୍ଟ ଡ୍ରେନ୍ । ଡ୍ରେନ୍ ଆରପଟେ ଏକ ବିସ୍ତ୍ରୀର୍ଣ୍ଣ ପ୍ରାନ୍ତର, ଦୁଇପଟେ ଦୁଇଟା ଲେଖାଏଁ ପୋଲ ପୋତାଯାଇଛି । ପିଲାମାନେ ଫୁଟ୍‍ବଲ ଖେଳନ୍ତି ବୋଧହୁଏ ।

 

ସେଇଠୁ ଫେରି ଦେବାଶୀଷବାବୁ ଓ ସୁବାଷ ଦୁହେଁ ବଗିଚା ମଧ୍ୟରେ ପଶିଲେ । କୌଣସି ପଦଚିହ୍ନ ବି ଦୃଷ୍ଟି ଗୋଚର ହେଲା ନାହିଁ ।

 

ହତାଶରେ ଦେବାଶୀଷବାବୁ କହିଲେ– ଧୃତ ହତ୍ୟାକାରୀ ଆମପାଇଁ କୌଣସି ପ୍ରମାଣ ଛାଡ଼ି ଯାଇ ନାହିଁ ସୁବାଷ, ଖାଲି ନିରାଶ ହେବା ହିଁ ସାର ।

 

ସୁବାଷ ଶୂନ୍ୟ ଦୃଷ୍ଟିରେ ଚାହିଁରହିଥିଲା ତାଙ୍କଆଡ଼େ । ପୁଣିଥରେ ଦେବାଶୀଷବାବୁ ଆଗକୁ ଆଗେଇଲେ । ଘରର କାନ୍ଥ କଡ଼ରେ ପାଇପ୍ ଲାଇନ୍ ଯାଇଛି । ଏଇ ପାଇପ୍ ସାହାଯ୍ୟରେ ଫୁଲଗଛଗୁଡ଼ିକରେ ପାଣି ଦିଆଯାଏ ବୋଧହୁଏ

 

ଦେବାଶୀଷବାବୁ ସେଇଠି ନଇଁପଡ଼ି କ’ଣ ଦେଖିବାକୁ ଲାଗିଲେ । ସୁବାଷବାବୁ ଟିକିଏ ଦୂରରେ ଥିବା ସୁଗନ୍ଧରାଜ ଗଛର ଛାଇତଳେ କ’ଣ ଖଣ୍ଡେ କାଗଜ ଗୁଡ଼ାଗୁଡ଼ି ହୋଇ ପଡ଼ିଥିବାର ଦେଖି ଅଗ୍ରସର ହେଲେ ଏବଂ କିଛି ସମୟ ପରେ ସେ କାଗଜ ମେଞ୍ଚାଟି ଧରି ଦେବାଶୀଷବାବୁଙ୍କୁ ଦେଖାଇ ପଚାରିଲେ, ଏଇଟା କ’ଣ ଦେଖନ୍ତୁ ତ ସାର୍ ?

 

ଦେବାଶୀଷବାବୁ ଆଗ୍ରହ ସହକାରେ ସେଇଟିକୁ ଦେଖୁ ଦେଖୁ କହିଉଠିଲେ, ନାହିଁ ମାମୁଁଠାରୁ କଣା ମାମୁଁ ଭଲ ସୁବାଷ, ମୋର ଯେତେଦୂର ବିଶ୍ୱାସ ଏ ଖଣ୍ଡିକ କୌଣସି କାମରେ ଅସି ନ ପାରେ, ତଥାପି ଗୋଟାଏ କିଛି ସୂତ୍ର ତ ମିଳିବ ନିଶ୍ଚୟ ।

 

ସୁବାଷବାବୁ ଆତ୍ମପ୍ରସାଦ ଲାଭକରି ସାରିଥିଲେ । ଯେପରିକି ଏତେ ବଡ଼ ହତ୍ୟାକାଣ୍ଡର ସନ୍ଧାନ ପାଇଁ କୌଣସି ସୂତ୍ର ମିଳୁ ନ ଥିବାବେଳେ ଏଇମାତ୍ର ପ୍ରଥମ ସୂତ୍ର ସେ ଉଦ୍ଭାବନ କଲେ । ସପ୍ରଶଂସ ଗଳାରେ କହିଲେ–ସେଇଟା କ’ଣ ସାର୍ ?

 

ମାମୀକୁ ହତ୍ୟାକରି ସାରି ତା’ର ରକ୍ତାକ୍ତ ପାପୁଲି ଦୁଇଟାକୁ ଏଇ କାଗଜ ଖଣ୍ଡକରେ ପୋଛି ଫୋପାଡ଼ି ଦେଇଛି ଅଦରକାରୀ ମନେକରି । ରକ୍ତଗୁଡ଼ା ଶୁଖି କଳାପଡ଼ିଯାଇଛି ନିଶ୍ଚୟ । କିନ୍ତୁ ଏ କ’ଣ ? ହତ୍ୟାକାରୀ ହାତର ଟିପଚିହ୍ନ କେତୋଟି ଏଥିରେ ସୁସ୍ପଷ୍ଟ ଭାବେ ରହିଛି ତ ? ଦେଖୁ ନାହିଁ ଏଇ ଯେ ଅଙ୍ଗୁଳିର ରେଖାଗୁଡ଼ିକ ପରିଷ୍କାର ଭାବେ ଜଣାପଡ଼ୁଛି । କିନ୍ତୁ ସୁବାଷ, ହତ୍ୟାକାରୀ ହାତରେ କ’ଣ ମାତ୍ର ଚାରୋଟି ଆଙ୍ଗୁଠି ?

 

ସୁବାଷ ସଫଳତାର କଣ୍ଠରେ ଉତ୍ତର ଦେଲେ, ହୋଇପାରେ, ପିଲାଦିନୁ ବୋଧହୁଏ ଗୋଟିଏ ଆଙ୍ଗୁଠି ନାହିଁ ଅଥବା ଆଙ୍ଗୁଠିଟି କଟିଯାଇଥାଇପାରେ ।

 

ଉତ୍‍ଫୁଲ୍ଲଭାବେ ସମ୍ମତି ଜଣାଇଲେ ଦେବାଶୀଷବାବୁ । କିନ୍ତୁ ଆଉ ଗୋଟିଏ କଥା ଏଇଠି ଦେଖ, ଏହି ପାଇପର ଜଏଣ୍ଟ ସ୍ଥାନରେ ଏଇ ଯେଉଁ ଦୁଇଟି ଚିହ୍ନ ପଡ଼ିଛି ।

 

ସୁବାଷ ମଧ୍ୟ ନଇଁପଡ଼ି ନିରୀକ୍ଷଣ କରିବାକୁ ଲାଗିଲା ।

 

ଦେବାଶୀଷବାବୁ କହିଲେ– ଏଇ ଦେଖ, ଏଇ ସ୍ଥାନଟି ଦୁଇଟି ପାଇପର ଜଏଣ୍ଟ ସ୍ଥାନ ହୋଇଥିବାରୁ ପାଣି ଏଠି ନିଶ୍ଚୟ ଲିକ୍ କରେ ଓ ମାଟି ସନ୍ତସନ୍ତିଆ ହୋଇଛି । ଫଳରେ ଦୁଇଟି ଜୋତା ତଳିର ଚିହ୍ନ ସ୍ପଷ୍ଟ ବାରି ହୋଇପଡ଼ିଛି । ମାତ୍ର ହତ୍ୟାକାଣ୍ଡ ଘଟିବା ଦିନଠାରୁ ଏଠି ପୋଲିସ୍ ପହରା ଦେଇଛନ୍ତି, ଏପଟକୁ କାହାରିକୁ ଏପରି ମାଳିକୁ ମଧ୍ୟ ପାଣି ଦେବାପାଇଁ ଛାଡ଼ି ଦିଆଯାଉ ନାହିଁ । ଫଳରେ ଆଉ ପାଣି ଲିକ୍‍କରି ଚିହ୍ନଟି ଧୋଇ ଯାଇପାରି ନାହିଁ । ସେ ଯେଉଁ ଜୋତାମାଡ଼ି ଆସିଥିଲା, ସେ ଜୋତାର ସୋଲ୍ ତଳେ ଗୁଡ଼ିଏ ତାରକା ଚିହ୍ନ ଥିଲା । ଯାହାକି ଏଥିରେ ସ୍ପଷ୍ଟ ଦେଖାଯାଉଛି, ଏଣୁ ବର୍ତ୍ତମାନ ତମର କ୍ୟାମେରା କାଢ଼ି ଏ ଚିହ୍ନର ଫଟୋ ଉଠାଇନିଅ ଓ ସ୍କେଲରେ ଏ ଚିହ୍ନର ମଧ୍ୟ ମାପ ନିଅ ।

 

ସୁବାଷବାବୁ ଆଜ୍ଞାବହ ଭୃତ୍ୟପରି ମାତ୍ର କେତୋଟି ମିନିଟ୍ ଭିତରେ ଦେବାଶୀଷବାବୁଙ୍କର ନିର୍ଦ୍ଦେଶଗୁଡ଼ିକ ପାଳନ କରିନେଲେ । ତାପରେ ଦେବାଶୀଷବାବୁ କହିଲେ, ଆତତାୟୀ ଦୟାକରି ଆମ ପାଇଁ ଏତକ ଛାଡ଼ି ଯାଇଥିଲା ସୁବାଷ, ଯାହାଫଳରେ ଅନ୍ଧକାରରେ ବାଡ଼ିବୁଲାଇବା ଭିତରେ ଆମେ ସାମାନ୍ୟ ସମ୍ବଳ ସଂଗ୍ରହ କରିଛେ ଏବଂ ଏତିକି ମାତ୍ର ପୁଞ୍ଜି କରି ଆମେ ଏ ଦିଗରେ କେତେଦୂର ସଫଳକାମ ହେବା ଭଗବାନଙ୍କ ଉପରେ ନିର୍ଭର କରେ ।

 

ସୁବାଷବାବୁ ଓ ଦେବାଶୀଷବାବୁ ଫେରିଲା ପର୍ଯ୍ୟନ୍ତ ମାସୁକମିଆଁ ଓ କଦିରୁଦ୍ଦିନ୍ ବାରଣ୍ଡାରେ ଅପେକ୍ଷା କରିଥିଲେ । କଦିରୁଦ୍ଦିନ୍ ପଚାରିଲେ, କ’ଣ କିଛି ସନ୍ଧାନ ମିଳୁଛି ଚୌଧୁରୀ ସାହେବ ?

ହତାଶ କଣ୍ଠରେ ଦେବାଶୀଷବାବୁ ଉତ୍ତରଦେଲେ, ନା । ଏ କେଶରେ ସଫଳତା ହାସଲ କରିବାର କୌଣସି ସାମାନ୍ୟତମ ଭରଷା ବି ନାହିଁ । ତଥାପି ଆପଣ ନିଶ୍ଚିନ୍ତ ରହନ୍ତୁ ଯେ ମୁଁ ଏଥିରୁ ଓହରିଯାଉନାହିଁ ।

ସମସ୍ତେ ପୁଣି କଦିରୁଦ୍ଦିନଙ୍କ କୋଠରିକୁ ଫେରିଆସିଲେ । ଖଣ୍ଡେ ସିଗାରେଟରେ ଅଗ୍ନି ସଂଯୋଗ କରୁ କରୁ ଦେବାଶୀଷ ବାବୁ ପଚାରିଲେ, ଆଚ୍ଛା ଆପଣଙ୍କର ଯେଉଁ ଭୃତ୍ୟମାନେ ଏଠାରେ କାମ କରୁଛନ୍ତି ଆଇନ ଅନୁସାରେ ଆପଣ ସେମାନଙ୍କର ଫଟୋ ଥାନାରେ ଦେଇଛନ୍ତି କି-?

ହଁ, ସବୁ ଦିଆଯାଇଛି ଓ ମାମୀର ମଧ୍ୟ ଅଛି । କଦିରୁଦ୍ଦିନ୍ ଜବାବଦେଲେ ।

ସାମାନ୍ୟ ଗମ୍ଭୀର ହୋଇ ଦେବାଶୀଷବାବୁ ପଚାରିଲେ, କିଛି ମନେକରିବେ ନାହିଁ, ଆପଣଙ୍କର ଏଠାରେ ଯେଉଁ ପରିଚାରୀକାମାନେ ଅଛନ୍ତି, ସେମାନଙ୍କୁ ହୋଟେଲରେ ରହିବାକୁ ଆସୁଥିବା ବ୍ୟକ୍ତିମାନଙ୍କର ଯୌନଲାଳସା ପୂର୍ଣ୍ଣ କରିବା ଦିଗରେ ବ୍ୟବହାର କରାଯାଏ କି ?

କଦିରୁଦ୍ଦିନ୍ ଲଜ୍ଜିତ ହୋଇପଡ଼ିଲେ । ତାଙ୍କର ପରିପକ୍ଵ ବୟସରେ ଏଭଳି ପ୍ରଶ୍ନର ଉତ୍ତର ସେ ହଠାତ୍ ଦେଇପାରିଲେ ନାହିଁ । ସରମରେ ସଢ଼ିଯାଇ କହିଲେ, ମୋ ଜାଣିବାରେ ଏ ଭଳି କେବେ ଘଟିନାହିଁ । ସେମାନଙ୍କୁ ଗରାଖମାନଙ୍କ ପାଖକୁ ଯିବାକୁ କେବେ ଦିଆଯାଇ ନାହିଁ । ସେମାନେ କେବଳ ମସଲାବାଟିବା, ପରିବା କାଟିବା, ଘରଝାଡ଼ୁ କରିବା ଇତ୍ୟାଦି କାମ କରନ୍ତି ଏବଂ ପରିଚାରିକାମାନଙ୍କର ରହିବାପାଇଁ ସ୍ୱତନ୍ତ୍ର ମେସ୍‍ର ବ୍ୟବସ୍ଥା ମଧ୍ୟ ଅଛି ।

ଦେବାଶୀଷବାବୁ ଗୁମ୍‍ଖାଇ କିଛି ସମୟ ବସିଗଲେ । ପଚାରିଲେ– ମାମୀର କୌଣସି ଗୁପ୍ତପ୍ରେମିକ ଥିବାର ଆପଣ ଜାଣନ୍ତି ?

ଏ ପ୍ରଶ୍ନରେ ହଠାତ୍ ମାସୁକ୍ ମିଆଁଙ୍କର ମୁହଁ ବିବର୍ଣ୍ଣ ପଡ଼ିଗଲା । ଦେବାଶୀଷବାବୁଙ୍କର ଦୃଷ୍ଟି ତା’ ଏଡ଼ିପାରି ନ ଥିଲା । ମାସୁକ୍‍ବାବୁଙ୍କ ମୁହଁକୁ ଦେବାଶୀଷବାବୁ ସିଧାସଳଖ ଚାହିଁ କହିଲେ– କ’ଣ ଆପଣ କିଛି କହିବେ ? ଛାତ୍ରୀଙ୍କୁ ଶିକ୍ଷକ ପ୍ରେମ କରିବା ଯେତେ ସହଜ ମହିଳା କର୍ମଚାରୀମାନଙ୍କୁ ଉପରିସ୍ଥ ହାକିମମାନେ ପ୍ରେମକରିବା ତାଠାରୁ ଅଧିକ ସହଜ, It is not ?

ମାସୁକବାବୁ ବିହ୍ଵଳିତକଣ୍ଠରେ କହିଲେ– ତା’ ମାନେ ଆପଣ କ’ଣ ମାମୀକୁ ମୋର ପ୍ରେମିକା ବୋଲି କହିବାକୁ ଚାହାନ୍ତି ?

ଠିକ୍ ତାହା ନୁହେଁ– ସ୍ପୀତ କଣ୍ଠରେ ଉତ୍ତରଦେଲେ ଦେବାଶୀଷବାବୁ । ମୋର କହିବାର ଅର୍ଥ ଆପଣ ଯେତେବେଳେ ଏ ସଂସ୍ଥାର ପରିଚାଳକ, ମାମୀର ଚରିତ୍ର ବିଷୟରେ ଆପଣଙ୍କୁ କିଛି ଅବିଦିତ ନ ଥିବ ।

ମାମୀକୁ ମୁଁ ଯେତିକି ଜାଣିଛି, ତା’ର ଚରିତ୍ରରେ କିଛି ତ୍ରୁଟି ଥିବାର ମୁଁ ବିଶ୍ୱାସ କରିପାରୁନି । ମାସୁକବାବୁଙ୍କର ଉତ୍ତର କିନ୍ତୁ କାହିଁକି ସନ୍ତୁଷ୍ଟ କରିପାରିଲା ନାହିଁ ଦେବାଶୀଷ ବାବୁଙ୍କୁ-

 

ମାମୀର ମୃତଦେହକୁ ପ୍ରଥମେ କିଏ ଆବିଷ୍କାର କଲା, ଆପଣ ନିଶ୍ଚୟ ? ଦେବାଶୀଷବାବୁ କଠୋର କଣ୍ଠରେ ପଚାରି ଚାହିଁଲେ ମାସୁକବାବୁଙ୍କ ମୁହଁକୁ ।

 

ହଁ । ସକାଳ ୮ଟା ବାଜି ଯାଇଥିଲା । ପୂଜାରୀ ଆସି ଜଣାଇଲା ଯେ ମାମୀର ଦେଖାନଥିବାରୁ ସେପର୍ଯ୍ୟନ୍ତ ପରିବା ମଧ୍ୟ କଟାହୋଇ ପାରିନଥିଲା । ମାଛ ବି ବଛା ହୋଇନଥିଲା-। ଅଥଚ ଅଫିସ୍ ଯିବା ଲୋକମାନେ ହୋଟେଲରେ ଖାଇ ୧୦ଟା ବେଳକୁ ଅଫିସ୍ ଯିବେ-। ତାଙ୍କପାଇଁ ଖାଦ୍ୟ ପ୍ରସ୍ତୁତ କରି ରଖିବାକୁ ହେବ । ଏଣୁ ମୁଁ ତାକୁ ଖୋଜି ଖୋଜି ଯେତେବେଳେ ପହଞ୍ଚିଲି, ଦେଖିଲି ଭିତରପଟୁ କବାଟ ବନ୍ଦ ରହିଛି । ଏତେଡ଼େରି ପର୍ଯ୍ୟନ୍ତ ସେ କେବେ ଶୁଏ ନାହିଁ-। ପୂର୍ବଦିନ ରାତ୍ରିରେ ତା’ର ଶାରିରୀକ ଅବସ୍ଥା ଅସୁସ୍ଥ ନଥିଲା; ଏଣୁ ମୁଁ ସନ୍ଦେହରେ ପଡ଼ିଲି । ବାରମ୍ବାର କବାଟ ଫିଟାଇବା ପାଇଁ ଡାକିବା ସତ୍ତ୍ୱେ କୌଣସି ଜବାବ୍ ନ ପାଇବାରୁ ମୁଁ କବାଟ ଭାଙ୍ଗିଦେବାକୁ ବାଧ୍ୟହେଲି । ତାପରେ ଦେଖେ ତ ମାମୀର ଶୀରହୀନ ଶବଟା ଚଟାଣରେ ପଡ଼ିଛି-। ଘରସାରା ରକ୍ତରେ ସ୍ରୋତ ଛୁଟିଛି । ତାପରେ ମୁଁ ମାଲିକଙ୍କୁ ଖବର ଦେଇଛି । ଫୋନରେ ଥାନା ଅଫିସରଙ୍କୁ ଜଣାଇଛି । ହଁ । ଗମ୍ଭୀର ଭାବେ ଚିନ୍ତାକରି ଦେବାଶୀଷବାବୁ ପଚାରିଲେ– ଶୀରହୀନ ଶବଟା ଆପଣ ମାନୀର ବୋଲି କେମିତି ଅନୁମାନ କଲେ ?

 

ମାସୁକ୍‍ବାବୁ ଥଙ୍ଗ ଥଙ୍ଗ ହୋଇ ରହିଗଲେ । ତାଙ୍କର ଯେମିତି କଣ୍ଠ ଶୁଖି ଶୁଖି ଆସୁଥିଲା, କ’ଣ ଉତ୍ତର ଦେବେ କିଛି ଠିକ୍ କରିନପାରି ବିକଳ ଆଖିରେ କଦିରୁଦ୍ଦିନ ସାହେବଙ୍କ ମୁହଁକୁ ଚାହିଁ ରହିଲେ ।

 

କଦିରୁଦ୍ଦିନ୍ କହିଲେ, ସେ ପ୍ରାଣହୀନ ଶରୀରଟା ଯେ ସମୀର ଏଥିରେ କିଛି ସନ୍ଦେହ ନାହିଁ, ଆପଣ ବିଶ୍ଵାସ କରନ୍ତୁ ଚୌଧୁରୀ ସାହେବ । ଆମ ଚାକରାଣୀର ଦେହଟାକୁ ଆମେ ଜାଣିପାରିବୁନି ? ଚିହ୍ନିପାରିବୁନି ?

 

ମୁହଁରେ ଏକ ମଧୁର ହସ ମଣ୍ଡିଦେଇ ଦେବାଶୀଷ–ବାବୁ କହିଲେ, ଠିକ୍ ଅଛି, ଆପଣମାନେ ଯେତେବେଳେ ଠିକ୍ ଭାବେ ଚିହ୍ନିପାରିଛନ୍ତି, ଆମର ସନ୍ଦେହ କରିବାର କିଛି ନାହିଁ । ଆଚ୍ଛା ଆପଣଙ୍କର ପୁରୁଣା ଚାକର ପୂଜାରୀମାନେ ବର୍ତ୍ତମାନ ସବୁ ରହୁଛନ୍ତି ତ ? ଅନ୍ତତଃ ଏ ଘଟଣାର ତଦନ୍ତ ଚାଲିଥିବା ପର୍ଯ୍ୟନ୍ତ ସେମାନଙ୍କୁ ଚାକିରିରୁ ଛାଡ଼ିଦେବେ ନାହିଁ ।

 

ସେ ବିଷୟରେ ଆପଣ ଶତକଡ଼ା ଶହେଭାଗ ନିଶ୍ଚିନ୍ତ ରହନ୍ତୁ । ଜାଣିବାର ଲୋକଭଳି କଦିରୁଦ୍ଦିନ ଉତ୍ତର ଦେଲେ ।

 

ମାସୁକ୍ ବାବୁ ଟିକିଏ ବିବ୍ରତ ଗଳାରେ କହିଲେ, ଦେବାଶିଷବାବୁ ଯେତେବେଳେ ନିଜେ ଅଛନ୍ତି ମୋ ଦୁଃଖଟା ମୁଁ ଠିକ୍ ସମୟରେ ଜଣାଇବାର ସୁଯୋଗ ପାଇଛି । ଏଇ ଦେଖନ୍ତୁ ଟେଲିଗ୍ରାମଟା । ମୋର ମା’ ଶକ୍ତି ବେମାର, ମୁଁ ସେଥିପାଇଁ ଅନ୍ତତଃ ଏକ ସପ୍ତାହ ଛୁଟି ପାଇଁ ମାଲିକଙ୍କ ପାଖରେ ଆବେଦନ କରିଛି । ଅନ୍ତତଃ ମୋ ଅବସ୍ଥାର ଗୁରୁତ୍ଵ ଦୃଷ୍ଟିରୁ ଆପଣଙ୍କର ନିର୍ଦ୍ଦେଶଟା ମୋ ପାଇଁ ସାମାନ୍ୟ କୋହଳ କରିଦେଲେ ମୁଁ ବାଧିତ ହୁଅନ୍ତି । ତଦନ୍ତବେଳେ ମୋର ଉପସ୍ଥିତି ଆପଣ ଯେତେବେଳେ ଦରକାର ମନେକରିବେ ମୁଁ ହାଜର ହେବାକୁ ବାଧ୍ୟ ରହିବି । ବଡ଼ ବିନୀତ କଣ୍ଠରେ ଆବେଦନ କରି ମାନୁକ୍ ବାବୁ ଟେଲିଗ୍ରାମ ଫର୍ମଟି ମି; ଚୌଧୁରୀଙ୍କ ଆଗରେ ଉପସ୍ଥାପିତ କଲେ ।

 

ଦେବାଶୀଷବାବୁ ଟେଲିଗ୍ରାମ ଉପରେ ଦୃଷ୍ଟି ବୁଲାଇ ଦେଖିଲେ, ଟେଲିଗ୍ରାମଟି ବାଲେଶ୍ଵର ପୋଷ୍ଟଅଫିସରୁ ଆସିଛି । ସମ୍ବେଦନ ଗଳାରେ ସେ କହିଲେ, ଆପଣ ଯାଇପାରନ୍ତି ମାତ୍ର ଆବଶ୍ୟକବେଳେ ଆପଣ ଉପସ୍ଥିତ ହେବା ବାଞ୍ଛନୀୟ ।

 

ମାସୁକ୍‍ବାବୁ ଦେବାଶୀଷ ଚୌଧୁରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନକରି କହିଲେ– ଆପଣ ଯେତେବେଳେ ଚାହିଁବେ ।

 

ଅନ୍ୟାନ୍ୟ କେତେକ ଆବଶ୍ୟକୀୟ ବିଷୟ ଆଲୋଚନା କରି ସୁବାଷଙ୍କୁ ସାଥିରେ ଧରି ଦେବାଶୀଷବାବୁ ଉଠୁ ଉଠୁ କହିଲେ– ଆପଣ ତେବେ କଟକ କେବେ ଛାଡ଼ିବେ ମାସୁକ୍‍ବାବୁ ?

 

ମାସୁକ୍ ବାବୁ ନିର୍ବିକାର ଭାବରେ ଉତ୍ତରଦେଲେ, ଦୁଇଦିନ ପରେ । ହୋଟେଲର ପରିଚାଳନାର ସୁବ୍ୟବସ୍ଥା କରି ଓ କର୍ମଚାରୀମାନଙ୍କର ଦରମା ଚୁକ୍ତି କରିଦେଇ ଭାବୁଛି ପଅରଦିନ ଯିବି ।

 

ଧନ୍ୟବାଦ । ଦେବାଶୀଷବାବୁ ଓ ସୁବାଷବାବୁ ଫେରିଲେ ।

 

ତାଙ୍କର ଗତିପଥକୁ ମାସୁକ୍‍ବାବୁ ଶୂନ୍ୟଦୃଷ୍ଟିରେ ଚାହିଁଥିଲେ ।

 

–ଛଅ–

 

ଶାରଦା କଳା ନିକେତନ ।

 

ମହାନଦୀର ପ୍ରଶସ୍ଥ ବୁକୁ ଉପରକୁ ମୁହଁକରି ଇଷତ ନୀଳରଙ୍ଗର କୋଠାଟି ଆକାଶ ଛାତିକୁ ମୁଣ୍ଡ ଡେରି ଠିଆହୋଇଛି ।

 

ଗଭୀର ଅନ୍ଧକାରଚ୍ଛନ୍ନ ରାତ୍ରୀ । ସହରସାରା ସୁପ୍ତ । ନନ୍ଦକେଶ୍ଵରୀ ପଠାଭିତରେ କେମିତି କାଁ ଭାଁ ଭେରେଣ୍ଡାଟାଏ ଭୁକିଉଠୁଛି ସମୟେ ସମୟେ ।

 

ରାସ୍ତା ଉପରେ ବୁଲୁଥିବା ବୁଲାକୁକୁରଟାଏ ମଧ୍ୟ ଚିତ୍କାର କରିଉଠିଲା ।

 

ଝରକା ଖୋଲି ବାହାରକୁ ଚାହିଁଲା ସୁମୀତା । କଳା ମଚ ମଚ ପିଚୁ ସଡ଼କଟା କ୍ଳାନ୍ତ ତନୁନେଇ ଶୋକ ଯାଇଛି ନିରିମାଖିଭାବେ । ନିଶବ୍ଦରେ ଝରକା ବନ୍ଦ କରିଦେଇ ସୁମୀତା ଡାକିଲା– ରାଜେଶ ! ରାଜେଶ !!

 

କୌଣସି ଉତ୍ତର ନ ଦେଇ ସାମନାରେ ଛିଡ଼ାହେଲା ମୂର୍ତ୍ତିମନ୍ତ ଯୁବକ ଜଣେ । କୃଷ୍ଣକାୟ, ସୁଢ଼ଳ, ସୁଠାମ ଯୁବକ । ଦେହ ଆଉ ମନରେ ଅନେକ ଦିନର ବୁଭୁକ୍ଷା । ଆଖିରେ କାମନାର ବାଡ଼ବାଗ୍ନି । ସୁମୀତାର ଓଭର କୋଟ୍ ତଳେ କୃଷ୍ଣ ସାଗର କୋଳରେ ଆତ୍ମଗୋପନ କରିଥିବା ବରଫ ପାହାଡ଼ଭଳି ଉନ୍ମତ୍ତ ବକ୍ଷକୁ ସର୍ବଗ୍ରାସୀ ଚକ୍ଷୁରେ ସେ ଚାହିଁ ରହିଥିଲା ।

 

ଆଦେଶ କର ମୀତା । ଯୁବକ ଜଣକ ସୁମୀତାର ନିର୍ଦ୍ଦେଶକୁ ଅପେକ୍ଷା କରି ରହିଲା ।

 

ସୁମୀତା ସ୍ମୀତ ହସ ହସି କହିଲା, ଏଭଳି ଏକ ନିର୍ଜନ ରାତିରେ ମତେ ଗୋଟାପଣେ ଗିଳିଦେବାକୁ ତମ ଭିତରେ ପ୍ରବଳ ବାସନା ଜାଗୁଥିବ, ନୁହେଁ ? ସତେ ରାଜେଶ ତମ ସାଙ୍ଗରେ ମୋର କି ମୁହୂର୍ତ୍ତରେ ଦେଖାହେଲା କେଜାଣି, ତମ ପାଇଁ ମୋ ମନରେ ମଧ୍ୟ ଅସରନ୍ତି ମାୟା ଜାଗିଛି । ମୋର ସମୟେ ସମୟେ ମନେହୁଏ ତମର ଶାନ୍ତବୁକୁରେ ନିଜକୁ ଧରାଦେଇ ମୁଁ ଏ ଦୁର୍ବିସହ ବିପଦସଙ୍କୁଳ ଜୀବନରୁ ଅବ୍ୟାହତି ନିଅନ୍ତି । ମୁଁ ନାରୀ । ମୋରି ଭଳି ଲକ୍ଷ ଅୟୁତ ନାରୀ ବି ଆଜି ସଂସାର କରି ଛୁଆପିଲାର ମା’ ହୋଇଛନ୍ତି । କିନ୍ତୁ ଏଇ ଦୁର୍ବଳତା ଭିତରକୁ ଥରେ ପଶିଗଲେ ନାରୀ ତା’ର ଚିରନ୍ତନ ଶକ୍ତି ହରେଇବସେ । ମା’ କହିଛି ନାରୀ ହିଁ ଶକ୍ତି । ପୁରୁଷ ଶିବ । ଉଭୟଙ୍କର ମିଳନରେ କୁସଂସ୍କାର ଆଉ ଅନ୍ୟାୟର ତାରକାସୁରର ବଧ ପାଇଁ କାର୍ତ୍ତୀକେୟ ଭଳି ବୀରପୁତ୍ରର ଜନ୍ମହୁଏ ।

 

ରାଜେଶ ତନ୍ମୟ ଦୃଷ୍ଟିରେ ଚାହିଁଥିଲା ସୁମୀତା ଆଡ଼େ । ଏଇ ସୁମୀତା କାହିଁକି ଆଜି ଏଡ଼େ ଦୁର୍ବଳ ହୋଇପଡ଼ିଛି । ଯେତେଥର ସେ ତା’ ପାଖରେ ଥରେ ମାତ୍ର ସମ୍ଭୋଗ ପାଇଁ ଅଳି କରିଛି, ସେତେଥର ସୁମୀତା ତାକୁ ଭୁଲେଇ ଦେଇଛି । ସମୟ ଅଦ୍ୟାପି ଆସିନାହିଁ ବୋଲି କହିଛି । ଆଉ ସବୁଥର କହିଛି ସୁମୀତା ଯୁଗେ ଯୁଗେ ତା’ର । କିନ୍ତୁ କେତେଦିନ ସେ ମରୀଚିକା ଉପରେ ଆଶାରଖି ତା’ ପଛରେ ଗୋଡ଼େଇଥିବ । ସୁମୀତାର ବିରୁଦ୍ଧାଚରଣ କରିବା ଭଳି ଦୁଃସାହସ ମଧ୍ୟ ତା’ର ନାହିଁ । ସୁମୀତା କଥାର ବ୍ୟତିକ୍ରମ କଲେ ମୃତ୍ୟୁ ଯେ ଅତି ନିଶ୍ଚିତ ସେ କଥା ସେ ଜାଣେ । ତଥାପି ସେଇ ସୁମୀତା ଆଜି ତା’ ପାଖରେ କାହିଁକି ଏତେ ସରଳ ହୋଇପଡ଼ିଛି । ରାଜେଶ କେବଳ ତନ୍ମୟ ହେଉନଥିଲା, ବିସ୍ମିତ ମଧ୍ୟ ହୋଇପଡ଼ିଲା ।

 

ସୁମୀତା କେବଳ ରୂପସୀ ନାରୀ ନୁହେଁ–ଛନ୍ଦମୟୀ ନର୍ତ୍ତକୀ ନୁହେଁ–ସେ ସୃଷ୍ଟିର ଏକ ବ୍ୟତିକ୍ରମ । ସେ ରହସ୍ୟମୟୀ–ସେ ବିଭୀଷିକାମୟୀ । ବିପୁଳ ଶକ୍ତିର ଅଧିକାରିଣୀ ।

 

ଆଉ ରାଜେଶ ?

 

ତା’ର ବ୍ୟକ୍ତିଗତ ଭାବେ ପ୍ରାଇଭେଟ୍ ସେକ୍ରେଟେରୀ ! ଅଥଚ ଲୋକେ ଜାଣିବାକୁ ତା’ର ମାଉସୀ ପୁଅ ଭାଇ । କିନ୍ତୁ ପ୍ରକୃତରେ କି ସମ୍ପର୍କ ତା’ର ସୁମୀତା ସହିତ ?

 

ପ୍ରେସିଡ଼େନ୍ସି କଲେଜର ଛାତ୍ର ଥିବାବେଳେ ଦାରୁଣ ଅର୍ଥାଭାବର ସଙ୍କଟରେ ପଡ଼ି ରାସ୍ତାରେ ଇତଃସ୍ତତ ବୁଲିବା ବେଳେ ଦିନେ ଠିକ୍ ରାତି ୯ଟା ବେଳେ ସୁମୀତାର ସିନେମା ଫେରନ୍ତି ବାଟରେ ଏହି ରହସ୍ୟମୟୀ ନାରୀ ସହିତ ତା’ର ପରିଚୟ । ତାପରେ ଆର୍ଥିକ ସାହାଯ୍ୟର ପ୍ରତିଶ୍ରୁତି ପାଇ ସେଦିନ ସେ ସୁମୀତା ନିକଟରେ କୃତ୍ୟକୃତ୍ୟ ହୋଇଥିଲା । କୃତିତ୍ୱର ସହିତ ବି. ଏ. ପାଶ୍ କଲା ପରେ ସେ ଯେଉଁଦିନ ସୁମୀତା ନିକଟରେ ଚାକିରି କରିବାର ଆକାଙ୍‍କ୍ଷା ଜଣାଇଥିଲା, ସୁମୀତା ସେଦିନ ହସି ହସି କହିଥିଲା, ଚାକିରି କଲେ ତମର ଅର୍ଥାଭାବ ମୋଚନ ହେବ ସତ କିନ୍ତୁ ଦଳେ ମଣିଷ, ମଣିଷ ଉପରେ ଯେଉଁ ଚରମ ନିର୍ଯାତନା ଦେଉଛନ୍ତି, ଏଇ ସରଳ ମାନବିକତାର ମୋଚନ ପାଇଁ ତମେ କେବେ ଚିନ୍ତା କରିଛ ରାଜେଶ ?

 

ରାଜେଶ ସେଦିନ ସୁମୀତା କଥାରେ ବିମୁଗ୍ଧ ହୋଇଥିଲା । ସୁନ୍ଦରୀ ସୁମୀତା କଥାର ମହୁ ଟୋପାକୁ ସେଦିନ ସେ ଏକ ନିଃଶ୍ୱ ପ୍ରଜାପତି ପରି ପାନ କରିଥିଲା । ପୌରୁଷକୁ ବଳିଦେଇ ଏକ ନିର୍ବୋଧ ଶିଶୁପରି ସେ କହିଲା, ତମ କରୁଣା ନିକଟରେ ମୁଁ ଚିରଋଣୀ । ତମେ ମୋ ହୃଦୟରେ ଦେବୀର ଆସନ ପାଇଛ, କୁହ ମୁଁ କ’ଣ କରିପାରିବି ?

 

ସୁମୀତା ଏକ କଟାକ୍ଷ ହାଣି କହିଲା, ପାରିବ ରାଜେଶ ? ସୁମୀତାକୁ ତମେ ପାଖରୁ ଅନ୍ତର କରିବ ନାହିଁ, ଏତିକି ପାରିବ ?

 

ରାଜେଶ ମନଭିତରେ ଆତ୍ମଗୋପନ କରିଥିବା ଅବରୁଦ୍ଧ ପୁରୁଷକାରର ସିଂହଶିଶୁ ଜାଗ୍ରତ ହୋଇଉଠିଥିଲା । ସେ କହିଥିଲା ନିଶ୍ଚୟ ପାରିବି । ନିଶ୍ଚୟ, ଅନୁନୟ ନୁହେଁ ଆଦେଶ କର-

 

ସୁମୀତା ସାମାନ୍ୟ ଚିନ୍ତା କରି ଗମ୍ଭୀର କଣ୍ଠରେ ଉତ୍ତର ଦେଲା, ସୁମୀତାକୁ ତମେ ଦେବୀ ମନେକରି ଭୁଲ୍ କରିଛ । ସେ ଦାନବୀ । ତା’ ଆଦେଶରୁ ବ୍ୟତିକ୍ରମ ହେଲେ ମୃତ୍ୟୁଭେରୀ ବାଜିଉଠେ । ତମେ ତାକୁ ସ୍ୱାଗତ କରିପାରିବ ?

 

ଉଚ୍ଛୃଙ୍ଖଳତାର ବଶବର୍ତ୍ତୀ ହୋଇ ରାଜେଶ ଦ୍ରୁତ କଣ୍ଠରେ ହଁ ଭରିଥିଲା । ସୁମୀତା ସେଦିନ ପ୍ରତିଶ୍ରୁତି ଦେଇଥିଲା, ତମ ପରିବାରର ଭରଣପୋଷଣ ପାଇଁ ତମେ ମାସକୁ ଚାରିଶ ଟଙ୍କା ପାଇବ ।

 

ରାଜେଶ ଆଶ୍ଚର୍ଯ୍ୟ ହୋଇଥିଲା । ଚାରିଶ ଟଙ୍କା.... ? କୌଣସି ସରକାରୀ ଚାକିରି କଲେ ସେ ଏତେ ପାଇବ କି ନାହିଁ ସନ୍ଦେହ ।

 

ସେଇଦିନଠାରୁ ରାଜେଶ ସୁମୀତା ସାଙ୍ଗରେ ରହିଛି ଦେହରକ୍ଷୀ ଭାବେ ।

 

କିନ୍ତୁ ସେ ରାଜେଶ ଆଜି ନାହିଁ । ଆଜି ସେ ଏକ ନିର୍ମମ ନିଷ୍ଠୁର ପୁରୁଷ । ଲୋକକଥାରେ ଗୁଣ୍ଡା, ବଦମାସ୍, ଖୁନୀ । ପରିସ୍ଥିତି ଓ ସଂସର୍ଗ ତା’ର ଚରିତ୍ରରେ ପରିବର୍ତ୍ତନ ଆଣିଛି-। ସୁମୀତା ତା’ ପ୍ରତିଶ୍ରୁତି ରକ୍ଷା କରି ପ୍ରତି ମାସରେ ରାଜେଶ ଘରକୁ ଚାରିଶ ଟଙ୍କା ପଠାଇଦିଏ-

 

ସେଇ ସୁମୀତା ତା’ ଆଗର ଛିଡ଼ା ହୋଇଛି । ସୁମୀତା ରାଜେଶ ସଙ୍ଗରେ ଅନ୍ତତଃ ମାସେକରେ ଦୁଇଥରରୁ ଅଧିକ ନିଭୃତରେ କଥାବାର୍ତ୍ତା କରେ ।

 

ଅଥଚ ରୂପସୀ ସୁମୀତାର ସାନିଧ୍ୟ ପାଇଁ ରାଜେଶ ପାଗଳ ହୋଇଉଠିଲେ, ସୁମୀତା ବୁଝେଇଦିଏ ଏଭଳି ଦୂରେଇ ରହିବା ତା’ର ଇଚ୍ଛାକୃତ । କାରଣ ଘିଅ ଆଉ ନିଆଁକୁ ଯଥାସମ୍ଭବ ଦୂରେଇ ରଖିଲେ ଉଭୟଙ୍କର କାର୍ଯ୍ୟକାରୀ ଶକ୍ତିକୁ ଠିକ୍ ବାଟରେ ବିନିଯୋଗ କରିହୁଏ ।

 

ସେଦିନ ରାଜେଶ ନୀରବରେ ଠିଆ ହୋଇଥାଏ । କାନ୍ଥର ଗୁପ୍ତସ୍ଥାନରେ ଥିବା ଏକ ଲୌହ ବାକ୍ସ ଭିତରୁ ଦୁଇପଟ ସୁନାର କାଙ୍କଡ଼ କାଢ଼ି ଦେଖାଇ ସୁମୀତା କହିଲା, ଏଇ ହେଉଛି ଆମ ମା’ର ଚୁଡ଼ି । ଏଇ ଚୁଡ଼ିର ବେଢ଼ି ପିନ୍ଧିଲେ ମୁଁ ହଠାତ୍ କର୍କଶ ହୋଇପଡ଼େ । ଏଇ ଚୁଡ଼ିର ବେଢ଼ିରେ ଛନ୍ଦିହୋଇ ମୁଁ ଏ ଦଳର ଅଧିନାୟିକା–ବିପୁଳ ଶକ୍ତିମୟୀ ।

 

ମୁଁ ଏ ଦଳର ଅଭିଶିକ୍ତା ରାଣୀ । ଏତେବଡ଼ ଦଳର ଦାୟିତ୍ଵ ନେଇ ଦୁର୍ବଳ ହେବା ମୋ ପାଖରେ ସାଜେନା ରାଜେଶ ! କିନ୍ତୁ ମୁଁ ତମର, ଏ କଥା ତମେ କେବେ ଭୁଲିବନି । ମୋ ଚରିତ୍ର ଭିତରେ ତମ ଛଡ଼ା ଅନ୍ୟର ସ୍ଥାନ ନାହିଁ । ଅର୍ଦ୍ଧେନ୍ଦୁ ରାଏ ସାଙ୍ଗରେ ମୁଁ ଅଭିନୟ କରେ । ନଚେତ୍ ବିପଦ ତ ପୁଣି ରହିଛି । ଏଇତକ ତମକୁ ସୂଚେଇ ଦେବାପାଇଁ ଏ ନିର୍ଜନ ରାତିରେ ତମକୁ ଡାକିଥିଲି ।

 

ରାଜେଶ କ’ଣ କହିବାକୁ ଉଦ୍ୟତ ହେଉଥିଲା । ସୁମୀତା ନିଜ ହାତଘଣ୍ଟାକୁ ଚାହିଁ କହିଲା, ସମୟ ବର୍ତ୍ତମାନ ସରିଆସିଲା, ତମ ହାବଭାବରୁ ମୁଁ ସବୁ ଜାଣିସାରିଛି–ମନକଥାକୁ ପାଟିରେ ବ୍ୟକ୍ତ ନ କଲେ ମଧ୍ୟ ଆଖିରେ ସବୁ ବୁଝିହୁଏ । ପୁଣି ସୁବିଧାହେଲେ ସାକ୍ଷାତ୍ ହେବ ।

 

ସୁମୀତା ଝଡ଼ପରି କୋଠା ଉପରକୁ ପାହାଚଦେଇ ଉଠିଲା । ରାଜେଶ ଫେରିଆସିଲା ତା’ ନିଜ କୋଠରିକୁ ମନଭିତରେ ଅସଂଖ୍ୟ ଝଡ଼ର ତରଙ୍ଗ ଧରି ।

 

ଗଭୀର ଅନ୍ଧକାର ଭିତରେ ପୀତବର୍ଣ୍ଣର ଏକ ଉଚ୍ଛ୍ଵଳ ଆଲୋକ ମୁହୂର୍ତ୍ତକ ପାଇଁ ଦପ୍ ଦପ୍ କରି ତିନିଥର ଜଳାଇଦେଲା ସୁମୀତା ।

 

ମହାନଦୀର ଅପରପାର୍ଶ୍ୱରୁ କ୍ଷୀଣ ନୀଳାଲୋକ ଦେଖାଗଲା ।

 

ସୁମୀତା ଛାତ ଉପରୁ ଓହ୍ଲାଇଆସି ତା’ କୋଠରି ଭିତରେ ନୀରବଭାବେ ବସିରହିଲା ।

 

ଘଣ୍ଟା କଣ୍ଟା ଓ ମିନିଟ୍ କଣ୍ଟାକୁ ପ୍ରତିଦ୍ୱନ୍ଦିତାରେ ପଛରେ ପକାଇ ସେକେଣ୍ଡ କଣ୍ଟା ଦୌଡ଼ୁଛି । ନିର୍ମିଶଙ୍କ ନୟନରେ ସୁମୀତା ଚାହୁଁଥିଲା ତା’ର ହାତଘଡ଼ିକୁ ।

 

ଗୋଟାଏ ବାଜିଲା ।

 

ଦେଢ଼ଘଣ୍ଟା ଅତିକ୍ରମ କରିଗଲାଣି ।

 

ବାରିଦରଜାରେ ପରିଚିତ କରସ୍ପର୍ଶର ସ୍ୱର ବାରିପାରି ସୁମୀତା ନିଜର ରିଭଲଭରଟିକୁ ସଜାଗଭାବେ ଧରି କବାଟ ଖୋଲିଦେଲା । ଅଗଣା ଭିତରକୁ ପ୍ରବେଶ କଲେ କଳା ପୋଷାକରେ ସର୍ବାଙ୍ଗ ଆବୃତ୍ତ କରିଥିବା ଚାରିଜଣ ସବଳକାୟ ବ୍ୟକ୍ତି । ସମସ୍ତେ ସୁମିତାର କୋଠରି ଭିତରେ ପ୍ରବେଶ କଲେ । ସୁମୀତା ନିଜର ସୁସଜ୍ଜିତ ପଲଙ୍କ ଉପରେ ବସୁ ବସୁ କହିଲା– ଆପଣଙ୍କର ସମୟଜ୍ଞାନ ମୋଟେ ରହୁନି ମି: ରାଏ । ଆଜି ସାଢ଼େ ଏଗାରଟାରେ ଆପଣଙ୍କର ଏ ସହର ଛାଡ଼ିବା କଥା–ମାତ୍ର ଦେଢ଼ଘଣ୍ଟା ବିଳମ୍ବରେ ଆପଣ ଏଠି ପହଞ୍ଚୁଛନ୍ତି ।

 

ସ୍ମିତହସ ମି: ରାଏ କହିଲେ, ଆପଣ ନିର୍ଦ୍ଦେଶ ଦେଲେ ନଦୀ ପାର ହୋଇ ମଣ୍ଡାପଡ଼ାଠାରୁ ଏଠାକୁ ଆସିବା ପାଇଁ । ନଚେତ ଗାଡ଼ି ନେଇ ସହର ରାସ୍ତାରେ ଆସିଥିଲେ ହୁଏତ ଠିକ୍ ସମୟରେ ପହଞ୍ଚି ପାରିଥାନ୍ତି । ମାତ୍ର ଏତେ ରାତ୍ରୀରେ ଡଙ୍ଗା ମିଳିବା ଯେ କେତେ କଷ୍ଟସାଧ୍ୟ ଆପଣ ବୁଝିବା ଦରକାର, ପଚାଶ ଟଙ୍କା ଭଡ଼ା ଯାଚିବାରୁ ବୁଢ଼ା ବିଚରା ଲୋଭରେ ଏତେ ରାତ୍ରିରେ ଡଙ୍ଗା ଆଣିଲା । ନଚେତ୍ ତା’ ବି ସମ୍ଭବ ହୋଇପାରିନଥାନ୍ତା ।

 

ସୁମୀତା କାନ୍ଥ ନିକଟକୁ ଯାଇ ପୁଣି ସେଇ ଗୁପ୍ତସ୍ଥାନରୁ ଲୁହାବାକ୍ସ ଖୋଲି ଗୋଟିଏ ଥଳି ଆଣିଲା । ମି: ରାୟଙ୍କ ନିକଟରେ ଥୋଇଦେଇ କହିଲା, ଏଇ ନିଅନ୍ତୁ–ଓଡ଼ିଶାରୁ ସଂଗୃହୀତ ହୋଇଥିବା ପାକିସ୍ତାନର ଜବାନମାନଙ୍କ ପାଇଁ ଆମ ଦଳର ଏ ଦାନ ।

 

ମି: ରାଏ ଥଳିଟିକୁ ଟିକିଏ ଭଲଭାବରେ ଦେଖିନେଇ କହିଲେ, ଦେବାଶୀଷ ଚୌଧୁରୀ ଆଜି ଗ୍ରୀନ୍‍ଲ୍ୟାଣ୍ଡ ତଦନ୍ତ କରୁଥିଲା । ମାସୁକ୍ ସାତଦିନ ପାଇଁ ହୋଟେଲ ଛାଡ଼ିବାକୁ ଅନୁମତି ପାଇଯାଇଛି । ତଦନ୍ତ ବେଳେ ସେଠାରେ ସେ କୌଣସି ସନ୍ଧାନ ନ ପାଇ ହତାଶ ହୋଇଛି ।

 

ହୁଁ । ସୁମୀତା ଗମ୍ଭୀର ଭାବେ ନିଶ୍ୱାସ ଟାଣିଲା । କହିଲା, ଦେବାଶୀଷ ଚୌଧୁରୀକୁ ଏଡ଼େ ବୋକା ମନେକରନ୍ତୁ ନାହିଁ ମି: ରାଏ । ସେ କେବେହେଲେ ନୀରବରେ ବସିନାହିଁ, ତା’ କାମରେ ସେ ଆଗେଇଛି । ସାମାନ୍ୟ ସୂତ୍ର ତା’ର ହସ୍ତଗତ ହେଲେ ସେ ସ୍ପଷ୍ଟ ଦିବାଲୋକରେ ଆପଣମାନଙ୍କୁ ଗିରଫ କରିପାରେ ।

 

ଏକ ନିଶଦ ଅଟ୍ଟହାସ୍ୟରେ ମି: ରାଏ ପ୍ରକୋଷ୍ଠଟିକୁ ଥରାଇଦେଇ କହିଲେ, ମୁଁ ତା’ ଜାଣେ ।

 

ଆଚ୍ଛା କ୍ୟାମ୍ପରେ ମାମୀ କେମିତି ଅଛି ? ତା’ ମନରେ କିଛି ପରିବର୍ତ୍ତନ ଆସିଲାଣି ? ସୁମୀତା ପଚାରିଲା ।

 

ଯଥେଷ୍ଟ ଆଶାନୁରୂପ ନୁହେଁ । ତେବେ ବର୍ତ୍ତମାନ ସେ କୌଣସି କାମରେ ଲାଗିଲା ଭଳି ବିଶ୍ୱାସ ନୁହେଁ । ମି: ରାଏ ଉତ୍ତର ଦେଲେ ।

 

ଠିକ୍ ଅଛି । ସୁବିଧା ଦେଖି ମୁଁ କ୍ୟାମ୍ପଆଡ଼େ ଯିବି । ଆପଣ ଆଉ ଡେରି ନକରି ଶୀଘ୍ର ବାହାରନ୍ତୁ । ସେଠାରେ ମାଲ୍ ନିର୍ବିଘ୍ନରେ ପହଞ୍ଚି ସାରିଲେ ମୋତେ ଟେଲିଗ୍ରାମ୍ କରି ଜଣାଇଦେବ ।

 

ନିଶ୍ଚୟ, ନିଶ୍ଚୟ । ଗୁଡ଼୍ ନାଇଟ୍ । ଆଗନ୍ତୁକ ଚାରିଜଣ ପୁଣି ବାରିକବାଟ ଖୋଲି ନିଶବ୍ଦରେ ନଈଆଡ଼କୁ ବାହାରିଗଲେ । ସୁମୀତା କବାଟ ବନ୍ଦକରି ନିଜ କୋଠରି ଭିତରକୁ ଫେରିଆସିଲା ।

 

ଏକ ଅସ୍ପଷ୍ଟ ଛାୟାମୂର୍ତ୍ତି ସେମାନଙ୍କର ଗତିପଥକୁ ଅନୁସରଣ କରୁଥିଲା ସେମାନଙ୍କର ଅଲକ୍ଷ୍ୟରେ ।

 

–ସାତ–

 

ଚା ପିଆଲାରେ ଧୂଆଁର ମୃଦୁଝଡ଼ ସାଥୀରେ ଦାମୀ ସିଗାରେଟ ଧୂଆଁର ସୁଗନ୍ଧ ମିଶି ଦେବାଶୀଷବାବୁଙ୍କର ପ୍ରକୋଷ୍ଠ ଭିତରେ ଏକ ଆମୋଦକର ଗନ୍ଧ ସୃଷ୍ଟି କରୁଥିଲା ।

ସମସ୍ତେ ସମସ୍ତଙ୍କର ମୁହଁକୁ ଏକ ନିର୍ବୋଧ ଚାହାଣୀରେ ଚାହିଁ ରହିଥିଲେ । ସମସ୍ତଙ୍କର ଏକମାତ୍ର ଆଶାଭରଷା ଥିଲେ ଦେବାଶୀଷ ଚୌଧୁରୀ ।

ନୀରବତାର ବରଫଖଣ୍ଡ ଉପରେ ଏକ ମୃଦୁ ଆଘାତ୍ ଦେଇ ପ୍ରଥମେ ଟାଉନଥାନା ଇନ୍ସପେକ୍ଟର ଶୁଭେନ୍ଦ୍ରବାବୁ ଆରମ୍ଭ କଲେ, ଶେଠ୍ ରାମଦୟାଲଙ୍କ ହତ୍ୟା କେଶରେ ସନ୍ଦେହ କରି ଆଜି ଦୁଇଜଣଙ୍କୁ ଗିରଫ କରାଯାଇଛି ।

ଭଲ କରିଛନ୍ତି । ବେପରୁଆ ଭାବେ ଉତ୍ତରଦେଲେ ଦେବାଶୀଷବାବୁ । ତଦନ୍ତ ବେଳେ କିଛି ପାଇଛନ୍ତି ନା କ’ଣ–ମାନେ ଏ ଦିଗରେ ଆମକୁ ସାହାଯ୍ୟ କଲାଭଳି ।

ଶୁଭେନ୍ଦ୍ରବାବୁ ବିଜୟର ସାଫଲ୍ୟରେ ଗୌରବାନ୍ୱିତ ମନେକରି କହିଲେ, ହଁ ହଁ ନିଶ୍ଚୟ ପାଇଛୁ । ସେଇଥିପାଇଁତ ଆପଣଙ୍କ ସଙ୍ଗେ ପରାମର୍ଶ କରିବାକୁ ଧାଇଁଆସିଛୁ । ପ୍ରଥମେ ଖଣ୍ଡେ ଚିଠି ଡାଇରି ଭିତରୁ ବାହାର କରି ସେ କହିଲେ, ଏ ଚିଠି ଖଣ୍ଡିକ ସଂକ୍ଷେପରେ ସେଠ୍ ରାମଦୟାଲଙ୍କୁ ଲେଖାଯାଇଥିଲା । ଆଉ ତଦନ୍ତ ସମୟରେ ଏ ଚିଠି ଖଣ୍ଡିକ ତାଙ୍କ ବେଡ଼ସିଟ୍ ତଳୁ ମିଳିଛି । ଦ୍ୱିତୀୟ ଚିଠିଟି ହେଉଛି ସେଠ୍ ରାମଦୟାଲଙ୍କର । ତାକୁ ସେ ଆପଣଙ୍କ ନିକଟକୁ ଲେଖିଥିଲା–ମାତ୍ର ଆପଣଙ୍କର ଦୁର୍ଭାଗ୍ୟ ଯେ ଆପଣଙ୍କ ହାତରେ ଚିଠି ଖଣ୍ଡିକ ପଢ଼ିବା ପୂର୍ବରୁ ଶେଠଜୀ ଇହଧାମରେ ନ ଥିଲେ ।

ଦେବାଶୀଷବାବୁ ଆଗ୍ରହ ପ୍ରକାଶ କରି କହିଲେ, ପଢ଼ ତ ସେ ଚିଠି ଦୁଇଖଣ୍ଡି ସୁବାଷ ।

ସୁବାଷ ପଢ଼ିଲେ ପ୍ରଥମେ ଚିଠିଟି; ଯେଉଁଟା ରାମଦୟାଲଙ୍କୁ ହତ୍ୟାକାରୀମାନେ ଲେଖିଥିଲେ ।

ଶେଠଜୀ,

ନମସ୍ତେ । ତମେ କୋଟି କୋଟି ଟଙ୍କାର ମାଲିକ । ମାତ୍ର ତମେ ଜାଣ ସେ ଟଙ୍କା ଉପାର୍ଜନ କରିବାପାଇଁ ତମକୁ ବିନ୍ଦୁଏ ମାତ୍ର ଝାଳ ଦାନ କରିବାକୁ ପଡ଼ିନଥିବ । ତମ ଟଙ୍କାରୁ କାଣିଚାଏ ଲାଭ କଲେ ଅନେକ ଗୁଡ଼ିଏ ମହତ୍ ଜୀବନ ରକ୍ଷା କରିପାରିବୁ । ଏଣୁ ମାତ୍ର ଏକଲକ୍ଷ ଟଙ୍କା ଆଜି ରାତି ଦଶଟା ସୁଦ୍ଧା ଆପଣ ନିଜେ ଧରି ଆପଣଙ୍କ ବାରି ବଗିଚା ନିକଟରେ ଅପେକ୍ଷା କରିଥିବେ ଏବଂ ଠିକ୍ ସମୟରେ ଆମ ଲୋକହାତରେ ସମର୍ପଣ କରିବେ ।

ଭୁଲିବେ ନାହିଁ, ପୋଲିସର ସାହାଯ୍ୟନେଇ ଆମକୁ ହତାଶ କରାଇବାର ପନ୍ଥା ଅନୁସରଣ କଲେ ଆପଣଙ୍କୁ କୋଟି କୋଟି ଟଙ୍କାର ସମ୍ପତ୍ତିକୁ ଛାଡ଼ି ପୃଥିବୀ ପରିତ୍ୟାଗ କରିବାକୁ ପଡ଼ିବ । ଧନ୍ୟବାଦ ସହିତ–

ତମର ଶୁଭାକାଂକ୍ଷୀ

–ଡ୍ୟାସ୍–

 

ହୁଁ । ଗଭୀର ଦୀର୍ଘଶ୍ୱାସ ତ୍ୟାଗକରି ଦେବାଶୀଷବାବୁ କହିଲେ, ରୀତିମତ ନୋଟିସ୍ ଦେଇ ଦସ୍ୟୁମାନେ ଆସିଛନ୍ତି । ଆଚ୍ଛା ଦ୍ଵିତୀୟ ଚିଠିଟି ପଢ଼ । ସୁବାଷ ଆରମ୍ଭ କଲେ–

 

ପ୍ରିୟ ଚୌଧୁରୀ ସାହେବ ।

 

କହିବା ବାହୁଲ୍ୟ ଯେକୌଣସି ଅଦୃଶ୍ୟ ଦସ୍ୟୁର ଶିକାର ହୋଇ ମୁଁ ଆପଣଙ୍କର ଶରଣାପନ୍ନ ହେବାକୁ ଯାଉଛି । ସବୁ କଥା ଖୋଲି ଲେଖିବା ଆଦୌ ସମ୍ଭବପର ନୁହେଁ । ଦୟାକରି ସନ୍ଧ୍ୟା ଭିତରେ ଥରେ ସାକ୍ଷାତର ସୁଯୋଗ ମିଳିଲେ କୃତାର୍ଥ ହୁଅନ୍ତି ।

 

ଏହା ଏକାନ୍ତ ଗୋପନୀୟ, ଏପରିକି ମୁଁ ବାହାରକୁ ବାହାରିବାକୁ ସାହସ ମଧ୍ୟ କରିପାରୁନି । କାରଣ ମୋ କାନର ଚାରିପଟେ କେବଳ ମୃତ୍ୟୁ, ପଦଧ୍ଵନୀ ଛଡ଼ା ମୁଁ ଅନ୍ୟକିଛି ଶୁଣିପାରୁନି । ନମସ୍କାର ସହିତ ରହିଲି ।

 

Unknown

। ଇତି ।

ଆପଣଙ୍କର

–ରାମଦୟାଲ୍–

 

ଶୁଭେନ୍ଦ୍ରବାବୁ କହିଲେ– ମାତ୍ର ରାମଦାୟାଲଜୀ କୌଣସି ପ୍ରକାର ଚିଠି ଖଣ୍ଡିକ ଆପଣଙ୍କ ନିକଟକୁ ପଠାଇବାର ସୁଯୋଗ ପାଇଲେ ନାହିଁ । ଘଟଣାଚକ୍ର ତାଙ୍କ ପାଇଁ ଏଭଳି ଗତିଶୀଳ ହୋଇଥିଲା ଯେ ଚିଠିଟାକୁ ଆପଣଙ୍କ ନିକଟରେ କାହା ହାତରେ ପଠାଇବା ପାଇଁ ମଧ୍ୟ ସେ ଗୋଟିଏ ବିଶ୍ଵସ୍ତ ଅନୁଚର ବାଛିପାରିଲେ ନାହିଁ । ଏଣେ ଲକ୍ଷେଟଙ୍କାର ମୋହ ମଧ୍ୟ ଏଡ଼ିପାରିଲେ ନାହିଁ । ଫଳରେ ଲକ୍ଷେଟଙ୍କାରୁ ଅଧିକ ଅପହୃତ ହେଲା, ତା’ ସଙ୍ଗେ ସଙ୍ଗେ ଜୀବନ ମଧ୍ୟ ଗଲା । କିନ୍ତୁ ଚିଠି ଖଣ୍ଡିକ ଯଦି ଆପଣଙ୍କ ହାତରେ ପଡ଼ିପାରିଥାନ୍ତା, ହାୟ ଶେଠଜୀ, ବିଚରା ଆଜି ଏଭଳି ଅସମୟରେ ପ୍ରାଣତ୍ୟାଗ କରିନଥାନ୍ତେ ।

 

ସବୁକଥା ମନୋଯୋଗ ସହକାରେ ଶୁଣିସାରିବା ପରେ ଦେବାଶୀଷବାବୁ କହିଲେ– ଆଉ କ’ଣ ପାଇଛନ୍ତି କୁହ ?

 

ଶୁଭେନ୍ଦ୍ରବାବୁ କେତୋଟି ଫଟୋ କାଢ଼ି ଦେଖାଇ କହିଲେ– ଏଗୁଡ଼ିକ କେତେଗୁଡ଼ିଏ ଫୁଟ୍‍ ପ୍ରିଣ୍ଟ୍ । ଆପଣ ଥରେ ଦେଖିନିଅନ୍ତୁ ।

 

ଫୁଟ୍‍ ପ୍ରିଣ୍ଟ୍ ଗୁଡ଼ିକ ମନୋଯୋଗ ସହକାରେ ଦେଖୁ ଦେଖୁ ଉଲ୍ଲସିତ ହୋଇଉଠିଲେ ଦେବାଶୀଷବାବୁ ଏବଂ ହସ ହସ ମୁହଁରେ କହିଲେ–

 

ଗ୍ରୀନ୍‍ଲ୍ୟାଣ୍ଡର ପରିଚାରିକାର ହତ୍ୟାକାରୀ ଓ ଶେଠ୍ ରାମଦୟାଲଙ୍କର ହତ୍ୟାକାରୀ ଯେ ଏକ ବ୍ୟକ୍ତି ଏଥିରେ ଆଉ ସନ୍ଦେହର ଅବକାଶ ନାହିଁ । ଏଣୁ ଗୋଟିଏ କେଶ୍ ଧରାପଡ଼ିଲେ ଅନ୍ୟଗୁଡ଼ିକ ଆପେ ଆପେ ଧରାପଡ଼ି ଯାଇପାରେ । ଆଚ୍ଛା ଗ୍ରୀନ୍‍ଲ୍ୟାଣ୍ଡର ମାଲିକ କହିଛନ୍ତି ଚାକିରିରେ ନିଯୁକ୍ତି ପରେ ସେ ତାଙ୍କର ସମସ୍ତ ଭୃତ୍ୟମାନଙ୍କର ଫଟୋ ଓ ଠିକଣା ଥାନାରେ ଦାଖଲ କରିଥିଲେ । ସେଥିପାଇଁ ମୁଁ କାଲି ଆପଣଙ୍କ ସବ୍ଇନିସ୍ପେକ୍ଟରଙ୍କୁ ଫୋନ୍‍ କରି ଜଣାଇଥିଲି ସେଗୁଡ଼ିକ ମୋ ନିକଟକୁ ପଠାଇବା ପାଇଁ ।

 

ଶୁଭେନ୍ଦ୍ରବାବୁ କହିଲେ– ସବ୍ଇନିସ୍ପେକ୍ଟରଙ୍କଠାରୁ ମୁଁ ଖବର ପାଇଛି ଏବଂ ସେଗୁଡ଼ିକ ନିଜେ ଧରିଆସିଛି ।

 

ଧନ୍ୟବାଦ ! ମାମୀର ଫଟୋ ଓ ବସା ଠିକଣା ଆଣିଛନ୍ତି ତ ? ଦେବାଶୀଷବାବୁଙ୍କ ପ୍ରଶ୍ନରେ ଅସଂଖ୍ୟ ଉଦବେଗତା ପ୍ରକାଶ ପାଇଥିଲା ।

 

ଅବଶ୍ୟ ମାମୀର ଫଟୋଟି ମୁଁ ଦେଖିନାହିଁ । ମାତ୍ର ସମସ୍ତ ଫଟୋଗୁଡ଼ିକ ଓ ତତ୍ ସମ୍ପର୍କରେ ହିଷ୍ଟ୍ରିସିଟ୍ ମଧ୍ୟ ନେଇଆସିଛି । କହୁ କହୁ ସେ ଫାଇଲ୍‍ଗୁଡ଼ିକ ବଢ଼େଇଦେଲେ ଦେବାଶୀଷବାବୁଙ୍କ ନିକଟକୁ ।

 

ଦେବାଶୀଷବାବୁ ତନ୍ମୟଭାବେ ସେଗୁଡ଼ିକ ଗୋଟିକ ପରେ ଗୋଟିଏ ଦେଖିବାକୁ ଲାଗିଲେ । ଦେଖୁ ଦେଖୁ ହଠାତ୍ ଚିତ୍କାର କରିଉଠିଲେ । ଏ କ’ଣ ଽ My God ? ଆପଣଙ୍କୁ ନିଶ୍ଚୟ କେହି କିଛି....

 

ମାନେ ?

 

ଆଶ୍ଚର୍ଯ୍ୟ ଆଖିରେ ଶୁଭେନ୍ଦ୍ର ଚାହିଁ ରହିଲେ । ହଠାତ୍ କ’ଣ ଘଟିଲା ବୋଲି ସୁବାଷ ଫାଇଲ୍ ଭିତରକୁ ଝୁଙ୍କି ଅନାଇଲେ ।

 

ଦେବାଶୀଷବାବୁ ବିଷ୍ଫାରିତ ଚକ୍ଷୁରେ ଚାହିଁ ରହି କହିଲେ, ମାମୀର ଫଟୋ କାହିଁ ? ଏ ଯେ ପ୍ରସିଦ୍ଧ ନର୍ତ୍ତକୀ ସୁମୀତାର ଫଟୋ ।

 

ସୁମୀତାର ଫଟୋ ? ପୋଲିସ ଷ୍ଟେସନରେ ତା’ ଫଟୋ ରହିବାର ପ୍ରୟୋଜନ କ’ଣ ? ତା’ ଫଟୋ ମଧ୍ୟ ସେଠାରେ ସବ୍‍ମିଟ୍ କଲା କିଏ ? ଶୁଭେନ୍ଦ୍ରବାବୁ ଆତଙ୍କିତ କଣ୍ଠରେ ପଚାରିଲେ ଓ କହିଲେ ଫଟୋ ସହିତ ହିଷ୍ଟ୍ରି ସିଟ୍ ରହିଛି । ଦେଖନ୍ତୁ ତ କ’ଣ ଲେଖା ହୋଇଛି ?

 

ଦେବାଶୀଷବାବୁ, ପୁଣି ଥରେ ଆଖିରେ ଚଷମା ଦେଇ ହିଷ୍ଟ୍ରିସିଟ୍‍ଟି ଲେଉଟେଉ ଲେଉଟେଉ କହିଲେ, ହିଷ୍ଟ୍ରି ସିଟରେ ଉଲ୍ଲେଖ ଅଛି ଫଟୋ ଉଠିଥିବା ଯୁବତୀର ନାମ ମାମୀ । ବୟସ ଏକୋଇଶ । ବାସସ୍ଥାନ ଠିକ୍ ଭାବେ ଜଣାପଡ଼ି ନାହିଁ, ଯେହେତୁ ଯୁବତୀଟି ଅନାଥ–ଅରକ୍ଷ । ଦେବାଶୀଷବାବୁ ଏକ ଧ୍ୟାନରେ ଫଟୋଟିକୁ ଚାହିଁ ରହିଥିଲେ, ଆଉ ଭାବୁଥିଲେ–

 

ସୁମୀତା ! ମାମୀ !!

 

ସାମାନ୍ୟତମ ତାରତମ୍ୟ ନାହିଁ । ଘଟଣାଟି ଜଟିଳରୁ ଜଟିଳତର ହେବାକୁ ଲାଗିଲା । ଭାବନାର ଓଜନରେ ମୁଣ୍ତ ଭାରାକ୍ରାନ୍ତ ଥିଲା । କପାଳରୁ ଦେବାଶୀଷବାବୁଙ୍କର ବିନ୍ଦୁ ବିନ୍ଦୁ ଝାଳ ଝରିବାକୁ ଲାଗିଲା ।

 

ମାମୀର ଫଟୋଟିକୁ ନିଜ ବ୍ୟାଗ୍ ଭିତରେ ପୂରାଇ ଦେବାଶୀଷବାବୁ କହିଲେ, ଏ ଫଟୋଟି ମୋ ପାଖରେ କିଛିଦିନ ପାଇଁ ରହୁ ।

 

ଶୁଭେନ୍ଦ୍ରବାବୁ ମୁଣ୍ଡ ହଲାଇ ସମ୍ମତି ଜଣାଇଲେ ।

 

ସାମାନ୍ୟ ଆଳାପ ଆଲୋଚନା ପରେ ଶୁଭେନ୍ଦ୍ରବାବୁ ଶୁଭସଂଧ୍ୟା ଜଣାଇ ବିଦାୟନେଲେ-। ଖଣ୍ଡେ ସିଗାରେଟରେ ଅଗ୍ନି ସଂଯୋଗ କରୁ କରୁ ଦେବାଶୀଷବାବୁ କହିଲେ– ସୁବାଷ, ତମର ଆଜି ରାତିରେ ବାଲେଶ୍ଵର ଯିବାକଥା ମନେଅଛି ତ ? ଗାଡ଼ି ସମୟ ହୁଏତ ଆଉରି ଚାରିଘଣ୍ଟା ବାକି ଅଛି । ତମକୁ ୟା ଭିତରେ ପ୍ରସ୍ତୁତ ହେବାକୁ ପଡ଼ିବ । ବାଲେଶ୍ଵର ପୋଲିସ ସାହେବଙ୍କୁ ମୁଁ ତମ ଯିବାକଥା ଟ୍ରଙ୍କ କଲରେ ଜଣାଇଦେଇଛି ।

 

ଆପଣ ମନେପକାଇଦେବା ପୂର୍ବରୁ ମୋର ଠିକ୍ ମନେଅଛି । ମୋ’ ବେଡ଼ିଙ୍ଗ୍ ପତ୍ର ଇତ୍ୟାଦି ମଧ୍ୟ ନରହରି ବାନ୍ଧି ଠିକ୍ କରିସାରିଛି । କିନ୍ତୁ ବାଲେଶ୍ଵର ଯିବାର କାରଣ ତ ମତେ ଏପର୍ଯ୍ୟନ୍ତ ଠିକ୍ ଭାବେ ଜଣାଇଲେ ନାହିଁ । ସୁବାଷ ବିନୀତ ଭାବେ ପଚାରିଲେ ।

 

ମାସୁକ୍‍ବାବୁଙ୍କର ଚାଲିଚଳନ ସନ୍ଦେହଜନକ, ତେଣୁ ତାଙ୍କୁ ଫଲୋ କରିବାହିଁ ତମର ଏକମାତ୍ର କାମ । ଏତକ ତମେ ନିଶ୍ଚିତ ଭାବେ ବୁଝିସାରିଥିବ । ଦେବାଶୀଷବାବୁ ଗମ୍ଭୀର ଭାବେ କହିଲେ ।

 

ମୁଁ ସେ କଥା ଯଥେଷ୍ଟ ଆଗରୁ ଅନୁମାନ କରିନେଇଛି । ମାସୁକ୍‍ବାବୁ ତ କାଲିଠାରୁ ଯାଇସାରିବେଣି । ମୋର ଆଜି ଯିବାଟା ଆଦୌ ଫଳପ୍ରଦ ମନେହେଉନି । ସୁବାଷବାବୁ କହିଲେ ।

 

ଆମକୁ ଯେଉଁଦିନ ସେ ଯିବ ବୋଲି କହିଲା, ସେଦିନ ସେ ମୋଟେ ଯିବନି ମୁଁ ଠିକ୍‍ଭାବେ ଧରିନେଇଥିଲି । କାରଣ ଯାହାର ମା’ ସିରିୟସ୍ ଏବଂ ସେଥିପାଇଁ ଟେଲିଗ୍ରାମ୍ ଆସିଛି–ଟେଲିଗ୍ରାମ୍ ପାଇ ତା’ର ସାଙ୍ଗେ ସାଙ୍ଗେ ଚାଲିଯିବା କଥା । ମାତ୍ର ଆମଠାରୁ ଅନୁମତି ପାଇସାରିବା ପରେ ବି ସେ ଯେତେବେଳେ ଦୁଇଦିନ ପରେ ଯିବ ବୋଲି କହିଲା, ମୋର ସନ୍ଦେହ ହେଲା । ମୁଁ କାହିଁକି ସନ୍ଦେହ କରୁଛି ସେ ଗୋଟାଏ ଫଲ୍ସ ଟେଲିଗ୍ରାମ୍ କାହା ହାତରେ କରେଇଛି ଏବଂ ଏଠୁ ଗଲେ ସେ ହୁଏତ ଆଉ ଫେରିନପାରେ । ଏଣୁ ତା’ ବସାଟା ବାଲେଶ୍ଵରରେ କେଉଁଠି ଓ ତା’ର ଚାଲିଚଳନକୁ ଭଲଭାବେ ଲକ୍ଷ୍ୟ କରିବାପାଇଁ ତୁମେ ଯିବ । ମୁଁ ଠିକ୍ ଖବର ରଖିଛି ଆଜି ଏକ୍ସପ୍ରେସରେ କଟକ ଛାଡ଼ୁଛି ଏବଂ ଏପର୍ଯ୍ୟନ୍ତ ସେ ଯାଇନାହିଁ । ଅଥଚ କାଲିଠାରୁ ସେ ହୋଟେଲ୍ ମାଲିକଙ୍କଠାରୁ ଛୁଟି ନେଇ ଚାଲିଆସିଲାଣି । ଦେବାଶୀଷବାବୁ କଥାଟାକୁ ସିରିୟସ୍ ଭାବେ ସୁବାଷ ବାବୁଙ୍କୁ ବୁଝାଇଥିଲେ ।

 

ସୁବାଷବାବୁ ଆଖିଦୁଇଟା ଆଶ୍ଚର୍ଯ୍ୟ ଭାବେ ବୁଲାଉ ବୁଲାଉ କହିଲେ, ତେବେ ସେ କଥା ପରେ ଜଣାପଡ଼ିପାରେ । ମାତ୍ର ଆଜି ସେ କଟକ ଛାଡ଼ିବା କଥା ନିଶ୍ଚିତ, ତା’ ପୁଣି ଏକ୍‍ସପ୍ରେସରେ-। ମୁଁ ଗୋଟାଏ ସିପାହୀକୁ ଛଦ୍ମବେଶରେ ତାକୁ ଫଲୋ କରିବାପାଇଁ ବ୍ୟବସ୍ଥା କରିଦେଇଛି-। ସେ ହୁଏତ ତମକୁ ଷ୍ଟେସନରେ ଭେଟିବ ।

 

ମାତ୍ର ଅଳ୍ପ ସମୟ ମଧ୍ୟରେ ବାଲେଶ୍ଵର ଯିବାପାଇଁ ପ୍ରସ୍ତୁତ ହେବାକୁ ସୁବାଷବାବୁ ଉଠିଗଲେ । ଭବିଷ୍ୟତ କାର୍ଯ୍ୟକ୍ରମର ଏକ ସୁଦୃଢ଼ ରୂପରେଖ ଯୋଜନା କରିବାରେ ଦେବାଶୀଷବାବୁ ଗଭୀର ଚିନ୍ତାମଗ୍ନ ହୋଇପଡ଼ିଲେ ।

 

–ଆଠ–

 

ଜନାକୀର୍ଣ୍ଣ କଟକ ରେଳଷ୍ଟେସନ ।

 

ଉଦ୍‍ଗ୍ରୀବ ଜନତା ।

 

ଏକ୍ସପ୍ରେସ୍ ପହଞ୍ଚିବାର ଶେଷ ଘଣ୍ଟି ବାଜିସାରିଲାଣି । ଯାତ୍ରୀମାନେ ନିଜ ନିଜ ସିଟ୍ ଧରିବାପାଇଁ ପ୍ରସ୍ତୁତ ହୋଇସାରିଲେଣି ।

 

ଜନଗହଳି ଠେଲି ନିଜର ବିହଙ୍ଗ ଦୃଷ୍ଟିନିକ୍ଷେପ କରି ରକ୍ତ ବସ୍ତ୍ର ପରିହିତ ଜଣେ ତୀର୍ଥଯାତ୍ରୀ ସନ୍ନ୍ୟାସୀ କୋଉଠି କେମିତି ହଜିଯାଉଛନ୍ତି । ପୁଣି ଦେଖାଯାଉଛନ୍ତି ପାଖରେ ଦୂରରେ, ସବୁଠାରେ । ନାତିଦୀର୍ଘ ପ୍ଳାଟଫର୍ମରେ ଏକ ଦୂରନ୍ତ ଘୁର୍ଣ୍ଣିବାୟୁ ପରି ସେ ଘୂରିବୁଲୁଛନ୍ତି ।

 

ସାଧାରଣ ପୋଷାକ ପରିହିତ ଜଣେ ପ୍ରୌଢ଼ ହଠାତ୍ ବୁକ୍‍ଟଲ୍ ନିକଟରେ ତାଙ୍କପାଖକୁ ଲାଗିଆସି ନିରବ ପ୍ରଣତୀ ବାଢ଼ିଲା । ସନ୍ନ୍ୟାସୀ ଜଣକ ସାମାନ୍ୟ ହସିଦେଇ ପରିଚୟ ମାଗିଲେ ।

 

ପ୍ରୌଢ଼ ଜଣକ ପକେଟରୁ ପିତଳ ପ୍ଳେଟଟିଏ କାଢ଼ି ଦେଖାଇଦେଇ କହିଲେ, ବର୍ତ୍ତମାନ ସୁଦ୍ଧା ସେ ପହଞ୍ଚିନାହାନ୍ତି । କିନ୍ତୁ ଆପଣ ଟିକେଟ୍ କରିସାରିଲେଣି ତ ?

 

ସନ୍ନ୍ୟାସୀ ମୁଣ୍ଡ ହଲାଇ ସମ୍ମତ୍ତି ଜଣାଇଲେ ଓ ଦ୍ରୁତଗତିରେ ଚାଲିବାକୁ ଆରମ୍ଭ କଲେ । ପ୍ରୌଢ଼ଜଣକ ବିପରୀତ ଦିଗକୁ ଗତିକଲେ ।

 

ବିକଟ ଚିତ୍କାରରେ ଶବ୍ଦାୟମାନ କରି ପୁରୀ ହାଓଡ଼ା ଏକ୍ସପ୍ରେସ୍ ନିଜର ଗଳଦ୍‍ଘର୍ମ କ୍ଲାନ୍ତ ଶରୀରଟାକୁ ପ୍ଲାଟଫର୍ମ ଚତ୍ଵରରେ ଠିଆ କରିଦେଲା ।

 

ଏକ୍ସପ୍ରେସ୍ ଖୁବ୍ ଜୋରରେ ନିଶ୍ଵାସ ମାରୁଥିଲା । ଜନଗହଳି ବେଶ୍ ମୁଖର ଥିଲା । ଅଧିକାଂଶ ଲୋକ ସେମାନଙ୍କର ସିଟରେ ବସିସାରିଲେଣି । ଦୂରଦୂରାନ୍ତର ଯାତ୍ରୀମାନେ ବିଛଣା ଧରିବାରେ ଉପକ୍ରମ କରୁଥିଲେ । ଯେଉଁ ମୃଷ୍ଟିମେୟ ଲୋକ କେତେଜଣ ପ୍ଲାଟଫର୍ମରେ ଏପଟସେପଟ ହେଉଥିଲେ ତାଙ୍କ ଭିତରେ ତୀର୍ଥଯାତ୍ରା ଉଦ୍ଦେଶ୍ୟରେ ବାହାରିଥିବା ସନ୍ନ୍ୟାସୀ ଜଣକ ଥିଲେ ଅନ୍ୟତମ । ଓଭରବ୍ରିଜର ଛାତ ତଳେ ସେ ନୀରବରେ ଛିଡ଼ାହୋଇ କାହାକୁ ଅପେକ୍ଷା କରୁଥିଲେ ।

 

ଗାଡ଼ି ଛାଡ଼ିବାର ଶେଷ ଘଣ୍ଟା ହୋଇଗଲାଣି । ସନ୍ନ୍ୟାସୀ ଜଣକ ବିବ୍ରତ ହୋଇପଡ଼ିଲେ-। ମନେମନେ ଭାବୁଥିଲେ ତାଙ୍କର ତୀର୍ଥଯାତ୍ରା ଆଜି ନିଷ୍ଫଳ ହୋଇଯିବକି ?

 

ଗାର୍ଡ଼ସାହେବଙ୍କ ପ୍ରକୋଷ୍ଠ କଡ଼ରେ ନୀଳାଲୋକ ଝୁଲୁଥିଲା । ପଛରେ କାହାର ଦ୍ରୁତ ପଦକ୍ଷେପରେ ଧ୍ୟାନ ଭାଙ୍ଗିଲା ସନ୍ନ୍ୟାସୀଙ୍କର । ତ୍ରସ୍ତ ଆଖିରେ ସେ ଚାହିଁଲେ । ଜଣେ ସ୍ଵାସ୍ଥ୍ୟବାନ ଯୁବକ ଖଣ୍ଡେ ଚମଡ଼ା ସୁଟକେଶ୍ ଧରି ଦ୍ରୁତ ପଦରେ ପ୍ରଥମ ଶ୍ରେଣୀ ଡବା ଆଡ଼କୁ ଚାଲିଛନ୍ତି ।

 

ପରିଚିତ ମୁଖ ଦେଖି ସନ୍ନ୍ୟାସୀଙ୍କର ମୁହଁରେ ହସର କେତୋଟି ବୋଳ ମଣ୍ଡି ହୋଇଗଲା । ସେ ଆଗନ୍ତୁକଙ୍କୁ ସାମାନ୍ୟ ଅନୁସରଣ କରି ପ୍ରଥମ ଶ୍ରେଣୀ କ୍ୟାମେରାକୁ ଲାଗିଥିବା ଗୋଟିଏ ତୃତୀୟ ଶ୍ରେଣୀ ଡବାରେ ଉଠିପଡ଼ିଲେ ।

ଗାଡ଼ି ଛାଡ଼ିଲା । କମ୍ପାର୍ଟମେଣ୍ଟ ଫାଟକ ପାଖରେ ସନ୍ନ୍ୟାସୀ ଜଣକ ଛିଡ଼ା ହୋଇଥାନ୍ତି ସେମିତି । ପ୍ଲାଟଫର୍ମରେ ପୂର୍ବୋକ୍ତ ପ୍ରୌଢ଼ ଜଣକ ସନ୍ନ୍ୟାସୀଙ୍କୁ ଡବାରେ ଚଢ଼ିଥିବା ଦେଖି ରୁମାଲ ହଲାଇ ବିଦାୟଦେଲା ।

ଏକ୍ସପ୍ରେସ୍ ଚାଲୁଥିଲା ପବନର ସୁଅ କାଟି ।

କେତେ ରାତି ହୋଇଥିଲା ଠିକ୍ କହିହେବନି । ସନ୍ନ୍ୟାସୀଙ୍କ ଆଖିରେ ପ୍ରବଳ ତନ୍ଦ୍ରା ଲାଗି ଆସିଥିଲା । ହଠାତ୍ ଜନକୋଳାହଳରେ ସନ୍ନ୍ୟାସୀଙ୍କର ତନ୍ଦ୍ରା ତୁଟିଲା । ବାହାରକୁ ଅନାଇ ଦେଖିଲେ ଗାଡ଼ି ଯାଯପୁର ରୋଡ଼୍ ଷ୍ଟେସନ୍ ଧରିଛି । ଯେହେତୁ ଏକ୍ସପ୍ରେସ୍ ସବୁ ଷ୍ଟେସନରେ ରହେନାହିଁ ତେଣୁ ଗାଡ଼ି ରହିବାରୁ ସାମାନ୍ୟ ଅବସର ବିନୋଦନ ପାଇଁ ଯାତ୍ରୀମାନେ ପ୍ଲାଟଫର୍ମରେ ଓହ୍ଲାଇ କେହି ଚା’, କେହି ଜଳଖିଆ ବା କେହି ସିଗାରେଟ୍ ପାନରେ ବ୍ୟସ୍ତ ଅଛନ୍ତି ।

କେଜାଣି କାହିଁକି ସନ୍ନ୍ୟାସୀ ଉଦ୍ଦେଶ୍ୟହୀନ ଭାବେ ଓହ୍ଲାଇ ପ୍ଲାଟଫର୍ମରେ ବୁଲିବାକୁ ଲାଗିଲେ । ହଠାତ୍ ପ୍ରଥମ ଶ୍ରେଣୀ କମ୍ପାଟମେଣ୍ଟ ନିକଟରେ ସେ କିଛିକ୍ଷଣ ସ୍ତବ୍ଧ ହୋଇ ଛିଡ଼ା ହୋଇଗଲେ ।

ନା, ତାଙ୍କର କମ୍ପାଟମେଣ୍ଟଟିକୁ ଚିହ୍ନିବାରେ କୌଣସି ଭୁଲ୍ ହୋଇନି । କଟକ ଷ୍ଟେସନରେ ଜଣେ ମୁସଲମାନ୍ ଯୁବକ ଠିକ୍ ଏଇ କମ୍ପାଟମେଣ୍ଟରେ ଉଠିଥିଲେ । କିନ୍ତୁ କମ୍ପାଟମେଣ୍ଟରେ କେହି ନାହାନ୍ତି ଯେ ? ସନ୍ନ୍ୟାସୀ ପ୍ରତ୍ୟେକ ପ୍ରଥମ ଶ୍ରେଣୀ କମ୍ପାଟମେଣ୍ଟଗୁଡ଼ିକୁ ଦେଖିବାକୁ ଲାଗିଲେ । ମାତ୍ର କୌଣସି କମ୍ପାଟମେଣ୍ଟରେ ସେଇ ପରିଚିତ ମୁହଁ ଆଉ ଦେଖିବାକୁ ମିଳିଲା ନାହିଁ । ତେବେ କ’ଣ ଆରୋହୀ ଜଣକ ଏଇଠି ଓହ୍ଲେଇଗଲେ ? କିନ୍ତୁ ତାଙ୍କର ଗନ୍ତବ୍ୟ ସ୍ଥାନ ଯେ ବାଲେଶ୍ଵର ଥିଲା । ସନ୍ନ୍ୟାସୀ ବଡ଼ ଅଡ଼ୁଆରେ ପଡ଼ିଗଲେ । ତେଣେ ଗାଡ଼ି ଛାଡ଼ିଦେବାର ଶେଷ ସଙ୍କେତ ଦିଆସରିଲାଣି । ସନ୍ନ୍ୟାସୀ ଜଣଙ୍କ ତାଙ୍କ କମ୍ପାଟମେଣ୍ଟ ଭିତରକୁ ଉଠିଯାଇ ନିଜର ବ୍ୟାଗ୍ ଖଣ୍ଡିକ ଧରି ପୁଣି ଓହ୍ଲେଇପଡ଼ିଲେ ।

କ’ଣ ଭାବି ଷ୍ଟେସନ୍ ଗେଟରେ ଟିକେଟ୍ କଲେକ୍ଟରଙ୍କୁ ତାଙ୍କର ଟିକେଟଟି ଦେଖାଇ ବାହାରକୁ ବାହାରିଆସିଲେ । କିଛି ସମୟ ଏପଟସେପଟ ଇତଃସ୍ତତ ଭାବେ ବୁଲୁ ବୁଲୁ କୌଣସି ଏକ ହୋଟେଲ୍ ସମ୍ମୁଖରେ ତାଙ୍କର ପୂର୍ବପରିଚିତ ବ୍ୟକ୍ତିଙ୍କୁ ଦେଖିପାରି ସନ୍ନ୍ୟାସୀ ଉଲ୍ଲସିତ ହୋଇଉଠିଲେ । ତାପରେ ସେ ଧୀରେ ଧୀରେ ହୋଟେଲ୍ ନିକଟକୁ ଅଗ୍ରସର ହେଲେ ।

ମାସୁକ୍‍ବାବୁ ହୋଟେଲ ବାରଣ୍ତାରେ ଟହଲୁ ଟହଲୁ ଜଣେ ପରିଚାରକକୁ ପଚାରିଲେ, ଟ୍ୟାକ୍ସି ଏପର୍ଯ୍ୟନ୍ତ ଆସିନାହିଁ ?

ଚାକରଟି ଉତ୍ତରଦେଲା, ନା ? କିନ୍ତୁ ରାତି ୯’ଟା ସୁଦ୍ଧା ଆସି ପହଞ୍ଚିବ ବୋଲି ଡ୍ରାଇଭର କହୁଥିଲା ।

ବର୍ତ୍ତମାନ ଯେ ଗୋଟାଏ ବାଜିବ । ମାସୁକ୍‍ବାବୁ ବଡ଼ ବିବ୍ରତ ହୋଇପଡ଼ିଲେ ।

 

ସନ୍ନ୍ୟାସୀ ପଚାରିଲେ, ରାତିଟା ଏଠି କଟେଇ ହେବ ବାବା !

 

ମାସୁକ୍ ବାବୁ ବିରକ୍ତରେ ଉତ୍ତରଦେଲେ, ତମକୁ କ’ଣ ମୁଷାଫିର୍ଖାନାରେ ସ୍ଥାନ ମିଳିଲାନି-?

ନା ବାବୁ, ସାଧୁଲୋକ । ତୀର୍ଥ ପର୍ଯ୍ୟଟନରେ ବାହାରିଛି । ରାତିଟା ଟିକିଏ ବିଶ୍ରାମ କରିନେଲେ ପୁଣି ସକାଳୁ ବାବୁ–ଭାୟାଙ୍କୁ ହାତପତାଇ ମାଗି ମାଗି କିଛି ଅର୍ଥ ସଂଗ୍ରହ କଲେ ଗାଡ଼ି ଧରିବି ।

ମାସୁକ୍ ବାବୁ ତାତ୍ସଲ୍ୟରେ କହିଲେ, ସୁବିଧା ବାଟ ଧରିଛ ବାବାଜୀ । ଟ୍ରେନରେ ବିନା ଟିକେଟରେ ଯିବ । ପଇସା ମାଗିମାଗି ତୀର୍ଥରୁ ଫେରିଲାବେଳକୁ ପାଆଁଶ ହଜାରେ ଧରି ମାତାଜୀଙ୍କ ପାଇଁ ଗହଣା କିଣି ଫେରିବ ।

ବାବାଜୀ କହିଲେ, ରାମ୍ ରାମ୍ ! ମୁଁ ଆଜନ୍ମ ବ୍ରହ୍ମଚାରୀ । ମୋର ପୁଣି ମାତାଜୀ କେଉଁଠୁ ଆସିବ ?

ମାସୁକ୍ ବାବୁ କହିଲେ, ହଉ ସେଇଠି ବସି ବସି ରାତିଟି କଟେଇଦିଅ । ସକାଳୁ ମାଇନ୍ସ ଏରିଆ ଆଡ଼େ ଚାଲିଯିବ । ବଡ଼ ବଡ଼ ବାବୁ ଠିକାଦାରମାନେ ଅଛନ୍ତି, ପକେଟ୍ ଗରମ ହୋଇଯିବ ।

ସନ୍ନ୍ୟାସୀ କହିଲେ, ଆପଣ କ’ଣ ସେଇଠିକି ଯିବ ବାବା ? ଟିକିଏ ଦୟାକଲେ ଉପକୃତ ହୁଅନ୍ତି । ଆପଣଙ୍କର ତ ନିଜର ଗାଡ଼ି ଥିବ ? ମାଇନ୍ସ ଏରିଆରେ ଠିକାଦାରି କରନ୍ତି ବୋଧେ !

ଆରେ ବାବା ନା । ମୁଁ ଠିକାଦାରି କରେନା । ମୋର ଜଣେ ଠିକାଦାର ବନ୍ଧୁଙ୍କ ନିକଟକୁ ଯିବି । ମୋର ତ ନିଜର ଗାଡ଼ି ନାହିଁ, ହେଲେ ବନ୍ଧୁଙ୍କର ଗାଡ଼ି ଅଛି । ରାତି ନଅଟାରେ ପହଞ୍ଚି ମତେ ନେବା କଥା, ମାତ୍ର ବର୍ତ୍ତମାନ ଗୋଟାଏ ବାଜି ସାରିଲାଣି ।

ଡ୍ରାଇଭର୍ ଦାୟିତ୍ଵହୀନ ନିଶ୍ଚୟ, କିମ୍ଵା ବାଟରେ କେଉଁଠି ଧକ୍କା କରିଥିବ । ସନ୍ନ୍ୟାସୀ ଉତ୍ତର ଦେଲେ ।

ମାସୁକ୍‍ବାବୁ ଚମକିପଡ଼ିଲେ । ଧକ୍କା । ପୁଣି ନିଜର ମନୋଭାବକୁ ବଦଳାଇ ପଚାରିଲେ, ଦେଖି ବାବା ଗୋଟିଏ ପ୍ରଶ୍ନ କଲ, ମୁଁ ଯେଉଁ ସ୍ଥାନକୁ ଯାଉଛି ସୁବିଧାରେ ପହଞ୍ଚିଯାଇ ପାରିବି ତ ?

ସନ୍ନ୍ୟାସୀ ସତକୁସତ ଏଥର ଅଡ଼ୁଆରେ ପଡ଼ିଗଲେ । ତାଙ୍କୁ ତ ପ୍ରଶ୍ନକରି ଆସେ ନାହିଁ । ତଥାପି ଆତ୍ମପ୍ରବଞ୍ଚନା କରି ସାମାନ୍ୟ ଚକ୍ଷୁ ମୁଦ୍ରିତ କରି କହିଲେ, ନା ବାବା, ସବୁ ମଙ୍ଗଳ, କୌଣସି ଅସୁବିଧା ହେବ ନାହିଁ । ତମ ମୁଣ୍ଡର ରେଖାରୁ ମୁଁ ଜାଣିପାରିଛି ତମେ ଭାଗ୍ୟବାନ ଲୋକ । ଯେଉଁ କାମରେ ହାତଦେବ ସଫଳତା ନିଶ୍ଚୟ ହାସଲ କରିବ ।

ମାସୁକ୍‍ବାବୁ ଅନେକାଂଶରେ ଆଶ୍ୱସ୍ତ ହେଲେ । ସନ୍ନ୍ୟାସୀଙ୍କୁ କହିଲେ– ମୋର ଯଦି ଠିକ୍ ସମୟରେ ଗାଡ଼ି ଆସି ପହଞ୍ଚିବ ମୁଁ ତୁମକୁ ନିଶ୍ଚୟ ମାଇନ୍ସ ଏରିଆ ପାଖରେ ଛାଡ଼ିଦେବି । ଆଗକୁ ଆଉ ୬-୭ ମାଇଲ୍ ଗଲେ ତମେ ଟାଉନସିପରେ ପହଞ୍ଚିଯିବ । କିନ୍ତୁ ମୋ ବନ୍ଧୁଙ୍କ ବସାଟା ପଛରେ ରହିଯାଉଥିବାରୁ ମୁଁ ତମକୁ ଅଧାବାଟରେ ଓହ୍ଲାଇଦେବି ।

ସନ୍ନ୍ୟାସୀ କୃତଜ୍ଞତା ଜଣାଇ କହିଲେ, ତମର ମଙ୍ଗଳ ହେବ ବାବା ! ଏହି ପରୋପକାରୀ ଗୁଣ ତମର ଅଛି ବୋଲି ତମ କପାଳରେଖାରୁ ମୁଁ ଜାଣିନେଇଛି ।

 

ଭିତରକୁ ପଶି ଯାଉ ଯାଉ ମାସୁକ୍‍ବାବୁ କହିଲେ– ମୁଁ ନିଶ୍ଚିତଭାବେ କହିପାରେ ତମେ ସେଠିକୁ ଗଲେ ନିଶ୍ଚୟ ଦୁଇ ପଇସା କମେଇପାରିବ ।

 

ଚାକର ଟୋକାଟା ଖୁବ୍ ଜୋରରେ ଘୁଙ୍ଗୁଡ଼ି ମାରୁଥିଲା । ନିଜପାଇଁ ସ୍ଥାନ କରିନେଇ ସନ୍ନ୍ୟାସୀ ଶୋଇବାର ଛଳନା କଲେ ।

 

ଛଳନା କରୁ କରୁ ସନ୍ନ୍ୟାସୀ ସତରେ ନିଦ୍ରାଭିଭୂତ ହୋଇପଡ଼ିଲେ । ମାସୁକ୍‍ବାବୁ ଯଦି ତାଙ୍କୁ ଉଠାଇନଥାନ୍ତେ, ହୁଏତ ଦିନର ସୂର୍ଯ୍ୟାଲୋକ ପଡ଼ିବା ପର୍ଯ୍ୟନ୍ତ ସେ ଶୋଇ ରହି କ୍ଳାନ୍ତି ଦୂର କରିଥାନ୍ତେ ।

 

ସନ୍ନ୍ୟାସୀ ସହସା ଉଠିବସିଲେ । ତନ୍ଦ୍ରାସିକ୍ତ ଆଖିରେ ଅନେକ ଦେଖିଲେ ସାମନାରେ ତାଙ୍କର ସେଇ ଯୁବକ ଜଣକ ତାଙ୍କୁ କହୁଛନ୍ତି, ଯାହାହେଉ, ନାନା ଅସୁବିଧା ଭିତରେ ବନ୍ଧୁ ମୋର ଗାଡ଼ିପଠାଇ ଦେଇଛନ୍ତି । ତମର ଯିବାକଥା ପରା ବାବା, ଉଠନ୍ତୁ ।

 

ନିଜର ନଗଣ୍ୟ ଆସନ ଖଣ୍ଡକ ଉଠାଇ ବ୍ୟାଗରେ ପୂରାଉ ପୂରାଉ ସନ୍ନ୍ୟାସୀ କହିଲେ, ତମଭଳି ଦୟାଳୁ ବ୍ୟକ୍ତି ମୁଁ ଖୁବ୍ କମ ଦେଖିଛି । ଭଗବାନ ତମର ନିଶ୍ଚୟ ମଙ୍ଗଳ କରିବେ ।

 

ଜିପ୍ ଡ୍ରାଇଭର ହେବ ବୋଧହୁଏ । ସାମାନ୍ୟ ଦୂରରେ ଠିଆହୋଇ ସନ୍ଦିଗ୍ଧ ଆଖିରେ ସନ୍ନ୍ୟାସୀଙ୍କୁ ନିରୀକ୍ଷଣ କରୁଥିଲା । ସନ୍ନ୍ୟାସୀଙ୍କ ସହିତ ଚାରିଚକ୍ଷୁ ମିଶିଲା କ୍ଷଣି ସନ୍ନ୍ୟାସୀ ଚମକିଉଠିଲେ । ଏ ଲୋକଟିକୁ ସେ କେଉଁଠି ଦେଖିଛନ୍ତି ।

 

କେଉଁଠି ?

 

ବହୁ ଭାବିଚିନ୍ତି ମନେପକାଇଲେ, ହୋଟେଲ ଗ୍ରୀନ୍‍ଲ୍ୟାଣ୍ଡର କୌଣସି ଏକ ନିଭୃତ କକ୍ଷରେ ତାକୁ ଦେଖିଥିଲା ପରି ମନେପଡୁ଼ଥିଲା ।

 

ସନ୍ନ୍ୟାସୀ ଜିପ୍‍ର ପଛରେ ବସି ରହିଥିଲେ । ସନ୍ନ୍ୟାସୀଙ୍କ ପାଦ ପାଖରେ ଦୁଇଟି ବଡ଼ ଟ୍ରଙ୍କ୍ ଥିବାରୁ ସେ ଟିକିଏ ଜାକିଜୁକି ହୋଇ ଅସୁବିଧାରେ ବସିବାକୁ ବାଧ୍ୟହେଲେ । ମାତ୍ର ନିଜର ବ୍ୟାଗ୍‍ଟିକୁ ଅତି ଯତ୍ନରେ ଧରିଥାନ୍ତି ସନ୍ନ୍ୟାସୀ ।

 

ତାଙ୍କର ଯେମିତି ମନେହେଉଥିଲା, ନିଆଁ ସାଙ୍ଗରେ ସେ ଖେଳିବାକୁ ଆରମ୍ଭ କରିଛନ୍ତି । ଶତ୍ରୁ ସହିତ ଏକ ଗାଡ଼ିରେ ଯାତ୍ରା କରିବା ତାଙ୍କ ଜୀବନରେ ଏଇ ମାତ୍ର ପ୍ରଥମ ।

 

ଜିପ୍ ଚାଲିଥାଏ । ଜିପ୍‍ର ବେଗ୍ ଅତି ଅସମ୍ଭବ ଭାବେ ବଢ଼ିଯାଇଥାଏ । ସନ୍ନ୍ୟାସୀ ଚତୁଃପାର୍ଶ୍ଵକୁ ଦୃଷ୍ଟି ନିକ୍ଷେପ କରୁଥାନ୍ତି । ମାତ୍ର କେତେକ ସ୍ଥାନରେ କାଁ ଭାଁ ଜନବସତିକୁ ଛାଡ଼ିଦେଲେ ବାଟସାରା କେବଳ ପାହାଡ଼ ଜଙ୍ଗଲରେ ପରିପୂର୍ଣ୍ଣ ।

 

ପୂର୍ଣ୍ଣଗର୍ଭା ରାତ୍ରୀର ବୁକୁ ଫଟାଇ ନିକଟସ୍ଥ ଅରଣ୍ୟରୁ ବନ୍ୟଜନ୍ତୁଙ୍କର ବିକଟ ଚିତ୍କାର ଭାଷିଆସୁଥାଏ । ଶେଷ ରାତ୍ରୀର ନିର୍ଜନ ନିଃସଙ୍ଗ ଜନପଥ ଉପରେ ଜିପ୍ ଛୁଟୁଥିଲା ।

 

ରାତି ପାହିଆସୁଛି । ହଠାତ୍ ଗାଡ଼ିର ବେଗ କମିଗଲା । ଚାଳକ ଗାଡ଼ି ଅଟକେଇଲା । ଆଗରେ ଏକ କ୍ଷୁଦ୍ର କାଠ କ୍ୟାବିନ୍ ରାସ୍ତା କଡ଼ରେ ପଡ଼ିଛି । କୌଣସି ଗାଁ ହେବ ବୋଧହୁଏ । ମାସୁକ୍ ବାବୁ କହିଲେ, ତମେ ଏଇଠି ଓହ୍ଲେଇପଡ଼ ବାବାଜୀ ! ଏଠାରୁ ସାତ ମାଇଲ୍ ଏଇ ପାହାଡ଼ ଉପରେ ଗଲେ ଟାଉନ୍ ସିପ୍‍ରେ ପହଞ୍ଚିଯିବ । ମାଇନ୍‍ସର ଗାଡ଼ି ଆସୁଥିଲେ କିମ୍ବା କାଠ ଟ୍ରକ୍ ଯିବାଆସିବା କରୁଥିବାବେଳେ ଡ୍ରାଇଭରକୁ କୁହାପୋଛା କରି ସେଥିରେ ଚାଲିଯିବ ।

 

ସନ୍ନ୍ୟାସୀ ମୁଣ୍ଡ ହଲାଇ ସମ୍ମତ୍ତି ଜଣାଇଲେ । ସନ୍ନ୍ୟାସୀଙ୍କୁ ସେଇ କ୍ୟାବିନ୍ ପାଖରେ ଓହ୍ଲାଇଦେଇ ମୁଖ୍ୟ ଜନପଥଠାରୁ ଏକ ଜଙ୍ଗଲୀ ରାସ୍ତାରେ ଗାଡ଼ି ମୋଡ଼ଭାଙ୍ଗି ଆଗେଇଲା ।

 

ସନ୍ନ୍ୟାସୀ ନିର୍ଣ୍ଣିମେଷ ଆଖିରେ ଅନେଇ ରହିଥିଲେ ଗାଡ଼ିର ଗତିକୁ । ଗାଡ଼ିର ନମ୍ବରଟିକୁ ମନେରଖିବାକୁ ଚେଷ୍ଟା କରୁଥିଲେ ସନ୍ନ୍ୟାସୀ ଜଣକ । W. B. G. 11341

 

ପୂର୍ଣ୍ଣ ସକାଳ ହେବାପର୍ଯ୍ୟନ୍ତ ସନ୍ନ୍ୟାସୀ କାଠକ୍ୟାବିନ୍ ସାମନାରେ ପଡ଼ିଥିବା ପଟା ଉପରେ ବସି ରହିଲେ ।

 

–ନଅ–

 

ଏକୁଟିଆ ବସି ବସି ସେଦିନ ଦେବାଶୀଷବାବୁଙ୍କୁ ବଡ଼ ବିରକ୍ତିକର ବୋଧ ହେଉଥିଲା । ସୁବାଷଠାରୁ ଅବଧି କୌଣସି ଖବର ମିଳିନାହିଁ । ଏଭଳି ନିଃସଙ୍ଗ ମୁହୂର୍ତ୍ତକୁ ଆଉ ରହସ୍ୟ ରୋମାଞ୍ଚର ଗଦାଗଦା ଫାଇଲ ଭିତରେ ବୁଡ଼ାଇ ରଖିବାକୁ ଚାହୁଁନଥିଲେ ସେ ।

 

ସୁମୀତା କଥା ମନେପଡ଼ିଲା ଦେବାଶୀଷବାବୁଙ୍କର । ସେଇ ଯେ ମେଡ଼ିକାଲରେ ଦେଖାହୋଇଥିଲା ସେଦିନ, ସେତିକି । ଇୟା ଭିତରେ ଅନେକଦିନ ଅତିବାହିତ ହୋଇଥିଲେ ମଧ୍ୟ ସୁମୀତା ସାଙ୍ଗରେ ଆଳାପ ଆଲୋଚନା ହେବାର ସୁଯୋଗ ଘଟିନଥିଲା । କିନ୍ତୁ ହଠାତ୍ ଗତକାଲି ନାରୀସେବା ସଦନରେ ଆୟୋଜିତ ଏକ ଫଙ୍କସନରେ ପୁଣି ଦେଖାହେଲା ସୁମୀତା ସାଙ୍ଗରେ ।

 

ବିଦେଶିନୀ ହେଲେ ବି ସୁମୀତା ୟା’ ଭିତରେ ଏତେ ଲୋକପ୍ରିୟ ହୋଇଉଠିଛି ସେକଥା ଗତକାଲି ଜାଣିପାରିଥିଲେ ଦେବାଶୀଷବାବୁ ।

 

ଫଙ୍କସନ ଶେଷରେ ଘରକୁ ଫେରିବା ସମୟରେ ସୁମୀତା ନିଜେ ଆସି ଦେବାଶୀଷବାବୁଙ୍କୁ ପ୍ରଣତି ଜଣାଇ ଅଭିଯୋଗ କରିଥିଲା, ଏତେଦିନ ଭିତରେ ଥରେ ତା’ ଦୁଆରେ ପାଦ ପଡ଼ିପାରିଲା ନାହିଁ ।

 

ଦେବାଶୀଷବାବୁ ସାମାନ୍ୟ ଦବିଯାଇଥିଲେ ସୁମୀତାର ଅନୁଯୋଗରେ । କଥାର ଗତି ବଦଳାଇବାକୁ ଯାଇ ଦେବାଶୀଷବାବୁ ପଚାରିଲେ– ତମେ ସେଇଦିନଠାରୁ ଆଉ କେବେ ସେଇ ବିଶାଳ ନଖ ଦନ୍ତ ସମ୍ପନ୍ନ ଭୟାବହ ମୂର୍ତ୍ତିର ଆକ୍ରମଣର ସମ୍ମୁଖୀନ ହୋଇନାହଁ ସୁମୀତା ?

 

ସୁମୀତା ଦେବାଶୀଷବାବୁଙ୍କର ଏଭଳି ଅଚାନକ ପ୍ରଶ୍ନବାଣରେ ଚମକିଉଠିଥିଲା । ଏକ କୃଷ୍ଣକାୟ ସବଳ ମୂର୍ତ୍ତି ସୁମୀତା ନିକଟରେ ଛିଡ଼ାହୋଇ ଡବ୍ ଡବ୍ ଆଖିରେ ଦେବାଶୀଷ ବାବୁଙ୍କୁ ଚାହିଁ ରହିଥିଲା ।

 

ସୁମୀତା ପରିଚୟ କରେଇଦେଇ କହିଲା, ଏ ମୋର ମାଉସୀପୁଅ ଭାଇ । ପ୍ରେସିଡ଼େନ୍ସି କଲେଜରୁ ଯୋଗ୍ୟତାର ସହିତ ବି.ଏ. ପାଶ୍ କରିଛନ୍ତି । ଏଇ ଅଳ୍ପଦିନ ହେବ ଓଡ଼ିଶା ବୁଲି ଆସିଛନ୍ତି-

 

ଆଉ !

 

ଆଉ ଇଏ ଭାରତ ବିଖ୍ୟାତ ଗୋଇନ୍ଦା ମି. ଦେବାଶୀଷ ଚୌଧୁରୀ ।

 

ସେଇ କୃଷ୍ଣକାୟ ବ୍ୟକ୍ତି ସଙ୍ଗରେ ଦେବାଶୀଷବାବୁଙ୍କର ନମସ୍କାର ବିନିମୟ ହେଲା । ଭଦ୍ରଲୋକ ଯେତେବେଳେ ଦୁଇ ହାତ ଯୋଡ଼ି ଦେବାଶୀଷବାବୁଙ୍କୁ ନମସ୍କାର ଜଣାଇଲେ, ଦେବାଶୀଷବାବୁ ହଠାତ୍ ଅବାକ୍ ହୋଇ ଚାହିଁ ରହିଲେ ତାଙ୍କ ହାତକୁ ।

 

କିଏ ଇଏ ?

 

ଇଏ କ’ଣ ତେବେ...ସେଇ ?

 

ଦେବାଶୀଷବାବୁଙ୍କୁ ହଠାତ୍ ସ୍ତମ୍ଭିତ ହୋଇଯିବାର ଦେଖି ସୁମୀତା ବିଚଳିତ ହୋଇପଡ଼ିଥିଲା । ରାଜେଶକୁ ଲକ୍ଷ୍ୟକରି କାନ୍ଦିଲା, ତମେ ଯାଅ ତ ଭାଇ, ରେକ୍ସା ଗୋଟିଏ ଡାକ । ବର୍ତ୍ତମାନ ଯେ ରାତି ଦଶଟାରୁ ଅଧିକ ହେଲାଣି ।

 

ରାଜେଶ ସୁମୀତାର ନିର୍ଦ୍ଦେଶର ଅର୍ଥ ବୁଝିପାରି ସେଠାରୁ ଚାଲିଆସିଲା ।

 

ଦେବାଶୀଷବାବୁ ହଠାତ୍ ପଚାରିଦେଲେ, ଏଇ ଯେ ଆପଣଙ୍କର ମାଉସୀପୁଅ ଭାଇବୋଲି କହିଲେ, ସେ ଭଦ୍ରଲୋକ ବୋଧହୁଏ ଏଠାକୁ ଦୁଇମାସରୁ ଅଧିକ ହେବ ଆସିଲେଣି । କାରଣ ତାଙ୍କ ସହିତ ହୋଟେଲ ଗ୍ରୀନ୍‍ଲ୍ୟାଣ୍ଡରେ ମୋର ଏକାଧିକଥର ସାକ୍ଷାତ ହୋଇଛି । ହୁଏତ ପରିଚୟ ବର୍ତ୍ତମାନ ହେଲା ।

 

ବୁଦ୍ଧିମତୀ ସୁମୀତା ଦେବାଶୀଷବାବୁଙ୍କର ପ୍ରଶ୍ନର ଉଦ୍ଦେଶ୍ୟଟା ଚଟ୍‍କରି ଧରିନେଇ କହିଲା, ଆଶ୍ଚର୍ଯ୍ୟ, ସେ ତ ମାତ୍ର ଦେଢ଼ସପ୍ତାହ ହେବ ଆସିଛନ୍ତି, ତାଛଡ଼ା ସେ ତ ଏତେ ଲାଜକୁଳା ଯେ ବାଧ୍ୟକଲେ ମଧ୍ୟ ସେ ଏକୁଟିଆ ବାହାରକୁ ବାହାରନ୍ତି ନାହିଁ । ଦେବାଶୀଷବାବୁ ଅଜ୍ଞଭଳି ପ୍ରଶ୍ନକଲେ, ତାଙ୍କର ଡାହାଣ ହାତର ବିଶିଆଙ୍ଗୁଠିଟି ଜନ୍ମରୁ ନାହିଁ ନା କୌଣସି ଦୁର୍ଘଟଣାରେ କଟିଯାଇଛି ?

 

ସୁମୀତା ଭିତରେ ଭିତରେ ଯଥେଷ୍ଟ ବିଚଳିତ ହୋଇପଡ଼ିଥିଲା । ନାରୀ ସୁଲଭ ଦୁର୍ବଳତାକୁ ଏଡ଼େଇ ଦେବାକୁ ଯାଇ କହିଲା, ନା ପୂର୍ବରୁ ଥିଲା । ମାତ୍ର କେତେବର୍ଷ ତଳେ ଏକ ଦାରୁଣ ଆକ୍ସିଡ଼େଣ୍ଟର ସମ୍ମୁଖୀନ ହୋଇ ବିଚରା ଆଙ୍ଗୁଠିଟି ହରାଇଛନ୍ତି ।

 

I see ! ଉଚ୍ଚାରଣ କଲେ ଦେବାଶୀଷବାବୁ । ମନଭିତରେ ତାଙ୍କର ସନ୍ଦେହ କୁହେଳୀ ଜମାଟ ବାନ୍ଧିଥିଲେ ମଧ୍ୟ ସେ କଥାଟା ଉପରେ କୌଣସି ଗୁରୁତ୍ଵ ନ ଦେଲା ଭଳି ବ୍ୟବହାର କଲେ ।

 

ସୁମୀତାର ରେକ୍ସା ଆସିସାରିଥିଲା । ସେ ବିଦାୟନେଇ ରେକ୍ସାରେ ବସିବା ପୂର୍ବରୁ ପୁଣି ଥରେ ଦେବାଶୀଷବାବୁଙ୍କୁ ଅନୁରୋଧ କଲା ତା’ ବସାଆଡ଼େ ଯିବାପାଇଁ ।

 

ରେକ୍ସା ଧୀରେ ଧୀରେ ସର୍ପୀଳ ଗତିରେ ଜନଗହଳି ଭିତରେ ଅଦୃଶ୍ୟ ହେଉଥିଲା । ନିର୍ନିମେଷ ନେତ୍ରରେ ଚାହିଁ ରହିଥିଲେ ଦେବାଶୀଷବାବୁ ଏଇ ରହସ୍ୟମୟୀ ତରୁଣୀଟିର ଉଡ଼ନ୍ତ ଅଞ୍ଚଳକୁ । ସେଦିନ ସେଇ ନିର୍ଜନ ଅପରାହ୍ନରେ ହଠାତ୍ ସୁମୀତା ବସାଆଡ଼େ ଘେରାଏ ବୁଲିଯିବା ପାଇଁ ଦେବାଶୀଷବାବୁ ମନ କଲେ ।

 

ନିଜ ଅଫିସ୍ ଘର ବାହାରେ ଚାବି ପକାଉ ପକାଉ ନରହରିକୁ ଡାକି କହିଲେ, ମତେ ଯେବେ କେହି ଖୋଜେ ମୁଁ ପୋଲିସ ସାହେବଙ୍କ କୋଠିକୁ ଯାଇଛି ବୋଲି କହିଦେବୁ । ବାହାରୁ ଆସୁ ଆସୁ ହୁଏତ ମୋର ଡେରି ହୋଇପାରେ ।

 

ଦେବାଶୀଷବାବୁ ନିଜର ମଟର ବାଇକରେ ଷ୍ଟାର୍ଟ ଦେଲେ ।

 

ସୁମୀତା ବସାକୁ ଯିବାବେଳେ ଦେବାଶୀଷବାବୁ କିଛିକ୍ଷଣ ପାଇଁ ଟାଉନ୍ ଥାନାରେ ରହି ଶୁଭେନ୍ଦ୍ରବାବୁଙ୍କ ସଙ୍ଗରେ କ’ଣ ଗୁପ୍ତ ଆଲୋଚନା କରି ତାଙ୍କୁ ମଧ୍ୟ ସାଙ୍ଗରେ ଯିବାପାଇଁ ପ୍ରସ୍ତାବ ବାଢ଼ିଲେ ।

 

ଶୁଭେନ୍ଦ୍ରବାବୁ ଦେବାଶୀଷବାବୁଙ୍କର ଏ ପ୍ରସ୍ତାବକୁ ଆଗ୍ରହ ସହକାରେ ଗ୍ରହଣ କରି ଅଳ୍ପ ସମୟ ମଧ୍ୟରେ ବାହାରିପଡ଼ିଲେ । ବାଟରେ ଦୁଇ ବନ୍ଧୁ ଗଲାବେଳେ ଶୁଭେନ୍ଦ୍ରବାବୁ କହିଲେ, ପାରାଡ଼ାଇଜ୍ ହୋଟେଲରେ ସେହିଦିନ ଘଟିଥିବା ଘଟଣାଗୁଡ଼ିକ ସମ୍ପର୍କରେ ଆପଣଙ୍କଠାରୁ ସବୁ ଶୁଣିଲା ପରେ, ମୁଁ ଜଣେ ଏ.ଏସ୍.ଆଇ.ଙ୍କୁ ସୁମୀତା ଦେବୀଙ୍କ ଘରଉପରେ କଡ଼ା ନଜର ରଖିବାପାଇଁ ମୁତୟନ କରିଦେଇଛି । ସବ୍ଇନ୍ସପେକ୍ଟରଙ୍କୁ ମଧ୍ୟ ତାଙ୍କ ଗତିବିଧି ପ୍ରତି କଡ଼ା ଦୃଷ୍ଟି ଦେବାପାଇଁ କହିଥିଲି ।

 

ଦେବାଶୀଷବାବୁ ଶୁଭେନ୍ଦ୍ରବାବୁଙ୍କର ବୁଦ୍ଧିକୁ ତାରିଫ୍ କରି କହିଲେ, ଏତକ କରିବାପାଇଁ ଆପଣଙ୍କୁ କହିବାକୁ ମୁଁ ଭୁଲିଯାଇଥିଲି । ଯାହାହେଉ ଆଉ ଅଧିକା କିଛି ଖବର ସଂଗ୍ରହ କରିଛନ୍ତି ?

 

ଶୁଭେନ୍ଦ୍ରବାବୁ କହିଲେ, ଯେତେଗୁଡ଼ିଏ ଖବର ମିଳିଛି ତା’ ମଧ୍ୟରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ । ପ୍ରଥମଟି ହେଲା ଜଣେ ଅଜ୍ଞାତ ବ୍ୟକ୍ତି ସୁମୀତା ଦେବୀଙ୍କର ଭାଇ ବୋଲି ପରିଚୟ ଦେଇ ତାଙ୍କ ସାଙ୍ଗରେ ନିଜେ ରହୁଛନ୍ତି ଏବଂ ଏଠାରେ ସେ ରହିବା ଦୁଇମାସରୁ ଅଧିକ ହେବ । ତାଙ୍କ ଗତିବିଧି ସନ୍ଦେହଜନକ ବୋଲି ଏ.ଏସ.ଆଇ. ଜଣକ ମତବ୍ୟକ୍ତ କରିଛନ୍ତି । ଦ୍ଵିତୀୟ ଘଟଣାଟି ହେଲା, ତୁଳସୀପୁର ଏରିଆରେ ପାଟ୍ରୋଲ ଡିଉଟିରେ ଯାଉଥିବା କନେଷ୍ଟବଳ କହୁଛି ଯେ ସୁମୀତା ଦେବୀଙ୍କ କୋଠା ଉପରେ ଦିନେ ଦିନେ ଏକ ପୀତବର୍ଣ୍ଣର ଆଲୋକ ହଠାତ୍ ଅର୍ଦ୍ଧ–ରାତ୍ରିରେ ଜଳିଉଠେ ଏବଂ ତା’ ସଙ୍ଗେ ସଙ୍ଗେ ମହାନଦୀର ଅପର ପାର୍ଶ୍ଵରୁ ଏକ ନୀଳବର୍ଣ୍ଣର ଆଲୋକ ଜଳିଉଠି ପୁଣି ଲିଭିଯାଏ ।

 

ଏହି ଘଟଣାରୁ ମୁଁ ସ୍ପଷ୍ଟ ଅନୁମାନ କରୁଛି ଏ ଏକ ରହସ୍ୟମୟ ବ୍ୟାପାର । ହୁଏତ ନିର୍ଜନ ରଜନୀରେ ଆଲୋକର ସଙ୍କେତ ଦେଇ କୌଣସି ଦୁର୍ବୃତ୍ତ ଦଳ ଏଠାକୁ ଯିବା ଆସିବା କରୁଛନ୍ତି । ହୁଏତ କେତେଦିନ ଧରି ଏ ସହରରେ ଯେଉଁସବୁ ଅସାମାଜିକ କାଣ୍ଡମାନ ଘଟିଯାଇଛି ୟା’ପଛରେ ସେମାନଙ୍କର ନିଶ୍ଚୟ ହାତ ଅଛି ଏବଂ ଏହି ଦଳ ସହିତ ସୁମୀତା ଦେବୀଙ୍କର ହେଉ କିମ୍ବା ତାଙ୍କର ତଥାକଥିତ ଭାଇଙ୍କର ହେଉ ସମ୍ପର୍କ ରହିଛି । ଏସବୁ ଶୁଣିସାରିଲା ପରେ ସୁମିତାଦେବୀ ଓ ତାଙ୍କ ଭାଇଙ୍କୁ ଗିରଫ କରିନେବା ପାଇଁ ମୁଁ ଅନେକ ସମୟରେ ଦୃଢ଼ ନିଷ୍ପତ୍ତି ନେଇସାରିଥିଲେ ମଧ୍ୟ ଯେହେତୁ କେଶ୍‍ଟା ଆପଣଙ୍କ ଦାୟିତ୍ୱରେ ଅଛି, ଅନ୍ତତଃ ଆପଣଙ୍କ ମତନେଇ....

ଦେବାଶୀଷବାବୁ କଥା ମଝିରେ କହିଉଠିଲେ, ଏଭଳି କାମ ନକରି ଆପଣ ବୁଦ୍ଧିମାନର ପରିଚୟ ଦେଇଛନ୍ତି । ଏସବୁ ଘଟଣାରେ ଯାହାକୁ ନାହିଁ ତାଙ୍କୁ ଗିରଫ କରିପକାଇଲେ ପ୍ରକୃତ ଦୋଷୀ ଲୋକଲୋଚନର ଅନ୍ତରାଳରେ ରହିଯାଏ ।

ମଟରବାଇକ୍ ହୁଏତ କିଛି ଦୂର ଆଗେଇ ଯାଇଥାଆନ୍ତା, ଯଦି ହଠାତ୍ ସାରଦା କଳା ନିକେତନର ଫଳକଟି ସୁମୀତା ଦେବୀଙ୍କ କୋଠାଛାତ ଉପରେ ଝୁଲିନଥାନ୍ତା ।

ଦେବାଶୀଷବାବୁ ବାଇକର ଷ୍ଟାର୍ଟ ବନ୍ଦକଲେ । ସୁମୀତା ଝରକା ଖୋଲି ବାହାରକୁ ଚାହିଁ ଅପ୍ରତିଭ ହୋଇପଡ଼ିଲା । ମାତ୍ର ଭଦ୍ରତା ଖାତିରିରେ ପାଟିକରିଉଠିଲା, ପରମ ସୌଭାଗ୍ୟ ମୋର ! ବହୁଦିନପରେ ଆପଣମାନେ ସୁମୀତାକୁ ମନେପକାଇ ତା’ ଦୁଆରେ ପାଦ ପକାଇଛନ୍ତି ।

ସୁମୀତା କବାଟ ଖୋଲି ଦାଣ୍ଡ ବାରଣ୍ଡାକୁ ଆସିସାରିଥିଲା । ଦେବାଶୀଷବାବୁ ଓ ଶୁଭେନ୍ଦ୍ରବାବୁ ସୁମୀତାର ବିନମ୍ର ନମସ୍କାର ଗ୍ରହଣକରି ଶୁଭେଚ୍ଛା ଜଣାଇଲେ ।

ସୁମିତ୍ରାର ଡ୍ରଇଂ ରୁମରେ ଜଣେ ବୟସ୍କା ପରିଚାରିକା ଟେବୁଲ ଉପରେ ଚା’ ଟ୍ରେ ଆଣି ରଖିଲା । ଦେବାଶୀଷବାବୁ ଓ ଶୁଭେନ୍ଦ୍ରବାବୁଙ୍କ ସମ୍ମୁଖରେ ଏକ ବିଜୟିନୀ ବାରାଙ୍ଗନାପରି ବସି ନିର୍ବିକାର ଭାବରେ ସୁମୀତା ଚା’ ପରିବେଷଣ କରୁଥିଲା । କପ୍‍ରୁ ଶେଷ ଢୋକ ଚା’ ପିଇଦେଇ ଟ୍ରେ ଉପରେ ପ୍ଲେଟ୍‍ଟିକୁ ପେଲି ଦେଉ ଦେଉ ଦେବାଶୀଷବାବୁ ପଚାରିଲେ, ତମ ଭାଇ ଦେଖାଯାଉନାହାନ୍ତି, ବସାରେ ନାହାନ୍ତି କି ?

ସୁମୀତା ସାମାନ୍ୟ ବିଚଳିତ ହେଲେ ବି ନିର୍ଭୟତ ! ପ୍ରକାଶକରି କହିଲା, ସେ ସକାଳ ଗାଡ଼ିରେ ପୁରୀ ଯାଇଛନ୍ତି । ସାରା ଭାରତରେ ସ୍ଥାପତ୍ୟ ଶିଳ୍ପର ଉତ୍‍କର୍ଷତା ଦେଖିବାର ମୋହକୁ ଏଡ଼ିନପାରି ସେ ପୁରୀର ଶ୍ରୀମନ୍ଦିର ଓ କୋଣାର୍କ ଦେଖିବାକୁ ଆଜି ବାହାରିଗଲେ । ଫେରୁ ଫେରୁ ହୁଏତ ଦୁଇଦିନ ଲାଗିପାରେ । ମୁଁ ତାଙ୍କରି ପାଇଁ ଚିନ୍ତିତା ହୋଇପଡ଼ିଛି, ସେ ଯେପରି ଲୋକନା...ଭାରି ଲାଜକୁଳା ।

ଦେବାଶୀଷବାବୁ ସୁମୀତା କକ୍ଷର ସାଜ୍ଜସଜାକୁ ତନ୍ମୟ ଭାବରେ ଲକ୍ଷ୍ୟ କରୁଥିଲେ । କକ୍ଷଟିକୁ ସଜାଇବାରେ ସୁମୀତା ଚରିତ୍ରର ମାର୍ଜିତ ରୁଚିଜ୍ଞାନକୁ ମନେମନେ ତାରିଫ୍ କରୁଥିଲେ ।

ଦେବାଶୀଷବାବୁ ଭିତରପଟ ବାରଣ୍ଡା ଉପରକୁ ଆସି ଟହଲିବାକୁ ଲାଗିଲେ । ଦୂର ଗଡ଼ଜାତ ଅଞ୍ଚଳର ସବୁଜ ପାହାଡ଼ ଗୁଡ଼ିକ ସ୍ପଷ୍ଟ ଦିଶୁଥିଲା । କୌଣସି ଏକ ଅନାମଧେୟ ପାହାଡ଼ର ଶୀର୍ଷରେ ଦୃଷ୍ଟି ନିବଦ୍ଧ କରି କହିଲେ, କଳାର ପୂଜା ପାଇଁ ଏ ନିକେତନଟି ଏକ ସାର୍ଥକ ସୃଷ୍ଟି ସୁମୀତା । ସ୍ଥାନ ବାଛିବାରେ ତମର ଚଏସ୍ ଉଚ୍ଚକୋଟିର ନିଶ୍ଚୟ ।

ଦେବାଶୀଷବାବୁଙ୍କ ନିକଟକୁ ସୁମୀତା ଓ ଶୁଭେନ୍ଦ୍ର ବାବୁ ମଧ୍ୟ ଉଠିଆସିଥିଲେ ।

 

ଭିତରପଟେ ଅଗଣାଟିଏ, ଅବଶ୍ୟ ଅପ୍ରଶସ୍ତ । ବେଶ୍ ଏକ କ୍ଷୁଦ୍ର ପ୍ରାଚୀର ଘେରି ରହିଛି-। ପ୍ରାଚୀର ଦେହରେ ଲାଗିଥିବା କବାଟଟି ଖୋଲିଦେଲେ ଦେବାଶୀଷବାବୁ । ମହାନଦୀର ସ୍ୱଚ୍ଛ ଜଳଧାର ନିକଟକୁ ପଥରର ପାହାଡ଼ଗୁଡ଼ିକ ଲାଗି ରହିଛି ।କୂଳରେ କେତେଗୋଟି ଛଣ ବୋଝେଇ ନୌକା ବନ୍ଧା ହୋଇଥିଲା । ପ୍ରାଚୀରକୁ ଲାଗି ଏକପଟେ ରୋଷେଇ ଘର, ଷ୍ଟୋର୍ ରୁମ୍ ଆଦି ଅଛି-। ସବୁଗୁଡ଼ିକ ଉପରେ ମୁହୂର୍ତ୍ତକ ପାଇଁ ଆଖି ବୁଲେଇନେଲେ ଦେବାଶୀଷବାବୁ ।

 

ତାପରେ କହିଲେ– ଆସନ୍ତୁ ଶୁଭେନ୍ଦ୍ରବାବୁ, ଉପରକୁ ଯିବା । ବେଶ୍ ପବନ ଦେଉଛି । ସେଇଠି ବସି କଥାବାର୍ତ୍ତା ହେବା । ସୁମୀତା ଆଗେ ଚାଲିଲା । ପଛରେ ଦେବାଶୀଷବାବୁ ଓ ଶୁଭେନ୍ଦ୍ରବାବୁ ଅନୁସରଣ କରୁଥିଲେ ।

 

ଛାତ ଉପରେ ବାହାରର ପ୍ରାକୃତିକ ସୌନ୍ଦର୍ଯ୍ୟରେ ମୁଗ୍ଧହୋଇ ଦେବାଶୀଷବାବୁ କହିଲେ, ସତେ ସୁମୀତା, ତମେ ଭାଗ୍ୟବତୀ । ଜୀବନକୁ ଜୀବନଭଳି ତମେ ଉପଭୋଗ କରୁଛ । ପ୍ରାକୃତିକ ସୌନ୍ଦର୍ଯ୍ୟବୋଧ ନ ଥିଲେ ଜଣେ କଳାର ଉପାସକ ହୋଇପାରେନା ।

 

ଦେବାଶୀଷବାବୁଙ୍କର ମୁହୁର୍ମୁହୁଃ ପ୍ରଶଂସାରେ ସୁମୀତାର ଗୌର ମୁହଁରେ ମଳିନ ସୂର୍ଯ୍ୟକିରଣର ରଙ୍ଗ ଅବିର ମାଖି ଦେଇଥିଲା । ସୁମୀତା ନୀରବରେ ହସୁଥିଲା ।

 

ଦେବାଶୀଷବାବୁ ଚାହିଁଲେ ନଦୀକୂଳ ଆଡ଼କୁ । ଛାତ ଉପରେ ସରୁ ପାଇପ୍‍ର ଲାଇନ ଖୁଣ୍ଟିଟି ଛାତ ଉପରେ ଫିଟ୍ କରାଯାଇଛି । ସେଇ ପାଇପ୍ ଦେହରେ ସୁଇଚ୍ ବୋର୍ଡ଼ ମଧ୍ୟ ଫିଟ୍ କରାଯାଇଛି ଅଥଚ ପ୍ଳକ୍‍ରୁ ବଲବ୍‍ଟିକୁ ଯେପରି କେହି କାଢ଼ିନେଇଛି ।

 

ଦେବାଶୀଷବାବୁ ଜାଣିଶୁଣି ଏଣୁତେଣୁ ଆଲୋଚନା ଆରମ୍ଭ କଲେ ଅନ୍ତତଃ କିଛି ସମୟ ନଷ୍ଟ କରିବାକୁ । ତାପରେ କହିଲେ ତମେ ତ ଜାଣ ସୁମୀତା ଆମମାନଙ୍କର କାମ କ’ଣ ? ତେଣୁ ଏଣିକି ଯଦି ମସ୍ତିଷ୍କ କେବେ ଭାରାକ୍ରାନ୍ତ ହୋଇପଡ଼େ, କ୍ଳାନ୍ତି ଅପନୋଦନପାଇଁ ମୁଁ ଛୁଟିଆସିବି ତମର ଏଇ ନିର୍ଜିବ କୋଠାର ଛାତ ଉପରକୁ । କ’ଣ ଅନୁମତି ମିଳିବ ତ ?

 

ସୁମୀତା ହସିଲା । କହିଲା– ସେଭଳି ଭାଗ୍ୟ ମୋର ହେଲେ ତ ?

 

ସମସ୍ତେ ତଳକୁ ଓହ୍ଲାଇଲେ । ଦେବାଶୀଷବାବୁ ଓ ଶୁଭେନ୍ଦ୍ରବାବୁ ସୁମୀତାଠାରୁ ବିଦାୟ ନେଇ ଜନପଥ ଉପରକୁ ଲେଉଟିଆସିଲେ । ସୁମୀତା ନମସ୍କାର ଜଣାଇ କିଛିବାଟ ବଳାଇଦେଇ ଫେରିଗଲା ।

 

ଶୁଭେନ୍ଦ୍ର ବାବୁଙ୍କୁ ପଛରେ ବସାଇ ଦେବାଶୀଷବାବୁ ଗାଡ଼ି ଷ୍ଟାର୍ଟ କଲେ । ପଛରେ ସୁମୀତା ବିଜୟନୀର ଦୃପ୍ତ ହସ ହସିଉଠି ମନେମନେ ଉଚ୍ଚାରଣ କଲା, ନିର୍ବୋଧ ଗୋଇନ୍ଦା...

 

ବାଟରେ ଦେବାଶୀଷବାବୁଙ୍କୁ ଶୁଭେନ୍ଦ୍ର ବାବୁ କହିଲେ, ସୁମୀତା ଆମକୁ ଭୁଲାଇଦେଲା । ପ୍ରକୃତରେ ତା’ର ଭାଇ ପୁରୀ କିମ୍ବା କୋଣାର୍କ ଯାଇନାହିଁ । ତାକୁ ହୁଏତ ଇଚ୍ଛାକୃତ ଭାବେ ଲୁଚାଇ ଦିଆଯାଇଛି । ସେ କିନ୍ତୁ ସେ କୋଠା ଭିତରେ କେଉଁଠି ଲୁଚି କରିଅଛି । କ’ଣ ଆପଣଙ୍କ ମତ ?

 

ଦେବାଶୀଷବାବୁ ଜୋର୍ ଦେଇ କହିଲେ, ଆପଣଙ୍କ ସାଙ୍ଗରେ ମୁଁ ମଧ୍ୟ ଏକମତ ।

 

କିନ୍ତୁ କେଉଁଠି ସେ ରହିଲା ?

 

–ଦଶ–

 

ଗାଁ ପାଖରେ ଏଣେତେଣେ ବୁଲିବୁଲି ଶେଷରେ ସନ୍ନ୍ୟାସୀ ଜଣକ ଜାଣିପାରିଲେ ଗାଁଟି ନାଁ ବ୍ରାହ୍ମଣୀପାଳ । ଗାଁଟି ଦୈତାରୀ ପାହାଡ଼ର ପାଦ ଦେଶରେ ଅବସ୍ଥିତ । ସେଇଠୁ ଚାରିଆଡ଼କୁ ଉଚ୍ଚ ପର୍ବତର ମାଳା ଘେରି ରହିଛି ।

 

ବ୍ରାହ୍ମଣୀପାଳ ଗାଁରେ ଜଣେ ସାଧୁଙ୍କର ସହସା ଆବିର୍ଭାବ ଲୋକମାନଙ୍କୁ ବିସ୍ମିତ କରିନଥିଲା ବରଂ ମନଭିତରେ ପବିତ୍ର ଆଧ୍ୟାତ୍ମିକ ମମତା ସୃଷ୍ଟି କରିଥିଲା ।

 

ତେଣୁ ଉଦାର ଅତିଥୀ ପରାୟଣତାରେ ସନ୍ନ୍ୟାସୀ ମୁଗ୍ଧ ହୋଇପଡ଼ିଥିଲେ ।

 

ସନ୍ନ୍ୟାସୀ ଜଣେ ଯୁବକଙ୍କୁ କଥାଛଳରେ ପଚାରିଲେ, ଏଇ ଯେଉଁ ଆଗ ସରୁ ରାସ୍ତାରେ ଜିପ୍ ସବୁ ଯାଏ ବା ଗାଡ଼ି ସବୁ ବେଳେବେଳେ ଯାଏ କେଉଁଠିକି ଯାଏ ?

 

ଅନେକ ଠିକାଦାରମାନେ ଜଙ୍ଗଲ ସବୁ ନିଲାମ ଧରିଛନ୍ତି, ସେମାନଙ୍କର ଗାଡ଼ି ଯାଇଥିବ-। ଯୁବକ ଜଣକ ଉତ୍ତର ଦେଲେ ।

 

ସନ୍ନ୍ୟାସୀ ଜଣକ ଚିନ୍ତା କରୁଥିଲେ, ଯେଉଁ ରାସ୍ତାରେ ତାଙ୍କୁ ଆଣିଥିବା ଜିପ୍‍ଟି ଗଲା ସେ ବାଟରେ କିଛିଟା ଆଗେଇଲେ ଘଟଣାଟା ଜଣାପଡ଼ନ୍ତା । ମାତ୍ର ଏ ପ୍ରଚ୍ଛନ୍ନ ଦୀପାଲୋକ ସେଥିପାଇଁ ସୁବିଧାଜନକ ନୁହେଁ । ତେବେ ବନ୍ୟଜନ୍ତୁ ସଂକୁଳ ଜଙ୍ଗଲ ଭିତରେ ଏ ଅନ୍ଧାର ରାତିରେ ମୁଁ କ’ଣ ଏକାକୀ ଯାଇପାରିବି ?

 

ମନକୁମନ ଉତ୍ତର ଯେମିତି କିଏ ଦିଏ, ନଯାଇପାରିବେ କାହିଁକି ? ବୀରପରି ଯୁଦ୍ଧରେ ମୃତ୍ୟୁବରଣ କରି ସ୍ୱର୍ଗପ୍ରାପ୍ତ ନତୁବା ବିଜୟର ଜୟମାଲ୍ୟ ।

 

ସନ୍ନ୍ୟାସୀ ଠିକ୍ କରିନେଲେ ଯେଡ଼େ ଦୁର୍ଗମ ହେଲେ ବି ସେ ଏକାକୀ ଯିବେ ।

 

ସନ୍ଧ୍ୟାର ଆଗମନୀକୁ ସନ୍ନ୍ୟାସୀ ବ୍ୟଗ୍ର ପ୍ରାଣରେ ପ୍ରତୀକ୍ଷା କରୁଥିଲେ ।

 

ଠିକ୍ ସମୟରେ ସନ୍ଧ୍ୟା ଆସିଲା । ଭୟଙ୍କରୀ ଆରଣ୍ୟକ ଗାଢ଼ କଳା ସନ୍ଧ୍ୟା । ସମସ୍ତଙ୍କର ଅଜ୍ଞାତରେ ସନ୍ନ୍ୟାସୀ କେତେବେଳେ ଅନ୍ତର୍ଦ୍ଧାନ ହୋଇଗଲେ ।

 

ବ୍ରାହ୍ମଣୀପାଳର ନିରୀହ ଅଧିବାସୀ ବିସ୍ମିତ ହେଲେ । କେହି ମତଦେଲେ ସେ ଜଣେ ଦସ୍ୟୁ । କେହି କହିଲା ଚାଇନା କିମ୍ବା ପାକିସ୍ତାନର ‘ସ୍ପାଇ’ । ଏ ଅଞ୍ଚଳ ପ୍ରାକୃତିକ ଐଶ୍ୱର୍ଯ୍ୟରେ ଭରପୁର ହୋଇଥିବାରୁ ଫଟୋ ନେବାକୁ ଆସିଥିଲା ।

 

ମାତ୍ର ସକାଳେ ଜିପ୍ ଯାଇଥିବା ସେଇ ପରିଚିତ କଙ୍କରିଳ ରାସ୍ତାରେ ନିଶବ୍ଦରେ ଚାଲିଥିଲେ କଳାପୋଷାକରେ ଆବୃତ୍ତ ହୋଇଥିବା ଜଣେ ସାହସୀ ଯୁବକ । ମନରେ ଅଦମ୍ୟ ଉତ୍କଣ୍ଠା । ରିଭଲଭରଟି ଉପରେ ଅଭ୍ୟସ୍ତ ହାତକୁ ନ୍ୟସ୍ତକରି ଚୋରାବତୀ ସାହାଯ୍ୟରେ ରାସ୍ତା ଦେଖି ସେ ଚାଲୁଥିଲେ ଏକ ଅନିଶ୍ଚିତର ପଛରେ । ତାଙ୍କର ସେତେବେଳକାର ସେ ବେଶକୁ ଦେଖିଲେ କେହି ମନେକରିବେ ନାହିଁ ଯେ ବ୍ରାହ୍ମଣୀପାଳ ଗ୍ରାମବାସୀଙ୍କର ଭକ୍ତିର ଆଧାର ଏହି ସାଧୁ ଜଣକ ଥିଲେ ବୋଲି ।

 

ହଠାତ୍ ମଝିରେ ମଝିରେ ସ୍ତବ୍ଧଭାବେ ଅଟକି ରହିଯାଉଥାନ୍ତି ଯୁବକ ଜଣକ । ସାମାନ୍ୟ ପତ୍ରର ଆବାଜ ମଧ୍ୟ ନିର୍ଜନ ବନଭୂମିରେ ବିସ୍ଫୋରଣର ଶବ୍ଦଭଳି ମନେହେଉଥିଲା । ଆଗରେ ଜଳପ୍ରପାତର ଶବ୍ଦ ଶୁଣିପାରି ଯୁବକଜଣକ ସ୍ତବ୍ଧ ହୋଇ ଠିଆହେଲେ । ମନରେ ଯଥେଷ୍ଟ ଭୟ, ଜଳପାନ ଉଦ୍ଦେଶ୍ୟରେ ହିଂସ୍ରଜନ୍ତୁମାନେ ଝରଣା ନିକଟକୁ ଆସିପାରିଥାନ୍ତି ।

 

ଯୁବକ ଜଣକ ଚୋରାବତୀ ଟିପିଲେ । କ’ଣ ଗୋଟାଏ ଭୀଷଣ ଶବ୍ଦକରି ଦୌଡ଼ି ପଳାଇଲା । ଧଡ଼କରି ଚମକିଉଠିଲେ ଯୁବକ ।

 

ମିରିଗଟାଏ ପଳାଇଲା ବୋଧହୁଏ ।

 

ଧୀର ପଦରେ ପାର ହେଲେ ଝରଣାକୁ ଯୁବକ ଜଣକ । ତେଣିକି ଆଉ ଗାଡ଼ି ଯିବାଭଳି ରାସ୍ତା ନାହିଁ । ଜିପ୍ ଚକାର ଚିହ୍ନ ସେପର୍ଯ୍ୟନ୍ତ ସ୍ପଷ୍ଟ ବାରିହେଉଥିଲା । ଗାଡ଼ି ସେଇଠି ପାର୍କ କରିଥିଲା ବୋଧହୁଏ ।

 

ଏକ ବିରାଟ ମହୁଲ ଗଛକୁ ଆଉଜି ଚିନ୍ତାକଲେ । ତାଙ୍କର ଠିକ୍ ମନେଅଛି ବ୍ରାହ୍ମଣୀପାଳ ରାସ୍ତାରେ କୌଣସି ଜିପ୍ ଫେରିନାହିଁ । ଅଥଚ ଆଗକୁ ଯିବାଭଳି ପ୍ରଶସ୍ତ ମାର୍ଗ ନାହିଁ । ତେବେ ଗାଡ଼ିଟା କ’ଣ ଅନ୍ତର୍ଦ୍ଧାନ ହୋଇଗଲା ?

 

ହୁଏତ ଗାଡ଼ି ଯେଉଁବାଟେ ଆସେ ସେ ବାଟେ ନଫେରି ଅନ୍ୟବାଟରେ ଫେରିଯାଇଥାଇପାରେ । ଏଇଆ ମନରେ ଭାବି ସେ ବିଭିନ୍ନ ଦିଗକୁ ଚୋରାବତୀର ସ୍ଵଳ୍ପ ଆଲୋକ ଜଳାଇ ନିରୀକ୍ଷଣ କରିବାକୁ ଲାଗିଲେ । ଅବଶେଷରେ ବିଫଳ ହେଲେ । କେବଳ କେତୋଟି ସଂକୀର୍ଣ୍ଣ ଜନପଥ ଛଡ଼ା ଅନ୍ୟ କିଛି ଦୃଷ୍ଟିଗୋଚର ହେଲା ନାହିଁ ।

 

ଯୁବକ ଜଣକ ପୁଣି ସେହି ମହୁଲ ଗଛ ନିକଟକୁ ଫେରିଆସିଲେ ।

 

ମହୁଲ ଫୁଲର ଏକ ଆମୋଦକର ଗନ୍ଧ ମନଭିତରେ ଉନ୍ମାଦନା ଆଣୁଥିଲା । ଦୂରରେ ମାଦଳ ବାଜିବାର ଶୁଭୁଥିଲା । ନିକଟରେ ନହେଲେ ବି ଦୂରରେ କୌଣସି ଜୁଆଙ୍ଗ ବସ୍ତି ଥିବାର ଅନୁମାନ କରୁଥିଲେ ଯୁବକ ଜଣକ ।

 

ସକାଳେ କାଁଭାଁ କେଉଁଠି ଗୋଟିଏ ଦୁଇଟି ଜୁଆଙ୍ଗ ବସ୍ତିଥିବା କଥା ବ୍ରାହ୍ମଣୀପାଳର ଜଣେ ଗ୍ରାମବାସୀ କହିଥିଲେ ।

 

ରାତ୍ରୀର ବୟସ ଧୀରେ ଧୀରେ ବଢ଼ୁଥିଲା । ଚୋରାବତୀ ଜାଳି ନିଜର ପକେଟ୍ ଘଣ୍ଟାକୁ ଚାହିଁ ସମୟ ଦେଖିଲେ ଯୁବକ ଜଣକ ଘ ୧୦।୩୫ ମିନଟ୍ ।

 

ରାତିରେ ରାସ୍ତା କଳି ହେଉନାହିଁ । କେତେବାଟ ଆସିଲେଣି କେଜାଣି, ବଡ଼ କ୍ଳାନ୍ତ ଲାଗିଲାଣି । ଆଉ ଆଗେଇବା ପାଇଁ ସାହସ କୁଳଉ ନାହିଁ । ବ୍ରାହ୍ମଣୀପାଳ ଫେରିଯିବା ପାଇଁ ମନରେ ଆଗ୍ରହ ନାହିଁ । ଏହି ମହୁଲ ଗଛର ଶାଖାରେ ରାତ୍ରୀଯାପନ କଲେ କେମିତି ହୁଅନ୍ତା ?

 

ଯୁବକଙ୍କ ମନରେ ଏକ ରୋମାଞ୍ଚକର ପ୍ରଶ୍ନ ଜାଗିଉଠିଲା । ସେ ମହୁଲ ଗଛର ବିରାଟ ଗଣ୍ଡି ଉପରକୁ ଚୋରାବତୀର ଆଲୋକ ନିକ୍ଷେପ କଲେ । ମହୁଲ ଗଛର ଗଣ୍ଡିରେ ଚାରିଇଞ୍ଚ ଲମ୍ବ ଓ ପ୍ରସ୍ଥ ବିଶିଷ୍ଟ ଏକ ବର୍ଗାକାର କ୍ଷେତ୍ର ପରିମିତିରେ ଛେଲି ଉଠାଇ ଦିଆଯାଇ ପଶ୍ଚିମ ଦିଗକୁ ଏକ ତୀରଚିହ୍ନ ନିର୍ଦ୍ଦେଶ କରାଯାଇଛି । ଚୋରାବତୀ ଲିଭାଇ ଯୁବକ ଜଣକ ମନେ ମନେ ଭାବିବାକୁ ଲାଗିଲେ, ଏ ତ ଜଙ୍ଗଲ ବିଭାଗର କୌଣସି ସଙ୍କେତ ନୁହେଁ, ତେବେ ଏ ସଙ୍କେତ କ’ଣ ହୋଇପାରେ ?

 

ନିଜର ଦୃଢ଼ମୁଷ୍ଟି ଭିତରେ ରିଭଲଭରକୁ ଆହୁରି ଦୃଢ଼ଭାବେ ଚାପ ଧରି ଯୁବକ ଚିନ୍ତାକୂଳ ହୋଇପଡ଼ିଲେ । ନିର୍ଦ୍ଦେଶ କରାଯାଇଥିବା ଦିଗକୁ ଗତିକଲେ ଅଦୂରରେ ନିଶ୍ଚୟ ଏକ ସଙ୍କେତସ୍ଥଳ ଅଛି ବୋଧହୁଏ ।

 

ଝରଣାର ଉପରିସ୍ଥ ପାର୍ବତୀୟ ସଂକୀର୍ଣ୍ଣ ରାସ୍ତାଦେଇ ଯୁବକ ଅଗ୍ରସର ହେବାକୁ ଲାଗିଲା-। ଭୟରେ ଦେହ ବିତେଇ ଉଠୁଥାଏ । କିଏ ଜାଣେ କେତେବେଳେ ସେ କାହାର ବିଷ ଦୃଷ୍ଟିରେ ନ ପଡ଼ିବେ । ଏକାକୀ ଆସିବା ତାଙ୍କ ପକ୍ଷରେ ଏକ ଅକ୍ଷମଣୀୟ ଭୁଲ୍ ହୋଇଛି ।

 

ହଠାତ୍ ଖସ୍ ଖସ୍ ଶବ୍ଦରେ ସେ ଚମକିଉଠିଲେ । କାହାର ପଦଧ୍ଵନୀ ଶୁଭୁଛି ।

 

ବାଘ ନା ଭାଲୁ ?

 

ଏତେ ଭାରି ଶବ୍ଦ ଯେତେବେଳେ ନିଶ୍ଚୟ ହାତୀ ହୋଇଥିବ ? ରାସ୍ତାରୁ କିଛିବାଟ ଅପସରି ଯାଇ ଏକ ଘଞ୍ଚବୁଦାମୂଳେ ଯୁବକ ଜଣକ ସଜାଗ ଭାବେ ଅପେକ୍ଷାକରି ବସିଲେ ଆସୁଥିବା ଜନ୍ତୁ ଉଦ୍ଦେଶ୍ୟରେ । ହାତରେ ରିଭଲଭର୍ ସର୍ବଦା ବ୍ୟଗ୍ର ।

 

ଅନେକ ସମୟ ବିତିଗଲା । କେହି ନାହିଁ । ଅନେକ ସମୟ ଧରି ନୀରବଚ୍ଛିନ୍ନ ପଦଯାତ୍ରା ପରେ ଏଇମାତ୍ର ଯେଉଁ ସାମୟିକ ବିଶ୍ରାମ ମିଳିଲା, ଆଉ ଉଠିବାକୁ ମନେହେଲା ନାହିଁ । ସେ ଦୃଢ଼ ଭାବରେ ବସିରହିଲେ ।

 

ମନର ସବୁ ଦୁଃଶ୍ଚିନ୍ତାକୁ ଦୋହଲେଇ ଦେଇ ହଠାତ୍ କାହାର ଚାପା କଣ୍ଠସ୍ୱର ଶୁଭିଲା । ଯୁବକ ଉତ୍‍କୀର୍ଣ୍ଣ ହୋଇଉଠିଲେ । ତେବେ ଏ ନିଘଞ୍ଚ ଅରଣ୍ୟ ମଧ୍ୟରେ ସେ ଏକାକୀ ନୁହନ୍ତି । ଅନ୍ୟ ଲୋକ ମଧ୍ୟ ଯାତାୟତ କରୁଛନ୍ତି । କିନ୍ତୁ ଏତେ ରାତିରେ ? ନିକଟସ୍ଥ ଜୁଆଙ୍ଗ ବସ୍ତିର କେହି ହୁଏତ ହୋଇପାରେ ।

 

ମଣିଷର କଣ୍ଠସ୍ୱର ଶୁଣି ସେ ସଚକିତ ହୋଇଥିଲେ । ଏଥର କିନ୍ତୁ ଯାହା ଶୁଣିଲେ ସେ ମୂର୍ଚ୍ଛାହତ ହେବାକୁ ଲାଗିଲେ ।

 

ଆଗନ୍ତୁକ ଦୁଇଜଣ ତାଙ୍କର ଖୁବ୍ ନିକଟରେ ଆସୁଛନ୍ତି । ଜଣେ ଅପର ଜଣକୁ କହୁଛି, ସାଙ୍ଗରେ ଗୋଟିଏ ବାବାଜୀ ଆଣି ବାଟରେ ଛାଡ଼ିଦେଇ ଏତେ ରାତିରେ ଆମକୁ ଦଉଡ଼େଇବା କ’ଣ ଦରକାର ଥିଲା ଦୋସ୍ତ ?

 

ସେଇ ବାବାଜୀଟା ବିଷୟରେ ମାସୁକ୍‍ବାବୁ ସାଙ୍ଗରେ ସର୍ଦ୍ଦାର ଅନେକ ଆଲୋଚନା କଲେ । କିନ୍ତୁ ଶେଷରେ କହିଲେ ଯେ ତାଙ୍କର ଦୃଢ଼ ବିଶ୍ଵାସ, ସେ ଜଣେ ସାଧାରଣ ସନ୍ନ୍ୟାସୀ ନୁହେଁ, ସେ ନିଶ୍ଚୟ କୌଣସି ଗୋଇନ୍ଦା ପୋଲିସ୍ ।

 

ବୁଝିଲୁ ତାରେଖ୍, ଆମର ସିନା ଦୁଇଟି ଆଖି କିନ୍ତୁ ସର୍ଦ୍ଦାରର ଶହ ଶହ ଆଖି । ତା’ ଆଖିରେ ଧୂଳି ପକେଇ ଖସିଯିବା ପୁଅ ଜନ୍ମ ହୋଇନି । ନଚେତ୍ ଦେଖୁନ୍, ଗୋଟାକ ପରେ ଗୋଟାଏ ଖୁନ୍, ଚୋରିକରି ସେ ପୁଣି ଭଦ୍ରଲୋକ ଭଳି ଦିନର ଆଲୁଅରେ ଗାଡ଼ି ମଟର ଧରି କାରବାର ହେଉଛି ।

 

ପୁଣି ପ୍ରଥମ ଜଣକ କହିଲା, ଏହି ସପ୍ତାହକ ମଧ୍ୟରେ ଆମକୁ ସବୁ ଆସାମ୍ ଚାଲିଯିବାକୁ ହେବ ବୋଲି ସର୍ଦ୍ଦାର କହୁଥିଲେ । ମାଆଙ୍କ ପାଖକୁ ଚିଠି ଆସିଛି, ସେଠି ବିଦ୍ରୋହୀ ନାଗାମାନଙ୍କ ସଙ୍ଗରେ ସମ୍ପର୍କ ରଖି କାମ କରିବାକୁ ହେବ । ଏଥିପାଇଁ ଚାଇନା ସରକାର ଯଥେଷ୍ଟ ଅର୍ଥଦାନ କରିବେ ।

 

କହୁଥିବା ବ୍ୟକ୍ତି ଜଣକ ତାରେଖ୍ ଯୁବକ ଜଣକ ଅନୁମାନ କରିନେଲେ ।

 

ଏଥର ପଦଶବ୍ଦ ନିକଟତମ ହୋଇଆସିଲା । ଖୁବ୍ ସତର୍କତାର ସହିତ ଆତ୍ମଗୋପନ କରିଥିଲେ ଯୁବକ ଜଣକ । ନିଜର ନିଃଶ୍ୱାସ ପ୍ରଶ୍ୱାସକୁ ମଧ୍ୟ ନିଶବ୍ଦ ରଖିବାକୁ ଆପଣ ଚେଷ୍ଟା କରୁଥିଲେ । ନଚେତ୍ ମୃତ୍ୟୁ ହିଁ ସେହି ବୁଦା ପଛପଟେ ଯେପରି ଲୁଚି ବସିଥିଲା ।

 

ତାରେଖ୍ କହିଲା, ସର୍ଦ୍ଦାର ସେଇ ଜିପରେ ଚାଲିଯାଇଛି । କାଲି ରାତି ବାରଟା ସୁଦ୍ଧା ମା’ଙ୍କୁ ନେଇ ଫେରିଆସିବ । ତାପରେ ଯାହାକିଛି ସିଦ୍ଧାନ୍ତ ଗ୍ରହଣ କରାଯିବ ।

 

ଅପର ବ୍ୟକ୍ତିଟି କହିଲା, ଆମ ସର୍ଦ୍ଦାର ବୁଦ୍ଧିମାନ ସତ୍ୟ, ମାତ୍ର ସାମାନ୍ୟ କଥାରେ ସେ ଠିକ୍ ବୁଦ୍ଧି ଖଟେଇପାରନ୍ତି ନାହିଁ । ବୁଝିପାରୁନୁ । ଯଦି ସକାଳେ ଜିପରେ ଆସିଥିବା ବାବାଜୀ ଜଣକ କୌଣସି ଗୋଇନ୍ଦା ହୋଇଥାଏ ତେବେ ସେ କ’ଣ ସର୍ଦ୍ଦାର ଯାଇଥିବା ଜିପରେ ସର୍ଦ୍ଦାରକୁ ବ୍ରାହ୍ମଣୀପାଳଠୁଁ ନିକଟରେ ଲକ୍ଷ୍ୟ କରିନଥିବ । ଆମକୁ ପୁଣି ଏତେ ରାତିରେ ଦୌଡ଼େଇବା କ’ଣ ଦରକାର ଥିଲା ? ଏତେ ରାତିରେ ଏହି ପାହାଡ଼ ଘେରା ନିଛାଟିଆ ଜାଗାରେ ଜଣେ ଗୋଇନ୍ଦା କ’ଣ କରିପାରେ ?

 

ତାରେଖ୍ ହସିଲା । କହିଲା, ତୋର ମସ୍ତିଷ୍କ ନେଇ ସର୍ଦ୍ଦାର ଜନ୍ମ ହୋଇନି । ତାହେଲେ ସେ ସର୍ଦ୍ଦାର ହୋଇନଥାନ୍ତା । ଅଜିତ୍ ସ୍ୟାନାଲ ହାତରେ ଯିଏ ତାଲିମ ପାଇଛି କାମରେ ତା’ର ଖଇଚା ନ ଥାଏ ।

 

ବୁଦାମୂଳେ ଥିବା ଯୁବକ ଜଣକ ଯେମିତି ଚମକିଉଠିଲେ । ଏଇ ଅଜିତ୍ ସ୍ୟାନଲ ନାଁଟା ସେ ଯେମିତି କାହାଠାରୁ ଶୁଣିଥିଲେ । ମନେପକେଇବାକୁ ଚେଷ୍ଟା କରୁଥିଲେ ।

 

ତାରେଖ୍ ପୁଣି କହିଲା, ସେ ଜିପ୍‍ର ନମ୍ବର ପ୍ଲେଟ୍‍ଟା ବଦଳେଇ ଦେଇଯାଇଛି । ତେଣୁ ସେଇ ଗାଡ଼ିରେ ଆସିଥିଲେବି ଗୋଇନ୍ଦା ମୋଟେ ଜାଣିପାରିବ ନାହିଁ । ତାଛଡ଼ା ଗୋଇନ୍ଦା ବିଭାଗର ଜଣକୁ ତୁ କମ୍ ମନେକରନା । ଆମର ଯେମିତି ଦଳଅଛି ସେମାନଙ୍କର ଠିକ୍ ସେମିତି ।

 

ଚାପା କଣ୍ଠରେ କଥାବାର୍ତ୍ତା ହେଉ ହେଉ ଦୁଇଜଣଯାକ ଆସି ଯୁବକଙ୍କର ସାମନାରେ ପହଞ୍ଚି ଯାଇଥିଲେ । ମାତ୍ର କୋଡ଼ିଏଫୁଟ ଦୂରତ୍ଵରେ ଗୋଟିଏ ବୁଦାମୂଳେ ଲୁଚିଥିବା ଯୁବକ ଜଣକ ପ୍ରମାଦ ଗଣୁଥିଲେ ।

 

ତାରେଖ୍ କହିଲା, ଚାଲ୍ ସେ ଝରଣା ପାଖରେ ଦି’ଘଣ୍ଟା ବସି ବସି ଫେରିଆସିବା କ୍ୟାମ୍ପକୁ । ଆଉ କହିଦେବା ସେ ବାବାଜୀ କୁଆଡ଼େ ଚାଲିଯାଇଛି, ତାକୁ ପାଇଲୁ ନାହିଁ ।

 

ଠିକ୍ କହିଛୁ ଭାଇ, ଆହୁରି ଆଠମାଇଲ ବାଟ ଏ କଣ୍ଟା ଝଣ୍ଟା ଅରମାରେ କିଏ ଯାଏ ?

 

ଯୁବକ ଜଣକ ଆଶ୍ଚର୍ଯ୍ୟ ହେଲେ । ଜନବସତିଠାରୁ ସେ ବର୍ତ୍ତମାନ ଦୀର୍ଘ ଆଠମାଇଲ ଦୂରରେ ପହଞ୍ଚି ଯାଇଛନ୍ତି । ଆସୁଥିବା ବ୍ୟକ୍ତି ଦୁଇଜଣକ ସେଇ ଅସମତଳ ରାସ୍ତାରେ ଭୁଷ୍ ଭୁଷ୍ ମାଡ଼ିଚାଲିଲେ ଅଭ୍ୟସ୍ତ ପରି ।

 

ବୁଦାମୂଳରୁ ଯୁବକ ଜଣ ବାହାରିଲେ । ଦେହଟା ଝାଳରେ ଓଦା ହୋଇଯାଇଥାଏ । ଚୋରାବତୀ ମାରିବାକୁ ଭୟଙ୍କର ଭୟ ବି ହେଉଥାଏ । ସେଇପରି ଅନ୍ଧାରରେ ନଇଁ ନଇଁ କିଛିବାଟ ଅଗ୍ରସର ହେଲେ । ଲୁଚି ବସିଥିବା ବୁଦାମୂଳଠାରୁ ଅନ୍ତତଃ ଏକମାଇଲରୁ ଊର୍ଦ୍ଧ୍ୱ ଆସିବା ପରେ ସେ ଏକ ପ୍ରାନ୍ତରରେ ପହଞ୍ଚିଲେ । ହୁଏତ ଏହା ଏକ ଘଞ୍ଚ ଜଙ୍ଗଲ ଥିଲା । ଖୁବ୍ କମ୍‍ଦିନ ତଳେ ଗଛଗୁଡ଼ିକ କଟା ହୋଇଛି । ମାଟିରେ ଲାଗିଥିବା ଖୁଣ୍ଟାଗୁଡ଼ିକ ଶୁଖିନାହିଁ । ଏହା ସୁଦୀର୍ଘ ସୁଉଚ୍ଚ ପାହାଡ଼ର କଟିଦେଶ । ବହୁ ଦୂରରେ ଥିବା ବଳିପାହାଡ଼ର ଖଚିତ ବିଜୁଳି ଆଲୋକର କିରଣରେ ଦିଗ୍‍ବଳୟ ଆଲୋକିତ ହେଉଥାଏ ।

 

ରିଭଲଭରଟିକୁ ସଜାଗ ରଖି ଯୁବକ ଆହୁରି ଅନେକ ବାଟ ଆଗେଇ ଏକ ପ୍ରସ୍ତର ଖଚିତ ପ୍ରାଚୀର ଭେଟିଲେ । ଏଠି ଏହି ପ୍ରାଚୀର ଘେରାଉ କରି ଯେପରି ଏକ ଗଡ଼ ନିର୍ମାଣ କରାଯାଇଛି । ତା’ ପଛକୁ ଭୀଷଣ ଜଙ୍ଗଲ ଆରମ୍ଭ ହୋଇଯାଇଛି ।

 

ଯୁବକ ଆଶ୍ଵସ୍ତ ହେଲେ । ଏଥର ଧରାପଡ଼ିବାର କୌଣସି କାରଣ ନାହିଁ । ଯଦିବା ଏହି ଦସ୍ୟୁଦଳର ଆଡ଼‌୍ଡ଼ା ସ୍ଥାନ ହୋଇଥାଏ ତେବେ ସେ ତା’ର ପୃଷ୍ଠଭାଗରେ ଅଛନ୍ତି । ଆଶୁବିପଦର ସମ୍ଭାବନା ଦେଖିଲେ ଯେ କୌଣସି ଘଞ୍ଚଲଟା ବୁଦାମୂଳେ ଆତ୍ମଗୋପନ କରିପାରିବେ ।

 

ଗୋଟିଏ ବଡ଼ ଚଟକା ପଥର ଉପରେ ବସି କେତୋଟି ମୁହୂର୍ତ୍ତ ଯୁବକ ଜଣକ ବିଶ୍ରାମ ନେବାକୁ ଲାଗିଲେ । ହଠାତ୍ ଶୁଣିବାକୁ ପାଇଲେ ପ୍ରାଚୀର ଭିତରେ ଯନ୍ତ୍ର ସଙ୍ଗୀତର ମୂର୍ଚ୍ଛନା । ତା’ ସଙ୍ଗେ ସଙ୍ଗେ କୌଣସି ତରୁଣୀର ଆର୍ତ୍ତଚିତ୍କାର । ପ୍ରାଚୀର କାନ୍ଥକୁ ଲାଗି ଠିଆହେଲେ ଯୁବକ । ଭିତରୁ କୌଣସି ଜିନିଷ ଦେଖିହେଉ ନାହିଁ । ଏଭଳି ଚିକିଟାମାଟି ସାହାଯ୍ୟରେ ପଥର ଗୁଡ଼ିକ ଯୋଡ଼େଇ କରାଯାଇଛି ଯେ ସାମାନ୍ୟ ଛିଦ୍ର ମଧ୍ୟ ନାହିଁ ।

 

ଯୁବକ ଜଣକ ଖୋଜି ଖୋଜି ଖଣ୍ଡେ ମୁନିଆ ପଥର ସଂଗ୍ରହ କଲେ । ସେଇ ପଥର ସାହାଯ୍ୟରେ ଯୋଡ଼େଇ ସ୍ଥାନକୁ ସାମାନ୍ୟ ଆଘାତ କରି କରି ଏକ ଛିଦ୍ର ମାତ୍ର ସୃଷ୍ଟି କରିପାରିଲେ । ଏଥର ଭିତରର କ୍ଷୀଣ ଆଲୋକ ତାଙ୍କ ଦେହରେ ଆସି ପଡ଼ିଲା । ଆନନ୍ଦରେ ଅଧୀରହୋଇ ସେ ସେଇ ଛିଦ୍ରବାଟେ ଗୋଟିଏ ଆଖିରେ ଭିତରକୁ ଅନାଇ ରହିଲେ ।

 

ଭିତରର ଦୃଶ୍ୟ ଦେଖି ଚମକିପଡ଼ିଲେ ଯୁବକ । ଏ କ’ଣ ? ଏଇ କେଇ ଦିନ ମଧ୍ୟରେ ସୁମୀତା ଦେବୀଙ୍କୁ ହରଣଚାଳ କରି ଆଣିଛନ୍ତି ? ଯୁବକ ଜଣଙ୍କ ଆଖିଆଗରେ ନାଚି ଯାଉଥିଲା ସେଦିନ ହୋଟେଲ ପାରାଡ଼ାଇଜରେ ସୁମୀତାଙ୍କ ଉପରେ ଅଦୃଶ୍ୟ ଶତ୍ରୁର ଅଚାନକ ଆକ୍ରମଣ । ଯୁବକ ଜଣକ ନିଜ ବିଶ୍ୱାସରେ ଅଟଳ ହେଲେ । ଦୁର୍ବୃତ୍ତମାନେ ସେଦିନ ତାଙ୍କୁ ଅପହରଣ କରିବାରେ ଅସମର୍ଥ ହୋଇଥିଲେ ମଧ୍ୟ ପରେ ପରେ ଠିକ୍ ଧରିନେଇ ଆସିପାରିଛନ୍ତି ।

 

ଏଇ ଯେ ମାସୁକ୍ ଚାବୁକ୍ ଧରି ସାମନାରେ ଠିଆହୋଇଛି, ଆଖିଦୁଇଟା ତା’ର ମନ୍ଦାର ଫୁଲ ପରି ଦିଶୁଛି ।

 

ସୁମୀତା ଦେବୀ କହୁଛନ୍ତି, ଜୀବନରେ ସମସ୍ତ ପ୍ରଲୋଭନରେ ଅନ୍ଧକରି କ’ଣ ଏଇ ଦଶା ଦେବାକୁ ମୋତେ ଧରି ଆଣିଛନ୍ତି ? କିନ୍ତୁ ମୁଁ ନାଚିପାରିବି ନାହିଁ, ଏ ନାଚ ଶିଖିବା ମୋର ଆବଶ୍ୟକ ନାହିଁ ।

 

ମାସୁକ୍ କଡ଼ା କଣ୍ଠରେ କହିଲା, ତମକୁ ନାଚିବାକୁ ହେବ । ତମ ନାଚ ଏ ଦଳର ବହୁ ଉପକାରରେ ଲାଗିବ । ଦଳର ସ୍ୱାର୍ଥପାଇଁ ତମର ନାଚ ଶିଖିବା ଏକାନ୍ତ ଆବଶ୍ୟକ । ଏହାହିଁ ଦଳପତିର ଆଦେଶ ।

 

ଜୀବନରେ ମାରିଦେଲେ ମଧ୍ୟ ମୁଁ ନାଚିପାରିବି ନାହିଁ । ସୁମୀତା ରୁକ୍ଷ ଗଳାରେ ଜବାବ୍ ଦେଲେ ।

 

ତାପରେ ମାସୁକ୍ ହାତର ଚାବୁକ୍ ପାଗଳଙ୍କ ପରି ନାଚିଉଠିଲା । କରୁଣ ଚିତ୍କାର କରି ମୂର୍ଚ୍ଛିତା ହୋଇପଡ଼ିଲେ ସୁମୀତା ।

 

ଶିହରିଉଠିଥିଲେ ଯୁବକ । ସୁମୀତାଙ୍କୁ ଏମାନଙ୍କ ହାତରୁ ରକ୍ଷା କରିବା ତାଙ୍କର ଏକମାତ୍ର ଚରମ କର୍ତ୍ତବ୍ୟ । ମାତ୍ର ସେ ଯେ ଅକର୍ତ୍ତବ୍ୟ । ଏକାକୀ ବା କ’ଣ କରିପାରିବେ । ଶେଷରେ ଦସ୍ୟୁମାନଙ୍କ ହାତରେ ହିଁ ତାଙ୍କର ମହାର୍ଘ ଜୀବନକୁ ଦାନ କରିବାହିଁ ସାର ହେବ ।

 

ତାଙ୍କ ଚିନ୍ତାରେ ବାଧା ସୃଷ୍ଟି କରି ମାସୁକ୍ ନିର୍ଦ୍ଦେଶ ଦେଲେ, ଜ୍ଞାନୀ ସିଂ ଓ ଭଗବାନ ରାଠୋର, ତୁମେ ଦୁହେଁ ଯାଅ କ୍ୟାମ୍ପ୍ ଚାରିପଟେ ଥରେ ସତର୍କ ଭାବେ ବୁଲିଆସ ।

 

ସର୍ଦ୍ଦାରଙ୍କର ଖୁବ୍ ସନ୍ଦେହ ମୁଁ ଜଣେ ଗୋଇନ୍ଦାରୂପୀ ବାବାଜୀଙ୍କୁ ଦୟାର ନିଦର୍ଶନ ଦେଖାଇ ସାଙ୍ଗରେ ଧରି ଆସିଛି । ଓଡ଼ିଶାରେ ଆଉ କେଇଟା ରାତି ଆମକୁ ଯଥେଷ୍ଟ ସାବଧାନତା ଓ ସତର୍କତାର ସହିତ ଅତିବାହିତ କରିବାକୁ ପଡ଼ିବ । ହୀରାକୁଦ, ରାଉରକେଲା, ବାଲିମେଳା, ଭୁବନେଶ୍ୱର, ଚୌଦ୍ଵାର ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳର ଫଟୋଗ୍ରାଫ୍ ପଠାଇବା କାର୍ଯ୍ୟ ସମାପ୍ତ ହୋଇଛି । ଯଥେଷ୍ଟ ଧନ ମଧ୍ୟ ହସ୍ତଗତ ହୋଇଛି । ଏଣିକି ଏଠୁ ବିଦାୟ ନେବାର ସମୟ ଆସିଛି । ଯାଅ ଏ ଟୋକିଟାର ଚେତା ଫେରିଆସିବା ପରେ ମୁଁ ପୁଣିଥରେ ଶେଷ ଚେଷ୍ଟା କରିବି । ନଚେତ ଆମର ଦଳନେତ୍ରୀଙ୍କୁ ନିର୍ଦ୍ଦୋଷରେ ଫେରେଇନେବା କଷ୍ଟ ସାଧ୍ୟ ହୋଇପାରେ ।

 

ଶେଷ କଥାଗୁଡ଼ିକ ଯୁବକଙ୍କ ପକ୍ଷେ ବୁଝିବା ଅବୋଧ୍ୟ ହୋଇପଡ଼ିଲା । ସେ ଆଉ ସେଠାରେ ବେଶି ସମୟ ରହିବା ନିରାପଦ ମନେକଲେ ନାହିଁ । ମହାବଳ ବାଘ ପରି ଦୁଇଟା ଦୁର୍ଦ୍ଦାନ୍ତ ଜୀବ ବର୍ଚ୍ଛା ହାତରେ ଟଳି ଟଳି ବାହାରକୁ ବାହାରିଲେ ।

 

ସୁନ୍ଦରୀ ସୁମୀତାଙ୍କୁ ବିପଦର ଗହ୍ଵର ଭିତରେ ଏକାକୀ ମୂର୍ଚ୍ଛିତା ଅବସ୍ଥାରେ ଛାଡ଼ି ଆସିବାକୁ ମନ ନହେଉଥିଲେ ବି ଯୁବକ ଜଣକ ଭବିଷ୍ୟତର କର୍ମପନ୍ଥା ଗ୍ରହଣ ପାଇଁ ତଥା ନିଜର ପୈତୃକ ପ୍ରାଣରକ୍ଷା ନିମନ୍ତେ ଦ୍ରୁତ ପଦରେ କଣ୍ଟାଝଣ୍ଟା ନ ମାନି ପାହାଡ଼ର କଟିଦେଶରୁ ଅବତରଣ କଲେ ।

 

–ଏଗାର–

 

ସୁବାଷବାବୁଙ୍କଠାରୁ ଦୁଇଦିନ ହେବ କୌଣସି ଖବର ନ ପାଇ ଦେବାଶୀଷ ଚୌଧୁରୀ ବିଶେଷ ବିବ୍ରତ ହୋଇପଡ଼ିଥିଲେ । ସୁବାଷ ସାହସୀ ଓ ବିଚକ୍ଷଣ ଏ ବିଷୟରେ ଦେବାଶୀଷବାବୁଙ୍କର କୌଣସି ଆଶଙ୍କା ନଥିଲା । ମାତ୍ର କୌଣସି ବଦଖେୟାଲରେ ଯଦି କିଛି ଅଧିକ କରିପକାଏ ତେବେ ଏ କ୍ଷେତ୍ରରେ ପ୍ରାଣହାନୀର ଆଶଙ୍କା ସବୁବେଳେ ରହିଛି ।

 

ନାନା ଦୁଶ୍ଚିନ୍ତାରେ ଦେବାଶୀଷବାବୁ ଛଟପଟ ହେଉଥିବାବେଳେ ନରହରି ସେଦିନର ଡାକ ତାଡ଼ାଟା ଆଣି ଟେବୁଲ୍ ଉପରେ ଥୋଇଲା ।

 

ସୁବାଷର ହସ୍ତାଙ୍କିତ ଲଫାପାଟି ଦେଖି ସେ ଆଗ୍ରହ ସହକାରେ ଖୋଲି ପଢ଼ିବାକୁ ଲାଗିଲେ ।

 

ସାର୍,

 

ନମସ୍କାର । ଆପଣଙ୍କର ସନ୍ଦେହ ଯଥାର୍ଥ । ମାସୁକ୍ ଏହି ଦସ୍ୟୁଦଳ ସହିତ ସମ୍ପୃକ୍ତ । ସେ ପ୍ରକୃତରେ ବାଲେଶ୍ଵର ଯାଇନି । ଛଦ୍ମବେଶରେ ମୁଁ ଦସ୍ୟୁର ଆଡ଼ାସ୍ଥଳରେ ସେମାନଙ୍କର ଗାଡ଼ିରେ ଆସି ପହଞ୍ଚିଛି । ସେମାନେ ମତେ ବାସ୍ତବରେ ସନ୍ଦେହ କରିସାରିଲେଣି । ମାତ୍ର ସେମାନଙ୍କର ସନ୍ଦେହଭୁକ୍ତ ହେବା ପୂର୍ବରୁ ମୁଁ ସେମାନଙ୍କର ଫାନ୍ଦରୁ ମୁକୁଳି ଯାଇଥିଲି । ସେମାନେ ଯେଉଁ ଜୀବଟିକୁ ସର୍ଦ୍ଦାର ବୋଲି ସମ୍ବୋଧନ କରୁଛନ୍ତି, ତାକୁ ଦେଖିବାର ସୁଯୋଗ ମିଳିଲା ନାହିଁ । ମାତ୍ର ସେମାନଙ୍କର ଗୁପ୍ତ କକ୍ଷଟି ଦେଖିସାରିଲିଣି । ଆଜି ମାସୁକ୍ ଫେରିଯାଇ ପୁଣି ହୋଟେଲରେ ଜଏନ କରିପାରେ ।

 

ସବୁଠାରୁ ଦୁଃଖର କଥା ଯେ ସେମାନେ ସୁମୀତା ଦେବୀଙ୍କୁ ଧରିଆଣି ଏଠାରେ ନାନା ନିର୍ଯାତନା ଦେଉଛନ୍ତି । ତାଙ୍କୁ ଯଥାଶୀଘ୍ର ବିପଦରୁ ଉଦ୍ଧାର କରି ଦସ୍ୟୁ ଦଳକୁ ଗିରଫ କରିବାକୁ ହେବ ।

 

ମୋଟ ଉପରେ ସେମାନେ ପାକିସ୍ତାନ ଓ ଚୀନର ଗୁପ୍ତଚର ଭାବରେ କାମକରି କେବଳ ଓଡ଼ିଶାରୁ ଲୁଟ୍ କରୁନାହାନ୍ତି ଚୀନ ଓ ପାକିସ୍ତାନ ସରକାରଙ୍କଠାରୁ ମଧ୍ୟ ଅର୍ଥ ଉପାର୍ଜନ କରୁଛନ୍ତି ।

 

ସପ୍ତାହକ ମଧ୍ୟରେ ସେମାନେ ଓଡ଼ିଶା ଛାଡ଼ି ଚାଲିଯିବାର ମସୁଧା କରିଛନ୍ତି । ଏଣୁ ସଦଳବଳେ ଯଥାଶୀଘ୍ର ଯାଜପୁର ଥାନା ଠିକଣାରେ ପହଞ୍ଚନ୍ତୁ ।

 

ଇତି ।

ସୁବାଷ–

 

ଚିଠିର ପ୍ରତ୍ୟେକ ଧାଡ଼ି ତାଙ୍କୁ ରୋମାଞ୍ଚିତ କରୁଥିଲା । କିନ୍ତୁ ସୁମୀତା ଦେବୀଙ୍କୁ ଧରିନେଇ ଦୁର୍ବୃତ୍ତମାନେ ନିର୍ଯାତନା ଦେଉଛନ୍ତି । ଏ କି ଭଳି କଥା ? ସେ ତ ଦୁଇଦିନ ତଳେ ସୁମୀତା ସାଙ୍ଗରେ ହସଖୁସି ହୋଇ କଥାବାର୍ତ୍ତା କରି ଆସିଛନ୍ତି । ସେ ଯାହାହେଉ, ବର୍ତ୍ତମାନ ସୁବାଷ ନିର୍ଦ୍ଦେଶରେ ହିଁ କାର୍ଯ୍ୟ କରିବାକୁ ପଡ଼ିବ । ନଚେତ ଦସ୍ୟୁଦଳ ଖସିଯାଇପାରନ୍ତି ।

 

ଅନ୍ୟ କେତୋଟି ଚିଠି ଖୋଲି ଦେବାଶୀଷବାବୁ ସାମାନ୍ୟ ବିହଙ୍ଗ ଦୃଷ୍ଟି ବୁଲାଇ ଡ୍ର’ରେ ରଖିଦେଲେ । ଶେଷ ଚିଠି ଖଣ୍ଡିକ ଏପଟସେପଟ ଦିଥର କରି ହସ୍ତାଙ୍କିତ ଲିପିରୁ କୌଣସି ପରିଚିତ ଲୋକର ବୋଲି ମନେକଲେ ନାହିଁ ।

 

ଚିଠିଟି ଖୋଲି ପଢ଼ିବାକୁ ଆରମ୍ଭ କଲେ–

 

ଦେବାଶୀଷବାବୁ,

 

ପ୍ରଣତୀ ନେବେ । ଧରିନିଅନ୍ତୁ ମୁଁ ଜଣେ ଆପଣଙ୍କର ଆଶ୍ରୟ ପ୍ରାର୍ଥୀ । ମୁଁ ଜାଣେ, କାଲିଠାରୁ ମୁଁ ହୁଏତ ବନ୍ଦୀ ହେବି ଅଥବା ମୋତେ ଶୁଳି ଦିଆଯିବ । ମୃତ୍ୟୁ ମୋ ଅଙ୍ଗରେ ଠାଏ ଠାଏ ସ୍ପର୍ଶ ଦେଇଗଲାଣି । ମୃତ୍ୟୁର ସ୍ପର୍ଶକୁ ମୁଁ ଅନୁଭବ କରିବାକୁ ଆରମ୍ଭ କଲିଣି । ମୋ ନିଜ ଅସାବଧାନତା ଯୋଗୁ ମୁଁ ଏ ଦଣ୍ଡ ପାଇବି । ଏଣୁ ଆପଣଙ୍କୁ ଜଣାଉଛି ଆପଣ ଏ ଚିଠି ପାଇବା ସଙ୍ଗେ ସଙ୍ଗେ ମତେ ଉଦ୍ଧାର କରନ୍ତୁ । କାରଣ ଏ ବିପଦରୁ ରକ୍ଷା କରିବାପାଇଁ ଆପଣଙ୍କ ଛଡ଼ା ଦ୍ଵିତୀୟ ବ୍ୟକ୍ତି ଥିଲାଭଳି ମନେହେଉନି । ହଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ମୋର ଦିନଲିପିଟିକୁ ସୁମୀତା ହାତରୁ ଉଦ୍ଧାର କରନ୍ତୁ ।

 

ଆସନ୍ତାକାଲି ରାତି ୧୨ଟାରେ ସେ କଟକ ଛାଡ଼ିବ ଏବଂ ଫେରିବ ଠିକ୍ ପରଦିନ ଶେଷ ରାତ୍ରିରେ । ତା’ପରେ ସେ ଆପଣମାନଙ୍କ ଅଗୋଚରରେ ଓଡ଼ିଶା ଛାଡ଼ି ଚାଲିଯିବ । ଇତି ।

 

ଶୁଭାକାଙ୍‍କ୍ଷୀ

ଜଣେ ଅପରିଚିତ

 

ଦେବାଶୀଷବାବୁଙ୍କର ମସ୍ତିଷ୍କ ଭାରାକ୍ରାନ୍ତ ହୋଇଉଠୁଥିଲା, କିଏ ଏହି ଅପରିଚିତ ? ଏଭଳି ଚିଠି ଲେଖିବାର ଉଦ୍ଦେଶ୍ୟ କ’ଣ ? କି ବିପଦରେ ବା ସେ ପଡ଼ିଛି ? ସୁମୀତା କାହିଁକି ତା’ ଡାଇରି ବହିଟି ରଖିଛି ?

 

ପାଖରେ ସୁବାଷ ନାହିଁ, ଏକାକୀ ସେ କ’ଣ କରିପାରିବେ । ଶୁଭେନ୍ଦ୍ରବାବୁଙ୍କୁ ଫୋନରେ ଶୀଘ୍ର ଆସିବାପାଇଁ ଜଣାଇଲେ ଦେବାଶୀଷବାବୁ । ଦେବାଶୀଷବାବୁଙ୍କର ଫୋନ୍ ବାର୍ତ୍ତା ପାଇ ଶୁଭେନ୍ଦ୍ରବାବୁ ଆସି ପହଞ୍ଚିବାରେ କୌଣସି ହେଳା କଲେନାହିଁ ।

 

ଶୁଭେନ୍ଦ୍ରବାବୁ ଘର ଭିତରକୁ ପଶି ଆସୁ ଆସୁ କହିଉଠିଲେ, ହଠାତ୍ କ’ଣ ଏମିତି ଜରୁରୀ କାମରେ ଡକାଇଲେ ମି. ଚୌଧୁରୀ ।

 

ନରହରିକୁ ଚା’ ପାଇଁ ବରାଦ କରି ଦେବାଶୀଷବାବୁ କହିଲେ ଘଟଣା ପ୍ରବାହ କ୍ରମେ ଜଟିଳରୁ ଜଟିଳତର ହେଉଛି । ଏଭଳି ସମୟେ ସମୟେ ହେଉଛି ଯେ ଘଟଣାର କୌଣସି ସୂତ୍ରକୁ ଧରି ଆରମ୍ଭ କରି ଅନ୍ୟ ଆଧାରୀତ ବସ୍ତୁଗୁଡ଼ିକୁ ଖୋଜିଲାବେଳକୁ ପ୍ରଥମ ଆରମ୍ଭ ସୂତ୍ରଟି ବି ହଜିଯାଉଛି ।

 

ମାନେ ? ମୁଁ କିଛି ବୁଝିପାରିଲିନି ଆପଣଙ୍କ ଆଲୋଚନାରୁ; ସନ୍ଦିଗ୍ଧ ଆଖିରେ ପଚାରିଲେ ଶୁଭେନ୍ଦ୍ରବାବୁ ।

 

ଦେବାଶୀଷବାବୁ ସୁବାଷ ଓ ଅପରିଚିତର ଦୁଇଟିଯାକ ଚିଠି ଶୁଭେନ୍ଦ୍ରବାବୁଙ୍କ ହାତକୁ ବଢ଼ାଇଦେଇ କହିଲେ, ଚିଠି ଦୁଇଟି ପଢ଼ନ୍ତୁ । ସବୁକଥା ବୁଝିପାରିବେ ।

 

କେଇଟି ମୁହୂର୍ତ୍ତ ମଧ୍ୟରେ ଚିଠି ଦୁଇଟି ଶୁଭେନ୍ଦ୍ରବାବୁ ଏକ ନିଶ୍ଵାସରେ ପଢ଼ିନେଇ ଦେବାଶୀଷବାବୁଙ୍କ ମୁହଁକୁ ଚାହିଁଲେ ।

 

ଦେବାଶୀଷ ଅସମ୍ଭବ ଧରଣର ଗମ୍ଭୀର ହୋଇପଡ଼ି କହିଲେ– ଏଥର ଘଟଣାଟା ବୁଝିଲ ତ ? ସୁବାଷ ଲେଖିଛି ସୁମୀତାଦେବୀ ଅପହୃତା ହୋଇ ନିର୍ଯାତୀତ ହେଉଛନ୍ତି ଦସ୍ୟୁମାନଙ୍କ ଦ୍ୱାରା, ଅଥଚ ଜଣେ ଅପରିଚିତ ଲେଖୁଛି ସୁମୀତା ତା’ର ଡାଇରିଟି ନେଇଯାଇଛି, ଏବଂ ସେ ଡାଇରିରେ ଏଭଳି କି ଗୁରୁତ୍ଵପୂର୍ଣ୍ଣ ଘଟଣା ଲେଖାହୋଇଛି ଯେ ଫଳରେ ଅପରିଚିତ ବ୍ୟକ୍ତିଟିର ମୃତ୍ୟୁ ଘଟିପାରେ । ଏଣେ ଅପରିଚିତ ବ୍ୟକ୍ତିଟି ଜଣାଉଛି ଆସନ୍ତାକାଲି ରାତି ବାରଟାରେ ଅର୍ଥାତ ଆଜି ରାତି ୧୨ଟାରେ ସୁମୀତା କଟକ ଛାଡ଼ିବ । ତା’ମାନେ ସୁନୀତା ବର୍ତ୍ତମାନ କଟକରେ ଅଛି ଏବଂ ଆଜି ରାତି ବାରଟାରେ କଟକରୁ ବାହାରକୁ ଯିବ । ତେଣେ ସୁବାଷ ଲେଖିଛି ସୁନୀତା ନିର୍ଯାତିତା ହେଉଛି, ତାକୁ ଶୀଘ୍ର ରକ୍ଷାକରିବା ଆବଶ୍ୟକ ।

 

ନିଜ ଆଙ୍ଗୁଠିରେ ମୁଣ୍ଡବାଳର ଗହଳୀ ଭାଙ୍ଗୁ ଭାଙ୍ଗୁ ଶୁଭେନ୍ଦ୍ରବାବୁ କହିଲେ ମୋର ଖୁବ୍ ଅନୁମାନ, ଏହି ଅପରିଚିତ ବ୍ୟକ୍ତିଟି ଦୁର୍ବୃତ୍ତ ଦଳର ଜଣେ ଗୁପ୍ତଚର । ଆପଣଙ୍କର ତଦନ୍ତ କାର୍ଯ୍ୟକ୍ରମକୁ ବିଭ୍ରାନ୍ତ କରିବାପାଇଁ ଏଭଳି ଚତୁରତାର ସହିତ ପତ୍ର ଲେଖି ଆପଣଙ୍କୁ କୌଣସି ବିପଦରେ ପକାଇବାପାଇଁ ନିମନ୍ତ୍ରଣ କରିଛି । ବରଂ ସୁବାଷବାବୁଙ୍କ ଚିଠି ଅନୁଯାୟୀ ସିଧାସଳଖ ଏ ବଦମାସ ଦଳକୁ ସ୍ପଟ୍ ଉପରେ ଗିରଫ କରିବାହିଁ ଗ୍ରହଣୀୟ । କାରଣ ସେମାନେ ସୁବାଷବାବୁଙ୍କୁ ପରେ ଜାଣିପାରିଛନ୍ତି ଏବଂ ସେ ନିଶ୍ଚୟ ଆପଣଙ୍କୁ ଜଣାଇବେ ଓ ଆପଣ ସଦଳବଳେ ଯାଇ ସେମାନଙ୍କୁ ଗିରଫ କରିବେ, ତେଣୁ ଜଣେ ଅପରିଚିତ ନାମରେ ଆପଣଙ୍କୁ ଖଣ୍ଡେ ଚିଠି ଲେଖି ବିଭ୍ରାନ୍ତ କରିବା ପାଇଁ ଏ କୌଶଳ ଖଞ୍ଜାଯାଇଛି । ଶୁଭେନ୍ଦ୍ରବାବୁ ଉତ୍ତର ପାଇବା ଆଶାରେ ନୀରବ ହେଲେ ।

 

ଦୀର୍ଘଶ୍ୱାସ ଟାଣି ଦେବାଶୀଷବାବୁ କହିଲେ, ଆପଣଙ୍କ ଅନୁମାନ ମିଥ୍ୟା ବୋଲି ମୁଁ ଅସ୍ୱୀକାର କରିପାରୁନାହିଁ । ତଥାପି ମୋ ପକ୍ଷରେ ସୁବାଷ ଅପେକ୍ଷା ଅପରିଚିତର ଚିଠିଟି ବେଶି ଗୁରୁତ୍ଵପୂର୍ଣ୍ଣ । ଯଦି ଏହା ଶତ୍ରୁର ନିମନ୍ତ୍ରଣ ହୋଇଥାଏ, ତେବେ ତାକୁ ପ୍ରତ୍ୟାଖାନ କରିବା ଭୀରୁତାର ପରିଚୟ ହେବ ।

 

ଦେଖନ୍ତୁ ! ଆପଣ ଯାହା ଉଚିତ ମନେକରୁଛନ୍ତି । ଶୁଭେନ୍ଦ୍ରବାବୁ ଧୀରଗଳାରେ ଉତ୍ତରଦେଲେ ।

 

ଦେବାଶୀଷବାବୁ କହିଲେ, ଏ ଘଟଣାର ସମାଧାନ ପାଇଁ ସୁମୀତାର ପ୍ରକୃତ ପରିଚୟ ଏକାନ୍ତ ଆବଶ୍ୟକ ଏବଂ ଆଜି ହିଁ ତାହା ଉଦ୍‍ଘାଟନ କରିବାକୁ ହେବ । ଆପଣ ପ୍ରସ୍ତୁତ ହୋଇଆସିବେ । ବର୍ତ୍ତମାନ ଚାଲନ୍ତୁ S. P.ଙ୍କ କୋଠିକୁ ଯିବା । ସୁବାଷ ଲେଖିଥିବା ଚିଠି ଅନୁଯାୟୀ ବ୍ୟବସ୍ଥା ମଧ୍ୟ କରିବାକୁ ହେବ ।

 

ଦୁହେଁ ଉଠିଲେ ।

 

–ବାଆର–

 

ଗଭୀର ଅନ୍ଧକାର ରାତ୍ରି ।

 

ଗାଢ଼ କଳାରଙ୍ଗର ଏକ ପରଦା କଟକ ସହରର ସୀମାକୁ ଘେରିରହିଛି । ସେଇ ଅନ୍ଧକାର ରଜନୀ ଭିତରେ ଦୁଇଜଣ ବ୍ୟକ୍ତି ମହାନଦୀ ପଠାର ଘଞ୍ଚ କାଶଫୁଲର ଜଙ୍ଗଲ ଭିତରେ ଚୁପଚାପ ବସି ରହିଛନ୍ତି ।

 

ଦେବାଶୀଷବାବୁ କହିଲେ ବର୍ତ୍ତମାନ ଏଗାରଟାରୁ କିଛି ସମୟ ବଳିଗଲାଣି । ଏଥର ସୁମୀତାର ବାହାରକୁ ଯିବାର ସମୟ ହୋଇଗଲାଣି ।

 

ମହାନଦୀର ଅପର ପାର୍ଶ୍ଵରେ ଏକ ଜିପ୍ ଆସି ନଦୀକୂଳରେ ଷ୍ଟାର୍ଟ ବନ୍ଦ ହେବାର ଶବ୍ଦ ଅସ୍ପଷ୍ଟ ଭାବରେ ଶୁଭୁଥିବାର କଥା ଶୁଭେନ୍ଦ୍ରବାବୁ ଦେବାଶୀଷବାବୁଙ୍କୁ ସୂଚେଇଦେଲେ ।

 

ଦେବାଶୀଷବାବୁ ମୁଣ୍ତ ହଲାଇ ସମ୍ମତ୍ତି ଜଣାଇଲେ । ଅଳ୍ପକ୍ଷଣ ମଧ୍ୟରେ ସେଇ ପରିଚିତ ଶାରଦା କଳାନିକେତନର ଛାତ ଉପରେ ପୀତ ବର୍ଣ୍ଣର ବିଦ୍ୟୁତ୍ ଆଲୋକ ଦପ୍ ଦପ୍‍ କରି ଦୁଇଥର ଜଳିଉଠି ଲିଭିଗଲା । ଅପରପାର୍ଶ୍ଵରୁ ନୀଳାଲୋକ ଜଳିଉଠି ସାଙ୍କେତିକ ଉତ୍ତରଦେଲା । ଶୁଭେନ୍ଦ୍ରବାବୁ ଅତିଷ୍ଠ ହୋଇଉଠି କହିଲେ, ଏଇ ହେଉଛି ବ୍ରାହ୍ମ ମୁହୂର୍ତ୍ତ, ଆମେ ବର୍ତ୍ତମାନ ସେମାନଙ୍କୁ ସହଜରେ ଗିରଫ କରିପାରିବା ।

 

ଦେବାଶୀଷବାବୁ ଚାପାଗଳାରେ କହିଲେ, ଏପରି ପିଲାଳିଆ ବୁଦ୍ଧିରେ କାର୍ଯ୍ୟସିଦ୍ଧି ହୁଏନା । ଆମକୁ ସେ ଅପରିଚିତ ପତ୍ର ପ୍ରେରକର ଡାଇରିଟି ଆବିଷ୍କାର କରିବାକୁ ପଡ଼ିବ । ତା’ନହେଲେ ଅନେକ କଥା ଆମର ଅଗୋଚରରେ ରହିଯିବ ।

 

ଏଥର ମହାନଦୀ ଜଳରେ ଜଳୋଚ୍ଛାସର ଶବ୍ଦ ସ୍ପଷ୍ଟ ହୋଇଉଠିଲା । ଅନ୍ଧକାର ଭିତରେ ଦେବାଶୀଷବାବୁ ନିରେଖି ଦେଖିଲେ କେତେଜଣ ଲୋକଙ୍କୁ ଗର୍ଭରେ ଧରି ଗୋଟିଏ ଡଙ୍ଗାକୂଳ ଛାଡ଼ୁଛି ।

 

ଶୁଭେନ୍ଦ୍ରବାବୁଙ୍କୁ ଟିକିଏ ଚିପିଦେଇ ଦେବାଶୀଷବାବୁ କହିଲେ, ଏଇ ଦେଖନ୍ତୁ ସେମାନେ ବାହାରିଲେ । ମଙ୍ଗଉପରେ ବସିଥିବା କୃଷ୍ଣକାୟ ବ୍ୟକ୍ତିଟି ସୁମୀତ ନିଶ୍ଚୟ । କାରଣ ତା’ର ଆକୃତିର ନାରୀଭଳି ମନେହେଉଛି । କାତ ମାରୁଥିବା ବ୍ୟକ୍ତିକୁ ଛାଡ଼ିଦେଲେ ଅନ୍ୟ ତିନିଜଣ ପୁରୁଷ ଆରୋହୀ ସେମାନଙ୍କର ଦଳର ଲୋକ ହୋଇପାରନ୍ତି ।

 

ଦେବାଶୀଷବାବୁ ଓ ଶୁଭେନ୍ଦ୍ର ବାବୁ ବାହାରକୁ ବାହାରିଆସି ଅନ୍ୟଏକ ଅପେକ୍ଷାମାନ ଡଙ୍ଗାରେ ବସିଲେ । ନାଉରୀକୁ ନିର୍ଦ୍ଦେଶ ଦେଲେ, ଆମକୁ ସେପଟକୂଳରେ ଲଗାଇଦେଇ ଖୁବ୍‍ଶୀଘ୍ର ଆଗରେ ଯାଉଥିବା ଡଙ୍ଗାକୁ ଅନୁସରଣ କର ।

 

ପଥର ପାହାଚ କଡ଼ରେ ଡଙ୍ଗା ଲାଗିବା କ୍ଷଣି ଦେବାଶୀଷ ବାବୁ ଓ ଶୁଭେନ୍ଦ୍ରବାବୁ ଡଙ୍ଗାରୁ ଅବତରଣ କରି ଉପରକୁ ଉଠିଲେ ପୂର୍ବରୁ ଯାଉଥିବା ଡଙ୍ଗାର ପିଛା ଧରିବାପାଇଁ ନାଉରୀ ତରତରରେ କାତ ମାରିବାକୁ ଲାଗିଲା ।

 

କୃଷ୍ଣ ପରିଚ୍ଛଦବୃତ୍ତ କେହିଜଣେ ବ୍ୟକ୍ତି ଦେବାଶୀଷ ବାବୁଙ୍କ ନିକଟକୁ ଲାଗିଆସି ଫିସ୍‍ଫିସ୍ କରି କହିଲା, ସୁମୀତାକୁ ନେବାପାଇଁ ତିନିଜଣ ବ୍ୟକ୍ତି ଆସିଥିଲେ । ସେମାନେ ବାହାରିଗଲେ ।

 

ଦେବାଶୀଷବାବୁ ପଚାରିଲେ, ଆମେ ବର୍ତ୍ତମାନ ଶତ୍ରୁର ଶିବିର ଭିତରକୁ ପ୍ରବେଶ କରିଛୁ-। ଅନ୍ୟମାନେ ପ୍ରସ୍ତୁତ ଅଛନ୍ତି ତ ?

 

ବ୍ୟକ୍ତିଜଣକ ସାଙ୍କେତିକ ଠାରରେ କ’ଣ ବୁଝାଇଦେଇ ପ୍ରସ୍ଥାନ କଲା ।

 

ଏଥର ଦେବାଶୀଷବାବୁ ଓ ଶୁଭେନ୍ଦ୍ରବାବୁ ସେଇ ଅନୁଚ୍ଚ ପ୍ରାଚୀନ ଉପରକୁଉଠି ପ୍ଳାଷ୍ଟିକ୍ ଦଉଡ଼ି ସାହାଯ୍ୟରେ ଶାରଦା କଳାନିକେତନ ଛାତ ଉପରକୁ ଉଠିଲେ ଏବଂ ଧୀରେ ଧୀରେ ଶିଡ଼ିରେ ତଳକୁ ଖସିବାକୁ ଲାଗିଲେ । ପ୍ରତ୍ୟେକ ଘରେ ଚାବିଦିଆ ତାଲାମାନ ଝୁଲୁଥିଲା ।

 

ଘରଭିତରେ କେବଳ ଅନ୍ଧକାରର ରାଜତ୍ଵ । ବାହାର ଘର ଭିତରକୁ ଆସି ଦେବାଶୀଷବାବୁ ହାତମାରି ଦେଖନ୍ତି ତ ତାହା ଦାଣ୍ଡପଟୁ ବନ୍ଦ ଅଛି । ସୁଇଚ୍ ଟିପି ଘରଗୁଡ଼ିକୁ ଆଲୋକିତ କରିବାପାଇଁ ପ୍ରବଳ ଉତ୍କଣ୍ଠା ଥିଲେ ବି ମନରେ ଯଥେଷ୍ଟ ଭୟ ଆସୁଥାଏ ।

 

ସୁମୀତାର କକ୍ଷଟିକୁ ଚିହ୍ନିବାରେ ଦେବାଶୀଷବାବୁ ଓ ଶୁଭେନ୍ଦ୍ରବାବୁଙ୍କୁ କୌଣସି କଷ୍ଟ ସ୍ଵୀକାର କରିବାକୁ ପଡ଼ିନଥିଲା । କାରଣ ଦୁଇଥର ସେମାନେ ସେଇ କକ୍ଷରେ ସୁମୀତାଙ୍କୁ ଅତାଥ୍ୟ ଦେଇ ଧନ୍ୟ କରିଛନ୍ତି ।

 

ଡୁପ୍‍ଲିକେଟ ଚାବି ସାହାଯ୍ୟରେ କକ୍ଷଟିକୁ ଖୋଲିଦେଲେ ଦେବାଶୀଷବାବୁ । ଚୋରାବତୀ ସାହାଯ୍ୟରେ ଘରର ଟିକିନିଖ ଖୋଜିବାକୁ ଲାଗିଲେ ମାତ୍ର ଶେଷରେ ହତାଶ ହେବାକୁ ପଡ଼ିଲା । କେବଳ କେତୋଟି ପରିଚିତ ଟ୍ରଙ୍କ୍ ସୁଟକେଶ୍ ଛଡ଼ା ଅନ୍ୟକିଛ ଦେଖିବାକୁ ମିଳିଲା ନାହିଁ ।

 

ଶୁଭେନ୍ଦ୍ରବାବୁ ଚାପା କଣ୍ଠରେ କହିଲେ, ମୁଁ ଆପଣଙ୍କୁ କହୁଛି, ସେମାନଙ୍କୁ ମୁଁ ସ୍ପଟ୍ ଉପରେ ଗିରଫ୍ କରିବାକୁ, ମାତ୍ର ଆପଣ କେବଳ ଅନ୍ଧାରରେ ବାଡ଼ି ବୁଲାଇ ଭୁଆଁ ବୁଲୁଛନ୍ତି ।

 

ଦେବାଶୀଷବାବୁ କହିଲେ, ଆପଣ ଭାଙ୍ଗିପଡ଼ନ୍ତୁ ନାହିଁ । ଏ ପ୍ରକୋଷ୍ଠ ମଧ୍ୟରେ ଏପରି ଏକ ଗୁପ୍ତସ୍ଥାନ ଅଛି ଯେଉଁଠି ସୁମୀତା ତା’ର ଆବଶ୍ୟକୀୟ ବିଶ୍ଵସ୍ତ କାଗଜପତ୍ର ଓ ଅନ୍ୟାନ୍ୟ ଜିନିଷମାନ ଲୁଚାଇ ରଖିଛି । ଆମକୁ ଖୋଜି ବାହାର କରିବାକୁ ପଡ଼ିବ ।

 

କାନ୍ଥ ବାଡ଼ ଚଟାଣକୁ ମଧ୍ୟ ଟିକିନିଖି ଭାବରେ ଦେଖିବାକୁ ଲାଗିଲେ ଦେବାଶୀଷବାବୁ । ହଠାତ୍ ଦକ୍ଷିଣପଟ କାନ୍ଥରେ ଏକ କ୍ଷୁଦ୍ର ବ୍ଲାକ୍ ସ୍ପଟ ପରି ଏକ କ୍ଷୁଦ୍ର ସୁଇଚ୍ ଓ ଟିପିଲେ ତାହା ଭିତରକୁ ଦବିଯାଉଛି । ଦେବାଶୀଷବାବୁ ଆନନ୍ଦରେ ଅଧୀର ହୋଇ ସୁଇଚ୍‍ଟିକୁ କିଛି ସମୟ ଚିପିଧରିଲେ ।

 

ଅନ୍ତତଃ ପାଞ୍ଚ ସାତ ମିନିଟ୍ ପରେ ଏକ କବାଟ ମୃଦୁଶବ୍ଦ ସୃଷ୍ଟିକରି ଅପସରି ଯିବାକୁ ଲାଗିଲା । ଏହା ଏକ କ୍ଷୁଦ୍ର କକ୍ଷ । ସେଇ କକ୍ଷ ମଧ୍ୟରେ ଦେବାଶୀଷବାବୁ ପ୍ରବେଶ କଲେ ଓ ସେଇ କବାଟକୁ ଶୁଭେନ୍ଦ୍ରବାବୁ ତାଙ୍କର ସମସ୍ତ ଶକ୍ତି ଦେଇ ଠେଲିଧରିଲେ । କକ୍ଷର ଗୋଟିଏ କୋଣରେ ଏକ ଲୁହାର ସିନ୍ଧୁକ ଥୁଆ ହୋଇଥିଲା । ନିଜ ଚାବିମାଳାରୁ କେତୋଟି ଚାବି ପରୀକ୍ଷାମୂଳକଭାବେ ଲଗାଇ ଖୋଲିବାକୁ ଚେଷ୍ଟାକଲେ ଦେବାଶୀଷବାବୁ । ସୌଭାଗ୍ୟକୁ ଗୋଟିଏ ଚାବିରେ ଲୁହାର ସିନ୍ଦୁକଟି ଖୋଲିଗଲା ।

 

ବିଷ୍ଫାରିତ ନେତ୍ରରେ ଦେବାଶୀଷବାବୁ ଚାହିଁ ରହିଲେ ଲୁହାସିନ୍ଧୁକ ଭିତରେ ଥିବା ବିପୁଳ ଐଶ୍ୱର୍ଯ୍ୟକୁ । ବିଡ଼ା ବିଡ଼ା ନୋଟ୍‍ର ମମତା ଅପେକ୍ଷା ତାଙ୍କୁ ଆକୃଷ୍ଟ କଲା ଦୁଇପଟ ଓଜନଦାର ସୁନାର ଚୁଡ଼ି ଓ ଗୋଟିଏ ସଦୃଶ୍ୟ ବନ୍ଧେଇ ଖାତା । ବନ୍ଧେଇ ଖାତାଟି ଖୋଲିଦେଇ ପଢ଼ିଲେ ଦେବାଶୀଷବାବୁ ‘ରାଜେଶ ଗୁପ୍ତ’ ।

 

ଡାଇରି ବହିଟି ଓ ସୁନାଚୁଡ଼ି ଦୁଇପଟକୁ ପକେଟରେ ରଖି ଲୁହା ସିନ୍ଧୁକଟି ବନ୍ଦକରି କକ୍ଷଭିତରୁ ବାହାରିଆସିଲେ ଦେବାଶୀଷବାବୁ । ଶୁଭେନ୍ଦ୍ରବାବୁ ଆଶ୍ଚର୍ଯ୍ୟ ହେଲେ, ଅପର୍ଯ୍ୟାପ୍ତ ଅର୍ଥ ଆଖିଆଗରେ ଦେଖି ମଧ୍ୟ ଦେବାଶୀଷବାବୁ ତାକୁ ସ୍ପର୍ଶ ସୁଦ୍ଧା କରିନଥିଲେ ।

 

ଶୁଭେନ୍ଦ୍ରବାବୁଙ୍କର ହିଂସ୍ର ପୋଲିସ ଜିଭ ଲାଳେଇଉଠିଥିଲା ମାତ୍ର ସେ ଉପାୟହୀନ । ସମଗ୍ର ଜୀବନକାଳ ଭିତରେ ଏତେ ଅର୍ଥ ସେ ଉପାର୍ଜନ କରିପାରିବେ କି ନାହିଁ ସନ୍ଦେହ ।

 

ସୁମୀତାର କକ୍ଷ ବନ୍ଦକରି ସାରିଥିଲେ ଦେବାଶୀଷବାବୁ । ଅନ୍ୟାନ୍ୟ କକ୍ଷଗୁଡ଼ିକ ବାହାରପଟୁ ବନ୍ଦ ଥିଲା । ପ୍ରତ୍ୟେକ କକ୍ଷ ନିକଟରେ କିଛିକ୍ଷଣ ଲେଖାଏଁ ଅପେକ୍ଷାକରି ଫେରିଆସୁଥିବାବେଳେ ହଠାତ ଶୁଭେନ୍ଦ୍ରବାବୁ କହିଲେ–ଦେଖନ୍ତୁ, ଏ ଘରଭିତରେ ଯେପରି କାହାରି ନିଶ୍ଵାସ ପ୍ରଶ୍ୱାସର ଶବ୍ଦ ଜଣାପଡ଼ୁଛି ଏବଂ ମଝିରେ ମଝିରେ ଗଁ ଗଁ ହେଲାଭଳି ମନେହେଉଛି ।

 

ଦେବାଶୀଷବାବୁ ସ୍ଥାଣୁପରି କାନପାରି ଛିଡ଼ାହେଲେ । ତା’ପରେ ଶୁଭେନ୍ଦ୍ରବାବୁଙ୍କ ହାତଧରି ଏକରକମ ଦୂରକୁ ଟାଣିନେଇ କହିଲେ, ଆପଣଙ୍କର ସନ୍ଦେହ ଅଭ୍ରାନ୍ତ । ସେଇ ଅପରିଚିତ ପତ୍ରପ୍ରେରକକୁ ବୋଧହୁଏ ଘରେ ବନ୍ଦ କରି ରଖାଯାଇଛି । ଆସନ୍ତୁ !

 

ଆଶ୍ଚର୍ଯ୍ୟ ? ଯାହା ସକାଶେ ଆପଣ ଆଜି ଏ ନର୍କପୁରୀର ସନ୍ଧାନ ପାଇଲେ ତାକୁ ଏଭଳି ଅସହାୟ ଅବସ୍ଥାରେ ଛାଡ଼ିଦେଲେ ?

 

ଶୁଭେନ୍ଦ୍ରବାବୁ ପଚାରିଲା ଆଖିରେ ଚାହିଁ ରହିଲେ ।

 

ସ୍ମୀତ ହସି ଦେବାଶୀଷବାବୁ କହିଲେ, ଆସନ୍ତୁ ପରେ ଜାଣିବେ, ସୁମୀତା ହିଁ ତାକୁ ମୁକ୍ତି ଦେବ । ତା’ର କୌଣସି କ୍ଷତି ହେବନାହିଁ ।

 

ଶୁଭେଦ୍ରବାବୁ କିଛି ବୁଝିପାରୁନଥିଲେ । ପୁଣି ସେଇ ପ୍ଲାଷ୍ଟିକ୍ ଗ୍ଲୋବ୍ ସାହାଯ୍ୟରେ ଚ୍ଛାୟାମୂର୍ତ୍ତି ଦୁଇଟି ଅତି ସତର୍କଭାବେ ପ୍ରାଚୀର ଉପରଦେଇ ତଳକୁ ଖସିଆସି ନିର୍ଜନ ଜନପଥ ଉପରେ ଆଗେଇବାକୁ ଲାଗିଲେ ।

 

ପଛରେ ବୁଲା କୁକୁର କେଇଟା ଭୁକୁଥିଲେ ବିକଟାଳ ଭାବେ ।

 

–ତେର–

 

ଦୁଇଦିନ ପରର ଘଟଣା ।

 

ଦେବାଶୀଷବାବୁଙ୍କ ଘରେ ଏକ ବନ୍ଧୁ ମିଳନର ଆସର ଜମିଥିଲା । ଏଥିରେ ଯୋଗଦେଇଥିଲେ ନିଜେ ପୋଲିସ ସାହେବ, ଟାଉନ୍ ଥାନା ଇନିସପେକ୍ଟର ଶୁଭେନ୍ଦ୍ରବାବୁ, ନିଜର ସହକାରୀ ସୁବାଷବାବୁ ଓ ଅନ୍ୟାନ୍ୟ ଛୋଟ ବଡ଼ ଅଫିସରମାନେ ।

 

ପୋଲିସ ସାହେବ ସାଫଲ୍ୟର ଗୌରବରେ ଉଲ୍ଲସିତ ହୋଇ ଦଇତାରୀ ପାହାଡ଼ର ବରି ଗୁମ୍ଫାରେ ଧରିଥିବା ଦସ୍ୟୁ ଦଳର କାହାଣୀ କହୁଥିଲେ । ଦସ୍ୟୁଦଳର କିପରି ଷଡ଼ଯନ୍ତ୍ର ହୋଇଥିଲା ସେ କଥା ବର୍ଣ୍ଣନାକଲାବେଳେ ସୁବାଷବାବୁ ଦୁଃଖରେ ପ୍ରକାଶ କଲେ, ଅବଶ୍ୟ ସମସ୍ତେ ଧରାପଡ଼ିଲେ ମାତ୍ର ମୁଁ ନିଜେ ଆଖିରେ ଦେଖିଥିଲି ଧର୍ଷିତା ସୁମୀତା ଦେବୀଙ୍କୁ–କିନ୍ତୁ ଦୁର୍ଦ୍ଦାନ୍ତମାନେ ହୁଏତ ତାଙ୍କୁ ଜୀବନରେ ମାରିଦେଇଛନ୍ତି କିମ୍ବା ସେ ଦଳର ସର୍ଦ୍ଦାର ତମକୁ ଅପହରଣ କରି ଅନ୍ୟତ୍ର ପଳାଇଯାଇଛି । ସମସ୍ତ ସଫଳତା ଭିତରେ କେବଳ ଏଇତକ ବିଫଳତା ପାଇଁ ମୋ ମନରେ ଯେଉଁ ଅବଶୋଷ ରହିଗଲା, ତାହା ଆଉ ଭୁଲିହେବାର ନୁହେଁ ।

 

ଦେବାଶୀଷବାବୁ ମନକଥା ଗୋପନରେ ଚାପିରଖି କହିଲେ, ସେଥିପାଇଁ ତମେ ମୋଟେ ଦୁଃଖିତ ହୁଅନାହିଁ ସୁବାଷ । ତମମାନଙ୍କ ଅଚାନକ ଆକ୍ରମଣ ଫଳରେ ଦୁର୍ବୃତ୍ତମାନେ କେବଳ ଧରାପଡ଼ିନାହାନ୍ତି, ସୁମୀତାଦେବୀଙ୍କୁ ସେମାନେ ଛାଡ଼ିଦେଇଛନ୍ତି । ମିଥ୍ୟାକୁ ସତ୍ୟ କଥାରେ ପରିଣତ କରିବାରେ ଏକ ଅଦ୍ଭୁତ ଶୈଳୀରେ କହିଲେ, ଦସ୍ୟୁଦଳ କବଳରୁ ରକ୍ଷାପାଇଁ ସୁମୀତାଦେବୀ ତାଙ୍କର ଜଣେ ବନ୍ଧୁଙ୍କ ଘରେ ବର୍ତ୍ତମାନ ବିଶ୍ରାମ କରୁଥିବାର ସମ୍ବାଦ ମୁଁ ପାଇଛି । ହୁଏତ ଖୁବ୍ କମଦିନ ମଧ୍ୟରେ ଆମେମାନେ ନିରାପଦରେ ପୁଣି ତାଙ୍କୁ କୌଣସି ରଙ୍ଗମଞ୍ଚରେ ଦେଖିବାକୁପାଇବା ।

 

ସମସ୍ତେ ଆଶ୍ଚର୍ଯ୍ୟ ଆଖିରେ ଦେବାଶୀଷବାବୁଙ୍କୁ ବିସ୍ମୟରେ ଚାହିଁଲେ ।

 

ଦେବାଶୀଷବାବୁ ବିଜୟର ହସ ହସୁଥିଲେ ।

 

ଦେବାଶୀଷବାବୁଙ୍କର ପରାମର୍ଶରେ ନିଜେ ପୋଲିସ ସାହେବ ସଦଳବଳେ ଯାତ୍ରା କରିଥିଲେ । ଯାଜପୁର ପୋଲିସ ସାହାଯ୍ୟରେ ସୁବାଷଙ୍କ ନେତୃତ୍ଵରେ ସେମାନେ ବରିଗୁମ୍ଫାରେ ଦସ୍ୟୁଦଳକୁ ଅଚାନକ ଭାବେ ଘେରାଉ କରିଥିଲେ ଓ ସାମାନ୍ୟ ସଂଘର୍ଷ ପରେ ସେଇଠାରେ ସେମାନେ ମାସୁକ୍ ଏବଂ ଦଳର ଅନ୍ୟ ବାରଜଣ ଅନୁଚରଙ୍କ ସହିତ ବହୁ ଧନସମ୍ପତ୍ତି ଓ ତଥ୍ୟ ସମ୍ବଳିତ କାଗଜପତ୍ରମାନ ମଧ୍ୟ ଜବତ୍ କରି ପରଦିନ କଟକ ଫେରିଆସିଥିଲେ ।

 

ସମସ୍ତ ଘଟଣା ସୁବାଷ ମୁହଁରୁ ଶୁଣିସାରି ଦେବାଶୀଷବାବୁ ବୁଝିପାରିଥିଲେ ଦଳର ସର୍ଦ୍ଦାର ଓ କେତେଜଣ ନେତୃସ୍ଥାନୀୟ ବ୍ୟକ୍ତି ସୁମିତା ସହିତ ପୋଲିସ୍ ଆଖିରେ ଧୂଳିଦେଇ ନିର୍ଦ୍ୱନ୍ଦରେ ଖସିଆସିଛନ୍ତି ଏବଂ ସେମାନେ ଖୁବ୍‍ଶୀଘ୍ର ଶାରଦା କଳାନିକେତନରେ ଧରାହେବେ । ସେଥିପାଇଁ ସେ ଯୋଜନାମାନ ପ୍ରସ୍ତୁତକରି ସେ ମୁହୂର୍ତ୍ତକୁ ଅପେକ୍ଷା କରି ବସିଥିଲେ ଏବଂ ଏ ସମ୍ପର୍କରେ କିଞ୍ଚିତ ଆଭାଷ ସୁଭେନ୍ଦ୍ରବାବୁଙ୍କୁ ମଧ୍ୟ ଦେଇଥିଲେ ।

 

ଚା’ ପାନ ପରେ ସଭା ମଉଳିଲା । ଦିନ ବି ଏଗାରଟାରୁ ଅଧିକ ହୋଇଯାଇଥିଲା । ସମସ୍ତଙ୍କୁ ବିଦାୟ ଦେବା ପୂର୍ବରୁ ପୋଲିସ୍ ସାହେବଙ୍କୁ ଦେବାଶୀଷବାବୁ କହିଲେ, ଗିରଫ୍ ହୋଇଥିବା ବ୍ୟକ୍ତି ଓ ଜବତ୍ ହୋଇଥିବା ଜିନିଷର ଏକ ବିସ୍ତୁତ ତାଲିକା ସହିତ ଘଟଣାଟି ଆପଣ ଦୈନିକ ସମ୍ବାଦପତ୍ରମାନଙ୍କୁ ଦେଇଦିଅନ୍ତୁ ଏବଂ ସେହି ସମ୍ବାଦର ଶେଷରେ “ଏକ ଆତତାୟୀ ଦଳର ଚିରଦିନ ପାଇଁ ଅବସାନ ଘଟିଲା” ବୋଲି ଯେପରି ବାହାରେ ସେଥିପାଇଁ ସମ୍ପାଦକଙ୍କୁ ନିଜେ ଅନୁରୋଧ କରିବେ । ପୋଲିସ ସାହେବ କହିଲେ, ମୁଁ ତ ନିଜେ ସମ୍ପାଦକଙ୍କ ପାଖକୁ ଯିବାପାଇଁ ସମସ୍ତ ସମ୍ୱାଦ ଡ୍ରାଫ୍ କରି ରଖିଛି । କେବଳ ଆପଣଙ୍କର ପରାମର୍ଶକୁ ଅପେକ୍ଷା କରିଥିଲି ମାତ୍ର ।

 

ଦେବାଶୀଷବାବୁ ହସହସ ମୁହଁରେ, କରମର୍ଦ୍ଦନ କରି ସମସ୍ତଙ୍କୁ ବିଦାୟ ଦେଲେ । ଅନେକଦିନ ପରେ କଟକ ଫେରିଥିବାରୁ କେତୋଟି ଦରକାରୀ ଜିନିଷପତ୍ର କିଣି ସୁବାଷ ମଧ୍ୟ ପୋଲିସ ସାହେବଙ୍କ ଗାଡ଼ିରେ ବାହାରିଗଲା ।

 

ଦେବାଶୀଷବାବୁ ସେମାନଙ୍କ ଗତିପଥକୁ ଅନାଇ ରହି ମନେମନେ ହସୁଥିଲେ ଆଉ ଭାବୁଥିଲେ–ଉଚ୍ଚପଦଧାରୀ ଏଇ ଜୀବଗୁଡ଼ିକ ସାମାନ୍ୟ ବାହାଦୁରୀ ପାଇଁ କେଡ଼େ ବ୍ୟସ୍ତ । ଆଉ ଏମାନଙ୍କୁ ବୋକା ବନେଇ ଦସ୍ୟୁ ଦିନ ଦି ପହରେ ଭଦ୍ରତାର ଛଦ୍ମ ଖୋଳ ଭିତରେ ଅତ୍ୟାଚାର କରିଚାଲିଛି ଅଥଚ ସେ ଦିଗଟାକୁ ଏମାନଙ୍କର ମୋଟେ ଲକ୍ଷ୍ୟନାହିଁ ।

 

ଦେବାଶୀଷବାବୁ ନିଜ ଅଫିସ୍ ଘର ଭିତରକୁ ଫେରିଆସି ଚିନ୍ତାଶୀଳ ଭାବେ ବସିରହିଲେ ଓ ପୁରୁଣା କେତୋଟି ଫାଇଲ ଭିତରେ ନିଜକୁ ବୁଡ଼ାଇ ରଖିଲେ । ଦେବାଶୀଷବାବୁ ଭାବୁଥିଲେ, ସରକାର କେଡ଼େ ନିର୍ବୋଧ । ପାକିସ୍ତାନୀ ଅନୁପ୍ରବେଶକାରୀମାନେ କେବଳ କାଶ୍ମୀର ଅଞ୍ଚଳରେ ଦମନଲୀଳା ଚଳାଇନାହାନ୍ତି । ସାରାଭାରତର ଛତ୍ରେ ଛତ୍ରେ ଏମାନେ ଦୁଷ୍ଟବ୍ୟାଧି ଜୀବାଣୁ ପରି ଭରିଗଲେଣି ।

 

ହୁଏତ କେଇଟା ବର୍ଷ ମଧ୍ୟରେ ସେମାନେ ଏ ଦେଶକୁ ଶେଷ କରିଦେବେ । ହିନ୍ଦୁଧର୍ମର ସୃଜନକାମୀ ଓ ମୁକ୍ତିଭିଳାଷୀ ଦେବପୀଠ ଉପରେ ଇସ୍‍ଲାମ୍ ଧର୍ମର ଧ୍ଵଜା ଉଡ଼ାଇବାକୁ ବଦ୍ଧପରିକର ହେବେ ।

 

ହଠାତ୍ ଫାଟକ ପାଖରେ ତାଙ୍କର ବିରାଟକାୟ ଆସିଲେ–ସିୟାନ ‘ଜିମ୍’ ଲାଙ୍ଗୁଳ ପିଟି ଚିତ୍କାର କରିବାକୁ ଲାଗିଲା । ଦେବାଶୀଷବାବୁ ଝରକା ଦେଇ ବାହାରକୁ ଚାହିଁ ହସୁଥିଲେ । ନରହରି ସେତେବେଳକୁ ଜିମ୍‍କୁ ଆୟତ କରିସାରିଥିଲା । ଆଉ ଫାଟକ ଠେଲି ବିଷଣ୍ଣ ବଦନରେ ଧୀର ପଦକ୍ଷେପରେ ପ୍ରବେଶ କରୁଥିଲା ସୁମୀତା ।

 

ଦେବାଶୀଷବାବୁ ଖୁବ୍‍ଶୀଘ୍ର ସୁମୀତାକୁ ଆଶା କରୁଥିଲେ । ସେ ବାହାର ପୋର୍ଟିକୋ ନିକଟକୁ ଉଠିଯାଇ ସୁମୀତାକୁ ପାଛୋଟିଆଣି ନିଜ ସାମନା ଚେୟାରରେ ବସାଇଲେ ।

 

ସୁମୀତାର ଆଖିପତା ଫୁଲିଯାଇଥିଲା । ହୁଏତ ଗତ ରାତ୍ରିରେ ସେ ଯେମିତି ଖୁବ୍ କାନ୍ଦିଛି । ଆଖିର ବେଳାରୁ ସରୁ ସରୁ କଳାଗୁଡ଼ିକ ଲୁହର ପ୍ରବଳ ଊର୍ମିଘାତରେ ଧୋଇହୋଇ ଯାଇଥିବାର ଚିହ୍ନ ସୁସ୍ପଷ୍ଟ ଭାବେ ବାରିହେଉଥିଲା । ଯଥେଷ୍ଟ ଭାଙ୍ଗିପଡ଼ିଥିଲା ସୁମୀତା ।

 

ସମ୍ବେଦନଶୀଳ କଣ୍ଠରେ ପଚାରିଲେ ଦେବାଶୀଷବାବୁ, ତମର କ’ଣ ହୋଇଛି ସୁମୀତା, ତମେ ଅନେକ ଭାଙ୍ଗିପଡ଼ିଛ । କ’ଣ ଦେହ ଅସୁସ୍ଥ ଅଛି ? ସୁମୀତା ଛଳନାରେ ଫୁଲିଫୁଲି କାନ୍ଦିଉଠିଲା । ସେ କୋହ ଯେପରି ସ୍ଥିରହେବାର ନୁହେଁ । ନରହରି ଚା’ ଟ୍ରେ ଧରି କାଠ ପରି ଛିଡ଼ା ହୋଇଥିଲା । ଆଶ୍ଚର୍ଯ୍ୟରେ ।

 

ଏଭଳି ଦୃଶ୍ୟ ସେ ଜୀବନରେ ଅନେକ ଦେଖିଲାଣି ।

 

ଦେବାଶୀଷବାବୁଙ୍କ ଠାରୁ ବହୁ ଆଶ୍ୱାସନା ପାଇବା ପରେ ଅଦମ୍ୟ କୋହକୁ ସାମାନ୍ୟ ଦମନ କରି କାନ୍ଦୁରା କଣ୍ଠରେ ସୁମୀତା କହିଲା, ଆପଣ ମୋର ବାପା ଭଳି । ମୋର ଏ ଦୁର୍ଦ୍ଦିନରେ ମୋତେ ସାହାଯ୍ୟ କରନ୍ତୁ । ନଚେତ୍ ମୁଁ ଆତ୍ମହତ୍ୟା କରିବି ।

 

ଦେବାଶୀଷବାବୁ ମଧୁର କଣ୍ଠରେ କହିଲେ, ତମେ ପିଲାଙ୍କ ଭଳି ହୁଅନା ସୁମୀତା, ଧୈର୍ଯ୍ୟଧର । ଯଦି ତମର କୌଣସି ଦୁର୍ଘଟଣା ଘଟିଥାଏ ଶୀଘ୍ର ପ୍ରକାଶ କର, ଦେବାଶୀଷ ତମକୁ ତା’ ଜୀବନର ପ୍ରତିଦାନରେ ସାହାଯ୍ୟ କରିବ । ତମକୁ ସାହାଯ୍ୟ କରିବାରେ ମୁଁ କେବେ କୃପଣ ହେବିନାହିଁ ।

 

ଅନେକ ଚେଷ୍ଟାରେ ସୁମୀତା ସେତେବେଳକୁ କେତେକାଂଶରେ ପ୍ରକୃତିସ୍ଥା ହୋଇସାରିଥିଲା । ଅବିଚଳିତ କଣ୍ଠରେ କହିଲା, ଏକ ସାଂସ୍କୃତିକ ଉତ୍ସବର ନିମନ୍ତ୍ରଣ ପାଇ ମୁଁ ବାରିପଦା ଚାଲିଯାଇଥିଲି । ମୁଁ ଯେଉଁଦିନ ଯିବାପାଇଁ ବାହାରିଲି, ସେଦିନ ଭାଗ୍ୟକୁ ମୋର ମାଉସୀ ପୁଅ ଭାଇ ଆସି ପହଞ୍ଚିଲେ । ଆପଣ ତ ଜାଣନ୍ତି ସେ ପୁରୀ ଓ କୋଣାର୍କ ବୁଲି ଦେଖିବାପାଇଁ ଯାଇଥିଲେ ।

 

ହଁ, ହଁ, କ’ଣ ହେଲା ତାପରେ ? ଉଦବେଗ ପ୍ରକାଶ କରି ଦେବାଶୀଷବାବୁ ପଚାରିଲେ-

 

ମୋର ଅନୁପସ୍ଥିତି ଓ ତାଙ୍କ ନିର୍ବୋଧପଣିଆର ସୁଯୋଗ ନେଇ କେହି ଦୁର୍ବୃତ୍ତ ମୋ ଘରେ ପଶି ଭାଇଙ୍କୁ ବାନ୍ଧିପକାଇ ମୋର ମା’ ମୋତେ ଉପହାର ଦେଇଥିବା ଦୁଇପଟ ଦାମୀ ସୁନାର ଚୁଡ଼ି ଚୋରି କରିନେଇଛି ।

 

ଦେବାଶୀଷବାବୁ ଆଶ୍ଚର୍ଯ୍ୟରେ ଆଖି ଡିମା ଡିମା କରି ଅନେଇଲେ ସୁମୀତା ମୁହଁକୁ ଆଉ ପଚାରିଲେ, ଆଉ କିଛି ନେଇଛି କି ?

 

ନା, ତେବେ ଆଉ କ’ଣ ଚୋରି ହୋଇଛି ମୁଁ ଏ ପର୍ଯ୍ୟନ୍ତ ଜାଣେନା । ଗତକାଲି ରାତ୍ରିରେ ମୁଁ ବାରିପଦାରୁ ଫେରି ଦେଖିଲି ମୋ ଆଇରନ୍ ଚେଷ୍ଟରୁ ଚୁଡ଼ି ଚୋରି ହୋଇଯାଇଛି । ମୋ ନିକଟରେ ମୋ ମା’ଙ୍କର ତାହା ହେଉଛି ସର୍ବଶ୍ରେଷ୍ଠ ଓ ସର୍ବଶେଷ ଦାନ । ମୁଁ କେବଳ ମୋ ଜନ୍ମଦିନରେ ସେ ଚୁଡ଼ି ବ୍ୟବହାର କରେ । ତା’ପରେ ପରେ ସୁମୀତାର କଣ୍ଠ କ୍ରମେ ଭଗ୍ନ ହୋଇପଡ଼ିଲା । ସେ କହିବାକୁ ଲାଗିଲା, ଆପଣଙ୍କୁ କୃତାଞ୍ଜଳି ପୁଟରେ ପ୍ରାର୍ଥନା, ମୋ ଚୁଡ଼ି କିପରି ମୁଁ ଫେରିପାଇବି ଦୟାକରି ମୋତେ ସାହାଯ୍ୟ କରନ୍ତୁ ।

 

କିଛି ସମୟ ଗୁମ୍‍ ରହି ଦେବାଶୀଷବାବୁ କହିଲେ ଏଥିପାଇଁ ସମୟ ଦରକାର ସୁମୀତା–ଏତେ ସହସା...ଦେବାଶୀଷବାବୁଙ୍କୁ କଥାକୁହାଇ ନ ଦେଇ ସୁମୀତା କହିଲା, କିନ୍ତୁ ଆଉ ଯେ ସମୟ ମୋ ହାତରେ ନାହିଁ...ମୁଁ ଆଉ ମୋଟେ ଅପେକ୍ଷା କରିପାରେନା... ।

 

ମାନେ ଦେବାଶୀଷବାବୁ ପ୍ରଶ୍ନକଲେ ।

 

ସୁମୀତା ଧୀର କଣ୍ଠରେ କହିଲା, କାଲିଛାଡ଼ି ପଅରଦିନ ମୋର ଜନ୍ମଦିନ । ସେଇ ଦିନକ ପାଇଁ ମୋର ସେ ଚୁଡ଼ି ପିନ୍ଧିବାର କଥା । ନଚେତ୍ ମୋ ମା’ଙ୍କର ଅଶରୀରୀ ଆତ୍ମା ଶାନ୍ତି ପାଇବନାହିଁ ।

 

ଦେବାଶୀଷବାବୁ ସ୍ମୀତହସ ଉକୁଟାଇ କହିଲେ, ତମେ କ’ଣ ମନେକରୁଛ ସୁମୀତା, ସେଇ ବିଶାଳ ନଖଦନ୍ତ ସମ୍ପନ୍ନ ବ୍ୟକ୍ତି ଯେ କି ତମକୁ ଦିନେ ପାରାଡ଼ାଇଜରେ ଆକ୍ରମଣ କରିବାକୁ ଆସିଥିଲା, ସେ ଏଇ କାଣ୍ଡ କରିଛି ?

 

ସୁମୀତାର ମୁହଁର ଜ୍ୟୋତି ମଉଳିଗଲା । ଛନ୍ଦହୀନ ଗଳାରେ କହିଲା, ତା’ ମୁଁ ଜାଣିଥିଲେ ସିଧା ପୋଲିସରେ ନ ଦେଇ ଆପଣଙ୍କୁ କାହିଁକି କହିଥାନ୍ତି ?

 

ଦେବାଶୀଷବାବୁ ହସିଲେ କହିଲେ, ଓଡ଼ିଶା ପୋଲିସ ଅପାରଗ, ତମେ ତ ଜାଣିଛ । କେତେ କେତେ ଘଟଣା ୟାଭିତରେ ଘଟିଯାଇଛି । ପୋଲିସ କିନ୍ତୁ କରିଛି କ’ଣ ? କେବଳ ତଦନ୍ତ କରିଚାଲିଛି । ଫଳ କିଛି ନାହିଁ ।

 

ସେଇଥିପାଇଁ ଓଡ଼ିଶା ପୋଲିସଙ୍କ ଉପରୁ ଆସ୍ଥା ହରାଇ ମୁଁ ଆପଣଙ୍କ ପାଖକୁ ଆସିଛି । ନଚେତ୍ ମୋର ଜନ୍ମଦିନ ଆସିଛି । ମତେ ସାହାଯ୍ୟ ଉତ୍ସବ ପାଳନ ବନ୍ଦହେବ ଏବଂ ମୁଁ ଆତ୍ମହତ୍ୟା କରିବି ।

 

ଦେବାଶୀଷବାବୁ ହସିଲେ, କହିଲେ ପିଲାଙ୍କ ଭଳି ହେଲେ କାର୍ଯ୍ୟସିଦ୍ଧି ହୁଏନାହିଁ । ତେବେ ତମକୁ କନ୍ୟାଦୃଷ୍ଟିରେ ମୁଁ ସ୍ନେହ କରୁଥିବାରୁ ପ୍ରତିଶ୍ରୁତି ଦେଉଛି, ତମ ଜନ୍ମଦିନ ଉତ୍ସବକୁ ପ୍ରତିବର୍ଷ ଭଳି ତମେ ମହାସମାରୋହରେ ପାଳନ କର । ମୁଁ ଯେମିତିହେଲେ ତମ ଅପହୃତ ଚୁଡ଼ିର ବ୍ୟକ୍ତିକୁ ଧରିଦେବି ।

 

ଏ ବିଶ୍ଵାସ ମୋର ଆପଣଙ୍କ ଉପରେ ଅଛି । ଏକା ଓଡ଼ିଶା ସାରା ଭାରତରେ ଆପଣଙ୍କ ଭଳି ସୁଚତୁର ଗୋଇନ୍ଦା ଦ୍ଵିତୀୟ କେହି ନାହିଁ । ତେଣୁ ଆପଣଙ୍କ ଉପରେ ବିଶ୍ଵାସ ନରଖି ଉପାୟ ନାହିଁ । ସୁମୀତା ମୁହଁରେ ଆତ୍ମପ୍ରତ୍ୟୟର ଚିହ୍ନ ଫୁଟିଉଠିଲା । ସେ ତା’ ଭ୍ୟାନିଟି ବ୍ୟାଗ୍ ଭିତରୁ କେଇଖଣ୍ଡ ନିମନ୍ତ୍ରଣ କାର୍ଡ଼ ବାହାର କରି ଦେବାଶୀଷବାବୁଙ୍କ ହାତରେ ଧରାଇଦେଲା ।

 

ଦେବାଶୀଷବାବୁ ହସି ହସି କହିଲେ, କାମ ନ ଦେଖି ତମେ ମୋର ଅଯଥା ପ୍ରଶସ୍ତି ଗାଇଗଲ ସୁମୀତା । ଆଚ୍ଛା ଦେଖେ ମୁଁ ତୁମକୁ କିଭଳି ସାହାଯ୍ୟ କରିପାରେ ?

 

ଚା’ପାନ ପରେ ସୁମୀତା ଉଠିଲା । କିଛିବାଟ ବଳେଇ ଦେଇ ଦେବାଶୀଷବାବୁ ଫେରିଆସିଲେ । ନରହରି କହିଲା, ଭଲ ଝିଅଟିଏ ବାବୁ; ଚୁଡ଼ି ଦି’ପଟ ପାଇଁ ଏତେ କାନ୍ଦୁଛି ?

 

ଦେବାଶୀଷବାବୁ । ହୋ ହୋ ହୋଇ ହସିଉଠି କହିଲେ, ନାରୀ ରହସ୍ୟମୟୀ ନରହରି । ଗୋଟିଏ ନାରୀ ପାଇଁ ସୁନାରଲଙ୍କା ଚୂନାହେଲା, ଗୋଟିଏ ନାରୀ ପାଇଁ କୌରବ ଭଳି ବିରାଟ ରାଜବଂଶ ଧ୍ଵଂସହେଲା ।

 

ନରହରି କିଛି ବୁଝିଲା କି ନାହିଁ କେଜାଣି, କିନ୍ତୁ ବାବୁଙ୍କର କଡ଼ା ହସରେ ଚମକିଉଠି ଜିଭ କାମୁଡ଼ି ପକାଇଲା ।

 

–ଚଉଦ–

 

ଶାରଦା କଳାନିକେତନ ।

 

ସମୟ ରାତି ଦଶଟା ପାଖାପାଖି ହେବ ।

 

ବହୁବର୍ଣ୍ଣୀ ଆଲୋକମାଳାରେ ସଜ୍ଜିତ ହୋଇ ସହର ଉପକଣ୍ଠରେ ଥିବା ଏହି ସୌଧଟି ଆଜି ସୁମୀତାର ଜନ୍ମୋତ୍ସବ ଦିନରେ ହସିଉଠିଛି । ସନ୍ଧ୍ୟାବେଳୁ ସୁମୀତା ନିଜେ ନିମନ୍ତ୍ରିତ ଅତିଥିମାନଙ୍କୁ ସ୍ଵାଗତ ସମ୍ଭାଷଣ ଜଣାଇ ହଲରେ ବସାଉଛି । ଚା’ ପରିବେଷଣ କରୁଛି । ଜନ୍ମଦିନରେ ଆଶୀର୍ବାଦ ଓ ଉପହାର ଗ୍ରହଣ କରୁଛି ।

 

ପାଦରେ ଅଳସ ନାହିଁ । ଅବୟବର ଅପରୂପ ଶୋଭା ସମ୍ଭାର ସାଥିରେ ଆଖିରେ ବନ କୁରଙ୍ଗୀର କଟାକ୍ଷ ଆଗନ୍ତୁକ–ମାନଙ୍କୁ ତନ୍ମୟ କରି ରଖିଛି । କେହି ସାମାନ୍ୟ ସ୍ପର୍ଶ, କେହି ମୁହୂର୍ତ୍ତକର ସାନିଧ୍ୟ ପାଇଁ ତା’ ପାଖକୁ ପାଗଳ ପରି ଛୁଟିଛନ୍ତି ।

 

ନିଆଁ ପାଖକୁ ଟାଣି ହୋଇ ଯିବାର ମୋହକୁ ପତଙ୍ଗ କ’ଣ ଛାଡ଼ିପାରେ ?

 

ନିଜହାତରେ ଛୋଟ ଘଣ୍ଟାରେ ନ’ଟା ବାଜିଯାଇଥିଲା । ହଠାତ୍ ଆନମନା ହୋଇଉଠି ସୁମୀତା ସମସ୍ତଙ୍କଠାରୁ ବିଦାୟନେଲା । କାରଣ ତାକୁ ଷ୍ଟେଜ୍ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ । ଜନ୍ମଦିନ ମହୋତ୍ସବରେ ଯୋଗଦେଇଥିବା ଅତିଥିମାନଙ୍କର ଚିତ୍ତବିନୋଦନ ପାଇଁ ସାମାନ୍ୟ ନୃତ୍ୟ ପରିବେଷଣ ଏଜେଣ୍ତାର ଅନ୍ତର୍ଭୁକ୍ତ ।

 

ଆଗ ସିଟରେ ବସିଥିବା ଦଳଙ୍କ ଭିତରେ ନିଜେ ଏସ୍‍.ପି. ଥିଲେ । ସେ ସୁବାଷକୁ ହଲେଇଦେଇ କହିଲେ, ତମେ ଏକା ଆସିଛ, ଦେବାଶୀଷବାବୁ କାହାନ୍ତି ?

 

ସୁବାଷ କହିଲା, ସେ ଆସିବେ । ମତେ କେବଳ କହିଛନ୍ତି କ’ଣ ତାଙ୍କର ଜରୁରୀ କାମ ଥିବାରୁ ଆସିବାରେ ସାମାନ୍ୟ ବିଳମ୍ବ ଘଟିପାରେ ।

 

ଏସ୍.ପି. କହିଲେ, ଆଜି ସମ୍ବାଦପତ୍ର ପଢ଼ିଛନା ?

 

ହଁ ସାର୍, ସୁନ୍ଦରଭାବେ ଟିକିନିଖି ବିବରଣୀ ଆପଣ ଦେଇଛନ୍ତି ।

 

କକ୍ଷର ଆଲୋକ ନିର୍ବାପିତ ହେଲା । ପାଦ ପ୍ରଦୀପର ତୀବ୍ର ଶିଖାରେ ରୂପମୟୀ ସୁମୀତାର ତେଜ ଝଲସିଉଠିଲା ମଞ୍ଚଉପରେ; ବାଦ୍ୟଯନ୍ତ୍ରର ଐକ୍ୟ ତାନରେ କକ୍ଷର ବାୟୁମଣ୍ଡଳ ମୁଖରିତ ହୋଇଉଠିଲା ।

 

ସମସ୍ତେ ଏକଲୟରେ ଚାହିଁରହିଲେ ସୁମୀତାକୁ । ତା’ର ନୃତ୍ୟକୁଶଳୀ ତନୁ ବଲ୍ଲରୀର ଦୋକାନକୁ ।

 

ଗୁପ୍ତ କକ୍ଷରେ ଚାପା କଣ୍ଠରେ ପଚାରିଲେ ଯୁବକ ଜଣକ କ’ଣ ସବୁ ପ୍ରସ୍ତୁତ ହାସୀନା ?

 

ହଁ ! ତମେ ସବୁ ବନ୍ଧାବନ୍ଧି ସାରିଲଣି ? ସୁଲେମାନ୍ ଦେବାଶୀଷ ଘର ଖାନ୍‍ତଲାସ କରିଥିଲା । ଚୁଡ଼ି ପାଇଲା ନାହିଁ । ବିଚରା ‘ଜିମ’କୁ ଗୁଳିକରି ଦେଇଛି; ସେଇଟା ଦେବାଶୀଷର ଖୁବ୍ ପ୍ରିୟ ଥିଲା । ଦେବାଶୀଷ ଘରେ ନାହିଁ । ଅଥଚ ଏଠିକି ବି ଆସିନାହିଁ । ମୋର ଭାରି ସନ୍ଦେହ ହେଉଛି । ହାସିନା ଉତ୍ତରଦେଲା ।

 

ଯୁବକ ଚାପା ହସ ହସି କହିଲେ, ସେ ତମକୁ ଚୁଡ଼ି କିମ୍ବା ଚୁଡ଼ି ଚୋରି କରିଥିବା ବ୍ୟକ୍ତିକୁ ଧରିଦେବ ବୋଲି କହିଥିଲା । ଆଜି ତା’ର ଶେଷଦିନ । କିନ୍ତୁ ପାରିଲା ନାହିଁ । ପରାଜୟର ଗ୍ଲାନିରେ ଆଉ ମୁହଁ ଦେଖେଇପାରିବ କେମିତି ?

 

ହୁଁ, ଗମ୍ଭୀର କଣ୍ଠରେ କହିଲା ହାସିନା । ସମସ୍ତେ ବର୍ତ୍ତମାନ ନୃତ୍ୟ ଦେଖିବାରେ ବ୍ୟସ୍ତ । ଆମପାଇଁ ଏଇ ହେଉଛି ଚରମ ମୁହୂର୍ତ୍ତ । ଆଗେଇଚାଲ । ଓଡ଼ିଶାରୁ କାମ ସରିଛି । ଏ ସ୍ଥାନ ଆଉ ଆମପାଇଁ ଅନୁକୂଳ ନୁହେଁ । କୂଳରେ ଡଙ୍ଗା ପ୍ରସ୍ତୁତ ଅଛି ତ ?

 

ଅନେକ ଆଗରୁ । ଯୁବକ ନିର୍ଭୟ କଣ୍ଠରେ ଉତ୍ତରଦେଲେ । ଚୋରାବତୀ ଜାଳି କଳାମୁଖା ପରିଧାନ କରିଥିବା ଛାୟାମୂର୍ତ୍ତି ଦୁଇଟି ଅଗ୍ରସର ହେଲେ ।

 

ନଦୀକୂଳରେ ଅଦୂରରେ କେତୋଟି କଳା କଳା ଜୀବ ଅସ୍ପଷ୍ଟଭାବେ ଦିଶୁଥିଲେ । ସେ ଯେପରି କାହାକୁ ପ୍ରତୀକ୍ଷା କରୁଥିଲେ । ହଠାତ୍ ପାଣିକୂଳକୁ ଲାଗିଆସିଥିବା ପାହାଚର ବଡ଼ ବଡ଼ ପଥର ତିନିଖଣ୍ଡ ପାଣି ଭିତରକୁ ଭୁଷ୍‍କରି ଖସିପଡ଼ିଲା । ଆଉ ସେଇ ବିରାଟ ଗର୍ଭ ଭିତରୁ କେତେଜଣ ବାହାରିଆସି କ’ଣ ସବୁ ଡଙ୍ଗାରେ ଲଦିବାକୁ ଆରମ୍ଭ କଲେ । ତା’ପରେ ସମସ୍ତେ ଡଙ୍ଗାରେ ବସିଲେ । ପୂର୍ବରୁ ଅସ୍ପଷ୍ଟ ଚିହ୍ନପରି ଦିଶୁଥିବା ଜୀବଗୁଡ଼ିକ ନିକଟତର ହେଲେ । ତା’ପରେ କେହି ଜଣେ ତାଙ୍କ ଭିତରୁ ଛୁଟିଆସି ଚିତ୍କାର କରିଉଠିଲା–‘ହାଣ୍ଡସ୍ ଅପ୍ ।’

 

ଡଙ୍ଗାର ଆରୋହୀଗୁଡ଼ିକ ଏ ଅବସ୍ଥାର ମୁକାବିଲା କରିବାପାଇଁ ପ୍ରସ୍ତୁତ ହେଉଥିବାବେଳେ, ଆଦେଶ ଦେଉଥିବା ବ୍ୟକ୍ତି ଜଣକ କଠୋର କଣ୍ଠରେ କହିଲେ, ସାବଧାନ ! ପକେଟରୁ ରିଭଲ୍‍ଭର କାଢ଼ିବାର ଚେଷ୍ଟା କଲେ ଏକାବେଳକେ ଶହ ଶହ ରାଇଫଲ୍ ଗର୍ଜିଉଠି ତମକୁ ଏଇଠି ଜୀବନ୍ତ ସମାଧୀ ଦେବ ।

 

ଆରୋହୀମାନେ ତାଙ୍କର ଚତୁଃପାର୍ଶ୍ୱକୁ ଚାହିଁଲେ । ଶହ ଶହ ବନ୍ଧୁକଧାରୀ ପୋଲିସ୍ ସେମାନଙ୍କଆଡ଼କୁ ବନ୍ଧୁକ ଦେଖାଇ ଛିଡ଼ା ହୋଇଛନ୍ତି । ଆରୋହୀମାନେ ଅଗତ୍ୟା ହାତ ଉପରକୁ ଟେକି ଠିଆହେଲେ ।

 

ଦେବାଶୀଷବାବୁ ସେମାନଙ୍କ ହାତରେ ହାତକଡ଼ି ପିନ୍ଧାଇ ଦେଉ ଦେଉ ସୁମୀତାକୁ କହିଲେ, ମୁଁ ତମକୁ ପ୍ରତିଶ୍ରୁତି ଦେଇଥିଲି ସେଦିନ ଯେ, ତମ ଚୁଡ଼ି ମୁଁ ନିଶ୍ଚୟ ଖୋଜି ବାହାର କରିଦେବି ଆଉ ସେ ଚୁଡ଼ି ତମ ଜନ୍ମତିଥିରେ ମୁଁ ତମ ହାତରେ ନିଜେ ପିନ୍ଧାଇ ଦେବାକୁ ଧାଇଁଆସିଛି-। ହାତ ଦେଖାଅ ।

 

ବାଧ୍ୟ ଶିଶୁଟି ଭଳି ସୁମୀତା ହାତ ବଢ଼େଇଦେଲା ।

 

ସମସ୍ତଙ୍କୁ ଗିରଫ କରି ବାହାରେ ଶୁଭେନ୍ଦ୍ରବାବୁଙ୍କୁ ଜିମାଦେଇ ଦେବାଶୀଷବାବୁ ଦଉଡ଼ିଲେ ସୁମୀତାର ଘର ଭିତରକୁ । ହଲରେ ନାଚ ଚାଲିଥିଲା । ସମସ୍ତେ ତନ୍ମୟ ହୋଇ ନାଚ ଦେଖୁଥିଲେ ।

 

ପ୍ରବେଶ ଦ୍ଵାରରେ ହଠାତ୍ ଦେବାଶୀଷବାବୁ ଚିତ୍କାର କଲେ, ବନ୍ଦକର ଏ ନାଚ ? ସମସ୍ତେ ବାହାରିଆସ ! ଏ ଘରେ ଟାଇମ୍‍ବମ୍ ଖଞ୍ଜାଯାଇଛି । ମାତ୍ର କେଇଟା ମିନିଟ୍ ପରେ ଆପଣମାନେ ଏ ଘର ସହିତ ସମସ୍ତେ ଧ୍ଵଂସ ପାଇଯିବେ ।

 

ନାଚର ତନ୍ଦ୍ରା କଟିଗଲା ସମସ୍ତଙ୍କ ଆଖିରୁ । ପଛକୁ ଫେରି ଚାହିଁ ଦେଖିଲେ ଦ୍ୱାରଦେଶରେ ଦେବାଶୀଷବାବୁ ଦଣ୍ଡାୟମାନ । ପ୍ରାଣ ରକ୍ଷାପାଇଁ ସମସ୍ତେ ବାହାରିଆସିଲେ । ସୁବାସ ଓ ଏସ୍.ପି.ଙ୍କୁ ସାଙ୍ଗରେ ଧରି ଏକ ଅବରୁଦ୍ଧ କୋଠରି ଭିତରୁ ରାଜେଶକୁ ଉଦ୍ଧାର କରିଲେ ଦେବାଶୀଷବାବୁ । ବାହାରେ ପୋଲିସ୍ ଭ୍ୟାନ୍ ଅପେକ୍ଷା କରିଥିଲା ।

 

ସମସ୍ତେ ବାରବାଟୀ ପଡ଼ିଆରେ କିଛି ସମୟ ଅପେକ୍ଷା କଲେ, ହଠାତ୍ ଏକ ଭୟଙ୍କର ବିସ୍ଫୋରଣର ଶବ୍ଦ କରି ଶାରଦା କଳାନିକେତନର ଆଲୋକ ସଜ୍ଜିତ ସୌଧଟି ପ୍ରବଳ ଧୂଆଁର ମେଘ ଭିତରେ ଢଳିପଡ଼ିଲା ।

 

ହୁଏତ କାଳର କରାଳ କବଳରେ, ଏକଦା ସଭ୍ୟତା ଓ ସଂସ୍କୃତିର ଶୀର୍ଷାସନରେ ଥିବା ରୋମନଗରୀ ଯେମିତି ଭୁଶୁଡ଼ି ପଡ଼ିଥିଲା ।

 

ପୋଲିସ୍ ଭ୍ୟାନ ଆଗେଇଲା ।

 

–ଶେଷ–

 

ଏହି ଘଟଣାଟି ସହରରେ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଥାଏ । ଜେଲରେ କୁମାରୀ ସୁମୀତାଙ୍କୁ ଦେଖିବାପାଇଁ ହଜାର ହଜାର ଲୋକ ଛୁଟିଥାଆନ୍ତି । ଦୁର୍ବୃତ୍ତମାନେ ଗିରଫ ହେବା ପରେ ଜନତା ମନରେ ସ୍ଵାଭାବିକ ଶାନ୍ତି ଫେରିଆସୁଥାଏ ।

 

ଦେବାଶୀଷବାବୁଙ୍କର ପ୍ରଶଂସା ସହରସାରା ସମସ୍ତଙ୍କ ମୁହଁରେ । ଦେବାଶୀଷବାବୁଙ୍କର ଏଭଳି ସୁଚତୁର କାର୍ଯ୍ୟଦକ୍ଷତା ପାଇଁ ସେଦିନ I. G. ନିଜେ ତାଙ୍କୁ ସମ୍ମାନ ପ୍ରଦର୍ଶନ କରିବାପାଇଁ ତାଙ୍କ କୋଠରିରେ ଏକ ଛୋଟ ସଭାର ଆୟୋଜନ କରିଥାନ୍ତି । ସଭାରେ ଛୋଟ ବଡ଼ ସମସ୍ତ ଅଫିସର ଓ ବିଶିଷ୍ଟ ଭଦ୍ରଲୋକମାନେ ଯୋଗଦେଇଥାନ୍ତି । ସମସ୍ତଙ୍କର ଅନୁରୋଧ ଫଳରେ ଦେବାଶୀଷବାବୁ ଘଟଣା ସମ୍ପର୍କରେ ସମ୍ୟକ ଧାରଣା ଦେବାକୁ ଯାଇ କହିଲେ–

 

ପ୍ରଥମେ ହୋଟେଲ ପାରାଡ଼ାଇଜରେ ଯେଉଁ ଘଟଣା ଘଟିଲା ସେ ସମ୍ପର୍କରେ ମୁଁ ନିଜେ ଅନୁଭବ କଲି ଯେ କେବଳ ଗୁଡ଼ାଏ ଟଙ୍କା ଆୟକରି ଫାଇଦା ଉଠାଇବା ପାଇଁ କେହି ଚତୁର ଲୋକ ଏଭଳି ଏକ ଫଙ୍କସନର ଆୟୋଜନ କରିଛି ଏବଂ ସେ ଲୋକ ସହିତ ସୁମୀତାଦେବୀ ନିଜେ ସଂପୃକ୍ତ । ଜନସାଧାରଣଙ୍କର ବିଶ୍ଵାସ ଜନ୍ମାଇବା ପାଇଁ କେବଳ ଆୟଲବ୍ଧ ଟଙ୍କା ଅମ୍ବାଲାଲବାବୁଙ୍କ ପାଖରେ ଜମା ରଖାଯାଇଥିଲା ।

 

ସୁମୀତାଦେବୀ ସେଦିନ ଜାଣିଶୁଣି ମୂର୍ଚ୍ଛା ହେବାର ଅଭିନୟ କରିଥିଲେ । ଯେହେତୁ ସମସ୍ତଙ୍କର ଆକର୍ଷଣ ଥିଲେ ସୁମୀତାଦେବୀ, ତେଣୁ ତାଙ୍କର ହଠାତ୍ ଅସୁସ୍ଥତା ପାଇଁ ସମସ୍ତେ ତାଙ୍କରି ସେବା ଶୁଶ୍ରୂଷାରେ ଲାଗି ରହିଥିବା ବେଳେ ସୁଯୋଗପାଇ ଅର୍ଦ୍ଧେନ୍ଦୁ ରାଏ ଟଙ୍କାତକ ଅପହରଣ କରି ଅମ୍ବାଲାଲବାବୁଙ୍କ ପାଇଁ ବଦନାମ୍ ରଖି ଦେଇଗଲେ । ପରଦିନ ମେଡ଼ିକାଲରେ ମୁଁ ନିଜେ ସୁମୀତାକୁ ଭେଟିଛି ସେ ବେଶ୍ ପ୍ରଫୁଲ୍ଲ ଥିଲା ଓ ଡାକ୍ତରଙ୍କଠାରୁ ବୁଝିଥିଲି ସେ ମୂର୍ଚ୍ଛିତା ଥିଲାବେଳେ ତାଙ୍କ ଶରୀର ଯନ୍ତ୍ରରେ କୌଣସି ପରିବର୍ତ୍ତନ ହୋଇନଥିଲା । ସୁମୀତା ଅର୍ଦ୍ଧେନ୍ଧୁ ରାଏଙ୍କୁ ତାଙ୍କର ସ୍ଵାମୀ ବୋଲି ଡାକ୍ତରଙ୍କ ନିକଟରେ ପରିଚୟ ଦେଇଥିଲେ ଓ ମୁଁ ଦେଖାକରିବାର ଘଣ୍ଟାକ ପରେ ମେଡ଼ିକାଲରୁ ଡିସ୍‍ଚାର୍ଜ ହୋଇ ଅର୍ଦ୍ଧେନ୍ଦୁ ରାଏଙ୍କ ସାଙ୍ଗରେ ଟ୍ୟାକ‌୍ସିରେ ଫେରିଆସିଲେ । ପରେ ପରେ ଅର୍ଦ୍ଧେନ୍ଦୁ ରାଏ ତାଙ୍କ ଦ୍ୱାରା ଭାରତୀୟ ଜବାନମାନଙ୍କ ପାଇଁ ଆଦାୟ ହୋଇଥିବା ପାଣ୍ଠିର ଅପହରଣ ପାଇଁ ତାଙ୍କ ସାମାଜିକ ପ୍ରତିପତ୍ତି ନଷ୍ଟ ହୋଇଥିବା କଥା ସୂଚାଇ ମୋ ମନ ଭିତରେ ଅମ୍ବାଲାଲ୍‍ଙ୍କୁ ସନ୍ଦେହ କରିବାପାଇଁ ଯଥେଷ୍ଟ ଖୋରାକ୍ ଯୋଗାଇଦେବାରେ ସାହାଯ୍ୟ କରିଥିଲେ ।

 

ହୋଟେଲ୍ ଗ୍ରୀନ୍‍ଲ୍ୟାଣ୍ଡର ପରିଚାରୀକା ‘ମାମୀ’କୁ ଏମାନେ ହରଣଚାଳ କରିନେଇଥିଲେ; କାରଣ ମାମୀ ଆଉ ସୁମୀତା ମଧ୍ୟରେ ଦେହ ଗଠନର ଏପରି ଶୈଳୀ ଥିଲା ଯେ ଦୁହିଁଙ୍କୁ ଚିହ୍ନିବା ବଡ଼ କଷ୍ଟକର ବ୍ୟାପାର । ମାତ୍ର ପୁଲିସ ଷ୍ଟେସନରୁ ମାମୀର ଫଟୋ ନେଇ ବହୁ ନିରୀକ୍ଷଣ ପରେ ମୁଁ ଆବିଷ୍କାର କରି କେବଳ ମାମୀର ଓଠରେ ଗୋଟିଏ ତିଳଚିହ୍ନ ଅଛି ଯାହାକି ସୁମୀତାଙ୍କର ନାହିଁ । ସେଇ ମାମୀକୁ ବୋରିଗୁମ୍ମା ଦସ୍ୟୁଙ୍କ ଆଡ଼ାରେ ଦେଖି ସୁବାଷ ତାକୁ ସୁମୀତା ବୋଲି ମନେକରିଛି ଏବଂ ଗତରାତ୍ରିରେ ଯିଏ ସୁମୀତାର ଜନ୍ମତିଥିରେ ନୃତ୍ୟ ପରିବେଷଣ କରୁଥିଲା ସିଏ ମାମୀ ଏବଂ ସମସ୍ତେ ତାକୁ ସୁମୀତା ବୋଲି ମନେକରିଥିଲେ । ଅଥଚ ଅସଲ ସୁମୀତା ଓଡ଼ିଶାରୁ ଖସି ପଳାଇବା ପାଇଁ ଷଡ଼ଯନ୍ତ୍ର କରୁଥିଲା ।

 

ମାମୀକୁ ନେଲାଦିନ ରାଜାବଗିଚାର ବସନ୍ତକୁମାର ସାହୁଙ୍କର ପୁତ୍ରବଧୂ ମାଳବିକାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର ଶୀରହୀନ ଶବକୁ ଥୋଇଦେଇ ଏମାନେ ମାମୀକୁ ହତ୍ୟା କରିଛନ୍ତି ବୋଲି ଭ୍ରମ ସୃଷ୍ଟିକରି ତାକୁ ନେଇଯାଇଥିଲେ । ରକ୍ତ ପରୀକ୍ଷା କରି ଡାକ୍ତର ମତ ଦେଇଥିଲେ ଯେ ଏ ରକ୍ତ କୌଣସି ଲୋକ ଜୀବନ୍ତ ଅବସ୍ଥାରେ ଥିବା ବ୍ୟକ୍ତିର ରକ୍ତ ନୁହେଁ । ଏଣୁ ମାମୀକୁ ମାରିଦିଆଯାଇ ନାହିଁ ବୋଲି ମୋର ସନ୍ଦେହ ହୋଇଥିଲା । ମାମୀର କେଶ୍ ତଦନ୍ତ କରୁଥିଲାବେଳେ ମ୍ୟାନେଜର ମାସୁକ୍ ମିଆଁଙ୍କର ଗତିବିଧି ସନ୍ଦେହଜନକ ମନେହେଲା । ତା’ ଛଡ଼ା ତାଙ୍କ ଟେବୁଲ୍ ତଳ ଚଟାଣ ଉପରେ ଧୂଳିରେ ତାଙ୍କ ଜୋତାର ଚିହ୍ନ ସାଙ୍ଗରେ ଗ୍ରୀନ୍‍ଲ୍ୟାଣ୍ଡ ହୋଟେଲର ବଗିଚା ଭିତରେ ଓ ସେଠରାମ ଦୟାଲଙ୍କ ବଗିଚା ଭିତରୁ ମିଳୁଥିବା ଜୋତାଚିହ୍ନ ମିଳିଯାଉଥିବାରୁ ମୁଁ ତାଙ୍କୁ ସନ୍ଦେହ କରିବାକୁ ଲାଗିଲି । ଏଣୁ ମାସୁକ୍ ଯେତେବେଳେ ତାଙ୍କ ରୁଗ୍‍ଣ ମା’କୁ ଦେଖିବାପାଇଁ ଛୁଟିରେ ଗାଁକୁ ଗଲେ ମୁଁ ତାଙ୍କ ପଛେ ପଛେ ସୁବାଷକୁ ଛଦ୍ମବେଶରେ ପଠାଇ ତାଙ୍କର ଅସଲ ରୂପ ଆବିଷ୍କାର କରିଥିଲି ।

 

ଏହି ଦସ୍ୟୁଦଳ ପଛରେ କଲିକତାର ପ୍ରସିଦ୍ଧ ଗୋଇନ୍ଦା ସୁରେଶ ଗୁପ୍ତ ଅନେକ ଦିନ ଆଗରୁ ଲାଗିଥିଲେ, ମାତ୍ର ତାଙ୍କର ସାନଭାଇ ରାଜେଶ ଗୁପ୍ତ ଘଟଣାକ୍ରମେ ସୁମୀତାର ପରିଚୟ ପାଇଲା ଏବଂ ସୁମୀତା ରାଜେଶକୁ ପ୍ରେମ କରିବାର ଅଭିନୟ କଲା । ରାଜେଶ କିଛି ବୁଝିନପାରି ସୁମୀତାର ମାୟାରେ ଅନ୍ଧ ହୋଇପଡ଼ିଲା । ରାଜେଶଙ୍କର ଗୋଟିଏ ହାତରେ ଚାରୋଟି ଆଙ୍ଗୁଠି । ପିଲାଦିନେ ଗୋଟିଏ ଆଙ୍ଗୁଠି କଟିଯାଇଥିଲା । ମାମୀକୁ ନେବାଦିନ ରାଜେଶ ଗ୍ରୀନ୍‍ଲ୍ୟାଣ୍ଡକୁ ଯାଇଥିଲେ ଏବଂ ତାଙ୍କ ହାତରୁ ସ୍ପଷ୍ଟ ଚିହ୍ନ ଖଣ୍ଡିଏ ରକ୍ତାକ୍ତ କାଗଜରୁ ମୁଁ ପାଇଛି । ଏକଦା ସୁମୀତା ଓ ରାଜେଶ ସାଙ୍ଗରେ ମୋର ଦେଖାହୁଏ । ସୁମୀତା ନିଜର ମାଉସୀ ପୁଅ ଭାଇ ବୋଲି ରାଜେଶକୁ ପରିଚୟ ଦିଏ । ସେଇଦିନ ରାଜେଶ ହାତରେ ଚାରୋଟି ଆଙ୍ଗୁଠି ଥିବା ଦେଖି ମୁଁ ସନ୍ଦେହ କଲି ଓ ତାହା ଜାଣିପାରି ସୁମୀତା ରାଜେଶକୁ ମୋ ଦୃଷ୍ଟିର ଅନ୍ତରାଳରେ ରଖିଲା ।

 

ମାତ୍ର ରାଜେଶ ଯେତେବେଳେ ଜାଣିପାରିଲା ସୁମୀତା ଏକ ଦସ୍ୟୁଦଳର ଅଧିନାୟିକା ଓ ଭାରତରେ ପାକିସ୍ତାନର ଗୁପ୍ତଚର କାମ କରୁଛି ଏବଂ ଏ ଦେଶରୁ ଡକାୟତି କରି ସେଇ ଅର୍ଥକୁ ପାକିସ୍ତାନ ପଠାଉଛି ସେତେବେଳେ ତା’ର ଡାଇରିରେ ବରାବର ଲେଖିଛି । ରାଜେଶର ଅନୁପସ୍ଥିତିରେ ଦିନେ ତା’ର ଡାଇରିଟି ଅର୍ଦ୍ଧେନ୍ଦୁ ରାଏ ହାତରେ ପଡ଼ିଛି । କେତେବେଳେ କାଳେ ସେ ପୋଲିସରେ ଖବର ଦେଇଦେବ ଏଇଥିପାଇଁ ତାକୁ ଏକ ଗୁପ୍ତ କୋଠରିରେ ବନ୍ଦ ଅବସ୍ଥାରେ ରଖାଯାଇଥିଲା । ମାତ୍ର ଚତୁର ରାଜେଶ ବନ୍ଦୀ ହୋଇଯିବା ପୂର୍ବରୁ ମତେ ଚିଠିଲେଖି ଜଣାଇଥିଲା ।

 

ସୁମୀତା ବୋରିଗୁମ୍ମା ଯାଇଥିବାବେଳେ ହଠାତ୍ ଦିନେ ଅଧରାତିରେ ଶୁଭେନ୍ଦ୍ରବାବୁଙ୍କୁ ନେଇ ମୁଁ ତା’ ଘର ଖାନତଲାସ କରି ରାଜେଶର ଡାଇରି ଓ ଏଇ ଚୁଡ଼ି ଦୁଇପଟ ଉଦ୍ଧାର କଲି ।

 

ସମସ୍ତେ ଏକ ସ୍ଵରରେ କହିଉଠିଲେ– ଚୁଡ଼ି ?

 

ଦେବାଶୀଷବାବୁ ସ୍ମୀତ ହସି କହିଲେ, ହଁ ଇଏ ଚନ୍ଦ୍ରିକାର ଚୁଡ଼ି । ଦେଖୁନାହାନ୍ତି ଖୁବ୍ ଛୋଟ ଅକ୍ଷରରେ ସ୍ପଷ୍ଟ ଲେଖାଯାଇଛି ‘ଚନ୍ଦ୍ରିକା’ । ଚୁଡ଼ି ଦୁଇପଟ ଆଇ.ଜି.ଙ୍କ ଟେବୁଲ ଉପରେ ଥୋଇଦେଲେ ଦେବାଶୀଷବାବୁ । ଆଇ.ଜି. ଚୁଡ଼ି ଦି’ପଟକୁ ଏପଟସେପଟ କରି ଦେଖୁ ଦେଖୁ କହିଲେ, ଏ ପୁଣି କି ରହସ୍ୟ ?

 

ଦେବାଶୀଷବାବୁ କହିଲେ, ୧୮୯୫ ମସିହାରେ ଦକ୍ଷିଣ–ଆଫ୍ରିକାରେ କେ.ରଙ୍ଗନାଥମ୍ ନେତୃତ୍ୱରେ ଯେଉଁ କୁଖ୍ୟାତ ଦସ୍ୟୁଦଳ ଗଢ଼ି ଉଠିଥିଲେ ଆପଣ ଜାଣିଥିବେ; ଏଇ ନିଅନ୍ତୁ, ଏଇ ଫାଇଲରେ ସେ ସମସ୍ତ ବିବରଣୀ ଅଛି । ଚନ୍ଦ୍ରିକା ସେ ଦଳର ଅଧିନେତ୍ରୀ ଥିଲା ଓ ରଙ୍ଗାନାଥମର ରକ୍ଷିତା । ତାଙ୍କ ପରେ ପରେ ଯେଉଁମାନେ ଏ ଦଳର ଅଧିନେତ୍ରୀ ରୂପେ ଅଭିଷିକ୍ତା ହେବେ କେବଳ ସେଇମାନେ ହିଁ ଏଇ ଚୁଡ଼ି ପିନ୍ଧିପାରିବେ ଓ ଦଳର ମା’ ରୂପେ ସମ୍ମାନିତା ହେବେ । ମି: ବେକରଙ୍କ ରିପୋର୍ଟରୁ ଏ ଘଟଣା ମୁଁ ବହୁ ପୂର୍ବେ ଜାଣିଥିଲି । ଏଣୁ ସୁମୀତା ଏଇ ଦସ୍ୟୁଦଳର ମା’ ଓ ଅର୍ଦ୍ଧେନ୍ଦୁ ରାଏ ଏ ଦଳର ପିତା ।

 

ବର୍ତ୍ତମାନ ଏମାନେ ପାକିସ୍ତାନର ନାଗରିକ । କାଶ୍ମୀରର ସୀମାନ୍ତରେ ଏମାନେ ଅନୁପ୍ରବେଶକାରୀ କାମ କରି ବହୁତ ଲୁଟତରାଜ କରିଛନ୍ତି, ଗତ ଛ’ମାସ ତଳେ କାଶ୍ମୀରର ସୀମାନ୍ତ ପୋଲିସ୍ ଏକ ଅନୁପ୍ରବେଶକାରୀମାନଙ୍କୁ ଗିରଫ କରିଥିଲେ କିନ୍ତୁ ଆପଣ ସମ୍ବାଦପତ୍ରରୁ ଜାଣିଥିବେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ସେଖ୍ ହାରୁନ୍ ନାମକ ଜଣେ ଆସାମୀର ନେତୃତ୍ୱରେ କେତେକ ବନ୍ଦୀ ଜେଲ୍‍ରୁ ଖସି ପଳାଇଥିଲେ ବୋଲି ବାହାରିଥିଲା ।

 

ଆଇ.ଜି. ମୁଣ୍ଡ ହଲାଇ ସମ୍ମତି ଜଣାଇଲେ ।

 

ଦେବାଶୀଷବାବୁ କହିଲେ, କେନ୍ଦ୍ର ପୋଲିସ୍ ସଂସ୍ଥା ସହିତ ପତ୍ର ବିନିମୟ କରି ପଳାତକମାନଙ୍କର ଫଟୋଗ୍ରାଫ୍ ମୁଁ ମଗାଇଥିଲି । ଏଇ ନିଅନ୍ତୁ, ବର୍ତ୍ତମାନ ଦେଖନ୍ତୁ, ଆମର ଠିକାଦାର ଅର୍ଦ୍ଧେନ୍ଦୁମୋହନ ରାଏ ହେଉଛନ୍ତି ସେଇ ସେଖ୍ ହାରୁନ୍ । କିଛିଦିନ ପଞ୍ଜାବରେ ସେ ଠାକୁର ଚାନ୍ଦ ଭାର୍ଗବ ନାମରେ ପରିଚିତ ହୋଇଥିଲେ । ଆଉ ଲକ୍ଷ ଜନନୟନର ପିତୁଳା କୁମାରୀ ସୁମୀତା ହେଉଛନ୍ତି ଏ ଦସ୍ୟୁ ଦଳର ଅଧିନାୟିକା “ହାସିନା ବିବି” । ଚନ୍ଦ୍ରିକାର ଯୋଗ୍ୟା ଉତ୍ତରାଧିକାରିଣୀ । ମାସୁକ୍, ସୁଲେମାନ୍ ଏମାନେ ସବୁ ପାକିସ୍ତାନୀ ଗୁପ୍ତଚର ।

 

ରାଜେଶବାବୁଙ୍କଠାରେ ମୁଁ କୃତଜ୍ଞ ଯେ, ତାଙ୍କର ଡାଏରିଟି ନ ପାଇଥିଲେ ଶାରଦା କଳାନିକେତନର ଗୁପ୍ତପଥ–ଗୁଡ଼ିକର ସନ୍ଧାନ ମୁଁ ପାଇନଥାଆନ୍ତି । ସେଦିନ ନୃତ୍ୟ–ଗୀତରେ ଆପଣମାନଙ୍କୁ ମଜଗୁଲ ରଖି ଚମ୍ପଟ୍ ମାରିବାର ବ୍ୟବସ୍ଥା କରିଥିଲେ ଏବଂ ସେ ଘରେ ଟାଇମବମ୍ ଖଞ୍ଜି ରଖିଥିଲେ । ଫଳରେ ଆପଣମାନଙ୍କର ମୃତ୍ୟୁ ହୋଇଥାଆନ୍ତା ଓ ସେମାନେ ସୁବିଧାରେ ଓଡ଼ିଶାରୁ ଖସିଯାଇଥାଆନ୍ତେ ।

 

ଦେବାଶୀଷବାବୁଙ୍କ ବକ୍ତବ୍ୟ ଓ ଦୁଃସାହସ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ଘଟଣା ସଂକ୍ରାନ୍ତିୟ ସମସ୍ତ କାଗଜପତ୍ର ଆଇ.ଜି.ଙ୍କ ହାତରେ ଅର୍ପଣ କରୁ କରୁ ଦେବାଶୀଷବାବୁ କହିଲେ ରାଜେଶଙ୍କୁ ଲକ୍ଷ୍ୟକରି, କ’ଣ ରାଜେଶବାବୁ ! ଏଥର ସୁମୀତାଙ୍କୁ ବିବାହ କରିନିଅନ୍ତୁ ।

 

ରାଜେଶ ଲଜ୍ଜାରେ ମସ୍ତକ ଅବନତ କଲେ ।

 

ଦେବାଶୀଷବାବୁ ଆଦେଶ ଦେବା ଗଳାରେ କହିଲେ, ତମେ କିନ୍ତୁ ସୁମୀତାକୁ ବିବାହ କରିବାକୁ ବାଧ୍ୟ ।

 

ସମସ୍ତେ ଆଶ୍ଚର୍ଯ୍ୟରେ ଦେବାଶୀଷବାବୁଙ୍କ ମୁହଁକୁ ଅନେଇଲେ । ଦେବାଶୀଷବାବୁଙ୍କୁ କହିଲେ, ଅସଲ ସୁମୀତା ସିନା ହାଜତରେ, କିନ୍ତୁ ନକଲି ସୁମୀତା ଓରଫ୍ ମାମୀ ଯେ ମୋର ପାଳିତା କନ୍ୟା । ସାମାନ୍ୟ ତିଳଚିହ୍ନର ପ୍ରଭେଦ ପାଇଁ ସେ କ’ଣ ନକଲି ସୁମୀତାକୁ ବିବାହ କରିବେ ନାହିଁ । କିନ୍ତୁ ମୁଁ ଯେ ସୁରେଶ ଗୁପ୍ତଙ୍କୁ ସବୁକଥା ଜଣାଇ ଟେଲିଗ୍ରାମ୍ କରିଦେଇଛି ।

 

ପୋଲିସ ସାହେବ ହସିଉଠି କହିଲେ– ୟା’ଭିତରେ ଆପଣ ଗୋଟାଏ ଭୋଜିର ଆୟୋଜନ ମଧ୍ୟ କରିଦେଇ ସାରିଲେଣି ।

 

ମାମୀ ଲାଜରେ ଚେୟାର ଛାଡ଼ି ବାରଣ୍ଡାକୁ ଉଠିଗଲା ।

 

ଦେବାଶୀଷବାବୁ କହିଲେ–ସବୁଠାରୁ ବଳି ମୋର ଦୁଃଖ ଯେ ମୋର ପ୍ରିୟ ଆଲୋସେସିଆନ ‘ଜିମ୍’ ଆଉ ଇହଧାମରେ ନାହିଁ । ଆପଣମାନଙ୍କୁ ଅନୁରୋଧ ତା’ର ମୃତଆତ୍ମାର ସଦ୍‍ଗତି ପାଇଁ ସମସ୍ତେ ଠିଆହୋଇ ଦୁଇମିନିଟ ନୀରବ ପ୍ରାର୍ଥନା କରନ୍ତୁ ।

 

କାହାକୁ ଅପେକ୍ଷା ନ କରି ଦେବାଶୀଷବାବୁ ଚକ୍ଷୁ ମୁଦ୍ରିତ କରି ଠିଆହୋଇ ରହିଲେ ।

 

ବିରୋଳ

୨୬–ଜାନୁୟାରୀ–୧୯୬୯

Image

 

ରାଧାଗୋବିନ୍ଦ ପଟ୍ଟନାୟକଙ୍କ ପ୍ରକାଶିତ ଉପନ୍ୟାସ

 

ହେ ମାନସୀ ହେ ଚକୋରୀ ବଧୂ

ନୀଳଚନ୍ଦ୍ରର ଉପତ୍ୟକା

କୁଆତାରାର କାବ୍ୟ

ଭଗ୍ନକୁଞ୍ଜର ରାଧା

ରତିକନ୍ୟାର ଇତିକଥା

ମଧୁମାସ ହେଲା ଶେଷ

ଏଇ ଆଖି ଏଇ ଲୁହ

ନିଃସଙ୍ଗ ଗୋଧୁଳି

ଅଶାନ୍ତ ଫଗୁଣ

ମେଘ ମୟୂର

ମନ-ପତଙ୍ଗ

ଗୁପ୍ତ କୋଠିର ମାନଚିତ୍ର

ଗୁପ୍ତ ଗୁହାର ସନ୍ଧାନ

ଚନ୍ଦ୍ରିକାର ଚୁଡ଼ି

ଲାଲ୍ ଦସ୍ୟୁ